ଜେନା ନା’ ନନା? କାହାର କେତେ ଦମ??

0

//ପଞ୍ଚାୟତ ପଲିଟିକ୍ସ-ବାଲେଶ୍ୱର//ANALYSIS//

//ରିପୋର୍ଟ//

  • ବାଲେଶ୍ୱର-ବିମଳ ମହାପାତ୍ର 
  • ଭୁବନେଶ୍ୱର- ମାନସ ରଞ୍ଜନ ପାତ୍ର 

**************************************

* ଜଣେ ‘ନନା’ – ଅନ୍ୟ ଜଣେ ‘ଜେନା’

*ଜଣେ ବର୍ତମାନର ସାଂସଦ-ଅନ୍ୟ ଜଣେ ଭୁତପୁର୍ବ ସାଂସଦ 

   ଏଇ ଦୁଇ ପ୍ରତିଦ୍ବନ୍ଦୀ ନେତା ଦୁଇ ପ୍ରତିଦ୍ବନ୍ଦୀ ଦଳରେ  ପ୍ରତିନିଧିତ୍ୱ କରୁଛନ୍ତି I ଏମାନେ ହେଉଛନ୍ତି ବିଜେପି ନେତା ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏବଂ ବିଜେଡି ନେତା ରବୀନ୍ଦ୍ର ଜେନା I ବାଲେଶ୍ୱର ରାଜନୀତିରେ ଏମାନେ ସକ୍ରିୟ I ହେଲେ ପଞ୍ଚାୟତ ନିର୍ବାଚନରେ ଦଳର ସ୍ଥିତି କଣ ହେବ? ତାକୁ ନେଇ ଅଙ୍କକସା ଚାଲିଛି I 

ଏହି ନିର୍ବାଚନ ହିଁ ଅସଲ ଅଗ୍ନି ପରୀକ୍ଷାର ବେଳ I  ଜିତିଲେ ଦଳରେ ବଢ଼ିବ ଦବଦବା, ନହେଲେ କଣଠେସା I କାରଣ ଉଭୟଙ୍କ ଏବେ ସମଦଶା I 

ତାହାଲେ ଦେଖିବା କାହାର କେତେ ଦମ ??

  ଉଭୟ ନେତାଙ୍କ କଥା ଜାଣିବା ପୂର୍ବରୁ ବାଲେଶ୍ୱରର ସ୍ଥିତି ଉପରେ ନଜର ପକାଯାଉ I 

ବାଲେଶ୍ୱର ଜିଲ୍ଲାରେ ୧୨ଟି ବ୍ଲକର ୪୫ଟି ଜିଲ୍ଲା ପରିଷଦ ଜୋନ ରହିଛି । ୨୦୧୨ ଓ ୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ହାତେଇଥିଲା  ବିଜେଡି । ୨୦୧୭ ନିର୍ବାଚନରେ ୩୧ଟି ଜୋନରେ ଶଙ୍ଖ  ଭଲ ପ୍ରଦର୍ଶନ କରିଥିଲେ ହେଁ  ସଦର, ରେମୁଣା ଓ ନୀଳଗିରି ବିଧାନସଭା ଅଧିନରେ ଆସୁଥିବା ଜୋନରେ ଖାତା ଖୋଲି ପାରିନଥିଲା I ହେଲେ ଏଥର ସ୍ଥିତି ବଦଳିଛି I ପଞ୍ଚାୟତ ନିର୍ବାଚନରେ ଦଳୀୟ ଚିହ୍ନରେ ଲଢାଯାଉଥିବା ଜିଲ୍ଲା ପରିଷଦ ଜୋନର ଫଳାଫଳ ରାଜନୈତିକ ଦଳର ପତିଆରାକୁ ସ୍ପଷ୍ଟ କରୁଛି I କଳେ ବଳେ କୌଶଳେ ଜିଲ୍ଳା ପରିଷଦ ଆସନ ହାତେଇବା ବିଜେଡି ଓ ବିଜେପି ପାଇଁ ସମ୍ମାନର ପ୍ରଶ୍ନ ହୋଇଛି I

ତେଣୁ ‘ଜେନା’ ଓ ‘ନନା’ଙ୍କ ବିତରେ ବ୍ୟକ୍ତିଗତ ଭଲ ସମ୍ପର୍କ ଥିଲେ ବି ରାଜନୀତି ସେମାନଙ୍କୁ ରେଳ ଲାଇନ ଭଳି ଦୁଇ ସାମନ୍ତରାଳ ପଥ କରି ଦେଇଛି I

କଂଗ୍ରେସ କେବଳ ଲଢ଼ିବା ପାଇଁ ଲଢୁଛି I

//ବିଜେଡି ନେତା ତଥା ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା//

* ରବୀନ୍ଦ୍ର ଜେନା// ରାଜନୈତିକ ଇମ୍ପାକ୍ଟ//  

   ପୂର୍ବତନ କର୍ପୋରେଟ ମ୍ୟାନ ରବୀନ୍ଦ୍ର ଜେନାଙ୍କ ଦଳରେ ଇମ୍ପାକ୍ଟ କଣ? ତାଙ୍କ ନେତୃତ୍ୱରେ ଦଳ ସଙ୍ଗଠିତ ହୋଇ ଲଢୁଛି କି?? ଠିକ କଥା ଜାଣିରଖିବା ଉଚିତ I

ବାସ୍ତବରେ ଜିଲ୍ଲାର  ଅଧିକାଂଶ  ପଞ୍ଚାୟତସ୍ତରରେ ଏବେ ଏକାଧିକ ବିଦ୍ରୋହୀ ପ୍ରାର୍ଥୀ ନିର୍ବାଚନ ମୈଦାନରେ ଅଛନ୍ତି I ପ୍ରଥମ ଓ ଦ୍ଵିତୀୟ ପର୍ଯ୍ୟାୟ ମତଦାନ ବେଳେ ସମସ୍ୟା ଉପୁଜି ଥିଲା I ତାହା ପରବର୍ତ୍ତୀ ତିନି ପର୍ଯ୍ୟାୟ ଭୋଟ ବେଳେ ଜେନା ଓ ତାଙ୍କ ଦଳ  ପାଇଁ ବୁମେରାଂ ହୋଇପାରେ ।

ଏ ନେଇ ବିଜେଡିର ଛାମୁଆଁ ନେତା ଚିନ୍ତିତ ହେବା ସ୍ୱାଭାବିକ I ଏହା ସତ୍ୱେ ବାଲେଶ୍ୱର ଜିଲ୍ଲା ପରିଷଦ ଜୋନ ଏବଂ ଅଧ୍ୟକ୍ଷ ପଦବୀ ହାତେଇବା ଜେନାଙ୍କ ପାଇଁ ସମ୍ମାନର ପ୍ରସଙ୍ଗ I

* ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ//ଗୋଟି ଚାଳନା//

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ତୀର  ଚାଳନା ଏତେ ତୀକ୍ଷ୍ଣ ହେଉନି ବୋଲି ଚର୍ଚ୍ଚା ଜୋର ଧରିଛି I  ତାଙ୍କ  ନେତୃତ୍ୱରେ ବିଜେପି ବାଲେଶ୍ୱରରେ ନିର୍ବାଚନୀ ମୈଦାନକୁ ଓହ୍ଳାଇଥିଲେ ହେଁ ଅର୍ଥ ହିଁ ବାଧକ ସାଜିଛି l ନନାଙ୍କୁ ସବୁ ସ୍ତରର ନେତା ପସନ୍ଦ କରୁ ନାହାନ୍ତି ବୋଲି ଜଣେ ନେତା ଗଣମାଧ୍ୟମରେ ଖୋଲାଖିଲି ବୟାନ ଦେଵା ପରେ କଥାଟି ବିବାଦିୟ ହୋଇଛି I 

କାରଣ ଜିଲ୍ଲା ରାଜନୀତିରେ ପ୍ରତାପଙ୍କ ଏକଚାଟିଆ ଆଧିପତ୍ୟ ସମକକ୍ଷ ନେତାଙ୍କ ହଜମ ହେଉନି I ତାହା ହିଁ ଦଳ ପାଇଁ ଏବେ ଅସନ୍ତୋଷ କାରଣ ହେଉଥିବା କୁହାଯାଉଛି । ଦଳରେ ପୁରୁଖା ନେତାଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ବି ହୋଇଛି I

ବିଶେଷକରି ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଓ ୨୦୨୨ ବାଲେଶ୍ୱର ଉପ-ନିର୍ବାଚନ ପୂର୍ବରୁ ୪ଥର ବିଧାୟକ ଥିବା ଜୀବନ ପ୍ରଦୀପ ଦାସ ବିଜେଡି ଶିବିର ଛାଡି ବିଜେପିରେ ଯୋଗ ଦେଵା ପରେ କିଛି ଉନ୍ନତି କରି ପାରୁ ନାହାନ୍ତି I ସେମାନଙ୍କ କଥା ବି ଜିଲ୍ଲା ସ୍ତରରେ ରହୁନି । 

ତେଣୁ ନନା କେତେ ସଫଳତା ପାଉଛନ୍ତି ତାହା ଦେଖିବାକୁ ବାକି ରହିଲା I

ହତାଶ କଂଗ୍ରେସ?

୨୦୧୨ରେ ୧୧ଟି ଆସନ ହାତେଇଥିବା କଂଗ୍ରେସ ୨୦୧୭ରେ ମାତ୍ର ଗୋଟିଏ ଜୋନରେ ହାତ ଟେକିଥିଲା । ଏଥର ଦଳର ସ୍ଥିତି ବିପନ୍ନ I ଦଳର ଆମଦାନୀ ନେତା ନବଜ୍ୟୋତି ପଟ୍ଟନାୟକ କର୍ମୀଙ୍କୁ ଏକାଠି କରିବାରେ ବି ଏଯାଏ ସଫଳ ହୋଇ ନଥିବା କୁହାଯାଉଛି I

ତେଣୁ କଂଗ୍ରେସ ଓ ବିଜେପିର ଏଭଳି ସମଦଶା ଭିତରେ ବିଜେଡି ବାଜିମାତ ମାରିବା ପାଇଁ ନୂଆ ରଣନୀତି ପ୍ରସ୍ତୁତ କରିଛି I

କେତେ ସଫଳତା ପାଇବ ତାହା ମଧ୍ୟ ଭୋଟ ଗଣତି ପରେ ସ୍ପଷ୍ଟ ହେବ I

Leave A Reply

Your email address will not be published.