ଗାଳ୍ପିକ ଅରବିନ୍ଦ ଦାସଙ୍କ ନୂଆ ଗପ -ବାପାଙ୍କ ବିଞ୍ଚଣା

0

★★★★★★

– ଅରବିନ୍ଦ ଦାସ

ଆଜ୍ଞା ,ଏସି ଟା କେଉଁ ରୁମ୍ ରେ ଲାଗିବ ?”
ମେକାନିକ ପ୍ରଶ୍ନ କରୁଥିଲା।
ବିରଞ୍ଚି ବାବୁ ମେକାନିକକୁ ପୁଅ ବୋହୁଙ୍କ ରୁମଟି ଦେଖାଇ ଦେଇ ଭାବନାରେ ମଜିଗଲେ।

ବୋହୂ ନେହା’ର ପ୍ରଥମ ଡିମାଣ୍ଡ ଥିଲା, ଗାଁ ଘରେ ଏୟାରକଣ୍ଡିସନ ନଲାଗିଲେ ଛୁଆକୁ ଧରି ସେ ଆସିବ ନାହିଁ।
ସନ୍ଦୀପ’ର ବାହାଘରକୁ ସାତ ବର୍ଷ ହୋଇଗଲାଣି।
ପୁଅ ବୋହୁ ଜମାରୁ ଦୁଇଥର ଗାଁକୁ ଆସିଛନ୍ତି ଏଇ ସାତ ବର୍ଷ ଭିତରେ।
ପ୍ରଥମ ଥର ବାହାଘର ଅଷ୍ଟମଙ୍ଗୁଳା ପରେ ଦୁହେଁ ଗାଁକୁ ଆସିଥିଲେ ଗାଁ ଲୋକଙ୍କୁ ଭୋଜି ଦେବାକୁ ଓ ତା ପରେ ମଞ୍ଜୁଳା’ଙ୍କ ଅନ୍ତେଷ୍ଠିକ୍ରିୟା ବେଳକୁ।ତଥାପି କେବେ ଅଭିଯୋଗ କରିନାହାନ୍ତି ବିରଞ୍ଚି ବାବୁ।


ବରଂ ନିଜେ ଯାଇଁ ପୁଅ,ବୋହୁଙ୍କ ପାଖରେ ରହି ଆସନ୍ତି କିଛିି ମାସ।ଜମିବାଡ଼ି ,ଘର ମୋହ ଯୋଗୁଁ ଅବଶିଷ୍ଟ ସମୟ ସେ ଏକୁଟିଆ ଗାଁ ଘରେ ରୁହନ୍ତି।

ହେଲେ ଏଥର ସେ ନିଜେ ସନ୍ଦୀପକୁ ଡ଼କାଇଛନ୍ତି ଗାଁ କୁ; ନାତି ପିଣ୍ଟୁ’ର ଜନ୍ମ ଖୁସିରେ ଗାଁ ବାଲାଙ୍କୁ ଗୋଟେ ଭୋଜି ଦେବା ପାଇଁ।
-“ବାପା, ପିଣ୍ଟୁ ପରା ବିନା ଏସିରେ ଶୋଉନି।ଗାଁ ରେ ପୁଣି ମନଇଚ୍ଛା ପାୱାର କଟ୍।ଏଇ ଭୋଜିଟା କଣ ନିହାତି ଜରୁରୀ।”
ପୁଅ କଥା ଶୁଣି ବିରଞ୍ଚି କହିଥିଲେ,

-“ତୋର ଯେମିତି ଇଛା ; ତେବେ ନାତି କି ନାତୁଣୀ ହେଲେ ଭୋଜି ଦେବାକୁ ତୋ ବୋଉ’ର ବହୁତ ଇଛାଥିଲା।ମୁଁ ଆଉ କେତେ ଦିନ ବଞ୍ଚିବି କିଏ ଜାଣେ ? “

ସନ୍ଦୀପ ଏସି , ଇନଭରଟର ଓ ଗୋଟେ ଛୋଟ ଜେନେରେଟର କିଣି ପଠାଇଥିଲା ଗାଁ ଘର ପାଇଁ।
ନାତିକୁ ପାଖରେ ପାଇ ଖୁସିରେ ବିରଞ୍ଚି ଙ୍କ ଗୋଡ଼ ତଳେ ଲାଗୁନଥିଲା।କାଖ କରି ପିଣ୍ତୁକୁ ଗାଁ ସାରା ବୁଲାଉଥିଲେ ବିରଞ୍ଚି ବାବୁ ଓ କାନ୍ଧ ,କୋଳରେ ପକାଇ ଗୀତ ବୋଲି ଶୁଆଉଥିଲେ;ଠିକ୍ ଯେମିତି ପିଲାବେଳେ ସନ୍ଦୀପ ପାଇଁ କରୁଥିଲେ।

ବୋହୁ ହସି ଦେଇ କହୁଥିଲା,
-“ବାପା, ଆପଣଙ୍କ ଗୀତ ଶୁଣି ପିଣ୍ଟୁର ନିଦ ଭାଙ୍ଗି ଯାଉଛି। ବଡ଼ ବଡ଼ ଆଖି କରି ଅନେଉଛି ପରା।”
ସନ୍ଦୀପ ପାଖରେ ବସି କହୁଥିଲା,-“ବାପା,ପିଲାବେଳେ ବି ଆପଣଙ୍କ ଘଗଡା ସ୍ବର ଶୁଣି ମୁଁ ଚମକି ପଡୁଥିଲି ବୋଲି ବୋଉ କହୁଥିଲା।ଆଜିବି ଆପଣଙ୍କ ସ୍ବର ଠିକ୍ ସେମିତି ଅଛି।”
ହସିଦେଇ ଗୋଟେ ବିଞ୍ଚଣାରେ ନାତିକୁ ବିଞ୍ଚୁଥିଲେ ବିରଞ୍ଚି ବାବୁ।ରାତିରେ ଶୋଇଲା ବେଳେ ସନ୍ଦୀପ କହିଲା,
-“ବାପା, ଆପଣ ଆମ ସହ ଏସି ରୁମ୍ ରେ ଶୁଅନ୍ତୁ।ଗରମରେ ସେ ଆର ରୁମରେ କାହିଁକି ଶୋଉଛନ୍ତି ?”

ମୃଦୁ ହସି ବିରଞ୍ଚି ବାବୁ କହିଲେ,
-“ଗାଁର ଏଇ ପ୍ରାକୃତିକ ପରିବେଶ, ପାଣି ପବନ ରେ ବଢ଼ିଥିବା ମୋ ଭଳି ଲୋକ ଦେହରେ ,ଏଇ ଏସି,ମେସି ଯିବିନି।କୁତ୍ରିମତା କୁ ଆମେ ଆଦରି ନେଇ ,ତାକୁ ଜୀବନର ସବୁକିଛି ବୋଲି ଭାବୁଛେ।ତୋ ଫ୍ଲାଟରେ ପରା ମୁଁ ଏସି ବନ୍ଦ କରିଦିଏ।ବାହାର ଗରମ ସହ ନିଜକୁ ଖାପ ନଖୁଆଇ, ଘର ଭିତରେ ଏସି ଲଗାଇକମ୍ବଳ,ରେଜେଇ ଘୋଡେଇ ଶୋଇବାର ଫେସନ ହୋଇଗଲାଣି।ସେଇଥିପାଇଁ ଥଣ୍ଡା,କାଶ,ଇସନ ଫୁଲିଆ,ବ୍ଲଡ଼ପ୍ରେସର ଭଳି ବେମାରୀ ବ୍ୟାପୁଛି।ମୋତେ ଦେଖ, ସମ୍ପର୍ଣ୍ଣ ନିରୋଗ।”

  • ସନ୍ଦୀପ ବଡ଼ ପାଟିରେ କହିଉଠିଲା,
    -“ଆରେ ବାଃ,ବାପାଙ୍କ କୋଳରେ ପିଣ୍ଟୁ କେତେ ଆରାମରେ ଶୋଇପଡ଼ିଲା ?ବିନା ଏସି ରେ ?ମୋତେ କିନ୍ତୁ ନାକରେ ପାଣି ପିଆଇଦିଏ ଟୋକା।ମୋବାଇଲରେ ଖେଳି ଖେଳି ଶୁଏ।”
    ମୃଦୁ ହସି ବିରଞ୍ଚି ବାବୁ କହିଲେ,
    -“ପିଲାଙ୍କ ପାଇଁ ଜେଜେ,ଜେଜେମା,
    ଅଜା,ଆଇଙ୍କର ହାତ ଓ କୋଳ, ଶୀତ ଦିନେ ଚୁଲି ଠାରୁ ଅଧିକ ଉଷୁମ ଓ ଖରାଦିନେ ବରଫ ଠାରୁ ଅଧିକ ଥଣ୍ଡା।”
    ସମସ୍ତେ ଖାଇସାରି ଶୋଇବାକୁ ଉଠିଲେ।ଆସନ୍ତା କାଲି ଭୋଜି ପାଇଁ ଅନେକ କାମ।ରୁମ ଭିତରେ ନଶୋଇ ବିରଞ୍ଚି ବାବୁ ଫିତା ଖଟିଆଟା ପିଣ୍ଡାରେ ପକାଇ ଶୋଇଲେ, ଟେବୁଲ ଫ୍ୟାନ ଲଗାଇ।
    ରାତିରେ ହାଠାତ୍ କିଛି ଶବ୍ଦରେ ନିଦ ଭାଙ୍ଗିଗଲା ବିରଞ୍ଚି ଙ୍କର।ସନ୍ଦୀପ ନଶୋଇ ବାରଣ୍ଡାରେ ବସିଥିଲା ଆକାଶକୁ ଅନାଇ।
    -” ଭୋଲ୍ଟେଜ୍ କମିଗଲାକିରେ?ଏସି ଚାଲୁନି କି ସନ୍ଦୀପ ? ନଶୋଇ କଣ ଭାବୁଛୁ ?ଗାଁ ଘରେ ଆଖାଡୁଆ ଲାଗୁଛି ବୋଲି ନିଦ ଆସୁନିକିରେ ବାପା ?”
    ଏକ ଶୁଖିଲା ହସ ମୁହଁରେ ଖେଳାଇ ସନ୍ଦୀପ କହିଲା,
    -“କାମ ପ୍ରେସର ଓ ଟେନ୍ସନ ଯୋଗୁଁ ଛମାସ ହେଲା ମୋତେ ଭଲ କରି ନିଦ ହେଉନି।ଅନେକ ସମୟରେ ସ୍ଲିପିଂ ପିଲ୍ ନେବାକୁ ହେଉଛି।ଏସିରେ ବି ନିଦ ଆସୁନି।”
    ଚମକି ପଡିଲେ ବିରଞ୍ଚି। ତାଙ୍କର ମନେ ପଡୁଥିଲା ପୁରୁଣା କଥା।ସନ୍ଦୀପ ଛୋଟ ଥିଲା ବେଳେ ତାଙ୍କରି କାନ୍ଧରେ ଘଣ୍ଟାଏ ଲେଖା ପଡ଼ିରହୁଥିଲା।ଶୋଇବାରେ ବଡ଼ ହଇରାଣ କରୁଥିଲା।ନିଦ ମାଉସୀ,ଟୁଉକୁ ମୂଷି,ବାଇଚଢେଇ ଗୀତ ଯଦିଓ ମଞ୍ଜୁଳା ବୋଲୁଥିଲେ, ତଥାପି ସନ୍ଦୀପ ଖୋଜୁଥିଲା ବାପାଙ୍କ କୋଳ ଓ କାନ୍ଧ।କପାଳକୁ ଆଉଁଷି ଦେଇ ବିଞ୍ଚଣାରେ କିମ୍ବା ଖବରକାଗଜରେ ଘଣ୍ଟା ଘଣ୍ଟା ଧରି ବିଞ୍ଚୁଥିଲେ ବିରଞ୍ଚି।
    ଆଜି କାହିଁକି କେଜାଣି ଭାବପ୍ରବଣ ହୋଇପଡୁଥିଲେ ସେ।କି ଯୁଗ ହେଲା !!ଚାକିରୀ ରେ ସ୍ଥିରତା ନାହିଁ,ଆସନ୍ତା କାଲି’ର ଭରସା ନାହିଁ।କାମ ନାଁରେ ପିଲାଗୁଡାକ ମେସିନ ପାଲଟି ଗଲେଣି।
    -“ଆ,ମୋ ପାଖକୁ ଆସ।ପିଲାବେଳ ପରି ମୋ ଉପରେ ଗୋଡ଼ ପକାଇ ଶୋ।ଦେଖିବୁ ନିଦ ହୋଇଯିବ ବିନା ଚିନ୍ତାରେ।ଛୁଆ ବେଳେ ଯେମିତି ଶୋଉଥିଲୁ।”
    ସନ୍ଦୀପ କହିଲା,
    -“ମୁଁ କଣ ଛୋଟ ହୋଇଛି ପିଣ୍ଟୁ ଭଳି ?ଖଟରେ ଆମ ଦୁହିଁଙ୍କୁ କେଉଁଠି ଜାଗା ହେବ?”
    -“ବାପା ପାଇଁ ପିଲାମାନେ ସବୁବେଳେ ଛୁଆ।ପିଣ୍ଟୁ ଓ ତୋ ଭିତରେ କିଛି ଫରକ ମୋତେ ଲାଗେନା।ତୁ ବି ଏବେ ପରା ବାପା ହେଲୁଣୁ।ଖଟରେ ବହୁତ ଜାଗା,ଆ ମୋ ପାଖକୁ ଚାଲିଆସେ।”
    ଆଉ ମନା କରିପାରିଲାନି ସନ୍ଦୀପ;ବାଧ୍ୟ ହୋଇ ଆସିଲା।ସେଇ ଫିତା ଖଟ ଉପରେ ବାପାଙ୍କ ପାଖରେ ଗୁଞ୍ଜି ହୋଇ ଶୋଇଲା।ହାଠାତ୍ ଲାଇନ ଚାଲିଗଲା।ମୁଣ୍ଡ ପାଖରେ ଥିବା ବିଞ୍ଚଣାରେ ସନ୍ଦୀପକୁ ବିଞ୍ଚି ଦେଉଦେଉ ଗୁଣୁଗୁଣୁ ହୋଇ ଅସ୍ପଷ୍ଟ ସ୍ୱରରେ କିଛି ବୋଲୁଥିଲେ ବିରଁଞ୍ଚି ବାବୁ।ବାଁ ହାତରେ ପୁଅ ଦେହ ମୁଣ୍ଡରେ ହାତ ବୁଲାଇ ଆଣୁଥିଲେ।
    ଏତେ ବର୍ଷ ପରେ ବାପାଙ୍କ ହାତର ସ୍ପର୍ଶ ଏକ ଅଦ୍ଭୁତ ଅନୁଭୂତି ଥିଲା ସନ୍ଦୀପ ପାଇଁ।ବାପାଙ୍କୁ କୁଣ୍ଢାଇ,ତାଙ୍କ ଉପରେ ଗୋଡ଼କୁ ନଦି ସୋଇଥିଲା।କେଉଁ ଗୀତ ବୋଲୁଥିଲେ ବାପା?ସେ ଘାଗଡା ସ୍ବର ବଂଶୀସ୍ଵନ ଭଳି ସମ୍ମୋହିତ କରୁଥିଲା ତାକୁ। ଆଉ ସେ ବିଞ୍ଚଣାରେ କି ଯାଦୁ ଥିଲା କେଜାଣି ?କି ସୁନ୍ଦର ପବନ !କରେଣ୍ଟ ଆସିଯାଇଥିଲା।-
    “ଯା,ଘରେ ଶୋଇ ପଡ଼ିବୁ,ଏସି ରେ।”
    ବାପାଙ୍କ କଥା ଶୁଣି ସନ୍ଦୀପ କହିଲା,
    -“ଏ ବିଞ୍ଚଣା ପବନ ଏସି ଠୁ ବି ଅଧିକ ଥଣ୍ଡା।ମୁଁ ତୁମ ପାଖରେ ଏଇଠି ଶୋଇବି।”
    -“ବାଇଆ ଟା।”କହି ପୁଅକୁ ସାଉଁଳୋଉଥିଲେ ବିରଞ୍ଚି ବାବୁ।
    ଛୋଟ ପିଲାଙ୍କ ଭଳି ବାପାଙ୍କୁ କୁଣ୍ଢାଇ ଆରାମରେ ଶୋଇପଡ଼ିଲା ସନ୍ଦୀପ।
    ଅନେକ ଦିନପରେ ବିନା ଚିନ୍ତାଦକରେ ନିଶ୍ଚିନ୍ତ ଭାବେ ଶୋଇଥିଲା ସନ୍ଦୀପ ,ବିନା ଏୟାରକଣ୍ଡିସନରେ। ମନେମନେ ଭାବୁଥିଲା,
    ଏୟାରକଣ୍ଡିସନ ଗୋଟେ ବୈଦ୍ୟୁତିକ ବାତାନୁକୁଳିତ ମେସିନ,ଯାହା ରୁମ ଭିତର ତାପମାତ୍ରାକୁ କୂତ୍ରିମ ଯାନ୍ତ୍ରିକ ଶୀତଳତାରେ ଭରେ;ହେଲେ ନିଜପଣ ତଥା ଆଦର, ମମତା’ର ଶୀତଳତା,ଏୟାରକଣ୍ଡିସନ ପବନରେ କୁଆଡୁ ଆସିବ ! ମନଭରି ସେ ଉପଦ୍ଭୋଗ କରୁଥିଲା ବାପାଙ୍କ ହାତରେ ଥିବା ବିଞ୍ଚଣା ର ଶୀତଳତାକୁ।
    ବାପା କେବେ ନିଜ ସ୍ନେହକୁ ଦେଖେଇ ହୋଇ ସମସ୍ତଙ୍କ ସାମ୍ନାରେ ପ୍ରଚାର କରନ୍ତିନି;ବାପାଙ୍କ ଚୁପଚାପ, ଶାନ୍ତ, ସରଳପଣ ଓ ଏଇ ତାଳ ପତ୍ର ତିଆରି ବିଞ୍ଚଣା, ଦୁହେଁ ବିଲକୁଲ ସମାନ।
    ଆଉ ବାପାଙ୍କ ସ୍ନେହ’ର ଶୀତଳତା ତ ଅକୃତ୍ରିମ,ନିର୍ଭେଜାଲ,ଅପରିମି଼ତ,
    ଅନକଣ୍ଡିସନାଲ ଠିକ ଏଇ ବିଞ୍ଚଣାର ପବନ ଭଳି।

(©️ଅରବିନ୍ଦଦାସ)

Leave A Reply

Your email address will not be published.