ଦୁଇ କୋଟି ଠକି ନେଇଥବା ଦିଲ୍ଲୀ ଠିକାଦାର ଜେଲ ଗଲେ

0


ଭୁବନେଶ୍ୱର //ତତ୍କାଳ ଓଡିଶା//

କେନ୍ଦ୍ରୀୟ ପୂର୍ତ୍ତ ବିଭାଗ (ସିପିଡବ୍ଲ୍ୟୁଡି)ରେ ଠିକାଦାରୀ ଦେବା କଥା କହି ଓଡ଼ିଶାର ଜଣେ ଠିକାଦାରଙ୍କ ଠାରୁ ତିନି କୋଟି ଟଙ୍କା ଠକି ନେଇଥିବା ଦିଲ୍ଲୀର ଜଣେ ଠିକାଦାର ସଂଜୟ ଅଗ୍ରୱାଲକୁ ସ୍ଥାନୀୟ ଖଣ୍ଡଗିରି ପୁଲିସ ବେଶ ନାଟକୀୟ ଭାବେ ଦିଲ୍ଲୀର ଶାହାଦରାରୁ ଗିରଫ କରି ଝାରପଡା ଜେଲ ପଠାଇବାରେ ସଫଳ ହୋଇଛି ।


ଦିଲ୍ଲୀର ଶାହାଦରା ଇଲାକାର ଜ୍ୟୋତି ଏଣ୍ଟରପ୍ରାଇଜେଜ ନାମକ ଏକ ଠିକା ସଂସ୍ଥାର ମାଲିକ ସଂଜୟ ଅଗ୍ରୱାଲ ସିପିଡବ୍ଲ୍ୟଡିରେ ଠିକାଦାରୀ କରନ୍ତି । ସେ ଦିଲ୍ଲୀ ବ୍ୟତୀତ କଲିକତା (ପଶ୍ଚିମବଙ୍ଗ), ଛତିଶଗଡ ଏବଂ ଓଡ଼ିଶାରେ ଠିକାଦାରୀ କରି ଥାଆନ୍ତି । ଅନେକ ଦିନ ତଳେ ସେ କୋଲକାତାଠାରେ ସିପିଡବ୍ଲ୍୍ୟୁଡି ପକ୍ଷରୁ ଏକ ହଷ୍ଟେଲ ନିର୍ମାଣ ପାଇଁ ତିନିକୋଟିର ଠିକା ପାଇଥିଲେ । କିନ୍ତୁ କାମ ପୁରା କରି ନ ଥିଲେ । ୨୦୧୯ରେ ସେ ଭୁବନେଶ୍ୱର ଆସିଥିଲେ ଓ ଏଠାରେ ଫାୟାରଷ୍ଟେସନ ନିକଟରେ ଥିବା ଜଣେ ଠିକାଦାରଙ୍କୁ ଭେଟି ତାଙ୍କୁ କାମଟିକୁ କରିବାକୁ କହିଥିଲେ ।

ସଂଜୟ କହିଥିଲେ ଯେ ଏହି କାମରୁ ବହୁ କୋଟି ଟଙ୍କାର ଲାଭ ମିଳି ପାରିବ ତେଣୁ ତାଙ୍କୁ ତିନି କୋଟି ଟଙ୍କା ଦେଇଦେଲେ ସେ କାମଟିକୁ ଦେଇଦେବେ । ଭୁବନେଶ୍ୱରର ଠିକାଦାର ଜଣକ ଏଥିରେ ରାଜି ହୋଇ ସଂଜୟଙ୍କୁ ତିନି କୋଟି ଟଙ୍କା ଦେଇଥିଲେ । ହେଲେ ସଞ୍ଜୟ ଟଙ୍କା ନେଇ ଚାଲିଯିବା ପରେ ଆଉ କାମ ହସ୍ତାନ୍ତର କରି ନ ଥିଲେ । ଭୁବନେଶ୍ୱରର ଠିକାଦାର ଜଣକ କାମ ନହେଲେ ଟଙ୍କା ଫେରାଇଦେବାକୁ ଜିଦ କରିବାରୁ ସେ ମାତ୍ର ଏକ କୋଟି ଟଙ୍କା ଫେରାଇ ଦେଇ ଆଉ ଧରାଛୁଆଁ ଦେଇ ନ ଥିଲେ । ବାର ବାର ଟଙ୍କା ମାଗି ବିଫଳ ହେବା ପରେ ଭୁବନେଶ୍ୱରର ଠିକାଦାର ଜଣକ ସଞ୍ଜୟଙ୍କ ବିରୁଦ୍ଧରେ ଖଣ୍ଡଗିରି ଥାନାରେ ସମସ୍ତ କାଗଜପତ୍ର ସହ ଅଭିଯୋଗ କରିଥିଲେ । ଭୁବନେଶ୍ୱର ପୁଲିସ କମିଶନରେଟର ଏକ ପୁଲିସ ଟିମ ଦିଲ୍ଲୀ ପୁଲିସ ସହାୟତାରେ ସଂଜୟର କାର୍ଯ୍ୟାଳୟରେ ପହଂଚି ଶୁଣିଥିଲେ ଯେ ସଂଜୟ ଦିଲ୍ଲୀ ବାହାରକୁ ଯାଇଛନ୍ତି । ପୁଲିସ ଯେତେବେଳେ ସଞ୍ଜୟର ବାସସ୍ଥାନରେ ପହଂଚିଲେ ସେତେବେଳେ ସେ ଘରେ ଥିଲା ମାତ୍ର ପୁଲିସକୁ ଦେଖି ପାଚେରୀ ଡେଇଁ ପଲାଇ ଯାଇଥିଲା । ପୁଲିସ ଖୋଜାଖୋଜି ତାକୁ ନ ପାଇ ଖାଲି ହାତରେ ଫେରିଥିଲା । ଏଥର ଓଡ଼ିଶା ପୁଲିସକୁ ଅନୁଭବ ହୋଇଥିଲା ଯେ ଦିଲ୍ଲୀର ସ୍ଥାନୀୟ ପୁଲିସ ସହିତ ସଂଜୟର ସମ୍ପର୍କ ରହିଥାଇ ପାରେ ଯେଉଁଥିପାଇଁ ଭୁବନେଶ୍ୱର ପୁଲିସ ପହଂଚିବା ପୂର୍ବରୁ ସେ ଫେରାର ହୋଇ ଯାଉଛି । ଏଥର ସ୍ଥାନୀୟ ପୁଲିସକୁ କିଛି ନ ଜଣାଇ ଭୁବନେଶ୍ୱର ପୁଲିସ ସାଧା ପୋଷାକରେ ଗତ ବୁଧବାର ଦିନ ସଂଜୟର ଘର ବାହାରେ ଛପି ରହିଥିଲେ । ସଂଜୟ ରାତି ନଅଟା ବେଳକୁ ଘରକୁ ଫେରିବା ବେଳକୁ ତାକୁ ମାଡି ବସିଥିଲେ । ଗୁରୁବାର ଦିନ ସଂଜୟକୁ ସ୍ଥାନୀୟ କୋକରଦୁମା କୋର୍ଟରେ ହାଜର କରାଯାଇ ସେହିଦିନ ଉଡାଜାହାଜ ଯୋଗେ ଭୁବନେଶ୍ୱର ଅଣାଯାଇଥିଲା । ଗୁରୁବାର ପଚରାଉଚୁରା କରାଯାଇ ଶୁକ୍ରବାର ଦିନ ସଞ୍ଜୟକୁ ଖୋର୍ଦ୍ଧା ଏସଡିଜେଏମ କୋର୍ଟରେ ହାଜର କରାଯାଇଥିଲା । ମାଜିଷ୍ଟ୍ରେଟ ତାକୁ ଜେଲ ପଠାଇ ଦେଇଥିଲେ । ଏବେ ସଂଜୟ ଅଗ୍ରୱାଲର ନୂଆ ଠିକଣା ହୋଇଛି -ଝାରପଡା ଜେଲ ।

Leave A Reply

Your email address will not be published.