ଦଶ ଦୋଷରୁ ମଣିଷକୁ ମୁକ୍ତି ଦେଇଥାଏ ‘ଦଶହରା’
- ପୀଠ ଵା ମଣ୍ଡପରେ ଦୁର୍ଗତିନାଶିନୀ ମା’ ଦୁର୍ଗାଙ୍କୁ ଦର୍ଶନ କରି ମନସ୍କାମନା ପୂର୍ଣ୍ଣ କରନ୍ତୁ..
ଦଶହରା
ମଣିଷ ଜୀଵନ କୋଳାହଳମୟ, ଜଟିଳ, ଜଞ୍ଜାଳପୂର୍ଣ୍ଣ | କର୍ମମୟ ଜୀଵନର ଜଟିଳତାକୁ ଲଘୁ କରି ଜୀଵନକୁ ମାଧୁର୍ଯ୍ୟପୂର୍ଣ୍ଣ କରିବାକୁ ମଣିଷ ସୃଷ୍ଟି କରିଛି ବାର ମାସରେ ତେର ପର୍ବ |ସାମାଜିକ ଜୀବନରେ ଟିକିଏ ସାତ୍ତ୍ଵିକ ଭାବ ପାଇଁ, ପାପ ବିନାଶନ ପାଇଁ ଐକ୍ୟ ଓ ସଂହତି ରକ୍ଷା ପାଇଁ ମଣିଷ ପର୍ବ ପର୍ବାଣୀ, ପୂଜନ ଓ ଭଜନର ଆଶ୍ରୟ ନେଇଥାଏ |
ଦଶହରା ଦୁର୍ଗାପୂଜା ଆମ ସମାଜରେ ପ୍ରଚଳିତ ଏହିଭଳି ଏକ ପର୍ବ, ଯାହା ମଣିଷକୁ ସତ୍ୟ, ସୁନ୍ଦର ଓ ଶିବର ଆରାଧନା ପାଇଁ ପ୍ରବର୍ତ୍ତେଇବାରେ ସହାୟକ ହୋଇଥାଏ | ଦେଵୀ ଦୁର୍ଗାଙ୍କର ଆରାଧନା ନିମନ୍ତେ ଉଦ୍ଦିଷ୍ଟ ଏ ପର୍ବର ମହତ୍ତ୍ୱ ଅବିସମ୍ବାଦିତ | ପୂଜା ମଣ୍ଡପରେ ଦେବୀ ଦୁର୍ଗାଙ୍କର ମୃଣ୍ମୟ ମୂର୍ତ୍ତିକୁ ଆସୀନ କରାଇ ଯେତେବେଳେ ପୂଜକ ଗାନ କରନ୍ତି :-
“ଯା ଦେବୀ ସର୍ବ ଭୂତେଷୁ ଶକ୍ତି ରୁପେଣ ସଂସ୍ଥିତା,
ନମସ୍ତସ୍ୟେୟୀ ନମସ୍ତସ୍ୟେୟୀ ନମସ୍ତସ୍ୟେୟୀ ନମୋନମଃ |”
ସେତେବେଳେ ଭାରତୀୟ ଜନ ମାନସରେ ଶକ୍ତି ଆରାଧନାର ଚେର କେତେ ଗଭୀର ତାହା ସ୍ପଷ୍ଟ ଜଣାପଡେ |
ଦଶହରା ପର୍ବ ପ୍ରତିବର୍ଷ ଆସେ, ତଥାପି ଆଗ୍ରହ ମରି ନ ଥାଏ, ଉନ୍ମାଦନା କମି ନ ଥାଏ ମଣିଷ ମନରୁ | ଶାରଦୀୟ ଜହ୍ନ ଓ କାଶତଣ୍ଡୀ ଫୁଲପରି ନିଜର ମନକୁ ସ୍ୱଚ୍ଛ ସଜଳ କରି ଅପେକ୍ଷା କରିଥାଏ ଦେବୀ ଦୁର୍ଗାଙ୍କ ଆଗମନକୁ | ଏହି ପ୍ରତିକ୍ଷୀତ ସମୟ ପହଞ୍ଚିଗଲେ ତା ଆନନ୍ଦର ସୀମା ରହେନାହିଁ | ଦଶ ଦୋଷ ହାରିଣୀ ଦେବୀ ଦୁର୍ଗାଙ୍କ ଆଗମନୀ ପ୍ରାଣରେ ଅପୂର୍ବ ରୋମାଞ୍ଚ ଭରିଦିଏ |
ଗାଁ ହେଉ କି ସହର ସବୁଠି ମା”ଙ୍କ ଭବ୍ୟ ପୂଜାର ଆୟୋଜନ ଲାଗିଯାଏ |
ମା’ଙ୍କ ଆଗମନ ସମୟରେ ଆକାଶ ଥାଏ ଶୁଭ୍ର ଓ ସ୍ୱଚ୍ଛ |ଏହି ସ୍ୱଚ୍ଛ ଆକାଶରେ ଶୋଭା ପାଉଥାଏ ଶରତର ଭସା ବାଦଲ ଖଣ୍ଡ | ଧରା ପୃଷ୍ଠରୁ ବର୍ଷା ଅପସରି ଯାଇଥାଏ | ଆଶ୍ୱିନର କାକର ଟୋପା ଟୋପା ହୋଇଆକାଶ ଛାତିରୁ ଝରିପଡ଼େ ନିର୍ମଳ ଶରତର ବିଳମ୍ବିତ ରା଼ତ୍ରୀରେ ଏହି ସମୟରେ ଶୁକ୍ଳ ପକ୍ଷ ସପ୍ତମୀତିଥିରୁ ଦଶମୀ ପର୍ଯ୍ୟନ୍ତ ଦୁର୍ଗତି ନାଶିନୀ ମା’ ଦୁର୍ଗାଙ୍କର ମହାସମାରୋହରେ ଆରାଧନା କରାଯାଏ |
ଦଶହରାର ଆୟୋଜନ ଦେବୀ ଦୁର୍ଗାଙ୍କର ଆରାଧନା ପାଇଁ | ମା’ଙ୍କର ପୂଜା ପ୍ରସଙ୍ଗରେ ଅନେକ କାହାଣୀ, କିମ୍ବଦନ୍ତୀ ପ୍ରଚଳିତ ଅଛି | ତେବେ ଦୁର୍ଗା ପୂଜାକୁ ଦଶହରା କହିବାର ବିଶେଷ ବିଶେଷତ୍ବ ରହିଛି |ଏହି ବିଶେଷତ୍ୱ ହେଲା ଜ୍ୟେଷ୍ଠ ମାସ ଶୁକ୍ଳ ଦଶମୀ ଦିନ ‘ଗଙ୍ଗା ଜୟନ୍ତୀ ‘ପାଳିତ ହେବାର ପରମ୍ପରା ରହିଛି | କାରଣ ଏହିଦିନ ପତିତପାବନୀ ଗଙ୍ଗା ସ୍ୱର୍ଗଧାମ ପରିତ୍ୟାଗ କରି ଶଗର ବଂଶଜ ଭଗିରଥଙ୍କ ତପସ୍ୟାରେ ମୁଗ୍ଧ ହୋଇ ମର୍ତ୍ତ୍ୟରେ ପ୍ରବାହିତ ହୋଇଥିଲେ | ଏହି ଦିନକୁ ‘ଗଙ୍ଗା ଦଶହରା ‘ମଧ୍ୟ କୁହାଯାଏ |ମନୁଷ୍ୟ ପ୍ରତ୍ୟେକ ଦିନ ଦଶ ଦୋଷ ବା ପାପରେ ଜଡିତ ହୋଇଥାଏ |ସେଗୁଡିକ ହେଲା, “ହିଂସା, ଚୌର୍ଯ୍ୟ, ପରଦାର ଗମନ, ବାକ୍ୟବାଣ ପ୍ରୟୋଗ(କଳହ), ମିଥ୍ୟା କଥନ, କପଟ ଆଚରଣ,ପ୍ରଳାପ, ଲୋଭ ବା ଅପହରଣ ଚିନ୍ତା, ଅନିଷ୍ଟ ଚିନ୍ତା,ମିଥ୍ୟା ବିଷୟକ ଚିନ୍ତା |
ଦୁର୍ଗା ପୂଜାର ଅନେକ ପୌରାଣିକ ମତ ରହିଛି |ଏହାର ଅନ୍ୟନାମ ବିଜୟା ଦଶମୀ | କଥିତ ଅଛି ଏହିଦିନ ମହାପ୍ରଭୁ ଶ୍ରୀରାମଚନ୍ଦ୍ର ପ୍ରବଳ ପ୍ରତାପୀ ରାବଣ ଉପରେ ବିଜୟ ଲାଭ କରି ସୀତାଙ୍କୁ ଉଦ୍ଧାର କରିଥିଲେ..
ଗଙ୍ଗା ଦଶହରାରେ ଗଙ୍ଗା ସ୍ନାନ କଲେ ଏହି ଦଶ ଦୋଷରୁ ମଣିଷ ମୁକ୍ତ ହୁଏ ବୋଲି ବିଶ୍ୱାସ ରହିଛି | ଏହି ଦିନ ଦଶ ଦୋଷ ହରଣ ହେଉଥିବାରୁ ଏହାକୁ ‘ଦଶହରା ‘ନାମରେ ନାମିତ କରାଯାଇଛି,|ଏପରି ସ୍ନାନର ସୁଯୋଗ ପାଇଥାନ୍ତି କେବଳ ଗଙ୍ଗା ତୀର ବାସୀ |ମାତ୍ର ସମଗ୍ର ଭାରତ ବାସୀ ଏହି ସୁଯୋଗ ଲାଭ କରନ୍ତି ଆଶ୍ୱିନ ଶୁକ୍ଳ ଦଶମୀରେ ଅନୁଷ୍ଠିତ ଦୁର୍ଗା ପୂଜାରେ |ଏଣୁ ଏହାକୁ ଦଶହରା ନାମରେ ନାମିତ କରାଯାଇଛି |
ହିନ୍ଦୁ ମାନଙ୍କର ପ୍ରଧାନ ଉତ୍ସବ ଦଶହରାରେ ଶକ୍ତିମୟୀ ଦୁର୍ଗାଙ୍କର ଆରାଧନା କରାଯାଏ | ବସନ୍ତ ଋତୁରେ ଅନୁଷ୍ଠିତ ଦୁର୍ଗାପୂଜା ବାସନ୍ତୀୟ ଦୁର୍ଗା ପୂଜା ଓ ଶରତ ଋତୁରେ ଅନୁଷ୍ଠିତ ଦୁର୍ଗାପୂଜାକୁ ଶାରଦୀୟ ଦୁର୍ଗାପୂଜା କୁହାଯାଏ |
ପୌରାଣିକ ଆଖ୍ୟାନ :–
ଦୁର୍ଗା ପୂଜାର ଅନେକ ପୌରାଣିକ ମତ ରହିଛି |ଏହାର ଅନ୍ୟନାମ ବିଜୟା ଦଶମୀ | କଥିତ ଅଛି ଏହିଦିନ ମହାପ୍ରଭୁ ଶ୍ରୀରାମଚନ୍ଦ୍ର ପ୍ରବଳ ପ୍ରତାପୀ ରାବଣ ଉପରେ ବିଜୟ ଲାଭ କରି ସୀତାଙ୍କୁ ଉଦ୍ଧାର କରିଥିଲେ |ଏଥିପାଇଁ ସେ ଦେବୀ ଦୁର୍ଗାଙ୍କର ଆଶୀର୍ବାଦ ନେଇଥିଲେ | ସେହି ଦିନରୁ ଦୁର୍ଗା ପୂଜା ଭାରତର କୋଣ ଅନୁକୋଣରେ ପ୍ରଚଳିତ ହୋଇଛି ବୋଲି ବିଶ୍ୱାସ କରାଯାଏ |ଏହିଦିନ ଦେବୀ ଦୁର୍ଗା ମହିଷାସୁରକୁ ବିନାଶ କରି ଦେବତା ଓ ମର୍ତ୍ତ୍ୟ ବାସୀଙ୍କୁ ଦୁଃଖରୁ ମୁକ୍ତ କରିଥିଲେ | ରାଜ୍ୟ ଭ୍ରଷ୍ଟ ରାଜା ସୁରଥ ଆଶ୍ୱିନ ମାସରେ ଦୁର୍ଗାଙ୍କର ଆରାଧନା କରି ରାଜ୍ୟ ଲାଭ କରିଥିଲେ | ଏହି ପବିତ୍ର ଦିନରେ ଦେବୀ ପାର୍ବତୀ କୈଳାଶ ତ୍ୟାଗ କରି ପିତ୍ରାଳୟ ଯାତ୍ରା କରିଥିଲେ |ବିଶ୍ୱ ବାସୀଙ୍କ ପୂଜାଗ୍ରହଣକରି ପ୍ରତ୍ୟାବର୍ତ୍ତନ କରିଥିଲେ |
ଏହିଦିନ ଅପରାଜିତା ପୂଜା ଅନୁଷ୍ଠିତ ହେଉ ଥିବାରୁ ଏହାକୁ ‘ଅପରାଜିତା ଦଶମୀ ‘କୁହାଯାଏ |
ସୋମନାଥ ବ୍ରତ ଦଶହରାର ଅନ୍ୟତମ ଉତ୍ସବ | ବିଜୟା ଦଶମୀ ଦିନ ସମୀବୃକ୍ଷ ଓ ଶସ୍ତ୍ର ପୂଜା ମଧ୍ୟ ହୋଇଥାଏ |ବନବାସ ଯାତ୍ରା ଆରମ୍ଭରେ ପାଣ୍ଡଵ ମାନେ ନିଜର ଶସ୍ତ୍ର ସବୁକୁ ସମୀବୃକ୍ଷ କୋଟରରେ ରଖିଥିଲେ |ବନବାସ ଶେଷରେ ସେମାନେ ଶସ୍ତ୍ର ବାହାର କରିଥିଲେ | ସେଦିନ ଥିଲା ବିଜୟା ଦଶମୀ | ସେହିଦିନ ଠାରୁ ବିଜୟା ଦଶମୀରେ ସମୀବୃକ୍ଷ ଓ ଶସ୍ତ୍ର ପୂଜାର ପ୍ରଚଳନ ହୋଇଛି |
ବାସନ୍ତୀୟ ଦୁର୍ଗା ପୂଜା ଠାରୁ ଶାରଦୀୟ ଦୁର୍ଗା ପୂଜାର ପ୍ରଚାର ଅଧିକ |
- ଶାସ୍ତ୍ର ମତରେ ଷୋଡଶ ଦିବସ ନବ ଦିବସ, ପଞ୍ଚ ଦିବସ, ତ୍ରି ଦିବସ, ଦ୍ବି ଦିବସ ଓ ଏକ ଦିବସ ଦୁର୍ଗା ପୂଜାର ଵିଧି ରହିଛି |ଓଡିଶାର ବିଭିନ୍ନ ଶକ୍ତି ପୀଠ ଯଥା ଭଗବତୀ, ମଙ୍ଗଳା, ବିମଳା, ସାରଳା, ହିଙ୍ଗୁଳା, ବିରଜା, ଚର୍ଚ୍ଚିକା,ସମଲେଇ ଓ ଭଟ୍ଟାରିକାଙ୍କ ପୀଠରେ ଷୋଡଶ ଦିବସ ପୂଜା ଅନୁଷ୍ଠିତ ହୁଏ |
ଏବେ କି ସହର କି ଗାଁ ସବୁଠି ପୂଜା ମଣ୍ଡପରେ ସୁସଜିତ ମେଢ଼ରେ ମା’ଙ୍କର ଆରାଧନା କରାଯାଉଛି |
ଆଶ୍ୱିନ ଶୁକ୍ଳ ସପ୍ତମୀ ଠାରୁ ନବମୀ ପର୍ଯ୍ୟନ୍ତ ଦେବୀଙ୍କର ପୂଜା ବୈଦିକ ରୀତିରେ କରାଯାଏ |ଏହି ତିନି ଦିନ ମହାପୂଜା ଭାବରେ ଖ୍ୟାତ |ଦେବୀଙ୍କ ପାଖରେ ଚଣ୍ଡୀ ପାଠ ଓ ହୋମ ମନରେ ପବିତ୍ର ଭାବ ଜାଗ୍ରତ କରେ |ପୂଜା ସ୍ଥାନ ରଙ୍ଗୀନ ବିଦ୍ୟୁତ ଆଲୋକରେ ଉଦ୍ଭାସିତ ହୋଇ ଭକ୍ତ ଗଣଙ୍କୁ ଅମୋଦିତ କରେ | ଭକ୍ତଙ୍କ କଣ୍ଠରୁ ସ୍ୱତଃ ଝରିଆସେ, “
, “ଯା ଦେବୀ ସର୍ବ ଭୂତେଷୁ ମାତୃ ରୁପେଣ ସଂସ୍ଥିତା,
ନମଃ ତସ୍ୟେୟୀ, ନମଃ ତସ୍ୟେୟୀ,ନମଃ ତସ୍ୟେୟୀ ନମୋ ନମଃ |”
ଦଶମୀରେ ଦେବୀଙ୍କର ବିସର୍ଜନ ପୂଜା ଅନୁଷ୍ଠିତ ହୁଏ |ତା ପରଦିନ ଦେବୀଙ୍କୁ ଜଳରେ ବିସର୍ଜନ କରାଯାଏ |
ଦେବୀ ମୂର୍ତ୍ତି ସବୁ ସମ୍ମିଳିତ ପଟୁଆରରେ ଯାଇ ନଦୀ ବା ପୁଷ୍କରିଣୀ କୂଳରେ ପହଞ୍ଚନ୍ତି |ତା ପରେ ସେ ମୂର୍ତ୍ତି ଗୁଡିକୁ ଜଳରେ ବିସର୍ଜନ କରାଯାଏ |
ଏହା ଭସାଣି ଉତ୍ସବ ନାମରେ ନାମିତ |
ତେବେ ଆଧୁନିକ ସମୟରେ ମୂର୍ତ୍ତି ଗୁଡିକୁ ଆକର୍ଷଣୀୟ କରିବାକୁ ମୂର୍ତ୍ତିକାର ମାନେ ବିଭିନ୍ନ ରାସାୟନିକ ରଙ୍ଗ ବ୍ୟବହାର କରିଥାନ୍ତି, ଯାହା ଜଳ, ମୃତ୍ତିକା ପ୍ରଦୂଷଣ କରେ |ଏବେ ସହର ମାନଙ୍କରେ କୃତ୍ରିମ ଜଳାଶୟରେ ମୂର୍ତ୍ତି ବିସର୍ଜନର ବ୍ୟବସ୍ଥା ହୋଇଛି |ମାତ୍ର ଅନେକ ଏହା ନ ମାନି ନଦୀ, ପୁଷ୍କରିଣୀରେ ମୂର୍ତ୍ତି ବିସର୍ଜନ କରି ପ୍ରଦୂଷଣକୁ ବଢ଼ାଉଛନ୍ତି, ଯାହା ଉଦବେଗଜନକ | ପୂଜା ସ୍ଥଳରେ ସାଂସ୍କୃତିକ କାର୍ଯ୍ୟକ୍ରମ ନାଁ ରେ ଉଚ୍ଚ ସ୍ୱରରେ ଡିଜେ ବାଦ୍ୟ ଓ ଅଶ୍ଳୀଳ ନୃତ୍ୟ, ସଙ୍ଗୀତ ପରିବେଷଣ ଯେ କେବଳ ଶବ୍ଦ ପ୍ରଦୂଷଣ କରୁଛି ତାହା ନୁହେଁ ସାତ୍ତ୍ଵିକତା ବଦଳରେ ମନରେ ରାଜସିକ ଓ ତାମସିକ ଭାବ ସୃଷ୍ଟି କରୁଛି | ଏହା ପୂଜାର ପ୍ରକୃତ ଉଦ୍ଦେଶ୍ୟକୁ ନଷ୍ଟ କରୁଛି |.
ଦଶହରା ଦଶ ଦୋଷରୁ ମଣିଷକୁ ମୁକ୍ତି ଦେଇଥାଏ |ଏହି ଭାବ ମନରେ ରଖି ଆମେ ମା’ଙ୍କ ପୂଜା କଲେ ଶାନ୍ତି ପାଇବା ସହ ସମାଜରେ ଶାନ୍ତି ବିରାଜମାନ କରିବ |
ଜୟ ମା’ଦୁର୍ଗା 🙏🙏
- ଶ୍ରୀକାନ୍ତ ଦାଶ, ସଭାପତି ‘ଅବି’ଓ ସାଧାରଣ ସମ୍ପାଦକ, ଓଡ଼ିଆ ଜାତୀୟ ସମ୍ମିଳନୀ |
e-mail :srikantadash. bpc@gmail.com
ଦୂରଭାଷ :9238304919