ତମକୁ ଖୋଜନ୍ତି ଆଜି ଏ ଧରଣୀ, ବିଲ, ବନ ଗିରି,ଦରିଦ୍ର ଏ ଉତ୍କଳର ଆହେ ତୀର୍ଥ ପୁଣ୍ୟ ଗୋଦାବରୀ
- ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଜୟନ୍ତୀ
ଚିର ପ୍ରବହମାନ ସଭ୍ୟତାର ସ୍ରୋତରେ କେତେ ମଣିଷ ଜନ୍ମ ନିଅନ୍ତି, ବଞ୍ଚନ୍ତି ଓ ମୃତ୍ୟୁ ବରଣ କରନ୍ତି |ମାତ୍ର ଏପରି କେତେକ ମଣିଷ ଅଛନ୍ତି ଯେଉଁମାନେ ସ୍ୱକୀୟ ଗୁଣରେ ମଣିଷ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରନ୍ତି |ସେହିପରି ଜଣେ ମଣିଷ ହେଉଛନ୍ତି ପଣ୍ଡିତ ଗୋଦାବରୀଶ ମିଶ୍ର, ଯାହାଙ୍କ ମୃତ୍ୟୁରେ ଗୋଦାବରୀଶ ମହାପାତ୍ର ଲେଖିଥିଲେ, “ତମକୁ ଖୋଜନ୍ତି ଆଜି ଏ ଧରଣୀ, ବିଲ, ବନ ଗିରି,
ଦରିଦ୍ର ଏ ଉତ୍କଳର ଆହେ ତୀର୍ଥ ପୁଣ୍ୟ ଗୋଦାବରୀ |
“ହଁ, ସେ ଥିଲେ ଗୋଦାବରୀ ପରି ଏକ ସ୍ଵଛନୀରା କୂଳ ପ୍ଲାବିନୀ ନଦୀ | ତାଙ୍କ ପ୍ଲାବନରେ ନ ଥିଲା ବନ୍ୟାର ରୁଦ୍ର ରୋଷ, ଥିଲା ସ୍ନେହର, ଭଲ ପାଇବାର ସ୍ପର୍ଶ |
ସେ ଥିଲେ ଏକାଧାରରେ ଶିକ୍ଷକ, ରାଜନୀତିଜ୍ଞ, ଦେଶସେଵୀ, କଵି, ଔପନ୍ୟାସିକ, ବିପ୍ଲବୀ ଓ ଅନେକ ଗୁଣର ଅଧିକାରୀ |ଯଶ ଲିପ୍ସାର ଅନେକ ଉର୍ଦ୍ଧ୍ଵରେ ଥିଲା ତାଙ୍କର ପାଦ |ସତ୍ୟବାଦୀରୁ ସୀମା ଆନ୍ଦୋଳନ, କାଳିଜାଇରୁ ଅଠରଶହ ସତର, ଆଖି ପାଏନି ଅଥଚ ଦେଖିବାକୁ ପଡେ, ଆଉ ଦେଖି ଅନୁଭବ ହୁଏ ତାଙ୍କ ବ୍ୟକ୍ତିତ୍ୱର ମଧୁର ପ୍ରଭାବକୁ |
ଏହି ଅନନ୍ୟ ପ୍ରତିଭା ପିତା ଲିଙ୍ଗରାଜ ମିଶ୍ର ଓ ମାତା ଅପସରା ଦେବୀ ମିଶ୍ରଙ୍କ କୋଳ ମଣ୍ଡନ କରି ଜନ୍ମ ନିଅନ୍ତି 26 ଅକଟୋବର 1886 ମସିହାରେ ତତ୍କାଳୀନ ପୁରୀ ଜିଲ୍ଲା ବାଣପୁର ଅନ୍ତର୍ଗତ ଶ୍ରୀନିବାସ ପୁର ଗ୍ରାମରେ |ତାଙ୍କ ବାଲ୍ୟକାଳ ଅତ୍ୟନ୍ତ ଯନ୍ତ୍ରଣା ଦାୟକ ଥିଲା |ସମସ୍ତ ପ୍ରତିକୂଳ ପରିସ୍ଥିତିର ସାମନା କରି ସେ ପୁରୀ ଜିଲ୍ଲା ସ୍କୁଲରୁ ଶିକ୍ଷା ସମାପ୍ତ କରିବା ପରେ କଟକ ରେଭେନ୍ସା ମହାବିଦ୍ୟାଳୟରୁ ଦର୍ଶନ ସମ୍ମାନ ସହ ସ୍ନାତକ ଶିକ୍ଷା ସମାପ୍ତ କଲେ |ତା ପରେ ସେ କଲିକତା ବିଶ୍ଵବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଥିଲେ |ତାଙ୍କର ଇଂରାଜୀ ଜ୍ଞାନ ଓ ଉଚ୍ଚାରଣ ଅତୀବ ଚମତ୍କାର ଥିଲା |ଏକଦା ଗୋଟିଏ ଇଂରାଜୀ ନାଟକରେ ତାଙ୍କ ଅଭିନୟ ଦେଖି ଜଣେ ଗୋରା କଲେକ୍ଟର ତାଙ୍କୁ ଜଣେ ଇଂରେଜ ବୋଲି ଧରିନେଇଥିଲେ |.
ସ୍ନାତକୋତ୍ତର ଶିକ୍ଷା ସମାପ୍ତ ପରେ ଗୋଦାବରୀଶଙ୍କର ଦେଖା ହୁଏ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସହିତ |ଗୋପବନ୍ଧୁ ଥିଲେ ସତ୍ୟବାଦୀର ଅଦ୍ଭୁତ ଯାଦୁକର |ତାଙ୍କର ସ୍ପର୍ଶରେ ଅନେକ ସାଧାରଣ ଅସାଧାରଣତ୍ୱ ପ୍ରାପ୍ତ ହୋଇଥିଲେ |ଗୋଦାବରୀଶ ବା ବାଦ ପଡନ୍ତେ କିପରି? ଗୋପବନ୍ଧୁଙ୍କର ଆହ୍ୱାନ, “ଆମେ ପାଠପଢି ସରକାରୀ ଚାକିରୀ କରିବା ନାହିଁ | ଦେଶପାଇଁ କିଛି କାମ କରିବା | ଜନ୍ମ ବେଳେ ଦେଶକୁ ଯାହା ଦେଖିଥାଇଁ ମଲା ବେଳେ ତା ଠାରୁ ଉନ୍ନତ ଦେଖି ମରିବା |”ଗୋଦାବରୀଶ, ନୀଳକଣ୍ଠ, କୃପାସିନ୍ଧୁଙ୍କ ଭଳି ତରୁଣ ମାନଙ୍କୁ ଦେଶ ସେବାପାଇଁ ପ୍ରେରଣା ଦେଇଥିଲା |
ଗୋପବନ୍ଧୁଙ୍କ ପ୍ରତିଷ୍ଠିତ ସତ୍ୟବାଦୀ ବନ ବିଦ୍ୟାଳୟରେ ଗୋଦାବରୀଶ ଶିକ୍ଷକ ଭାବେ ଯୋଗ ଦେବାପରେ ସେମାନଙ୍କ ଭିତରେ ସମ୍ପର୍କ ସୁଦୃଢ ହୁଏ |ଗୋପବନ୍ଧୁ ବୁଝିଥିଲେ ଗୋଦାବରୀଶ ଜଣେ ବିଜ୍ଞ ଓ ପ୍ରତିଭାବାନ ବ୍ୟକ୍ତି |ବନ ବିଦ୍ୟାଳୟ ତାଙ୍କ
ପ୍ରତିଭାର ମୂଲ୍ୟ ଦେଇ ପାରିବନି |ତେବେ ବନବିଦ୍ୟାଳୟ ତାଙ୍କ ଭଳି ପ୍ରତିଭାବାନ ବ୍ୟକ୍ତିଙ୍କୁ ଆବଶ୍ୟକ କରେ |ତେଣୁ ସେ ଅନୁରୋଧ କରି ଗୋଦାବରୀଶଙ୍କୁ ସେଠାରେ ରଖେଇଥିଲେ |ଗୋଦାବରୀଶ ସ୍ୱଳ୍ପ ବେତନ ପାଇଁ ଅସନ୍ତୁଷ୍ଟ ଥିଲେ ହେଁ ଗୋପବନ୍ଧୁଙ୍କ ବ୍ୟକ୍ତିତ୍ୱକୁ ସମ୍ମାନ ଦେଇ କାର୍ଯ୍ୟ କରିଚାଲିଲେ |କିଛିଦିନ ଅନ୍ତରରେ ସେ ବନବିଦ୍ୟାଳୟ ଛାଡିବାର ନିଷ୍ପତ୍ତି ନେଲେ |ତାଙ୍କ ଇଛାକୁ ସମ୍ମାନ ଦେଇ ଗୋପବନ୍ଧୁ ବିଦାୟୀ ସଭା ଆୟୋଜନ କଲେ |ସେହି ସଭାରେ ଗୋପବନ୍ଧୁଙ୍କ ଭୋ ଭୋ କାନ୍ଦଣା ସମ୍ବଳିତ ଭାଷଣ ପୁଣି ଥରେ ଗୋଦାବରୀଶଙ୍କୁ ବନବିଦ୍ୟାଳୟର ଛୁରିଅନା କୁଞ୍ଜ ଭିତରେ ଆବଦ୍ଧ କରି ରଖିଲା |
ଶିକ୍ଷକ, ସମାଜ ସଂସ୍କାରକ ଗୋଦାବରୀଶ ଥିଲେ ଜଣେ ଉଚ୍ଚ କୋଟିର ସାହିତ୍ୟିକ |ତାଙ୍କର ସାହିତ୍ୟ ଥିଲା ରୂଢି ମୁକ୍ତ ଓ ଉନ୍ମୁକ୍ତ ପ୍ରାନ୍ତରର ସମିରଣ ପରି |କବିତା, ଗଳ୍ପ, ଉପନ୍ୟାସ, ଇତ୍ୟାଦି ସବୁ କ୍ଷେତ୍ରରେ ସେ ଲେଖନୀ ଚାଳନା କରିଥିଲେ |ଗାଥା କବିତା ରଚନାରେ ସେ ଥିଲେ ସିଦ୍ଧହସ୍ତ |ଶୁଦ୍ଧ, ସରଳ ତଥାକଥିତ ଓଡ଼ିଆ ଭାଷାର ବ୍ୟବହାର ତାଙ୍କ କବିତାକୁ ପ୍ରାଣବନ୍ତ କରିଥିଲା |ତାଙ୍କ କବିତାର ସାଙ୍ଗିତିକତା ଥିଲା ମନୋମୁଗ୍ଧକର |”କାଳିଜାଇ “କବିତା ନ ପଢିଥିଲେ ଜଣେ ନିଜକୁ ଓଡ଼ିଆ ବୋଲି ଗର୍ବ କରିବା ଅନୁଚିତ |ସେହି କବିତାରୁ କେତୋଟି ପଂକ୍ତି ନ ଦେଲେ ଗୋଦାବରୀଶଙ୍କ ଉପରେ ଏ ଲେଖା ଅସମ୍ପୂର୍ଣ୍ଣ ରହିଯିବ |
“ଭଲ କରି ନାଆ ବୁହାରେ ନାଉରି ଝିଅକୁ ମାଡୁଛି ଡର,
ଗଡେ ଗଡ଼ ଲୋକ ଚାହିଁ ବସିଥିବେ ଝିଅ ଯିବ ଶାଶୁ ଘର |”
“ବରଷା ବତାସୀ ଗରଜୀ ଅଇଲା ନାଆ ନୁହେଁ ଥୟ କରି,
ଏକା ପବନକେ ପାହାଡ଼େ ଯାଇ ଲୋ ପିଟି ହୋଇଗଲା ଚୁରି |”
“ବରଷା ବତାସୀ ଚିଲିକାରେ ଆଉ ହୁଏ ନାହିଁ ତେଡେ ଭଳି,
ବିପଦେ ଆପଦେ ଜଣା ପଡଇ ଲୋ ସାହା କିଏ ଥିଲାପରି |”
“କାଳିଜାଇ ବଡ଼ ପ୍ରତ୍ୟକ୍ଷ ଦେବତା କୋଟି କୋଟି ଦଣ୍ଡବତ,
ପାହାଡ଼ର ନାଁ ରାଇଜେ ଖ୍ୟାତ ଲୋ କାଳିଜାଇ ପରବତ |”
ଉପରୋକ୍ତ ପଦ୍ୟାବଳୀ ତାଙ୍କର ପଦ ଲାଳିତ୍ୟ ଓ କାରୁଣ୍ୟର ସୂଚନା ଦିଏ |ତାଙ୍କର “ଆଲେଖିକା “କବିତା ସଂକଳନରେ ମଧ୍ୟ ଏ ପ୍ରକାର କାବ୍ୟ ଧାରା ପରିଦୃଷ୍ଟ ହୁଏ |ଓଡିଶାର ଅନେକ ଅଜଣା ଆତ୍ମତ୍ୟାଗୀ ବ୍ୟକ୍ତିତ୍ୱଙ୍କୁ ନେଇ ତାଙ୍କର କବିତାବଳୀ ବୀରତ୍ୱ, କାରୁଣ୍ୟ ଓ ମାନବିକତା ଉଦ୍ରେକ କରେ |”ଅଠର ଶହ ସତର “ତାଙ୍କର ଏକ ବିଖ୍ୟାତ ଐତିହାସିକ ଉପନ୍ୟାସ | କ୍ଷୁଦ୍ର ଗଳ୍ପ ରଚନାରେ ମଧ୍ୟ ତାଙ୍କର ପାରଦର୍ଶିତା ଥିଲା |’ପାଣୁ ମିଶ୍ରେ “ତାଙ୍କର ବହୁ ଚର୍ଚ୍ଚିତ ଗଳ୍ପ |ତାଙ୍କ ସାହିତ୍ୟ କୃତି :-ଗାଥା କବିତା -କାଳିଜାଇ, ଅଭିରାମ ସିଂହ, ଧରଣୀଧର |ଗୀତି କବିତା -କାଶୀ ଯାତ୍ରୀ, ନିଦାଘ ସରସୀ, ସଂଯୋଇ ତୀରେ, ସକାଳ, ଘଟାନ୍ତର, ଉପନ୍ୟାସ -ଅଠର ଶହ ସତର, ନାଟକ -ପୁରୁଷୋତ୍ତମ, ମୁକୁନ୍ଦ ଦେବ
ଆତ୍ମ ଜୀବନୀ -ଅର୍ଦ୍ଧ ଶତାବ୍ଦୀର ଓଡିଶା ଓ ତହିଁରେ ମୋ ସ୍ଥାନ |
ଆତ୍ମ ଜୀବନୀ ପାଇଁ ତାଙ୍କୁ ମୃତ୍ୟୁ ପରେ 1961ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା | ସେ ମଧ୍ୟ ‘ଖବର କାଗଜ “ସମାଜ’ର ସମ୍ପାଦକ ଥିଲେ |
ଗୋପବନ୍ଧୁଙ୍କ ପ୍ରେରଣାରେ ସେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ |ଅସହଯୋଗ, ଅହିଂସା ତଥା ସତ୍ୟାଗ୍ରହକୁ ପାଥେୟ କରି ସେ ଓଡିଶାକୁ ସ୍ୱତନ୍ତ୍ର ପ୍ରଦେଶ କରିବାକୁ ବହୁ ଶ୍ରମ ସ୍ୱୀକାର କରିଥିଲେ |ଚାଇଁବସା, ସଢ଼େଇକଳା, ଖରସୁଆଁ ଆଦି ଅଞ୍ଚଳ ବୁଲି ସେସବୁ ଓଡିଶା ସହିତ ମିଶ୍ରଣ ପାଇଁ ସେ ପ୍ରାଣପାତ ଉଦ୍ୟମ କରୁଥିଲେ | ଓଡିଶା ସ୍ୱତନ୍ତ୍ର ରାଜ୍ୟ ହେଲା ପରେ ସେ ବିଧାୟକ, ମନ୍ତ୍ରୀ ଭାବେ ନିଜର ରାଜନୈତିକ ବିଚକ୍ଷଣତା ଓ ନିସ୍ଵାର୍ଥପର ରାଜନେତାର ପରିଚୟ ଦେଇଛନ୍ତି |ରାଜନୈତିକ ଜୀଵନର ଶେଷ ଭାଗରେ ପଣ୍ଡିତ ନୀଳକଣ୍ଠଙ୍କ ସହ ତାଙ୍କର ମତ ପାର୍ଥକ୍ୟ ତାଙ୍କୁ ସାମାନ୍ୟ ସମସ୍ୟାରେ ପକାଇଥିଲା |ତେବେ ରାଜନୀତିଜ୍ଞ ଗୋଦାବରୀଶଙ୍କ ଠାରୁ ସାହିତ୍ୟିକ ଓ ମାନବବାଦୀ ଗୋଦାବରୀଶ ଏତେ ବଡ଼ ଯେ ଏସବୁ ସମସ୍ୟା ଇତିହାସ ଗର୍ଭରେ ବିଲୀନ ହୋଇ ଯାଇଥିଲା |
ଓଡିଶାର ଏହି ବରପୁତ୍ରଙ୍କର ଦେହାନ୍ତ ହୁଏ 26 ଜୁଲାଇ 1956ମସିହାରେ |”ଉଜ୍ଜଳ ପୁରୁଷ “କବିତାରେ କବି ସଚ୍ଚି ରାଉତରାୟ ତାଙ୍କ ପ୍ରତି ଶୋକ ପ୍ରକାଶ କରି ଲେଖନ୍ତି “”ନଗ୍ର ଜନେ କି କହିଲେ କି କହିଲେ ଗ୍ରାମୀଣ ମଣିଷ,
ଏଇ ପଟୁ ଆଉ ଭିଡ଼େ ଶୁଣୁଛ କି ହେ ଗୋଦାବରୀଶ |”
ଫୁଲ ଆଉ ଜହ୍ନ ଆଉ ମାଟି ଆଉ ବାଲିର ପାତାଳେ,
ଏଇଠିକ ଶୋଇଥିବ ବାଲିକୁଢେ ପୋତିଲା ଦେଉଳେ? “
କେଜାଣି କେବେ ଓଡ଼ିଆ ଜାତି ବାଲି କୁଢ଼ ଭିତରୁ ଗୋଦାବରୀଶଙ୍କୁ ଉଦ୍ଧାର କରିବ ଓ ତାଙ୍କୁ ଉଚିତ ସମ୍ମାନ ଦେବ? “ମାତ୍ର ଚିଲିକାର ହୀରାଜଳ ଓ ଘଣ୍ଟଶୀଳା ପାହାଡ଼ ଓ ଜଙ୍ଗଲର ପକ୍ଷୀ ଚିରକାଳ ତାଙ୍କ ସ୍ମୃତିକୁ ଜୀବନ୍ତ କରି ରଖିଥିବେ |.
ଶ୍ରୀକାନ୍ତ ଦାଶ, ସଭାପତି ‘ଅବି’ଓ ସାଧାରଣ ସମ୍ପାଦକ, ଓଡ଼ିଆ ଜାତୀୟ ସମ୍ମିଳନୀ |
Email :srikantadash. bpc@gmail.com