ସ୍ୱର୍ଗଦ୍ୱାର, ଅଧିକାରୀ ଓ ଅସ୍ଥି ବିସର୍ଜନ

0
  • ପୁଣି ଥରେ ପଢ଼ନ୍ତୁ –ସତ୍ୟ ଅଳ୍ପ, କିଛି ଗଳ୍ପ
  • ++++++++++++++++++++++++++++++++++
  • ଆଲ୍ହାବାଦରେ ଅସ୍ଥିକୁ  ବିସର୍ଜନ କରି ଶ୍ରାଦ୍ଧ କରିଥିଲେ ଉଚ୍ଚ ପଦସ୍ଥ ଅଧିକାରୀ। କିନ୍ତୁ ବିସର୍ଜନ ଓ ଶ୍ରାଦ୍ଧ କରାଯାଇଥିବା ଅସ୍ଥିଟି ପ୍ରକୃତରେ ତାଙ୍କ ବାପାଙ୍କର ନଥିଲା। ତାହା ଥିଲା ଗୋଟିଏ ଛେଳିର…. ବଡ଼ ବିଭ୍ରାଟ!!
  • ++++++++++++++++++++++++++++++++++
  • TATKAL STORY //ପ୍ରକାଶ ତ୍ରିପାଠୀ//
  • ==========================
    ଯମପୁରରେ ହଠାତ ଅସ୍ଵାଭାବିକ ଘଟଣାସବୁ  ଘଟିବାକୁ ଲାଗିଲା। ସର୍ବଦା ଆଲୋକିତ ରହୁଥିବା ଯମପୁରରେ ମଝିରେ ମଝିରେ ଅନ୍ଧକାର ଅନୁଭୂତ ହେଲା। ଶାନ୍ତ ଓ ନିରବତାରେ ରହୁଥିବା ଆତ୍ମା ମହଲରେ କୋଳାହଳ ଶୁଣାଗଲା।

କ’ଣ ହୋଇପାରେ ଏ ସବୁର କାରଣ  ?

ଚିତ୍ରଗୁପ୍ତଙ୍କୁ ଜିଜ୍ଞାସା କଲେ ଯମରାଜ। ଚିତ୍ରଗୁପ୍ତ ଅବିଳମ୍ବେ ତଦନ୍ତ ନିର୍ଦ୍ଦେଶ ଦେଲେ ଅନୁଗତଙ୍କୁ। ଉଭୟ ଯମରାଜ ଓ ଚିତ୍ରଗୁପ୍ତ ଚିନ୍ତାମଗ୍ନ ଦେଖାଯାଉଥିଲେ।

ଯମରାଜ ଭୀଷଣ କ୍ଷୁବ୍ଧ!

  କିଛି ସମୟ ଉପରାନ୍ତେ  ପ୍ରବେଶ କଲେ ଦୁଇଜଣ ଅନୁଗତ କର୍ମଚାରୀ। ଖୁବ ଚିନ୍ତିତ ଦେଖାଯାଉଥିଲେ ଉଭୟ। କିଛି କହିବାକୁ ସଙ୍କୋଚ କରୁଥିଲେ। ଚିତ୍ରଗୁପ୍ତଙ୍କ ଠାରୁ ଅଭୟବାଣୀ ଶୁଣିବାପରେ ମଥାନତ କରି କହିଲେ- ମହାରାଜ, ବଡ ଅନର୍ଥ ହୋଇଯାଇଛି। ଅନର୍ଥ ? ଉଭୟ ଯମରାଜ ଓ ଚିତ୍ରଗୁପ୍ତ ଏକ ସମୟରେ ଉଚ୍ଚ ସ୍ଵରରେ ପଚାରିଲେ ଅନୁଗତଙ୍କୁ। ତୁରନ୍ତ ବିସ୍ତାର କରି କୁହ କଣ ହୋଇଛି। କ’ଣ  ପାଇଁ ଯମପୁରରେ ଆଜି ଏତେ ବ୍ୟତିକ୍ରମ ଦେଖାଯାଉଛି?- ମହାରାଜ ! ମନୁଷ୍ୟ ମହଲକୁ ଗୋଟିଏ ଛେଳିର ଆତ୍ମା ପ୍ରବେଶ କରିଆସିଛି।  ଏହା ପରଠାରୁ ସବୁ ଅନର୍ଥ ଆରମ୍ଭ ହୋଇଯାଇଛି। ମନୁଷ୍ୟ ଆତ୍ମା ମହଲରେ ଏଥିପାଇଁ ସୃଷ୍ଟିହୋଇଛି ଚରମ ବିଶୃଙ୍ଖଳା । ପ୍ରବଳ କୋଳାହଳର ଏହି କାରଣ ଅଟେ। ତୁରନ୍ତ ଏହାର ସମାଧାନ କରନ୍ତୁ, ନଚେତ ଆହୁରି ଅଧିକ ବିଭ୍ରାଟ ଘଟିପାରେ। ଏକା  ନିଶ୍ଵାସକେ କହିସାରି ଅନୁଗତ ଦ୍ୱୟ ମୁଣ୍ଡ ତଳକୁ କରି ଠିଆ ହେଲେ। ଉଭୟଙ୍କୁ ପ୍ରସ୍ଥାନ କହି ଯମରାଜ ଚିତ୍ରଗୁପ୍ତ ଙ୍କ ଉଦ୍ଦେଶ୍ୟ ରେ ନିର୍ଦ୍ଦେଶ ଦେଲେ- ତୁରନ୍ତ ପାଞ୍ଜି ଖୋଲି ମୋତେ ସମସ୍ତ ବୃତନ୍ତ କୁହ ଚିତ୍ରଗୁପ୍ତ । ଛେଳିର ଆତ୍ମା କିପରି ମନୁଷ୍ୟଙ୍କ ଆତ୍ମା ମହଲକୁ ପ୍ରବେଶ କଲା ଓ କିପରି? ଏହି ବିଭ୍ରାଟର ସମାଧାନ ଅବିଳମ୍ବେ ହୋଇପାରିବ ତାର ଉପାୟ ମୋତେ କୁହ । ତୁରନ୍ତ ଯମପୁରରେ ସବୁକିଛି ସ୍ଵାଭାବିକ ଅବସ୍ଥା ଫେରି ଆସିବା ସହ  ଏଥିପାଇଁ କିଏ ଦାୟୀ ତାର ନାମ ମଧ୍ୟ ମୋତେ କୁହ। ତାକୁ ଚରମ ଶାସ୍ତି ପ୍ରଦାନ କରିବାକୁ ମୁଁ ଆଦୌ ଭୁଲିବି ନାହିଁ। ଯମରାଜଙ୍କ ଠାରୁ ନିର୍ଦ୍ଦେଶ ପାଇଁ ଚିତ୍ରଗୁପ୍ତ ପାଞ୍ଜିରୁ ମନୁଷ୍ୟ ମହଲରେ ପ୍ରବେଶ କରିଥିବା ଛେଳି ର ଜୀବନ ବୃତାନ୍ତ ପଢିବାକୁ ଲାଗିଲେ।

ଠିକ ବର୍ଷକ ତଳର କଥା।

  • ମର୍ତ୍ତ୍ୟପୁରର ଓଡ଼ିଶା ପ୍ରଦେଶରେ ଘଟିଛି ଏହି ଘଟଣା।
  • ଜଣେ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ବାପାଙ୍କ ଦେହାନ୍ତ ହେଲା।
  • ପୁରୀ ସ୍ଵର୍ଗଦ୍ୱାରରେ ଅନ୍ତିମ ସଂସ୍କାର  କରିବା ପାଇଁ ସେହି ଉଚ୍ଚ ପଦସ୍ଥ ଅଧିକାରୀ  ମନସ୍ଥ କଲେ।ପୁରୀରେ ଅବସ୍ଥାପିତ ଜିଲ୍ଲା ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଲେ ତୁରନ୍ତ  ସ୍ଵର୍ଗଦ୍ଵାରରେ ସମସ୍ତ ଆୟୋଜନ କରିବା ପାଇଁ। ଏହା ସହ ସମୁଦ୍ରକୂଳରେ ଥିବା ଏକ ଭଲ ହୋଟେଲରେ ସମୁଦ୍ର ମୁହାଁ ଚାରୋଟି କୋଠରି ପ୍ରସ୍ତୁତ ରଖିବାପାଇଁ ମଧ୍ୟ ନିର୍ଦ୍ଦେଶ ଦେଲେ। ଠିକ ଅପରାହ୍ନ ଦୁଇଟାରେ ସେହି ଉଚ୍ଚ ପଦସ୍ଥ ଅଧିକାରୀ  ତାଂକ ପରିବାର ସହ ବାପାଙ୍କ ମରଶରୀର କୁନେଇ ସ୍ଵର୍ଗଦ୍ଵାରରେ ପହଁଚିଲେ। ପୂର୍ବରୁ ପୁରୋହିତ ସହ ଅନ୍ତିମ ସଂସ୍କାର   ପାଇଁ ସମସ୍ତ ଆୟୋଜନ  କରିସାରିଥାନ୍ତି ଜିଲ୍ଲା ଅଧିକାରୀ।ମୁଖାଗ୍ନି ଦେଇସାରି ଉଚ୍ଚ ପଦସ୍ଥ ଅଧିକାରୀ ପରିବାରସହ ବାହାରିଲେ ସମୁଦ୍ରକୂଳ ହୋଟେଲକୁ। ହୋଟେଲକୁ ଯିବାପୂର୍ବରୁ  ଉପସ୍ଥିତ ଅନ୍ୟ ଅଧସ୍ତନ କର୍ମଚାରୀଙ୍କୁ ଶବଦାହ କରିସାରି ବାପାଙ୍କ ଅସ୍ତି  ସଂଗ୍ରହ କରିନେବାକୁ ନିର୍ଦ୍ଦେଶ ଦେଇଥିଲେ ସେ  । ଉଛପଦସ୍ଥ ଅଧିକାରୀଙ୍କ ସହ ହୋଟେଲକୁ ଯାଇଥିଲେ ଜିଲ୍ଲା ଅଧିକାରୀ। ହୋଟେଲ ରେ ତାଙ୍କର  ରହିବା ଓ  ଖାଇବାରେ ଯେପରି ତିଳେମାତ୍ର ଅସୁବିଧା ନହୁଏ, ତାହା ବୁଝିବା ଥିଲା  ସେ ସମୟରେ ଜିଲ୍ଲା ଅଧିକାରୀଙ୍କ ପରମ କର୍ତ୍ତବ୍ୟ।      

  ବିଶ୍ରାମ ସାରି ସନ୍ଧ୍ୟାରେ ନିଜ ଭୁବନେଶ୍ଵର ଘରକୁ ଫେରିବାକୁ ପ୍ରସ୍ତୁତ ହୋଇଥିଲେ ସେହି ଉଚ୍ଚ ପଦସ୍ଥ ଅଧିକାରୀ। ସ୍ଵର୍ଗଦ୍ଵାର ରୁ ସଂଗ୍ରହ ହୋଇଥିବା ବାପାଙ୍କ ଅସ୍ଥିକୁ ଜିଲ୍ଲା କାର୍ଯ୍ୟାଳୟରେ ରଖିବାକୁ ନିର୍ଦ୍ଦେଶ ଦେଇ ସେ ପରିବାର ସହ ଫେରିଯାଇଥିଲେ ଭୁବନେଶ୍ବର।         ବାପାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ପାଳନ ପୂର୍ବରୁ  ଫୋନ କରିଥିଲେ ଜିଲ୍ଲା ଅଧିକାରୀଙ୍କୁ ସେହି ଉଚ୍ଚପଦସ୍ଥ ଅଧିକାରୀ। ଏକ ନିର୍ଦ୍ଧିଷ୍ଟ ଦିନ ବାପାଙ୍କ ଅସ୍ଥି କୁ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚାଇଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଆଲ୍ହାବାଦରେ ବାପାଙ୍କ ଅସ୍ଥି  ବିସର୍ଜନ ନିମନ୍ତେ ପରିବାର ସହ ଯାଉଥିଲେ ସେ।      

   ଜିଲ୍ଲା ଅଧିକାରୀ ସମ୍ପୂର୍ଣ ଭୁଲିଯାଇଥିଲେ ଉଚ୍ଚ ଅଧିକାରୀଙ୍କ ମୃତ ବାପାଙ୍କ ଅସ୍ଥି କଥା। ଅସ୍ଥି ସଂଗ୍ରହ କରିଥିବା ଚପରାଶି କେବେଠାରୁ ଅବସର ନେଇ ସୁଦୂର ମୟୂରଭଞ୍ଜ ର କେଉଁ ଏକ ନିପଟ ମଫସଲରେ  ରହୁଛନ୍ତି। ନା’ ତାଙ୍କର ଫୋନ ନମ୍ବର ଅଛି  ନା’ ଅଛି କିଛି ଯୋଗାଯୋଗ? ଆଉ ଦୁଇଦିନପରେ ଅସ୍ଥିକୁ ଭୁବନେଶ୍ବର ବିମାନ ବନ୍ଦରକୁ ପଠାଇବାକୁ ପଡିବ। କେଉଁଠି ଅସ୍ଥିକୁ ପୋତା  ଯାଇଛି , ତାହା କୌଣସି କର୍ମଚାରୀ କହିପାରିନଥିଲେ। ତଥାପି କାର୍ଯ୍ୟାଳୟ ର ବଗିଚା ସାରା ଖୋଜା ଖୋଜି ରେ ଲାଗିପଡ଼ିଥିଲେ ସବୁ କର୍ମଚାରୀ। ଅସ୍ଥି ନ ମିଳିଲେ ଦଣ୍ଡ ମିଳିବା ନିଶ୍ଚିତ। ଉଚ୍ଚ ପଦସ୍ଥ ଅଧିକାରୀ କାହାକୁ ଛାଡ଼ିବେନି।      

ଶେଷରେ କାର୍ଯ୍ୟାଳୟ ପରିସରରୁ ସଂଗ୍ରହ ହୋଇଥିଲା ଦୁଇଖଣ୍ଡ ଅସ୍ଥି। ତାହାକୁ ଗୋଟିଏ ମାଟି ଘଡ଼ିରେ ନାଲିସାଲୁକନା  ବାନ୍ଧି ନିର୍ଦ୍ଧିଷ୍ଟ ଦିନ ଭୁବନେଶ୍ବର ବିମାନ ବନ୍ଦରକୁ ନିଜେ ଯାଇ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଦେଇଆସିଲେ ଜିଲ୍ଲା ଅଧିକାରୀ। ଆଲ୍ହାବାଦରେ ସେହି ଅସ୍ଥିକୁ  ବିସର୍ଜନ କରି ଶ୍ରାଦ୍ଧ କରିଥିଲେ ଉଚ୍ଚ ପଦସ୍ଥ ଅଧିକାରୀ। କିନ୍ତୁ ବିସର୍ଜନ ଓ ଶ୍ରାଦ୍ଧ କରାଯାଇଥିବା ଅସ୍ଥିଟି ପ୍ରକୃତରେ ତାଙ୍କ ବାପାଙ୍କର ନଥିଲା। ତାହା ଥିଲା ଗୋଟିଏ ଛେଳିର। ଜିଲ୍ଲା ଅଧିକାରୀ ଙ୍କ କାର୍ଯ୍ୟାଳୟରେ ପ୍ରାୟତଃ ଛେଳି ମାଂସ ଭୋଜି ହୁଏ ଓ କିଛି ଛେଳି ଅସ୍ଥି ସେହି ପରିସରରେ ପଡିଥିଲା ଯାହାକି ସଂଗୃହୀତ ହୋଇ ଆଲ୍ହାବାଦ ରେ ବ୍ରାହ୍ମଣଙ୍କ ଦ୍ଵାରା ବିସର୍ଜନପୂର୍ବକ  ଶ୍ରାଦ୍ଧ ଦିଆଯାଇଥିଲା। ମନୁଷ୍ୟଙ୍କ ପାଇଁ ଉଦ୍ଦିଷ୍ଟ ଶ୍ରାଦ୍ଧ ଓ ବିସର୍ଜନ କର୍ମରେ ଛେଳି ଆତ୍ମାଟି ମୁକ୍ତି ପାଇ ମନୁଷ୍ୟ ଆତ୍ମା ମହଲକୁ ଚାଲି ଆସିଛି। ବର୍ତ୍ତମାନ ଯମଲୋକରେ ଯେଉଁସବୁ ବିଶୃଙ୍ଖଳା ଓ ବ୍ୟତିକ୍ରମ ଦେଖା ଦେଇଛି ତାହାର କାରଣ ହେଉଛି ସେହି ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଅପରିଣାମଦର୍ଶୀ କାର୍ଯ୍ୟ। । ସେ ନିଜେ ଯଦି  ବାପାଙ୍କ ଅସ୍ଥି ସଂଗ୍ରହ କରି ନିଜେ ରଖିଥାନ୍ତେ ଓ ତାକୁ ବିସର୍ଜନ କରିଥାନ୍ତେ  ତେବେ ଆଜି ଏପରି ବିଶୃଙ୍ଖଳା ଯମପୁରରେ ଘଟି ନଥାନ୍ତା ।    

   ଚିତ୍ରଗୁପ୍ତଙ୍କ ଠାରୁ ଏସବୁ ଶୁଣି ଯମରାଜଙ୍କ ମୁଣ୍ଡକୁ ପିତ୍ତ ଚହଟି  ଗଲା। ଅତିଶୟ କ୍ରୋଧରେ ଥରିବାକୁ ଲାଗିଲେ ସେ । ଦଣ୍ଡବିଧାନ ଲେଖିବା ପାଇଁ ଚିତ୍ରଗୁପ୍ତ ନିର୍ଦ୍ଦେଶ ଦେଲେ।ଯେହେତୁ ଛେଳି ଟି ମନୁଷ୍ୟଙ୍କ କର୍ମକାଣ୍ଡରେ ମୁକ୍ତି ପାଇଛି, ତାକୁ  ମଣିଷ ଯୋନିରେ ଅନ୍ତତଃ ଥରୁଟିଏ ତୁରନ୍ତ ଜନ୍ମ ନେବାକୁ ସୁଯୋଗ ଦିଆଯାଇ ଯମପୁରରେ ସ୍ଵାଭାବିକତାକୁ ଫେରାଇ ଅଣାଯାଉ।

କିନ୍ତୁ ସେହି ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ କେବେବି ଆଉ ମନୁଷ୍ୟ ଜନ୍ମ ଦିଆଯିବନାହିଁ ଓ ତାଙ୍କ  ମୃତ୍ୟୁ ପରେ ତୁରନ୍ତ ତାଙ୍କୁ  ଛେଳି ଗର୍ଭରେ ଜନ୍ମ ଗ୍ରହଣ କରିବାକୁ ପଡିବ I ଚିତ୍ରଗୁପ୍ତଙ୍କୁ ନିର୍ଦ୍ଦେଶ ଦେଇ ଅନ୍ତଃପୁରକୁ ପ୍ରସ୍ଥାନ  କରିଥିଲେ ଯମରାଜ।
@ କୋଣାର୍କ, ପୁରୀ

  • ସମ୍ପର୍କ //ପ୍ରକାଶ ତ୍ରିପାଠୀ//
    Mobile +916370537379

Leave A Reply

Your email address will not be published.