ଖୋଲୁଛି ଇଭିଏମ ପେଡ଼ି, ୧୫୬୬ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ

0
  • ଲୋକସଭାରେ 207, ବିଧାନସଭାରେ 1359

ଭୁବନେଶ୍ୱର,//TATKAL ODISHA//

ଖୋଲୁଛି ଭାଗ୍ୟର ପେଡ଼ି । କି’ଏ ବସିବ ରାଜେନ୍ଦ୍ରାସନେ, କି’ଏ ହେବ ଫକୀର ।

ଓଡ଼ିଶାର ୨୧ ଲୋକସଭା ଓ ୧୪୭ଟି ବିଧାନସଭା ପାଇଁ ହୋଇଥିବା ଚାରି ପର୍ଯ୍ୟାୟ ନିର୍ବାଚନର ଭୋଟ୍ ଗଣତି ପରେ ତାହା ସ୍ପଷ୍ଟ ହୋଇଯିବ । ମୋଟ୍ ୧୫୬୬ ପ୍ରାର୍ଥୀଙ୍କ ଛାତି ଧଡ଼ ଧଡ଼ ହେବା ସ୍ୱାଭାବିକ । ଏଥିରେ ୨୦୭ ଲୋକସଭା ପ୍ରାର୍ଥୀ ଓ ୧୩୫୯ ବିଧାନସଭା ପ୍ରାର୍ଥୀ ଅନ୍ତର୍ଭୁକ୍ତ ।

ଓଡ଼ିଶାର ମଇ ୧୩ରେ ହୋଇଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଓ ଏସବୁ ଅନ୍ତର୍ଗତ ୨୮ ବିଧାନସଭା କ୍ଷେତ୍ରରେ ହୋଇଛି । ଏହି ପର୍ଯ୍ୟାୟରେ ଚାରି ଲୋକସଭା ପାଇଁ ୩୭ ପ୍ରାର୍ଥୀ ଓ ୨୮ ବିଧାନସଭା ପାଇଁ ମୋଟ୍ ୨୪୩ ପ୍ରାର୍ଥୀଙ୍କର ଭାଗ୍ୟ ସିଲ ହୋଇଥିବା ଇଭିଏମ ଖୋଲାଯିବ । ୩୭ ଜଣ ସଂସଦୀୟ ପ୍ରାର୍ଥୀଙ୍କ ମଧ୍ୟରେ ପୁରୁଷ ପ୍ରାର୍ଥୀ ୩୦ ଓ ମହିଳା ପ୍ରାର୍ଥୀ ୭ ଅନ୍ତର୍ଭୁକ୍ତ । ସେହିପରି ଏହି ପର୍ଯ୍ୟାୟରେ ମତଦାନ ହେଉଥିବା ୨୮ଟି ବିଧାନସଭା କ୍ଷେତ୍ର ପାଇଁ ମୋଟ ୨୪୩ ପ୍ରାର୍ଥୀଙ୍କ ଭାଗ୍ୟ ସିଲ ହୋଇଛି । ଏଥିରେ ପୁରୁଷ ୨୧୪, ମହିଳା ୨୯ ପ୍ରାର୍ଥୀ ଅନ୍ତର୍ଭୁକ୍ତ ।

ଓଡ଼ିଶାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହୋଇଥିଲା ମଇ ୨୦ରେ । ଏହି ପର୍ଯ୍ୟାୟରେ ୫ ସଂସଦୀୟ କ୍ଷେତ୍ର ୩୫ ବିଧାନସଭା କ୍ଷେତ୍ରରେ ମୋଟ୍ ୩୦୫ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ ହୋଇଛି । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ୪୦ ସାଂସଦ ପ୍ରାର୍ଥୀ ଓ ୨୬୫ ବିଧାନସଭା ପ୍ରାର୍ଥୀ ଅନ୍ତର୍ଭୁକ୍ତ । ଅନ୍ୟକିଛି ହେଭିୱେଟ୍‌ଙ୍କ ମଧ୍ୟରେ ମନ୍ତ୍ରୀ ପ୍ରଦୀପ୍ କୁମାର ଅମାତ୍‌, ମନ୍ତ୍ରୀ ବିକ୍ରମ ଆରୁଖ, ମନ୍ତ୍ରୀ ନିରଞ୍ଜନ ପୂଜାରୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ, ଦିଲ୍ଲୀପ୍ ରାୟ, ପୂର୍ବତନ ହକି କ୍ୟାପଟେନ୍ ଦିଲ୍ଲୀପ୍ ତିର୍କୀ, ଟୁକୁନି ସାହୁ, ରୀତା ସାହୁ ଓ ସାରଦା ନାୟକ ପ୍ରମୁଖଙ୍କର ମଧ୍ୟ ଭାଗ୍ୟ ନିର୍ଣ୍ଣୟ ହେବ ।

ମଇ ୨୫ରେ ହୋଇଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଓଡ଼ିଶାର ୬ଟି ସଂସଦୀୟ କ୍ଷେତ୍ର ଅର୍ଥାତ ସମ୍ବଲପୁର, କେଉଁଝର, ଢେଙ୍କାନାଳ, କଟକ, ପୁରୀ ଓ ଭୁବନେଶ୍ୱର ସହିତ ୪୨ ବିଧାନସଭା କ୍ଷେତ୍ରରେ ହୋଇଥିଲା । ଏହି ପର୍ଯ୍ୟାୟରେ ମୋଟ୍ ୪୫୭ ପ୍ରାର୍ଥୀ ଭାଗ୍ୟ ଇଭିଏମ ଖୋଲିଲା ପରେ ଧାର୍ଯ୍ୟ ହେବ । ୬ ଲୋକସଭା କ୍ଷେତ୍ରରେ ୬୪ ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରେ ପୁରୁଷ ପ୍ରାର୍ଥୀ ୫୫, ମହିଳା ପ୍ରାର୍ଥୀ ୯ ଅନ୍ତର୍ଭୁକ୍ତ ଥିବାବେଳେ ୪୨ ବିଧାନସଭା କ୍ଷେତ୍ର ପାଇଁ ମୋଟ୍ ୩୮୩ ପ୍ରାର୍ଥୀଙ୍କ ମଧ୍ୟରେ ପୁରୁଷ ପ୍ରାର୍ଥୀ ୩୩୯ ଓ ମହିଳା ପ୍ରାର୍ଥୀ ୪୪ ଅନ୍ତର୍ଭୁକ୍ତ ରହିଛନ୍ତି । ସେମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି), ଭର୍ତ୍ତୃହରି ମହତାବ, ସମ୍ବିତ୍ ପାତ୍ର , ଅରୂପ ପଟ୍ଟନାୟକ, ଅପରାଜିତା ଷଡ଼ଙ୍ଗୀ, ସନ୍ତୃପ୍ତ ମିଶ୍ର,ଦେବୀ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ, ଜୟନାରାୟଣ ମିଶ୍ର, ବଦ୍ରିନାରାୟଣ ପାତ୍ର, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସଞ୍ଜୟ ଦାସବର୍ମା ଓ ସୌମ୍ୟରଞ୍ଜନ ପଟ୍ଟନାୟକ ଅନ୍ୟତମ ।

ଜୁନ ୧ରେ ଅନ୍ତିମ ପର୍ଯ୍ୟାୟରେ ଓଡ଼ିଶାରେ ୬ ସଂସଦୀୟ କ୍ଷେତ୍ର ଓ ୪୨ ବିଧାନସଭା କ୍ଷେତ୍ରରେ ହୋଇଛି । ସଂସଦୀୟ କ୍ଷେତ୍ରଗୁଡ଼ିକ ହେଉଛି ମୟୂରଭଞ୍ଜ (ଏସ୍‌ଟି), ବାଲେଶ୍ୱର, ଭଦ୍ରକ (ଏସ୍‌ସି), ଯାଜପୁର(ଏସ୍‌ସି), କେନ୍ଦ୍ରାପଡ଼ା ଓ ଜଗତସିଂହପୁର(ଏସ୍‌ସି) । ମୋଟ୍ ୪୬୦ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ ଖୋଲିଲା ପରେ ନିର୍ଣ୍ଣୟ ହେବ । ୬ ସଂସଦୀୟ କ୍ଷେତ୍ର ପାଇଁ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବା ମୋଟ୍ ୬୬ ପ୍ରାର୍ଥୀଙ୍କ ମଧ୍ୟରେ ପୁରୁଷ ୫୫ ଓ ମହିଳା ପ୍ରାର୍ଥୀ ୧୧ ଅନ୍ତର୍ଭୁକ୍ତ । ସେହିପରି ୪୨ ବିଧାନସଭା କ୍ଷେତ୍ର ପାଇଁ ମୋଟ୍ ୩୯୪ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ପୁରୁଷ ୩୩୬ ଓ ମହିଳା ୫୮ ପ୍ରାର୍ଥୀ ରହିଛନ୍ତି । ବହୁ ହେଭିୱେଟ୍ ପ୍ରାର୍ଥୀ ଏଥିରେ ବି ଅନ୍ତର୍ଭୁକ୍ତ ।

Leave A Reply

Your email address will not be published.