ଜୟନାରାୟଣ ମନ୍ତବ୍ୟକୁ ନେଇ ପୁଣି ହଙ୍ଗାମା, ଶାସକ-ବିରୋଧୀ ଠେଲା ପେଲା
- ପ୍ଲାକାର୍ଡ ଧରି ଗୃହରେ ନାରାବାଜି, ବାହାରେ ଲଣ୍ଠନ ଧରି ବିଜେଡିର ପ୍ରତିବାଦ,ଧାରଣା
- ମହିଳା ନିର୍ଯାତନା ବୃଦ୍ଧି ନେଇ ପୁଣି କଂଗ୍ରେସର ହୋହଲ୍ଲା
ଭୁବନେଶ୍ୱର//TATKAL ODISHA//
ବିଜେପିର ବରିଷ୍ଠ ସଦସ୍ୟ ଜୟନାରାୟଣ ମିଶ୍ରଙ୍କ ଓଡ଼ିଶା ବିଭାଜନ ମନ୍ତବ୍ୟକୁ ନେଇ ଆଜି ବି ଗୃହ ହୁଲସ୍ତୁଲ ହୋଇଛି I ଏହାକୁ ନେଇ ଶାସକ -ବିରୋଧୀ ସଭ୍ୟଙ୍କ ମଧ୍ୟରେ ଠେଲାପେଲା ଅବସ୍ଥା ସୃଷ୍ଟି ହୋଇଛି I ଫଳରେ ଗୃହକୁ ବାଚସ୍ପତି ସୁରମା ପାଢ଼ୀ ମୂଳତବି କରିଛନ୍ତି I ତେବେ କ୍ଷୁବ୍ଧ ବିଜେଡି ସଭ୍ୟମାନେ ବିଧାନସଭା ପରିସରରେ ଥିବା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେବା ସହ ଲଣ୍ଠନ ଧରି ଅଭିନଵ ପ୍ରତିବାଦ କରିଥିଲାବେଳେ କଂଗ୍ରେସ ସଭ୍ୟମାନେ ଗାନ୍ଧୀମୂର୍ତ୍ତି ତଳେ ପ୍ଲାକାର୍ଡ ଧରି ପ୍ରତିବାଦ ଦେଇଥିଲେ I ଏଭଳି ସ୍ଥିତିରେ ଗୃହରେ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବାକୁ ବିଜେପି ସଭ୍ୟମାନେ ଏକାଠି ବସି ଆଲୋଚନା କରିଛନ୍ତି I
“ଦ୍ଵିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନର ପ୍ରଥମ ଓ ଦ୍ଵିତୀୟ ଦିନ ଭଳି ତୃତୀୟ ଦିନ ବି ଗୃହ ଅଚଳ”

ସୋମବାର ଧାର୍ଯ୍ୟ ସାଢ଼େ ୧୦ରେ ବାଚସ୍ପତି ଶ୍ରୀମତୀ ପାଢ଼ୀ ଗୃହ ପରିଚାଳନା ପାଇଁ ଆସନକୁ ଆସିବା କ୍ଷଣି କଂଗ୍ରେସ ସଭ୍ୟମାନେ ଗୃହ ମଝିକୁ ଆସି ପ୍ଲIକାର୍ଡ ଧରି ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଓ ନାରୀ ନିର୍ଯାତନା ବୃଦ୍ଧି ଉପରେ ଆଲୋଚନା ଦାବିରେ ହୋହଲ୍ଲା କରିଥିଲେ। ସେହିପରି ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ମନ୍ତବ୍ୟକୁ ବିରୋଧ କରି ବିଜେଡି ସଭ୍ୟ ମୁହଁରେ କଳାପଟି ଦେଇ ହାତରେ ପ୍ଲାକାର୍ଡ ଧରି ପ୍ରତିବାଦ କରିଥିଲେ ।
କଂଗ୍ରେସ ସଦସ୍ୟ ତାରା ପ୍ରସାଦ ବାହିନୀପତି ବାଚସ୍ପତିଙ୍କ ପୋଡିଅମ୍ ଉପରକୁ ଅଶାନ୍ତ ଉଠିବାକୁ ଚେଷ୍ଟା କରିଥିଲେ।
ଉଭୟ ଦଳର ସଭ୍ୟଙ୍କ ହଙ୍ଗମା ଯୋଗୁଁ ଗୃହ ଚଳାଇବା ସମ୍ଭବ ହୋଇନଥିଲା । ଗୃହରେ ଅସାଭାବିକ ସ୍ଥିତି କାରଣରୁ ବାଚସ୍ପତି ଶ୍ରୀମତୀ ପାଢ଼ୀ ବିରୋଧୀ ସଭ୍ୟଙ୍କୁ ଗୃହର ମର୍ଯ୍ୟାଦା ବଜାୟ ରଖିବା ପାଇଁ ବାରମ୍ବାର ଅନୁରୋଧ କରିଥିଲେ ହେଁ ବିରୋଧୀ ଦଳ ସଦସ୍ୟମାନଙ୍କ ପକ୍ଷରୁ ଏ ଦିଗରେ କୌଣସି କର୍ଣ୍ଣପାତ କରି ନ ଥିଲେ । ଏପରିକି ବିରୋଧୀ ସଭ୍ୟମାନେ ନିଜ ଆସନକୁ ବି ଯାଇ ନଥିଲେ। ଫଳରେ ବାଚସ୍ପତି ବାଧ୍ୟହୋଇ ଗୃହକୁ ଏଗାରଟା ଦୁଇରୁ ୧୨ଟା ଦଶ ଯାଏ ମୁଲତବୀ କରିଥିଲେ।
ଗଣମାଧ୍ୟମ ଆଗରେ ବିଜେଡି ସଭ୍ୟ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ସେ କହିଥିଲେ, ବିଜେପିର ଜଣେ ବରିଷ୍ଠ ସଭ୍ୟ ଏଭଳି ଦାୟିତ୍ୱହୀନ ଓଡ଼ିଶା ବିଭାଜନ ପ୍ରସଙ୍ଗ ଉଠାଇଥିଲାବେଳେ ମୁଖ୍ୟମନ୍ତ୍ରୀ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି କଣ ପାଇଁ ଚୁପ୍ ବସି ରହିଛନ୍ତି, ତାହା ବୁଝାପଡୁନି। ଏହା କ’ଣ ଓଡ଼ିଆ ଅସ୍ମିତା ବୋଲି ସେ ପ୍ରଶ୍ନ କରିଥିଲେ।
ଅନ୍ୟପକ୍ଷରେ ବିରୋଧୀଙ୍କୁ ଟାର୍ଗେଟ୍ କରି ବିଜେପିର ବରିଷ୍ଠ ସଭ୍ୟ କହିଥିଲେ, ବିଜେପି ସଭ୍ୟ ବାବୁ ସିଂ କହିଥିଲେ ସରକାରଙ୍କ ବିକାଶମୂଳକ କାର୍ଯ୍ୟରେ ବିଜେଡିଓ କଂଗ୍ରେସ ସଭ୍ୟମାନେ ଅସହିଷ୍ଣୁ ହୋଇ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିଛନ୍ତି I