ନଭେମ୍ବର ସୁଦ୍ଧା କୋଭିଡ ଭ୍ୟାକସିନ : ଓଡିଶାକୁ ଅଗ୍ରାଧିକାର

0

ସେରମ୍ ଇନଷ୍ଟିଚ୍ୟୁଟ୍ ସିଇଓ-ମୁଖ୍ୟମନ୍ତ୍ରୀ ଭିଡ଼ିଓ ବାର୍ତାଳାପ

ଭୁବନେଶ୍ୱର,(ତତ୍କାଳ ଓଡିଶା ବ୍ୟୁରୋ): ଓଡିଶା ପାଇଁ ଖୁସି ଖବର I ଆସନ୍ତା ନଭେମ୍ବର ସୁଦ୍ଧା କୋଭିଡ ଭ୍ୟାକସିନ୍ ପ୍ରସ୍ତୁତ ହୋଇଯିବ I ଓଡିଶା ପ୍ରଥମେ ପାଇବାର ସମ୍ଭାବନା ରହିଛି I ଏହି ସୂଚନା ଦେଇଛନ୍ତି ପୁନେର ସେରମ୍ ଇନଷ୍ଟିଚ୍ୟୁଟ  ସିଇଓ ଆଦର ପାନୱାଲ୍  ।
ବୁଧବାର ଭିଡ଼ିଓ କନଫରେନ୍ସିଂରେ ଶ୍ରୀ ପାନୱାଲଙ୍କ  ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ୍ ଭ୍ୟାକସିନର ଅଗ୍ରଗତି ସମ୍ପର୍କରେ କଥା ହୋଇଥିଲେ । ପରେ ସିଇଓ ଆଦର ପାନୱାଲ୍  କହିଥିଲେ, ନଭେମ୍ବର ସୁଦ୍ଧା ପ୍ରସ୍ତୁତ ହୋଇଯିବ କୋଭିଡ୍ ଟୀକା । ଏହି ଟୀକାର ପ୍ରଥମ ପରୀକ୍ଷଣ ସଫଳ ହୋଇଛି । ଅଗଷ୍ଟ ମଧ୍ୟଭାଗରେ ଏହାର ପରବର୍ତ୍ତୀ ପରୀକ୍ଷଣ ହୋଇ ଅକ୍ଟୋବର କିମ୍ବା ନଭେମ୍ବର ସୁଦ୍ଧା ଭ୍ୟାକସିନ୍ ଚୂଡାନ୍ତ ପ୍ରସ୍ତୁତ ହେବ I
ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରମିଳିତ ସହଯୋଗରେ  ଗବେଷଣା କରୁଥିବା ପୁନେର ସେରମ୍ ଇନଷ୍ଟିଚ୍ୟୁଟ ଏହି କାର୍ଯ୍ୟ କରୁଛି I ଭ୍ୟାକସିନ୍ ପ୍ରସ୍ତୁତ ହୋଇ ଆସିବା ପରେ ଓଡ଼ିଶାକୁ ଅଗ୍ରାଧିକାର ଦେଇ ପଠାଇବାକୁ ମୁଖ୍ୟମନ୍ତ୍ରୀ ତାଙ୍କର ସହଯୋଗ ଲୋଡିଥିଲେ । ସେରମ୍ ଇନଷ୍ଟିଚ୍ୟୁଟ୍ ସହ ରାଜ୍ୟ ସରକାର ଯୋଗାଯୋଗରେ ରହିବେ ବୋଲି ଜଣାଇଥିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଆଗ୍ରହକୁ ଶ୍ରୀ ପନୱାଲା ତାରିଫ୍ କରିବା ସହ ସେରମ୍ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ରାଜ୍ୟ ସରକାରଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି ଅବସରରେ ଓଡ଼ିଶାରେ କୋଭିଡ୍ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଥିଲେ ପନୱାଲା ।
ମୁଖ୍ୟମନ୍ତ୍ରୀଙ୍କର ଏହି କଥାବାର୍ତ୍ତାବେଳେ ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ, ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଉପଦେଷ୍ଟା ଆର.ବାଲକ୍ରିଷନ୍, ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କେ.ପାଣ୍ଡିଆନ୍, ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି  କୋଭିଡ୍ ଭ୍ୟାକସିନ୍ ପରୀକ୍ଷଣର ଅଗ୍ରଗତି ନେଇ ମୁଖ୍ୟମନ୍ତ୍ରୀ ଆନନ୍ଦ ପ୍ରକାଶ କରିବା ସହ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ ।

Leave A Reply

Your email address will not be published.