ପ୍ର ସତ୍ୟେନ୍ଦ୍ର ପଟ୍ଟନାୟକଙ୍କ ସ୍ତମ୍ବ -2: ‘ଧ୍ରୃବୀକରଣ ରାଜନୀତି ଓ ଓଡ଼ିଶା’

0

  • TATKAL ODISHA//ତୀର୍ଯ୍ୟକ//
  • ପ୍ରଫେସର ଡ଼ଃ ସତ୍ୟେନ୍ଦ୍ର ପଟ୍ଟନାୟକ


ସଂପ୍ରତି ଶେଷ ହୋଇଥିବା ପାଞ୍ଚଞ୍ଚରାଜ୍ୟରେ ନିର୍ବାଚନ ଏବଂ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରରେ ଭାରତୀୟ ଜନତା ପାର୍ଟିର (ବି.ଜେ.ପି) ଅଭୂତପୂର୍ବ ବିଜୟକୁ ବିଶ୍ଲେଷଣ କଲେ ବିଜେପିର ସଫଳତା ପଛରେ ଧର୍ମୀୟ ଧୃବୀକରଣ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ମନେହୁଏ ।

୨୦୧୪ ସାଧାରଣ ନିର୍ବାଚନଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତ ନିର୍ବାଚନରେ ବିଜେପିର ଧର୍ମୀୟ ଧୃବୀକରଣ ଏହାର ସଫଳତାର ମୂଳ କାରଣ । ଦେଶରେ ବେକାରୀ, ଦରିଦ୍ର‌୍ୟ, ଦରଦାମ୍ ବଢ଼ିବା ଭଳି ଯେଥେଷ୍ଟ କାରଣ ସତ୍ତ୍ୱେ ଉତ୍ତର ପ୍ରଦେଶରେ ବିଜେପିର ସଫଳତା ସମସ୍ତ ରାଜନୈତିକ ବିଶ୍ଲେଷକମାନଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଏହି ଅସାଧାରଣ ବିଜୟ ହେତୁ ଭାରତୀୟ ଜନତା ପାର୍ଟି କର୍ମକର୍ତ୍ତାମାନେ ସେମାନଙ୍କୁ ଉତ୍ସାହିତ କରିବା ପାଇଁ ଓଡ଼ିଶାରେ ବିଜେପି ନିଜସ୍ୱ ପତିଆରା ବଢ଼ାଇ ଦିନେ ଏହାର ଶାସନ ଡ଼ୋରି ହାତକୁ ନେବା ପାଇଁ ଚେଷ୍ଟିତ, କିନ୍ତୁ ଏହା କଣ ସମ୍ଭବ?

ଗତ୨୫ ବର୍ଷଧରି ଓଡ଼ିଶାରେ ନବୀନ ପଟ୍ଟନାୟକ ବିଜୁ ଜନତା ଦଳ (ବିଜେଡ଼ି) ସୁପ୍ରିମୋ ହିସାବରେ ମୁଖ୍ୟମନ୍ତ୍ରୀ ହୋଇଆସୁଛନ୍ତି । ଅନ୍ୟାନ୍ୟ ପ୍ରଦେଶରେ ବିଜେପି ନିଜର ଅର୍ଥବଳ ତଥା ସରକାରୀ ସଂସ୍ଥାମାନଙ୍କର ସହଯୋଗରେ ଏକ ଲାଭାର୍ଥୀ ଗୋଷ୍ଠୀ ତିଆରି କରିଥିବା ବେଳେ ଓଡ଼ିଶାରେ ନବୀନ ବାବୁଙ୍କର ଜନକଲ୍ୟାଣ ଯୋଜନା, ଦୁର୍ନୀତି ଗ୍ରସ୍ତ ନେତା ଓ ବାବୁମାନଙ୍କ ପ୍ରତି କଠୋର ପଦକ୍ଷେପ, ବିଜୁ ସ୍ୱାସ୍ଥ୍ୟ ଯୋଜନା, ରାଜନୀତିରେ ମହିଳାଙ୍କ ସ୍ଥାନ ସୁନିଶ୍ଚିତ କରିବା, ମୋ ସ୍କୁଲ ଜରିଆରେ ଶିକ୍ଷାକ୍ଷେତ୍ରରେ ବିଭିନ୍ନ ପଦେକ୍ଷପ ନେବା ହେତୁ ନବୀନ ବାବୁ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି । ଏଠାରେ ବିଜେପିର ସମସ୍ତ ଚେଷ୍ଟା ବା ଧର୍ମୀୟ ଧୃବୀକରଣ ହେବା ସମ୍ଭକ ହୋଇ ନପାରୁଥିବାରୁ ସ୍ୱାଭାବିକ ଭାବେ ଏହାର କାରଣ କଣ ସେ ବିଷୟରେ ସମ୍ୟକ ଆଲୋଚନା କରିବା ଦରକାର ।

ପ୍ରାଚୀନକାଳର ଓଡ଼ିଶାରେ ହିନ୍ଦୁ, ବୌଦ୍ଧ, ଜୈନ ଓ ପରବର୍ତ୍ତୀ ସମୟରେ ମୁସଲମାନ ଓ ଖ୍ରୀଷ୍ଟିୟାନ ଧର୍ମୀୟ ଲୋକମାନେ ଶାନ୍ତିପୂର୍ଣ୍ଣ ଭାବରେ ରହିଆସୁଛନ୍ତି । ଏକ ସହନଶୀଳ ହିନ୍ଦୁ ବହୁଳ ପ୍ରଦେଶରେ ବୁଦ୍ଧଦେବଙ୍କୁ ଏକ ଅବତାର ଭାବେ, ଜୟଦେବ ତାଙ୍କ ଗୀତଗୋବିନ୍ଦରେ ବର୍ଣ୍ଣନା କରିଛନ୍ତି । ଓଡ଼ିଶାରେ ହିନ୍ଦୁଧର୍ମ ଏକ ନିର୍ଦ୍ଦିଷ୍ଟ ବିଚାର ନହୋଇ ବିଭିନ୍ନ ଧର୍ମର ସମନ୍ୱୟରେ ଏକ ସର୍ବଧର୍ମ ମିଶ୍ରଣରେ ଏକ ସ୍ରୋତ ହୋଇ ରହିଆସିଛି । ଉପକୂଳବର୍ତ୍ତୀ ଓଡ଼ିଶାରେ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୁଦ୍ର ଭଳି ବିଭିନ୍ନ ଜାତି ଥିବାବେଳେ ଓଡ଼ିଶାର ବଣଜଙ୍ଗଲରେ ଏହାର ଏକ ଚତୁର୍ଥାଂଶ ଅଧିବାସୀମାନେ ଆଦିବାସୀ । ସେମାନଙ୍କ ମଧ୍ୟରେ ହିନ୍ଦୁ ଦେବାଦେବୀ ବ୍ୟତୀତ ନିଜ ନିଜର ବିଶ୍ୱାସ ଓ ଧର୍ମୀୟ ଭାବନା ରହିଆସିଛି, ଏ ସମସ୍ତର ମିଶ୍ରଣ ହୋଇଛି ଓଡ଼ିଶାରେ ଜଗନ୍ନାଥ ଧର୍ମ ଏବଂ ଚେତନାରେ । ବ୍ରାହ୍ମଣ୍ୟ ଧର୍ମରେ ବିଷ୍ଣୁ ଭାବରେ ପୂଜାପାଉଥିବା ଜଗନ୍ନାଥ କିନ୍ତୁ ବୈଦିକ ବିଷ୍ଣୁ ନୁହନ୍ତି ବରଂ ଶବର ଆଦିବାସୀମାନଙ୍କର ଦେବତା ନୀଳମାଧବ । ଏହି ଦୃଷ୍ଟିରୁ ବିଚାର କଲେ ଓଡ଼ିଶାର ହିନ୍ଦୁଧର୍ମ ବିଭିନ୍ନ ଧର୍ମ, ବିଶ୍ୱାସର ସମନ୍ୱୟ । ଏଥିରେ ବ୍ରାହ୍ମଣ୍ୟଧର୍ମ, ଆଦିବାସୀମାନଙ୍କ ଧର୍ମର ମିଶ୍ରଣ ସ୍ପଷ୍ଟ ବିଦ୍ୟମାନ । ବିଭିନ୍ନ ସମୟରେ ଓଡ଼ିଶାରେ ରାଜତ୍ୱ କରିଥିବା ମୋଗଲ, ମରାଠା ଏବଂ ଇଂରେଜମାନେ ଜଗନ୍ନାଥ ମନ୍ଦିରର ସାର୍ବଭୌମତ୍ତ୍ୱ ଉପରେ କେବେ ବି ହସ୍ତକ୍ଷେପ କରିନାହାନ୍ତି । ଓଡ଼ିଶାର ଧର୍ମୀୟ ସହନଶୀଳତା ଏବଂ ଓଡ଼ିଶାର ଏକତାର କେନ୍ଦ୍ରବିନ୍ଦୁ ଭାବେ ଜଗନ୍ନାଥ ସଦାସର୍ବଦା ପ୍ରତ୍ୟେକ ଓଡ଼ିଆଙ୍କ ମନଭିତରେ ରହିଛନ୍ତି । ଯଦି ପୃଥିବୀ ଏକ ପୁଷ୍କରିଣୀ ତାହାଲେ ଏଠାରେ ଫୁଟିଥିବା ପଦ୍ମ ଭାରତବର୍ଷ ଏବଂ ପଦ୍ମଫୁଲର କେଶର ନୀଳାଚଳ ବୋଲି ବର୍ଣ୍ଣନା କରିଥିବା ଗୋପବଂଧୁ ଦାସ ଏବଂ ନିଜେ ଖ୍ରୀଷ୍ଟିୟାନ ହୋଇ ମଧ୍ୟ ଜଗନ୍ନାଥ ମନ୍ଦିରକୁ ଇଂରେଜମାନଙ୍କ ହାତରୁ ଛଡ଼ାଇ ଆଣିବା ପାଇଁ ମକଦମା ଲଢ଼ିଥିବା ମଧୁସୂଦନ ଦାସ ଓ ତା ପୂର୍ବରୁ ଇସଲାମ ଧର୍ମ ଗ୍ରହଣ କରିଥିବା ଖୋର୍ଦ୍ଧା ରାଜା ରାମଚନ୍ଦ୍ର ଦେବ (୨) ଜଗନ୍ନାଥ ମନ୍ଦିରକୁ ରକ୍ଷାକରିବା ପାଇଁ ବଙ୍ଗଳା, ବିହାର ଓ ଓଡ଼ିଶାର ସୁବେଦାରଙ୍କ ବିପକ୍ଷରେ ଲଢ଼ାଇ କରିବାର ନଜିର ଓଡ଼ିଶାର ଧର୍ମୀୟ ଭାବନାକୁ କେବେ ବି ସଂକୀର୍ଣ୍ଣ କରି ପାରି ନାହିଁ ।

ସହନଶୀଳତା ଓ ଧର୍ମନିରେପେକ୍ଷତା ଓଡ଼ିଶାର ଗୁଣସୂତ୍ରରେ ଅଛି । ହିନ୍ଦୁତ୍ୱକୁ ଗୁରୁତ୍ୱ ଦେଉଥିବା ରାଜନୈତିକ ଦଳ ସବୁ ସମୟରେ ବହୁ ସଂଖ୍ୟାବାଦୀ ରାଜନୀତି କରିବା ପାଇଁ ଗୋଟିଏ ଧର୍ମ ବିଶ୍ୱାସୀ ଲୋକମାନଙ୍କୁ ଅନ୍ୟଧର୍ମ ବିଶ୍ୱାସୀ ଲୋକମାନଙ୍କ ବିରୋଦ୍ଧରେ ମତାଉଛନ୍ତି । ଉଦ୍ଦେଶ୍ୟ ରାଜନୀତି ଏବଂ ସତ୍ତା । ହିନ୍ଦୁ ବିପଦରେ କହି ଜନମାନସକୁ ବିଭ୍ରାନ୍ତ କରିବାର ଚେଷ୍ଟା କରାଯାଉଛି । କେତେକ ପ୍ରଦେଶରେ ଏହି ପ୍ରୟୋଗ ସଫଳ ହୋଇଥିଲେ ମଧ୍ୟ ଓଡ଼ିଶାରେ ଏହା କେବେ ବି ସଫଳ ହୋଇ ପାରିବ ନାହିଁ । ସମୟ ସମୟରେ ଜଗନ୍ନାଥ ମନ୍ଦିର ଭଳି ବହୁ ହିନ୍ଦୁ ମନ୍ଦିର ନଷ୍ଟ କରିବାର ଉଦ୍ୟମ କରିଥିବା କଳାପାହାଡ଼, ସାହାଜାହାନ ଓ ଅଉରଙ୍ଗଜେବଙ୍କ ଅଧୀନସ୍ଥ ସୁବେଦାର ମୁତକ୍ୱାଦ ଖାଁ ଏବଂ ଟିକା ଖାଁଙ୍କ ଉଦାହରଣ ଦେଇ ହିନ୍ଦୁ – ମୁସଲିମ ସୌହାର୍ଦ୍ଦ୍ୟ ଭଙ୍ଗ କରିବା ପାଇଁ ଚେଷ୍ଟା ମଧ୍ୟ କରାଯାଉଛି । କିନ୍ତୁ ଏହି ସବୁ ପ୍ରୟୋଗ କରିବା ବେଳେ ଘୃଣା ପ୍ରଚାର କରୁଥିବା ରାଜନେତାମାନେ ସୂର୍ଯ୍ୟବଂଶୀ ଗଜପତି କପିଳେନ୍ଦ୍ର ଦେବଙ୍କ କଥା ଭୁଲି ଯାଇଛନ୍ତି । ସେ ତାଙ୍କର କାଞ୍ôଚବିଜୟ ବେଳେ କାବେରୀ ଉପତ୍ୟକାର ଅନେକ ଶୈବ ଏବଂ ବୈଷ୍ଣବ ମନ୍ଦିର ମଧ୍ୟ ଭାଙ୍ଗି ଦେଇଥିଲେ । ଗୋଟିଏ ରାଜ୍ୟ ଉପରେ ଆକ୍ରମଣ କରି ବିଜୟ ପ୍ରାପ୍ତ କରୁଥିବା ଶାସକମାନେ ସେଠାକାର ମନ୍ଦିର ମାନଙ୍କର କ୍ଷତି ପହଞ୍ଚାଇବା ସେମାନଙ୍କ ସେହି ରାଜ୍ୟ ଉପରେ ଆଧିପତ୍ୟ ବିସ୍ତାର କରୁଛନ୍ତି ବୋଲି ଲୋକମାନଙ୍କୁ ଜଣାଇବାର ଏକ ମାଧ୍ୟମ ବୋଲି ମନେକରୁଥିଲେ । ଏହାର ବହୁ ଉଦାହରଣ ଇତିହାସରେ ଅଛି । ବିଭିନ୍ନ ସଂପ୍ରଦାୟମାନଙ୍କ ମଧ୍ୟରେ କଳହର ସୂତ୍ରପାତ କରୁଥିବା ରାଜନେତାମାନେ ସହଜରେ ଭୁଲିଯାନ୍ତି ଯେ ମୋଗଲ ସମ୍ରାଟ ଆକବର ହିନ୍ଦୁ ମନ୍ଦିରର ରକ୍ଷଣାବେକ୍ଷଣ ଏବଂ ଏହାର ପବିତ୍ରତା ରକ୍ଷା କରିବାକୁ ବିଭିନ୍ନ ପଦକ୍ଷେପ ମଧ୍ୟ ନେଇଥିଲେ । ଆଫଗାନୀ ଶାସକମାନଙ୍କୁ ଜଗନ୍ନାଥ ମନ୍ଦିରକୁ କୌଣସି କ୍ଷତି ନପହଞ୍ଚାଇବା ପାଇଁ ମୋଗଲ ସେନାପତି ମାନସିଂହ ନିର୍ଦ୍ଦେଶ ଦେବା ସହ ତାଙ୍କ ସ୍ତ୍ରୀଙ୍କ ଦ୍ୱାରା ଜଗନ୍ନାଥ ମନ୍ଦିର ଭିତରେ ମୁକ୍ତିମଣ୍ଡପ ମଧ୍ୟ ନିର୍ମାଣ କରିଥିଲେ । ବଙ୍ଗଳାର ଶାସକ ମୁର୍ଶିଦ କୁଲୀ ଖାଁ ମଧ୍ୟ ଜଗନ୍ନାଥ ମନ୍ଦିରକୁ ଯଥେଷ୍ଟ ପ୍ରୋତ୍ସାହନ ଦେଉଥିଲେ ।

ଭାରତର ସ୍ୱାଧୀନତା ସଂଗ୍ରାମ ବେଳେ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ପାକିସ୍ତାନ ଗଠନକୁ ମଧ୍ୟ ଓଡ଼ିଶାର ମୁସଲମାନମାନେ ତୀବ୍ର ନିନ୍ଦା କରିଥିଲେ । ୧୯୪୦, ଏପ୍ରିଲ ୪ ତାରିଖରେ ମୁସଲମାନମାନେ କଟକରେ ଅନୁଷ୍ଠିତ ଏକ ସଭା କରୁଥିବା ବେଳେ ବହୁସଂଖ୍ୟକ ହିନ୍ଦୁ, ହିନ୍ଦୁମହାସଭା ଦ୍ୱାରା ପ୍ରାୟୋଜିତ ହିନ୍ଦୁ ସାଂପ୍ରଦାୟିକ ରାଜନୀତିକୁ ମଧ୍ୟ ବିରୋଧ କରିଥିଲେ । ଦେଶ ବିଭାଜନ ବେଳେ ସମଗ୍ର ଭାରତବର୍ଷରେ ସାଂପ୍ରଦାୟିକ ଦଙ୍ଗାରେ ହଜାର ହଜାର ଲୋକ ପ୍ରାଣ ହେରାଇଥିବା ବେଳେ, ନୂଆଖାଲିରେ ହତ୍ୟାର ବିଭୀଷିକା ଦ୍ୱାରା ରକ୍ତର ନଦୀ ବହି ଚାଲିଥିବା ସମୟରେ ଓଡ଼ିଶାରେ ଗୋଟିଏ ରକ୍ତ ବିନ୍ଦୁ ପଡ଼ି ନ ଥିବା ପ୍ରମାଣ କରେ ଯେ ଓଡ଼ିଶାର ଗୁଣସୂତ୍ରରେ ଘୃଣାର ରାଜନୀତି ନାହିଁ । ସେହିପରି ଡ଼ିସେମ୍ବର ୬, ୧୯୯୨ରେ ବାବରୀ ମସଦିଦ ଭଙ୍ଗା ହେବାର ପ୍ରତିକ୍ରିୟାରେ ହିଂସା ହେତୁ ଗୁଜୁରାଟରେ ୨୨୭, ବମ୍ବେରେ ୧୮୫, ଆସାମରେ ୧୦୦, ବିହାରରେ ୪୩, ମଧ୍ୟ ପ୍ରଦେଶରେ ୧୦୦ ଏବଂ ଆନ୍ଧ୍ର ପ୍ରଦେଶରେ ୨୩ ଜଣ ପ୍ରାଣ ହରାଇଥିବା ବେଳେ ଓଡ଼ିଶାରେ ହିଂସା ଜନିତ କାହାର ମୃତ୍ୟୁ ହୋଇ ନ ଥିବା ଓଡ଼ିଶାର ସହନଳୀତା, ଧର୍ମନିରପେକ୍ଷାତାକୁ ପ୍ରମାଣ କରେ । ଏକ ପ୍ରାୟୋଜିତ ହିଂସା ହେତୁ ୧୯୬୪ରେ ଦଙ୍ଗା ହୋଇଥିଲା । ସେହିଭଳି ଭାବରେ ୧୯୯୯ରେ ଖ୍ରୀଷ୍ଟିଆନ ମିସନାରୀ ଗ୍ରାହାମଷ୍ଟେନସ୍‌ଙ୍କ ହତ୍ୟା ଦ୍ୱାରା ବଜରଙ୍ଗ ଦଳ ଓଡ଼ିଶାକୁ କଳଙ୍କିତ କରିବାର ଏକ ଜଘନ୍ୟ ପ୍ରଚେଷ୍ଟାକୁ ଓଡ଼ିଶାର ଜନସାଧାରଣ ଓ ସରକାର ତୀବ୍ର ନନ୍ଦା କରିବା ସହ କଠୋର ପଦକ୍ଷେପ ମଧ୍ୟ ନେଇଥିଲେ ।

ଓଡ଼ିଶାର ବହୁବିଶିଷ୍ଟ ରାଜନେତା, ବୁଦ୍ଧଜୀବିଙ୍କ ସମର୍ଥନ ସତ୍ତ୍ୱେ ଆର.ଏସ୍‌.ଏସ୍‌. ଓଡ଼ିଶାରେ ଅନ୍ୟାନ୍ୟ ପ୍ରଦେଶ ଭଳି ନିଜର ପ୍ରତିପତି ବିସ୍ତାର କରି ପାରିନାହିଁ । ନିଜର ପ୍ରାରମ୍ଭିକ ବିଦ୍ୱେଷ ସତ୍ତ୍ୱେ ନୀଳକଣ୍ଠ ଦାଶ, ଗୋଦାବରୀଶ ମିଶ୍ର, ଯଦୁମଣି ମଙ୍ଗରାଜ ପ୍ରମୁଖ ଆରଏସ୍‌ଏସ୍ ସପକ୍ଷରେ ଆସିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଆର.ଏସ.ଏସ୍‌.ଏହାର ପ୍ରମୁଖ ହିନ୍ଦୁତ୍ୱ ଯୋଗୁଁ ଓଡ଼ିଶାରେ ଆଶାନୁରୂପ ବିସ୍ତାର ଲାଭ କରି ପାରିଲା ନାହିଁ । ମୁସଲମାନମାନେ ହିନ୍ଦୁମାନଙ୍କୁ ପ୍ରତାଡ଼ିତ କରିବା କଥା କହୁଥିବା ଆର୍‌.ଏସ୍‌.ଏସ୍‌.କୁ ସମାଜବାଦୀ ନେତାମାନେ ମରାଠାବର୍ଗୀମାନଙ୍କ ଦ୍ୱାରା ଓଡ଼ିଶାକୁ ଲୁଣ୍ଠନ କରିବା କଥା ସୂଚାଇ ଦେଉଥିଲେ । ଓଡ଼ିଶାର ବହୁ ବିଶିଷ୍ଟ ବ୍ୟକ୍ତିମାନଙ୍କର ସହଯୋଗ ପାଇ ମଧ୍ୟ ଆର.ଏସ୍‌.ଏସ୍‌., ହିନ୍ଦୁ ମହାସଭା ଓ ହିନ୍ଦୁତ୍ୱ ଓଡ଼ିଶାର ଜନମାନସକୁ ସମ୍ପୂର୍ଣ୍ଣ ପ୍ରଭାବିତ କରିପାରି ନଥିଲା ଏବଂ ବର୍ତ୍ତମାନ ମଧ୍ୟ କରିପାରିନାହିଁ ।

ସମଗ୍ର ଭାରତବର୍ଷରେ ମୋଦୀ ଲହର ଚାଲିଥିବା ବେଳେ ଓଡ଼ିଶାରେ ଏହାର ପ୍ରଭାବ ପ୍ରାୟ ନାହିଁ । ଧର୍ମୀୟ ଧୃବୀକରଣ ଭଳି ଓଡ଼ିଶାରେ ଜାତୀୟ ଧୃବୀକରଣ ମଧ୍ୟ ଫେଲ ହୋଇଯାଇଛି । ବିହାର, ଉତ୍ତର ପ୍ରଦେଶ ଭଳି ଏଠାରେ ଜାତିମାନଙ୍କ ଦ୍ୱାରା ନିର୍ବାଚନ ନିର୍ଦ୍ଧାରିତ ହେଉନାହିଁ । ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ହୋଇଥିବା ଓ ଜନପ୍ରିୟ ନେତାମାନେ ବିଭିନ୍ନ ଜାତି, ଗୋଷ୍ଠୀରୁ ଆସିଛନ୍ତି । ହରେକୃଷ୍ଣ ମହତାବ, ନବକୃଷ୍ଣ ଚୌଧୁରୀ, ବିଜୁ ପଟ୍ଟନାୟକ, ବୀରେନ ମିତ୍ର, ସଦାଶିବ ତ୍ରିପାଠୀ, ରାଜେନ୍ଦ୍ର ନାରାୟଣ ସିଂହଦେବ, ବିଶ୍ୱନାଥ ଦାଶ, ନନ୍ଦିନୀ ଶତପଥୀ, ବିନାୟକ ଆଚାର୍ଯ୍ୟ, ନୀଳମଣି ରାଉତରାଏ, ଜାନକୀବଲ୍ଲଭ ପଟ୍ଟନାୟକ, ଗିରିଧର ଗମାଙ୍ଗ, ହେମାନନ୍ଦ ବିଶ୍ୱାଳ ଓ ନବୀନ ପଟ୍ଟନାୟକ କୌଣସି ଏକ ନିର୍ଦ୍ଦିଷ୍ଟ ଉଚ୍ଚ ବର୍ଣ୍ଣରୁ ଆସିଛନ୍ତି ବୋଲି କୁହାଯାଇ ନ ପାରେ । ଏମାନଙ୍କ ମଧ୍ୟରେ ବ୍ରହ୍ମଣ, କରଣ, ଖଣ୍ଡାୟାତ, ଆଦିବାସୀ ବଂଶୀୟ ଓଡ଼ିଆ, ପଶ୍ଚିମ ଓଡ଼ିଶାବାସୀ ଆଦି ବିଭିନ୍ନ ସଂପ୍ରଦାୟରୁ ଆସିଥିବା ହେତୁ ଏମାନେ ସମସ୍ତେ ଓଡ଼ିଆ ସହଳନୀଳତାର ପ୍ରତୀକ ଏବଂ କୌଣସି ଜାତୀୟ ସମୀକରଣ ହେତୁ କ୍ଷମତାକୁ ଆସି ନ ଥିଲେ ।

ଏ ସମସ୍ତ ବିଷୟକୁ ଅନୁଶୀଳନ କଲେ ମନେହୁଏ ଓଡ଼ିଶା କେବେ ମଧ୍ୟ ଧୃବୀକରଣ ଓ ଜାତୀୟ ସମୀକରଣ ରାଜନୀତିରେ ବିଶ୍ୱାସ କରି ପାରିବ ନାହିଁ ଏବଂ ଏଥି ପାଇଁ ଆମେ ସମସ୍ତ ଓଡ଼ିଆ ଗର୍ବିତ ।

  • ସମ୍ପର୍କ // PRO DR SATYENRA PATNAIK
  • MOB//

Leave A Reply

Your email address will not be published.