କ୍ୟାବିନେଟ୍ ମୋହର: ୨ ଲକ୍ଷ ସିଏସ୍ଏସ୍, ସିସିଙ୍କୁ ସ୍କୁଟର ଋଣ ସୁବିଧା
- ନୂଆ ‘ମିଶନ ଶକ୍ତି ସ୍କୁଟର ଯୋଜନା’ ଶୁଭାରମ୍ଭ
- ୫ ବର୍ଷରେ ୫୨୮.୫୫ କୋଟି ଟଙ୍କାର ବ୍ୟୟ ଅଟ୍ଟକଳ
- ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ୍ ଋଣରେ ସମ୍ପୂର୍ଣ୍ଣ ସୁଧ ଫେରସ୍ତ
ଭୁବନେଶ୍ୱର,//TATKAL ODISHA//
ରାଜ୍ୟର ପ୍ରାୟ ୨ ଲକ୍ଷ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଓ କାର୍ଯ୍ୟନିର୍ବାହୀ କମିଟିର ସଦସ୍ୟାମାନେ ପସନ୍ଦ ମୁତାବକ ସ୍କୁଟର କିଣିବା ପାଇଁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ୍ ଋଣ ଉପରେ ସମ୍ପୂର୍ଣ୍ଣ ସୁଧ ଫେରସ୍ତ ସୁବିଧା ପାଇପାରିବେ । ଆଗାମୀ ୫ ବର୍ଷରେ ୫୨୮.୫୫ କୋଟି ଟଙ୍କାର ବ୍ୟୟ ଅଟ୍ଟକଳ ହୋଇଛି ।ମିଶନ ଶକ୍ତି ବିଭାଗ ମାଧ୍ୟମରେ ଓଡ଼ିଶା ସରକାର ‘ମିଶନ ଶକ୍ତି ସ୍କୁଟର ଯୋଜନା’ ନାମରେ ଏକ ଅଗ୍ରଗାମୀ ଯୋଜନାର ଶୁଭାରମ୍ଭ କରିଛନ୍ତି ।
ଶୁକ୍ରବାର ରାଜ୍ୟ କ୍ୟାବିନେଟ୍ରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି I ଲୋକସେବା ଭବନରର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମନ୍ତ୍ରୀମଣ୍ଡଳର ସଦସ୍ୟମାନେ ଯୋଗଦାନ କରିଥିଲେ । ଏଥିରେ ମୋଟ୍ ୧୭ଟି ପ୍ରସ୍ତାବ ରାଜ୍ୟ କ୍ୟାବିନେଟ୍ ମୋହର ବାଜିଛି ।
ବୈଠକ ପରେ ମନ୍ତ୍ରୀ ଟୁକୁନି ସାହୁ ଓ ଅତନୁ ସବ୍ୟସାଚୀ ନାୟକଙ୍କ ଉପସ୍ଥିତିରେ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ମିଶନ ଶକ୍ତି ସ୍କୁଟର ଯୋଜନା ସମ୍ପର୍କରେ ବିସ୍ତୃତ ସୂଚନା ଦେଇ କହିଥିଲେ,ରାଜ୍ୟରେ ମହିଳା ସଶକ୍ତିକରଣ ଦିଗରେ ସେମାନଙ୍କର ଅବଦାନକୁ ସ୍ୱୀକୃତି ଦେବା ସହ ସେମାନଙ୍କୁ ନିଜ କାର୍ଯ୍ୟ ତୁଲାଇବାକୁ ଆହୁରି ସରଳ କରିବା ନିମନ୍ତେ ରାଜ୍ୟ ସରକାର ସ୍କୁଟର କ୍ରୟ ସମ୍ବନ୍ଧୀୟ ଋଣ ଉପରେ ସୁଧ ଛାଡ଼ର ଘୋଷଣା କରିଛନ୍ତି । ଫଳରେ ସିଆର୍ପି-ସିଏମ୍, ଏମ୍ବିକେ, ପ୍ରାଣୀ ମିଶ୍ର, କୃଷି ମିତ୍ର, ବ୍ୟାଙ୍କ୍ ମିତ୍ର, ଜୀବିକା ସହାୟିକା, ଉଦ୍ୟୋଗୀ ମିତ୍ର, ବିସିଏ ଭଳି ପ୍ରାୟ ୭୫,୦୦୦ କାର୍ଯ୍ୟରତ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଏବଂ ୧,୨୫,୦୦୦ ଗ୍ରାମପଞ୍ଚାୟତ, ୱାର୍ଡ଼, ବ୍ଲକ୍, ସହର ଓ ଜିଲ୍ଲା ସ୍ତରୀୟ ମହାସଂଘର କାର୍ଯ୍ୟନିର୍ବାହୀ ସଦସ୍ୟା ଏହି ଯୋଜନା ଦ୍ୱାରା ସିଧାସଳଖ ଉପକୃତ ହେବେ । ଏହି ଯୋଜନାକୁ ବ୍ୟାପକ ଭାବରେ ଉପଲବ୍ଧ କରାଇବା ସହିତ ସୁଚାରୁରୂପେ କାର୍ଯ୍ୟକାରୀ କରିବା ନିମନ୍ତେ ଆଗାମୀ ୫ ବର୍ଷରେ ୫୨୮.୫୫ କୋଟି ଟଙ୍କାର ବଜେଟ୍ ନିର୍ଦ୍ଧାରଣ କରାଯାଇଛି ।ଏହି ଯୋଜନା ମାଧ୍ୟମରେ ଯୋଗ୍ୟ ସଦସ୍ୟାମାନେ ସେମାନଙ୍କ ପସନ୍ଦ ମୁତାବକ ସ୍କୁଟର କିଣିବା ପାଇଁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ୍ ଋଣ ଉପରେ ସମ୍ପୂର୍ଣ୍ଣ ସୁଧ ଫେରସ୍ତ ପାଇବେ । ଏହି ଐତିହାସିକ ଯୋଜନାକୁ କ୍ୟାବିନେଟ୍ ବୈଠକରେ ମଞ୍ଜୁରୀ ମିଳିଛି