‘ଡଗରା’ ବେଳାଭୂମିର ବିକାଶ ଶୂନ, ହେଉ ସ୍ୱତନ୍ତ୍ର ପାଣ୍ଠି ବ୍ୟବସ୍ଥା
- ବିଧାନସଭାରେ ଦାବି କଲେ ସୁବାସିନୀ ଜେନା
ଭୁବନେଶ୍ୱର,// TATKAL ODISHA//
ପ୍ରାକୃତିକ ସୌନ୍ଦର୍ଯ୍ୟର ଅପରୂପ ଦୃଶ୍ୟ, ଘଞ୍ଚ ଝାଉଁ ଜଙ୍ଗଲର ସୁଲୁସୁଲିଆ ପବନ, ନାଲି କଙ୍କଡାର ଲୁଚକାଲି ଖେଳ ପାଇଁ ଖୁବ ସୁନାମ ଅର୍ଜିଥିବା ଡଗରା ବେଳାଭୂମିରେ ଏବେ ବିକାଶ ଶୂନ I ଭଲ ରାସ୍ତା ନାହିଁ I ପରିଷ୍କାର ଓ ପରିଚ୍ଛନ୍ନତା କଥା ନ କହିଲେ ଭଲ I ଫଳରେ ଦେଶ ବିଦେଶରୁ ପର୍ଯ୍ୟଟକମାନେ ଏଠାକୁ ନ ଆସି ମୁହଁ ଫେରାଇ ନେଉଛନ୍ତି I
ବିଧାନସଭାରେ ଏହି ପ୍ରସଙ୍ଗକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ ବସ୍ତା ବିଧାୟିକା ସୁବାସିନୀ ଜେନା I

ବୁଧବାର ଶୂନ୍ୟକାଳରେ ସୁବାସିନୀ କହିଛନ୍ତି ଯେ, ବାଲେଶ୍ୱର ଜିଲ୍ଲାରେ ଚାନ୍ଦିପୁର ଓ ତାଳସାରି ବେଳାଭୂମି ଭଳି ବସ୍ତା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ‘ଡଗରା’ ସେଭଳି ଏକ ବିଶ୍ୱ ସ୍ତରୀୟ ବେଳାଭୂମି I ଓଡ଼ିଶା ସମେତ ପଶ୍ଚିମବଙ୍ଗ, ବିହାର ଓ ଝାଡ଼ଖଣ୍ଡ ଆଦି ରାଜ୍ୟରୁ ପର୍ଯ୍ୟଟକମାନେ ଆସିଥାନ୍ତି I ମାତ୍ର ଭିତ୍ତିଭୂମି ଅଭାବ ଯୋଗୁଁ ଏଠାକୁ ପର୍ଯ୍ୟଟକମାନେ ଆସିବାକୁ ଅମଙ୍ଗ I ବିଶେଷକରି ରାସ୍ତା, ରହିବା ବ୍ୟବସ୍ଥା,ପିଇବାପାଣି, ବସିବା ପାଇଁ ବେଞ୍ଚ୍ ଏବଂ ସନ୍ଧ୍ୟା ସମୟର ଦୃଶ୍ୟକୁ ଉପଭୋଗ କରିବା ପାଇଁ କୌଣସି ଲାଇଟର ବ୍ୟବସ୍ଥା ନାହିଁ I ଖୁବଶୀଘ୍ର ଆନୁସଙ୍ଗିକ ସୁବିଧା ଯୋଗାଇ ଦେବା ଉଚିତ I ଦ୍ଵିତୀୟରେ ଡଗରା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଅର୍ଥ ଯୋଗାଇ ଦିଅନ୍ତୁ ବୋଲି ଦାବି କରୁଛି ବୋଲି ଶ୍ରୀମତୀ ଜେନା ପ୍ରକାଶ କରିଥିଲେ I
ଉଲ୍ଲେଖନୀୟ ଯେ, ଜାନୁଆରୀ ୨୯ ଜାନୁଆରୀ ୨୦୧୬ରେ ପୂର୍ବ ସରକାରଙ୍କ ବେଳେ ଡଗରା ବେଳାଭୂମି ସହ ୧ କୋଟି ୬୬ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଥିଲା I କୁଆଡ଼େ ଗଲା ଏଇ ଅର୍ଥ ତାର ସ୍ପଷ୍ଟ ଉତ୍ତର ମିଳିନାହିଁ I ଏବେବି ଥିବା ପାନ୍ଥ ନିବାସ ଅଧପନ୍ତରିଆ ହୋଇ ରହିଛି । ପର୍ଯ୍ୟଟକ ମହଲରେ ଅସନ୍ତୋଷ ଦେଖା ଦେଇଛି ।