ଜଳସେଚନ ପ୍ରକଳ୍ପ ନିମିତ୍ତ ଜମି ଅଧିଗ୍ରହଣ ସମସ୍ୟାର ସମାଧାନ ଖୁବଶୀଘ୍ର

0


– ପରିବେଶ ପ୍ରଭାବ ଆକଳନ ଅଧ୍ୟୟନ ଉପରେ ଏସିଏସଙ୍କ ଗୁରୁତ୍ୱ


ଭୁବନେଶ୍ୱର,//TATKAL ODISHA//


ରାଜ୍ୟର ୧୨ଟି ଜିଲ୍ଲାର ଚିହ୍ନଟ ଜଳସେଚନ ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣ ସମସ୍ୟାର ତ୍ୱରିତ ସମାଧାନ କରାଯିବ  I ଧାର୍ଯ୍ୟ ସମୟସୀମା ମଧ୍ୟରେ ପ୍ରକଳ୍ପର ବିଭିନ୍ନ ମାଇଲଖୁଣ୍ଟ ସମ୍ପୂର୍ଣ ହେବ I ତେଣୁ ଏସବୁର ସାମାଜିକ ପ୍ରଭାବ ଅଧ୍ୟୟନ ଓ ପରିବେଶ ପ୍ରଭାବ ଆକଳନ ଆଦି କାର୍ଯ୍ୟ ସାରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ବିଭାଗକୁ ନିର୍ଦେଶ ଦେଇଛନ୍ତି I  

    ଗୁରୁବାର ଲୋକସେବା ଭବନରେ  ଏନେଇ ଉଚ୍ଚସ୍ତରୀୟ  ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଅଛି ।  ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସାହୁ ବିଭିନ୍ନ ଜମି ଅଧିଗ୍ରହଣ ପ୍ରକଳ୍ପ ପାଇଁ ଜମି ତ୍ୱରିତ ଜମି ଅଧିଗ୍ରହଣ ଉପରେ ଗୁରୁତ୍ୱାରୋପ କରିଥିଲେ । ଜମି ଅଧିଗ୍ରହଣ ବିଳମ୍ବିତ ହେବାରୁ ପ୍ରକଳ୍ପ ସମ୍ପୂର୍ଣ ହେବାପାଇଁ ରାଜ୍ୟ ସରକାରଙ୍କର ତହବିଲ୍‌ରୁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡୁଛି । ବିଶେଷକରି  ସୁବର୍ଣ୍ଣରେଖା, ଆନନ୍ଦପୁର ବ୍ୟାରେଜ, କାନପୁର, ଦେଓ, ରେଙ୍ଗାଲୀ ବାମ ଓ ଦକ୍ଷିଣ, ଲୋୟର ସୁକତେଲ, ଛେଳିଗ, ତେଲେଙ୍ଗିରି, ରେତ୍‌ ଓ ଅନ୍ୟାନ୍ୟ ପ୍ରକଳ୍ପର ସମୀକ୍ଷା ହୋଇଥିଲା । ବିଭିନ୍ନ ଜମି ଅଧିଗ୍ରହଣ ଅଧିକାରୀଙ୍କୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପ୍ରକଳ୍ପର ବିଭିନ୍ନ ମାଇଲଖୁଣ୍ଟ ସମ୍ପୂର୍ଣ କରିବାକୁ ତାଗିଦ କରାଯାଇଥିଲା । ଜମି ଅଧିଗ୍ରହଣ ଅଧିକାରୀଙ୍କୁ ଆବଶ୍ୟକ ସମୟରେ ବିଭିନ୍ନ ପ୍ରକାର ସହାୟତା ଯୋଗାଇଦେବାକୁ ଜଳସେଚନ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।
   ବିଭିନ୍ନ ପ୍ରକଳ୍ପର ସମୟସୀମା ମଧ୍ୟରେ ସାମାଜିକ ପ୍ରଭାବ ଅଧ୍ୟୟନ ଓ ପରିବେଶ ପ୍ରଭାବ ଆକଳନ ଅଧ୍ୟୟନ ସାରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଜମି ଅଧିଗ୍ରହଣର କୌଣସି ପ୍ରକାର ବିଳମ୍ବକୁ ବରଦାସ୍ତ ନକରିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ଜମି ଅଧିଗ୍ରହଣ ସମ୍ବନ୍ଧୀୟ ଆବଶ୍ୟକୀୟ ଦସ୍ତାବିଜ୍‌କୁ ଭୂମି ଅଧିଗ୍ରହଣ ପୋର୍ଟାଲ୍‌ ମାଧ୍ୟମରେ ଉପଲବ୍ଧ କରାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସମସ୍ତ ଜମି ଅଧିଗ୍ରହଣ ଅଧିକାରୀ, ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ଓ ଜୋନ୍‌ ଅଧିକାରୀମାନଙ୍କୁ ନିୟମିତ ତାଲିମ ପ୍ରଦାନ କରିବା ଉପରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଥିଲେ ।
ସମସ୍ତ ରାଜସ୍ୱ ଡିଭିଜନର ଆଯୁକ୍ତମାନଙ୍କୁ ଏହିପରି ସମୀକ୍ଷା ବୈଠକ ଆୟୋଜନ କରି ଜଳସେଚନ ଅଧିକାରୀ ଓ ଜମି ଅଧିଗ୍ରହଣ ଅଧିକାରୀମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ସବୁ ପ୍ରକାର ସମସ୍ୟାର ତ୍ୱରିତ ଓ ଆଶୁ ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।
   ସମୀକ୍ଷା ବୈଠକରେ ସମସ୍ତ ରାଜସ୍ୱ ଡିଭିଜନର କମିଶନର, ବିଭାଗର ବରିଷ୍ଠ ଅଧିକାରୀ, ରାଜ୍ୟ ରିହାବିଲିଟେସନ ଓ ରିସେଟଲମେଣ୍ଟ ନିର୍ଦ୍ଦେଶକ, ବିଭିନ୍ନ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ, ଜମି ଅଧିଗ୍ରହଣ ଅଧିକାରୀ ଓ ଜଳସେଚନ ବିଭାଗର ପ୍ରମୁଖ ଅଧିକାରୀମାନେ ଯୋଗଦାନ କରିଥିଲେ ।

Leave A Reply

Your email address will not be published.