ଚାଞ୍ଚଲ୍ୟ : ଟିଟିଲାଗଡ଼ରେ ଶିଶୁବିକ୍ରି ଉଦ୍ୟମ?

0
  • ଅଣ ଓଡ଼ିଆ ଦଲାଲ ସକ୍ରିୟ, ମୁଲଚାଲ ବେଳେ ଧରାପଡ଼ିଲେ!!
  • ଟିଟିଲାଗଡ଼, ବଲାଙ୍ଗୀର// TATKAL ODISHA//
  • ରିପୋର୍ଟ : ମଳୟ ମିଶ୍ର 

ପ୍ରାୟ ଦୁଇ ଦଶନ୍ଧି ତଳୁ କଳାହାଣ୍ଡି ଓ ବଲାଙ୍ଗୀରର ପିଲାବିକ୍ରି ଭଳି ସମ୍ବେଦନଶୀଳ ଖବର ପ୍ରକାଶ ପାଉଥିଲା I ଏହାକୁ ନେଇ କେବଳ ଓଡିଶା ନୁହେଁ ସମଗ୍ର ଦେଶରେ ହଇଚଇ ସୃଷ୍ଟି ହୋଇଥିଲା I ବେଶ କେଇ ବର୍ଷ ପରେ ଏବେ ପୁଣି ସେଇ ସମାନ ଖବର I ତେବେ ଏହି ଖବର ଯେତିକି ସ୍ପର୍ଶକାତର, ସେତିକି ଗୁରୁତ୍ୱପୂର୍ଣ୍ଣ I” 

ଦେଖନ୍ତୁ ବିସ୍ତୃତ ଅନୁସନ୍ଧାନ ରିପୋର୍ଟ..

ଗତ ୨୬ରେ ଘଟଣା I ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ର ସରକାରୀ ଉପଖଣ୍ଡ ଚିକିତ୍ସାଳୟର ମାତୃ ଓ ଶିଶୁ ହସ୍ପିଟାଲରୁ ଏକ ସଦ୍ୟଜାତ ଶିଶୁ ବିକ୍ରିହେଉଥିବାର ଅଭିଯୋଗ ହୋଇଛି I ଫଳରେ ରାଜ୍ୟ ଚାଇଲଡ ଲାଇନ୍ ସହ ବଲାଙ୍ଗୀର ସିଡବ୍ଲୁସି ଶିଶୁଟିକୁ ସ୍ଥାନୀୟ ଥାନାପୁଲିସ୍ ସହଯୋଗରେ ଉଦ୍ଧାର କରିଥିବା ଜଣାପଡ଼ିଛି I 

 TATKAL ODISHA ପକ୍ଷରୁ ଏହି ଘଟଣାର ସତ୍ୟାସତ୍ୟ ନେଇ  ଅନୁସନ୍ଧାନ କରାଯାଇଛି I 

    ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଅଧିକାରିଣୀ ଲକ୍ଷ୍ମୀ ସିଂଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଏକ ଅଜଣା ଫୋନ୍ ନମ୍ବର ଓ ରାଜ୍ୟ ଚାଇଲଡ ଲାଇନର ସୂଚନା କ୍ରମେ ଆମେ ଶିଶୁଟିକୁ ବିକ୍ରି ଉଦ୍ୟମର ଅଭିଯୋଗ  ପାଇଥିଲୁ I ସାଙ୍ଗେ ସାଙ୍ଗେ ଏକଥା  ସ୍ଥାନୀୟ ଥାନାକୁ ଜଣାଇଥିଲୁ ଏବଂ ସେମାନଙ୍କୁ ଉଦ୍ଧାର କରାଯାଇ ବଲାଙ୍ଗୀର ପଠାଇବାର ବ୍ୟବସ୍ଥା କରିଥିଲୁ।’

“ଆନ୍ତଃରାଜ୍ୟ ରାକେଟର ପର୍ଦାଫାଶ ସହ ତଦନ୍ତ ଜରୁରୀ”

   ଅନ୍ୟ ଏକ ସୂତ୍ରରୁ ମିଳିଥିବା ତଥ୍ୟାନୁସାରେ, ଟିଟିଲାଗଡ ସଇଁନ୍ତଳା ଅଞ୍ଚଳର ହାଟପଦାପଡାରେ ରହୁଥିବା ଆଦିବାସୀପଡାର ଜଣେ ପାଇଟିପତ୍ର କରି ଚଳୁଥିବା ଅସହାୟା ବିଧବା ମଧ୍ୟବୟସ୍କା ଆଦିବାସୀ ମହିଳାଙ୍କ ସ୍ବାମୀଙ୍କର ପ୍ରାୟ ଚାରିବର୍ଷ ପୂର୍ବରୁ ମୃତ୍ୟୁ ହୋଇଯିବାରୁ ସେ ପରିସ୍ଥିତିର ଶିକାର ହୋଇ ଅବୈଧ ଭାବେ ଗର୍ଭବତୀ ହୋଇ ପଡିଥିଲେ। ତେବେ ତାଙ୍କୁ ଖାଇବା ପିଇବାକୁ ଦେଇ ଏକ ଦମ୍ପତି ଶେଷରେ ପ୍ରସବ ପାଇଁ ସ୍ଥାନୀୟ ଆଶାକର୍ମୀଙ୍କ ସହାୟତାରେ ଆଣି ଏମସିଏଚରେ ଗତ ସେପ୍ଟେମ୍ବର ୨୦ରେ ଭର୍ତ୍ତି କରିଥିଲେ। ଏହାପରେ ଅସ୍ତ୍ରୋପଚାର କରାଯାଇ ଉକ୍ତ ଶିଶୁଟିକୁ ଜନ୍ମ କରାଯାଇଥିଲା । ତେବେ ଉକ୍ତ ପ୍ରସୂତୀ ବିଧବା ମହିଳାଙ୍କ ସ୍ବାମୀଙ୍କ ନାଁ’ ଜାଗାରେ ଉକ୍ତ ଆଶାକର୍ମୀ ଜଣକ କୌଣସି କାରଣରୁ ତାଙ୍କ ନିଜ ସ୍ବାମୀଙ୍କର ନାମ ଡାକ୍ତରଖାନା ରେଜିଷ୍ଟରରେ ଦର୍ଜ କରାଇବାରୁ ଡାକ୍ତରଖାନା କର୍ମଚାରୀଙ୍କର ସନ୍ଦେହ ହୋଇଥିଲା।

ଏଇଠୁ ଆରମ୍ଭ ହୋଇଥିଲା ମୁଲଚାଲ ଖେଳ I

ଇତ୍ୟବସରେ  ହିନ୍ଦୀଭାଷାରେ କଥାବାର୍ତ୍ତା କରୁଥିବା ଛତିଶଗଡ ଅଞ୍ଚଳର ଜଣେ ଅଜଣା ବ୍ୟକ୍ତି ଦୁଇଦିନ ହେଲା ଆସି ଏମସିଏଚ ପରିସରରେ ଡେରା ପକାଇଥିବା ଦେଖାଯାଇଛି I ସେଥିପାଇଁ ଶିଶୁଟିକୁ ବିକ୍ରି କରିଦିଆଯିବାର ସନ୍ଦେହଜନକ କାର୍ଯ୍ୟକଳାପ ଯୋଗୁଁ  ସେମାନଙ୍କୁ ଡାକ୍ତରଖାନାରୁ ରିଲିଭ୍ କରା ନଯାଇ ଗୋଟିଏଦିନ ଅଧିକ ଅଟକାଇ ରଖାଯାଇଥିଲା।  ଏଥିପାଇଁ ଅଢେଇଲକ୍ଷ ଟଙ୍କାର ମୂଲଚାଲ ହୋଇଥିବା ଚର୍ଚ୍ଚା ହେଉଛି । 

 ବଲାଙ୍ଗୀର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ, ହସ୍ପିଟାଲ କର୍ମଚାରୀ  ଓ ସ୍ଥାନୀୟ ଲୋକେ ମୁଲଚାଲ କଥା ଶୁଣିଥିବା ସ୍ବୀକାର କରନ୍ତି ।

 କିନ୍ତୁ ଶିଶୁଟିର ମାଆ ଏଭଳି ଅଭିଯୋଗକୁ ମିଛ ବୋଲି କହିଛନ୍ତି । ସ୍ଥାନୀୟ  ପ୍ରଶାସନ କଥାକୁ ଚାପିଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି I 

Leave A Reply

Your email address will not be published.