ଝୁଲଣ ପୂର୍ଣ୍ଣିମା; ଶ୍ରୀଶ୍ରୀ ଠାକୁର ନିଗମାନନ୍ଦଙ୍କର ୧୪୧ତମ ଜନ୍ମଦିବସ
* ଆଲେଖ୍ୟ : ବ୍ରହ୍ମାନନ୍ଦ ବେହେରା, ସଂପାଦକ, ନୀଳାଚଳ ସାରସ୍ୱତ ସଂଘ ପୁରୀ
ସୃଷ୍ଟିରେ ଯେତେବେଳେ ପ୍ରବୃତ୍ତିର ପ୍ରାବଲ୍ୟ ଓ ନିବୃତ୍ତିର ଏକାନ୍ତ ନ୍ୟୂନତା ପରିଲକ୍ଷିତ ହୁଏ, ସେହି ସନ୍ଧିକ୍ଷଣରେ ମହାପୁରୁଷମାନଙ୍କର ଆଗମନ ହୁଏ । ପ୍ରବୃତ୍ତିର ତାରତମ୍ୟ ଅନୁସାରେ ବିଭିନ୍ନ ଦେଶ ଓ କାଳର ବିଭିନ୍ନ ମହାପୁରୁଷ, ଗୁରୁ ତତ ସତ୍ ଦେଶ ଓ କାଳ ଉପଯୋଗୀ ଓ ପ୍ରୟୋଜନ ଅନୁରୂପ ଶକ୍ତି ନେଇ ପ୍ରକଟ ହୁଅନ୍ତି ।

ପ୍ରବୃତ୍ତିର ପ୍ରାବଲ୍ୟରେ ଯେତେବେଳେ ସାଂପ୍ରଦାୟିକତା ତାର ଆସୁରିକ କାୟା ବିସ୍ତାର କରି ସମଗ୍ର ବିଶ୍ୱକୁ ଗ୍ରାସ କରିବାକୁ ବସିଲା, ସେତେବେଳେ ସ୍ୱୟଂ ଜଗତ୍ଗୁରୁଙ୍କୁ ସଦ୍ଗୁରୁ ରୂପରେ ପ୍ରକାଶିତ ହେବାକୁ ପଡ଼ିଲା । ଏହି ଯୁଗ ସନ୍ଧିକ୍ଷଣରେ ଯୁଗଧର୍ମର ପ୍ରବର୍ତ୍ତନ ନିମିତ୍ତ ଯେଉଁ ଯୁଗଗୁରୁଙ୍କର ଆବିର୍ଭାବ ହେଲା ଅର୍ଥାତ୍ ବିଶ୍ୱମାନବର ପରିତ୍ରାଣ ନିମିତ୍ତ ଯେଉଁ ମହାପୁରୁଷ ଏହି ଗୁହ୍ୟତମ ଗୁରୁପରାୟଣ ଧର୍ମ ପ୍ରକଟ କଲେ, ସେ ହେଉଛନ୍ତି ଆମମାନଙ୍କର ପରମ ଉପାସ୍ୟ ଓ ପ୍ରେମର ଆସ୍ପଦ ଶ୍ରୀଶ୍ରୀଠାକୁର ପରମହଂସ ଶ୍ରୀମତ୍ ସ୍ୱାମୀ ନିଗମାନନ୍ଦ ସରସ୍ୱତୀ ଦେବ ।
ଝୁଲଣ ପୂର୍ଣ୍ଣିମା; ଶ୍ରୀଶ୍ରୀ ଠାକୁରଙ୍କର ୧୪୧ତମ ଶୁଭ ଜନ୍ମଦିବସ । ଆଜକୁ ଏକଶତ ଚାଳିଶ ବର୍ଷ ପୂର୍ବେ ୧୨୮୬ ସାଲ ବା ୧୮୮୦ରେ ନଦିଆ ଜିଲ୍ଲାର କୁତବପୁର ଗ୍ରାମରେ ଶ୍ରାବଣପୂର୍ଣ୍ଣିମା ତିଥିରେ ତାଙ୍କର ଶୁଭ ଆବିର୍ଭାବ । ତାଙ୍କର ପୂର୍ବାଶ୍ରମର ନାମ ନଳିନୀକାନ୍ତ । ପିତାଙ୍କ ନାମ ଭୁବନମୋହନ ଭଟ୍ଟାଚାର୍ଯ୍ୟ ଏବଂ ମାତାଙ୍କ ନାମ ମାଣିକ୍ୟସୁନ୍ଦରୀ ଦେବୀ ।
ଶୈଶବ କାନ୍ତିରେ ତାଙ୍କର ସିଦ୍ଧ ଲକ୍ଷଣମାନ ପ୍ରକାଶିତ ହୋଇଥିଲା, ଯଥା; ଜନ୍ମର ଷଷ୍ଠ ଦିବସରେ ଜଣେ ଦୈବଜ୍ଞ ବ୍ରାହ୍ମଣ ହଠାତ୍ ତାଙ୍କ ଗୃହରେ ପ୍ରବେଶ କରି ତାଙ୍କର କୋଷ୍ଠୀ ରଚନା ପୂର୍ବକ ଭବିଷ୍ୟତ ଜୀବନର ଆଭାସ ପ୍ରଦାନ କରିଥିଲେ; ଗୃହସଂଲଗ୍ନ ଦେବୀ ମଣ୍ଡପରେ ସେ ଦଶଭୁଜାଙ୍କୁ ଦର୍ଶନ କରିଥିଲେ ଇତ୍ୟାଦି । କିଶୋର ବୟସରେ ସେ ସମବୟସ୍କ ଓ ବୟୋଜ୍ୟେଷ୍ଠ ବାଳକମାନଙ୍କର ନେତୃତ୍ୱ ନେଇ ଜନମଙ୍ଗଳ କାର୍ଯ୍ୟମାନ ସଂପାଦନ କରୁଥିଲେ । ଅନ୍ୟାୟ, ଅନାଚାର ଓ କୁସଂସ୍କାରରେ ସେ ଥିଲେ ମୂର୍ତ୍ତିମନ୍ତ ମହାକାଳ । ଦରିଆପୁର ସ୍କୁଲ୍ରେ, ମାତୁଳାଳୟରେ ବିଦ୍ୟାଭ୍ୟାସ ସମୟରେ ତାଙ୍କ ମାତାଙ୍କର ଅକାଳ ବିୟୋଗ ହେଲା । ମୃତ୍ୟୁ ସମୟରେ ମା’ ତାଙ୍କୁ ଜଗନ୍ମାତାଙ୍କ କୋଳରେ ସମର୍ପଣ କରିଦେଇ ଯାଇଥିଲେ । ଜଗନ୍ମାତାଙ୍କ ଦର୍ଶନ ଲାଭ ନିମିତ୍ତ ଯେତେ ଚେଷ୍ଟା କଲେ ମଧ୍ୟ ତାଙ୍କ ଦର୍ଶନ ଲାଭ କରିପାରିଲେ ନାହିଁ । ସୁତରାଂ ସେ ମନେକଲେ ପରକାଳ ଓ ଭଗବାନ ସମସ୍ତ ମିଥ୍ୟା । ଯୌବନ ସମାଗତ ହୁଅନ୍ତେ, ପିତାଙ୍କ ଅନୁରୋଧରେ ସୁଧାଂଶୁବାଳା ନାମ୍ନୀ ଏକ ପରମାସୁନ୍ଦରୀ କନ୍ୟାଙ୍କ ସହିତ ବିବାହ କଲେ । ବିବାହର ଅଳ୍ପଦିନ ପରେ ସ୍ତ୍ରୀଙ୍କର ମଧ୍ୟ ଅକାଳ ବିୟୋଗ ଘଟିଲା । ଯେଉଁଦିନ ସ୍ତ୍ରୀଙ୍କର ଦେହାବସନା ହେଲା, ସେଦିନ ସେ କର୍ମକ୍ଷେତ୍ରରେ ସ୍ତ୍ରୀଙ୍କର ଛାୟାମୂର୍ତ୍ତି ଦର୍ଶନ କରି ପରଲୋକର ଅସ୍ତିତ୍ୱ ସମ୍ବନ୍ଧରେ ବିଶ୍ୱାସ କଲେ । କିଭଳି ପରଲୋକବାସୀ ସତ୍ତାଙ୍କ ସହିତ ଏହି ଦେହରେ ସାକ୍ଷାତ୍ ଦର୍ଶନ ହେବ, ସେହି ବାସନା ତାଙ୍କର ଅତିଶୟ ବଳବତୀ ହୋଇଉଠିଲା । ତେଣୁ ସେ ଥିଓସଫି ସଂପ୍ରଦାୟରେ ମିଶି ମିଡ଼ିୟମ୍ ସାହାଯ୍ୟରେ ସ୍ତ୍ରୀଙ୍କ ଆତ୍ମା ଆନୟନ କରି ବାର୍ତ୍ତାଳାପ କଲେ ମଧ୍ୟ ସାକ୍ଷାତ ଦର୍ଶନରୁ ବଞ୍ଚିତ ହେଲେ । ପରେ ସ୍ୱାମୀ ପୂର୍ଣ୍ଣାନନ୍ଦ ସରସ୍ୱତୀଙ୍କ ପରାମର୍ଶରେ ଗୁରୁ ଅନ୍ୱେଷଣ କଲେ । ଗୁରୁ ଅନ୍ୱେଷଣରେ ତାଙ୍କର ତନ୍ମୟତା ଲାଭ ହେବାରୁ, ନିଦ୍ରାଭିଭୂତ ଥିବା ସମୟରେ ଜଣେ ଦିବ୍ୟପୁରୁଷଙ୍କଠାରୁ ଏକାକ୍ଷରୀ ମନ୍ତ୍ର ପ୍ରାପ୍ତ ହେଲେ । ସେହି ମନ୍ତ୍ରର ସାଧନ ନିମିତ୍ତ ଆଦିଷ୍ଟ ହୋଇ ତାରାପୀଠର ସିଦ୍ଧତାନ୍ତ୍ରିକ ବାମାକ୍ଷେପାଙ୍କ ନିକଟରେ ଉପନୀତ ହେଲେ ଓ ତାଙ୍କ କୃପାରୁ ଗୁରୁଶକ୍ତି ତାରାଦେବୀଙ୍କୁ ତାଙ୍କ ସହଧର୍ମିଣୀ ସୁଧାଦେବୀଙ୍କ ରୂପରେ ଦର୍ଶନ ଲାଭ କଲେ । ଏହାପରେ ମା’ଙ୍କୁ ମୂଳତଃ ଅନ୍ତରରେ ସୂକ୍ଷ୍ମ ଭାବରେ ଉପଲବ୍ଧି କରିବା ନିମିତ୍ତ ଗୁରୁଦେବଙ୍କ ଆଦେଶରେ ଜ୍ଞାନ ସାଧନା ନିମିତ୍ତ ଗମନ କରି ଶ୍ରୀମଦ୍ ସଚ୍ଚିଦାନନ୍ଦ ସ୍ୱାମୀଙ୍କୁ ଜ୍ଞାନୀଗୁରୁ ରୂପରେ ପାଇ ଜ୍ଞାନସାଧନାରେ ବ୍ରତୀ ହେଲେ । ନିଗମର ନିଗୂଢ଼ ତତ୍ତ୍ୱ ଅତି ଅଳ୍ପକାଳ ମଧ୍ୟରେ ହୃଦୟଙ୍ଗମ କରିପାରିଥିବାରୁ ଗୁରୁଦେବ ତାଙ୍କ ନାମ ରଖିଲେ ନିଗମାନନ୍ଦ ସରସ୍ୱତୀ । ପରେ ତତ୍ତ୍ୱର ସାକ୍ଷାତ୍ ଉପଲବ୍ଧି ନିମିତ୍ତ ଆଦିଷ୍ଟ ହୋଇ ଯୋଗସାଧନାରେ ବ୍ରତୀ ହେଲେ ।
ସିଦ୍ଧଯୋଗୀ ସୁମେରୁ ଦାସଜୀଙ୍କ କୃପାରୁ ଯୋଗସାଧନାରେ ସିଦ୍ଧ ମନୋରଥ ହୋଇ ନିର୍ବିକଳ୍ପ ସମାଧିରେ ମଗ୍ନ ହେଲେ । ସେ ସେହି ସମାଧିରୁ ଗୁରୁଭାବ ନେଇ ପ୍ରତ୍ୟାବର୍ତ୍ତନ କଲେ । ଏହାପରେ ସେ ସିଦ୍ଧଯୋଗିନୀ ଗୌରୀଦେବୀଙ୍କ କୃପାରୁ ପ୍ରେମ ସାଧନାରେ ସିଦ୍ଧିଲାଭ କରି ଭଗବାନଙ୍କୁ ରକ୍ତମାଂସମୟ ସ୍ଥୂଳ ଶରୀରରେ ତାଙ୍କୁ ସହଧର୍ମିଣୀ ଭାବରେ ପ୍ରାପ୍ତ ହେଲେ ଏବଂ ଗାରୋହିଲ୍ରେ ତାଙ୍କ ସହିତ ଦୀର୍ଘକାଳ ଲୀଳାପରେ ତାଙ୍କର ଅନୁରୋଧରେ ଲୋକାଳୟକୁ ଗୁରୁ ଭାବରେ ପ୍ରତ୍ୟାବର୍ତ୍ତନ କଲେ । ଅତଏବ ଶ୍ରୀଶ୍ରୀଠାକୁର ନିଗମାନନ୍ଦ ବ୍ରହ୍ମଙ୍କୁ ଜାଣି ହେଲେ ଜ୍ଞାନୀ; ପରମାତ୍ମାଙ୍କୁ ଜାଣି ହେଲେ ଯୋଗୀ ଏବଂ ଭଗବାନଙ୍କୁ ଜାଣି ହେଲେ ପ୍ରେମିକ । ସମସ୍ତ ମିଶି ସେ ହେଲେ ଜଗଦ୍ଗୁରୁ ବା ପୂର୍ଣ୍ଣବ୍ରହ୍ମଙ୍କର ମାନୁଷୀତନୁ ବା ସଦ୍ଗୁରୁ ।
ତେଣୁ ଶ୍ରୀଶ୍ରୀଠାକୁର ନିଗମାନନ୍ଦ “ମଦ୍ଗୁରୁ ଶ୍ରୀଜଗଦଗୁରୁ’ କେବଳ ଏହି ବିଚାରରେ ସଦ୍ଗୁରୁ ନୁହନ୍ତି, ସେ ହିଁ ପ୍ରକୃତରେ ଶାସ୍ତ୍ରୀୟ ଲକ୍ଷଣାକ୍ରାନ୍ତ ସଦ୍ଗୁରୁ; ସେ “ଜୀବ-ବ୍ରହ୍ମ-ଇବ’ ଏହି ଦିଗରୁ ବିଚାର୍ଯ୍ୟ ନୁହନ୍ତି, “ବ୍ରହ୍ମବିଦ୍ ବ୍ରହ୍ମୈବ ଭବତି’, ଏହି ଶ୍ରୁତିସିଦ୍ଧାନ୍ତର ମୂର୍ତ୍ତ ପ୍ରତୀକ ରୂପେ ସେ ବରଣୀୟ ।
ଲୋକାଳୟକୁ ଗୁରୁଭାବରେ ଆସି ସେ ଦେଖିଲେ, କଳିହତ ଜୀବର ମେଧା ନିସ୍ତେଜ, ଶରୀର ଅଶକ୍ତ, ବୁଦ୍ଧି କଳୁଷିତ, ମହାପୁରୁଷଙ୍କ ପ୍ରଦତ୍ତ ସାଧନଶକ୍ତି ଧାରଣ କରିବା ଭଳି ଉପଯୁକ୍ତ ଆଧାର ସମାଜରେ ବିରଳ । ତେଣୁ ସେ ବ୍ରହ୍ମଚର୍ଯ୍ୟ ସାଧନ, ଯୋଗୀଗୁରୁ, ଜ୍ଞାନୀଗୁରୁ, ତାନ୍ତ୍ରିକଗୁରୁ ଓ ପ୍ରେମିକଗୁରୁ ଗ୍ରନ୍ଥ ପ୍ରଣୟନ ଓ ପ୍ରକାଶ କଲେ । ଆସାମର ବ୍ରହ୍ମପୁତ୍ର ନଦୀ ଉପତ୍ୟକାସ୍ଥ କୋକିଳାମୁଖଠାରେ ଶାନ୍ତି ଆଶ୍ରମ ବା ସାରସ୍ୱତ ମଠ ପ୍ରତିଷ୍ଠା କଲେ । ମଠ ପକ୍ଷରୁ “ଆର୍ଯ୍ୟଦର୍ପଣ’ ନାମ ଦେଇ ସନାତନ ଧର୍ମର ଖଣ୍ଡିଏ ମାସିକ ମୁଖପତ୍ର ନିଜେ ସଂପାଦନ କଲେ ।
ଦେଶରେ ପାଞ୍ଚ ଭାଗରେ ପାଞ୍ଚଟି ବିଭାଗୀୟ ଆଶ୍ରମ ଓ ସଂଘମାନ ପ୍ରତିଷ୍ଠା କଲେ, ଭକ୍ତସମ୍ମିଳନୀ ପ୍ରବର୍ତ୍ତନ କଲେ । ଭୋଗ ମଧ୍ୟରେ ରହି କିଭଳି ତ୍ୟାଗ ପଥରେ ସାଧକମାନେ ଅଗ୍ରସର ହୋଇପାରିବେ, ସେହି ଲକ୍ଷ୍ୟରେ ସେ ସଂଘମାନ ସ୍ଥାପନ କରି ଓ ସେହି ମଠାଶ୍ରମଗୁଡ଼ିକ କଭଳି ପରିଚାଳିତ ହେବ, ତହିଁର ଉପଯୁକ୍ତ ବ୍ୟବସ୍ଥା କରି ଶେଷ ଜୀବନରେ ପୁରୀ ଧାମରେ ସ୍ୱର୍ଗଦ୍ୱାରସ୍ଥ “ନୀଳାଚଳ କୁଟୀର’ରେ ଅବସ୍ଥାନ କରୁଥିବା ସମୟରେ ୧୯୩୪ ମସିହା ଝୁଲଣ ପୂର୍ଣ୍ଣିମା ତିଥି ଅର୍ଥାତ୍ ତାଙ୍କର ଶୁଭ ଜନ୍ମ ଉତ୍ସବରେ “ନୀଳାଚଳ ସାରସ୍ୱତ ସଂଘ’ ପ୍ରତିଷ୍ଠା କରି ଆଦର୍ଶ ଗୃହସ୍ଥ ଜୀବନ ଗଠନ, ସଂଘଶକ୍ତିର ପ୍ରତିଷ୍ଠା ଓ ଭାବବିନିମୟ କରିବାକୁ ଆଦେଶ ଦେଲେ । ଶ୍ରୀଯୁକ୍ତ ବନମାଳୀ ଦାଶ ଓ ଶ୍ରୀଯୁକ୍ତ ଦୁର୍ଗାଚରଣ ମହାନ୍ତିଙ୍କୁ ସଂଘର ସଭାପତି ଓ ସଂପାଦକ ଭାବେ ଚୟନ କଲେ ।
ପରବର୍ତ୍ତୀ କାଳରେ ଶ୍ରୀଯୁକ୍ତ ଦୁର୍ଗାଚରଣ ମହାନ୍ତି ଭକ୍ତମାନଙ୍କର ପ୍ରିୟ “ଭାଇ’ ଓ ପରିଚାଳକ ଭାବେ ଆଦୃତ ହେଲେ । ପାଞ୍ଚ ସାତ ଜଣ ସଭ୍ୟ ସମ୍ବଳିତ ନୀଳାଚଳ ସାରସ୍ୱତ ସଂଘ ଅନ୍ତର୍ଗତ ଶ୍ରୀଯୁକ୍ତ ଦୁର୍ଗାଚରଣ ଭାଇଙ୍କୁ ଠାକୁର କହିଥିଲେ, “ମୋ ଭକ୍ତ ଆସିବେ, ତାଙ୍କୁ ମୋ କଥା କହିବୁ । ” ଅର୍ଥାତ୍ ଶ୍ରୀଶ୍ରୀଠାକୁରଙ୍କ କଥା କହିବାକୁ ଦୁର୍ଗାଚରଣ ଭାଇ ହିଁ “ଚାପରାଶ’ ପାଇଲେ । ତାପରେ ୧୯୩୫ ମସିହା ନଭେମ୍ବର ୨୯ ତାରିଖରେ କଲିକତା ମହାନଗରୀରେ ଶ୍ରୀଶ୍ରୀଠାକୁର ଦେହରକ୍ଷା କଲେ ।
ଦେହରକ୍ଷାର ଅବ୍ୟବହିତ ପୂର୍ବରୁ କହିଲେ, “ମୁଁ ମୋର ଗୁରୁଭାର କାହାକୁ ଦେଇଯାଉ ନାହିଁ, ମୁଁ ନିଜେ ଗୁରୁ ରହିଲି ।’ ୧୯୩୫ ମସିହାରୁ ୧୯୪୨ ଦୀର୍ଘ ସାତ ବର୍ଷ ପରେ ଭକ୍ତ ଆସିଲେ, ଭାଇଙ୍କୁ ଠାକୁରଙ୍କ କଥା ପଚାରିଲେ, ଶ୍ରୀଶ୍ରୀଠାକୁରଙ୍କ ଜୀବନୀ ପୁସ୍ତକ “ଶ୍ରୀଶ୍ରୀଠାକୁର ନିଗମାନନ୍ଦ’ ପ୍ରକାଶିତ ହେଲା । ତା’ପରେ ଭକ୍ତ ସମାଗମ ହେବାରୁ ଶ୍ରୀଯୁକ୍ତ ଦୁର୍ଗାଚରଣ ଭାଇ ଉତ୍କଳରେ କୋଣ ଅନୁକୋଣରେ ଗୃହାସନ ଓ ସଂଘମାନ ପ୍ରତିଷ୍ଠା ପୂର୍ବକ ସୁପରିଚାଳନା କରି ଶ୍ରୀଶ୍ରୀଠାକୁରଙ୍କ ଭାବଧାରା ପ୍ରଚାର ଓ ପ୍ରସାର କଲେ । ଶ୍ରୀଶ୍ରୀଠାକୁରଙ୍କ “ନିତ୍ୟବିଦ୍ୟମାନତା’ ଉପରେ ସଂଘମାନଙ୍କରେ ବହୁ ଆଲୋଚନା, ପର୍ଯ୍ୟାଲୋଚନା କଲେ; ଗ୍ରନ୍ଥମାନ ପ୍ରକାଶ କଲେ; “ସଂଘସେବକ’ ନାମକ ତ୍ରୈମାସିକ ପତ୍ରିକା ସଂପାଦନ କଲେ । ଶ୍ରୀଶ୍ରୀଠାକୁରଙ୍କ ଆଦେଶରେ ସେ ପାଞ୍ଚ ସାତ ଜଣ ସଭ୍ୟସମ୍ବଳିତ କ୍ଷୁଦ୍ରାୟତନ ନୀଳାଚଳ ସାରସ୍ୱତ ସଂଘକୁ ଆଜି ସୁବିଶାଳ ହର୍ମ୍ୟବିଶେଷରେ ପରିଣତ କଲେ । ୧୯୮୫ରେ ସେ ଦେହରକ୍ଷା କଲେ । କିନ୍ତୁ ଭକ୍ତମାନେ ତାଙ୍କୁ ପୂର୍ବବତ୍ ପରିଚାଳନା କରୁଛନ୍ତି ବୋଲି ବହୁ ଅନୁଭୂତି ଲାଭ କଲେ । ଭକ୍ତମାନଙ୍କର ଉକ୍ତ ଅନୁଭୂତି ସମୂହକୁ ସଂଗ୍ରହ କରି ତତ୍କାଳୀନ ନୀଳାଚଳ ସାରସ୍ୱତ ସଂଘ ପୁରୀ ପରିଚାଳନାମଣ୍ଡଳୀ ୯.୨.୧୯୮୬ ତାରିଖର ଅଧିବେଶନରେ “ଉତ୍କଳରେ ଠାକୁର ଶ୍ରୀ ଶ୍ରୀ ନିଗମାନନ୍ଦ ଓ ଭାଇ ଦୁର୍ଗାଚରଣ’ ସ୍ମରଣିକା ପ୍ରକାଶ କରିବାକୁ ସ୍ଥିର କଲେ । ତଦନୁଯାୟୀ ଏହା ପ୍ରକାଶିତ ହୁଅନ୍ତେ, ଭକ୍ତମାନଙ୍କର ଅନୁଭୂତି ସମୂହକୁ ପାଥେୟ କରି ସଂପାଦକ ମଣ୍ଡଳୀ ଯଥାର୍ଥରେ ଲେଖିଛନ୍ତି-
“ସେ ଗୁରୁଦେବଙ୍କର ନିତ୍ୟ ବିଦ୍ୟମାନତା ପ୍ରତିପାଦନ କରି ନିଜେ ହୋଇଛନ୍ତି ସେମାନଙ୍କ ମନରେ ନିତ୍ୟବର୍ତ୍ତମାନ । ପୂଜ୍ୟପୂଜାର ପ୍ରଚାର କରି ନିଜେ ହୋଇଛନ୍ତି ଆମର ପୂଜ୍ୟ, ନମସ୍ୟ । ନିତ୍ୟ, ସତ୍ୟ, ଶାଶ୍ୱତ ସତ୍ତାର ଅନୁଭବ ଦେଇ ନିଜେ ହୋଇଛନ୍ତି ଅମର ଏବଂ ସ୍ଥୂଳ ଦେହାବସାନକାଳ ସଦୃଶ ଆଜି ବି ରହିଛନ୍ତି ପ୍ରତ୍ୟେକ ସଂଘର କ୍ରିୟାଶୀଳ ପରିଚାଳକ ।’ (ଉତ୍କଳରେ ଠାକୁର ନିଗମାନନ୍ଦ ଓ ଭାଇ ଦୁର୍ଗାଚରଣ ୧ମ ଭାଗ)
ଶ୍ରୀଶ୍ରୀଠାକୁର କହିଲେ “ଅଛି ଚିରକାଳ ଥିବି ଚିରକାଳ…’ ଅନୁରୂପ ଭାବରେ ପରିଚାଳକ ଶ୍ରୀଯୁକ୍ତ ଭାଇ କହିଲେ, “କୁଆଡ଼େ ଯାଉନୁ, ଅଭାବକୁ ସିନା ଡର’ ।