ଜରୁରୀ କାଳୀନ ପରିସ୍ଥିତି ବନ୍ଦୀ ସଂଗ୍ରାମୀଙ୍କୁ ମିଳିବ ମାସିକ 20 ହଜାର ପେନସନ
- ସଂଗ୍ରାମୀଙ୍କ ସମସ୍ତ ମେଡିକାଲ୍ ଖର୍ଚ୍ଚ ବହନ କରିବେ ଓଡିଶା ସରକାର
- ଗୃହ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି
ଭୁବନେଶ୍ୱର//TATKAL ODISHA//
ଓଡିଶା ସରକାରଙ୍କ ପକ୍ଷରୁ ଦେଶର ଜରୁରୀ କାଳୀନ ପରିସ୍ଥିତିରେ ମିସା, ଡିଆଇଆର ଏବଂ ଡିଆଇଏସଆଇଆର ଆଇନରେ ବିଭିନ୍ନ ଜେଲରେ ବନ୍ଦୀଥିବା ସଂଗ୍ରାମୀ ମାନଙ୍କୁ ମାସକୁ 20 ହଜାର ଟଙ୍କାର ପେନସନ ମିଳିବ ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବରୁ ଏ ବିଷୟରେ ଘୋଷଣା କରିଥିଲେ। ସୋମବାର ଏ ସଂପର୍କରେ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ ପେନସନ ସହିତ ସମସ୍ତ ସଂଗ୍ରାମୀଙ୍କ ମେଡିକାଲ ଖର୍ଚ୍ଚ ମଧ୍ୟ ରାଜ୍ୟ ସରକାର ବହନ କରିବେ ।

୧ ଜାନୁଆରୀ ୨୦୨୫ ସୁଦ୍ଧା ଜୀବିତ ଥିବା ସବୁ ସଂଗ୍ରାମୀ ଏହି ପେନସନ ଓ ଚିକିତ୍ସା ସୁବିଧା ପାଇବେ।
ସୂଚନା ଯୋଗ୍ୟ ଯେ, 25 ଜୁନ୍ 1975 ମସିହାରୁ 21 ମାର୍ଚ୍ଚ 1977 ମସିହା ପର୍ଯ୍ୟନ୍ତ ଦେଶର ଜରୁରୀ କାଳୀନ ପରିସ୍ଥିତିକୁ ବିରୋଧ କରି ଅନେକ ସଂଗ୍ରାମୀ ଦେଶର ବିଭିନ୍ନ ଜେଲରେ ବନ୍ଦୀ ହୋଇଥିଲେ।