କେଶୁ ଦାସଙ୍କ ପୁଟଦିଆ ସତ କାହାଣୀ-‘ବାଲିଛତୁ ଓ ରାଜ୍ୟପାଳ’

0
  • //TATKAL ODISHA//
  • ବାଲିଛତୁ ଓ ରାଜ୍ୟପାଳ

କେଶୁ… କେଶୁ …., ଇଆଡେ ଟିକେ ଅନାଅ ‘

  • କିଏ ଜଣେ ମୋ ପଛରେ ଧୀର ସ୍ବରରେ ଡାକୁଥାନ୍ତି। ମୁଁ ବା କାହିଁକି ଶୁଣିବି ।

ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଜୀ ଆମ କୋଶମ୍ବ ନଗରର ଦୁବଲାଗଡ଼କୁ ଆସିବେ । ମୁଁ ବ୍ୟସ୍ତ, ସମସ୍ତେ ବ୍ୟସ୍ତ । ଆମ କୋଶମ୍ବ ନଗରର ନୂଆ ବାଲେଶ୍ବର ଉନ୍ନୟନ ପରିଷଦର କର୍ମକର୍ତ୍ତା ବ୍ୟସ୍ତ ଭବ୍ୟ ସ୍ବାଗତ ପାଇଁ ।

ବ୍ୟସ୍ତ ପୁଣି ଜିଲ୍ଲା ପ୍ରଶାସନ ରାଜ୍ୟପାଳଙ୍କ ବାଲେଶ୍ବର ଗସ୍ତକୁ ସୁପରିଚାଳନା କରିବା ପାଇଁ ।

ରାଜ୍ୟପାଳ ଆସିବା ଦିନ ସକାଳୁ ସକାଳୁ ଆମେ ସ୍ବାମୀ-ସ୍ତ୍ରୀ ଦୁଇ ପ୍ରାଣୀ ଭାରି ବ୍ୟସ୍ତ ଏକ ଛୋଟିଆ କଥାରେ ।

ମହାମହିମ ରାଜ୍ୟପାଳଙ୍କୁ ଆମ ଦୁବଲାଗଡ଼ରେ ସ୍ବାଗତ କରି ଆତିଥ୍ୟ ଦେବା ପାଇଁ ପ୍ରସ୍ତୁତିରେ ବ୍ୟସ୍ତ । ଆମେ ଦୁଇ ପ୍ରାଣୀ ସିଦ୍ଧାନ୍ତ ନେଇଥିଲୁ କି ଯାହା ଆମେ ରାଜ୍ୟପାଳଙ୍କୁ ଥାଳିରେ ପରସିବୁ, ତାହା ନିପଟ ନିରୋଳା ଓଡ଼ିଆ ଓଡ଼ିଆ ଲାଗିବ, ପୁଣି ଆମ ବାଡ଼ିରୁ ହିଁ ସଂଗ୍ରହ ହେବ । କିଛି ବଜାରରୁ କିଣା ହେବ ନାହିଁ । ତେଣୁ ମୁଁ ବ୍ୟାଗ ନେଇ ଓ କନକଲତା ପାଛିଆଟେ ଧରି ସଂଗ୍ରହରେ ଲାଗିଲୁ ଅଗସ୍ତି ଶାଗ, ସଜନା ଫୁଲ ଓ ଶାଗ, ପିତାଗମା ଶାଗ, କଦଳୀ ଭଣ୍ଡା ଓ ମଂଜା, ଆମୃଳି ଶାଗ, ଗନ୍ଧାଳି ଶାଗ, କୁନ୍ଦୁରୀ ପତ୍ର, ପାଣିସାରୁ ଡଙ୍କ ଇତ୍ୟାଦି ଇତ୍ୟାଦି । ମୁଁ କିଛି କିଛି ବାଡ଼ିରୁ ତୋଳି, ଛିଣ୍ଡାଇ ଆଣି ଘରେ କଦଳୀ ପତ୍ର ଉପରେ ଯତ୍ନରେ ରଖି ପୁଣି ବାଡ଼ିକୁ ଯାଏ ସଂଗ୍ରହରେ । ମତେ ଯେମିତି କିଏ ଜଣେ କ୍ଷୀଣ ସ୍ବରରେ ଡାକି କହୁଛି – କେଶୁ, ମୁଁ ତମ ପଛରେ ଅଛି । ମତେ ଟିକେ ଅନାଅ ।

ମୁଁ ବ୍ୟସ୍ତ ପୂର୍ବ ପ୍ରସ୍ତୁତି ମୁତାବକ ଶାଗ ଇତ୍ୟାଦି ସଂଗ୍ରହରେ । ଦୁଇ ଚାରି ଥର ଧୀର ଡାକ ଶୁଣି ପଛକୁ ଘୁରି ଅନାଇଲି । କାହାକୁ ଦେଖିବାକୁ ପାଇଲି ନାହିଁ । ପୁଣି ଧୀର ସ୍ବର ଶୁଭିଲା – କେଶୁ, ମୁଁ.. ମୁଁ …. ବାଲିଛତୁ କହୁଛି ।

‘ବାଲିଛତୁ’ ??

ବାଲିଛତୁ କାହିଁକି ଡାକୁଛି । ପୁଣି ମୋ ଦୁବଲାଗଡ଼ରେ ?? ମୋ ମନରେ ପ୍ରଶ୍ନିଳ ଢ଼ଙ୍ଗରେ ପଚାରିଲି । ଯେବେଠୁ କୋଶମ୍ବ ନଗରରେ ଛୋଟିଆ ଘରଟେ କରି ରହିଲି, ସେବେଠାରୁ ଶାଗ ବାଡ଼ିରେ ଆପେ ଆପେ ହେବାର ଦେଖିଛି ଓ ତୋଳି ଖାଇବାର ସ୍ବାଦ ନେଇଛି । ହେଲେ ବାଲିଛତୁ ….. ।

ସେ କହିଲା – ହଁ, ହଁ, ମୁଁ ବାଲିଛତୁ । ମୁଁ କେବେ ତୁମ ଗଡ଼କୁ ଆସିନି । ଆଜି ପରା ମହାମହିମ ରାଜ୍ୟପାଳ ଆସୁଛନ୍ତି । ମୁଁ ଜାଣିଲି ତୁମେ ୨୦ ପ୍ରକାରର ଓଡ଼ିଆ ଘରର ହଜିଯାଉଥିବା ସରବତ୍, ପତୁଆ, ପକୁଡି, ପଥରିବସା, ତାଟିଆବସା, ପତ୍ରପୋଡା, ଭଜା, ଖରଡା, ଚଟଣୀ, ମିଠେଇ ଇତ୍ୟାଦି ପରସିବ ମହାମହିମ ରାଜ୍ୟପାଳକୁ । ମୋ କଥା ତୁମେ କେମିତି ଭୁଲି ଗଲ ? ମୁଁ କଣ ଓଡ଼ିଆ ଘରର ହଜିଯାଉଥିବା ତିଅଁଣ ନୁହଁ କି ?

ବାଲିଛତୁ ମତେ ତାଚ୍ଛଲ୍ୟ କରି ଧମକାଇ କହିଲା – ଆଜି ଯଦି ବାଲିଛତୁର କିଛି ପ୍ରସ୍ତୁତ କରି ନ ଦେବ, ତମ କାର୍ଯ୍ୟକ୍ରମ ଫସର ଫାଟିଯିବ ।

ସାମାନ୍ୟ ବାଲିଛତୁର ଅହଂକାରୀ ଓ ତାଚ୍ଛଲ୍ୟ କଥା ଶୁଣି ମୋ ମୁଣ୍ଡକୁ ଘିଅ ଉଠିଗଲା । ମୁଁ ରାଗି କହିଲି – ଶୁଣ, ଆମ ଓଡ଼ିଶା ଛତୁ ଉତ୍ପାଦନ ଦେଶରେ ନୁହଁ ବିଶ୍ବରେ ପ୍ରଥମ । ୧୦ ଲକ୍ଷ ଲୋକ ଏହି ଛତୁ ଉପରେ ନିର୍ଭରଶୀଳ । ପ୍ରତି ଛକରେ, ପ୍ରତି ହୋଟେଲରେ, ପ୍ରତି ଭୋଜିଭାତରେ ଛତୁ ହିଁ ଛତୁ । ଘରେ ଘରେ ଛତୁ ତରକାରୀ ଖିଆଯାଉଛି । ଛତୁ ତରକାରୀ ହଜିଯାଉଥିବା ଓଡ଼ିଆ ଘରର ତରକାରୀ ତାଲିକାରେ କେମିତି ରହିବ ?

କେଶୁ ଦାସ

ଆହୁରି ଶୁଣ, ଆମ ଓଡ଼ିଶାର ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟରେ ପ୍ରଥମେ ଛତୁ ଉପରେ ୧୯୭୨ରେ ପ୍ରଫେସର ନରେନ୍ଦ୍ର ମହାନ୍ତି ଓ ଗୋରାଚାନ୍ଦ ରଥଙ୍କ ନେତୃତ୍ୱରେ ଆରମ୍ଭ କରାଗଲା । ଆମ ବାଲେଶ୍ବରର ପ୍ରଫେସର ଅଦ୍ବୈତ ଚରଣ ପାତ୍ରଙ୍କ ଆନ୍ତରିକ ଆଗ୍ରହ ଓ ଅକ୍ଲାନ୍ତ ପରିଶ୍ରମରେ ୧୯୮୮ ରେ ଓଡ଼ିଶା ଛତୁ ଉତ୍ପାଦନକାରୀ ମହାସଂଘ ଗଢ଼ିଲେ ଓ ୧୯୯୨ରେ ଗ୍ରୀଷ୍ମମଣ୍ଡଳୀୟ ଛତୁ ଗବେଷଣା ସେହି ବିଶ୍ବବିଦ୍ୟାଳୟରେ ପ୍ରତିଷ୍ଠା କରାଯାଇ ଛତୁଚାଷକୁ ଆଗେଇ ନିଆଯାଇଛି ।

ମୁଁ ତାକୁ କଡ଼ା ଜବାବ ଦେଇ ଥାନୁକୁନୀ ପତ୍ର ପାଇଁ ପାଦ ଆଗେଇଲା ବେଳେ ସେ ପୁଣି ଉପହାସ କରି କହିଲା – ଯଦି ପ୍ରଫେସର ଅଦ୍ବୈତ ଚରଣ ପାତ୍ର ଛତୁ ପାଇଁ ଏକ ଯୁଗାନ୍ତକାରୀ ଆନ୍ଦୋଳନ କରି ୧୦ ଲକ୍ଷ ଲୋକଙ୍କର ଆତ୍ମନିଯୁକ୍ତି ଓ ଓଡ଼ିଆ ତରକାରୀର ଅସ୍ମିୟତା ବଜାୟ ରଖିଛନ୍ତି, ତାଙ୍କୁ ତମେମାନେ କି ତମ ସରକାର ତାଙ୍କୁ ଗୋଟିଏ ବୋଲି ଭାରତ ସରକାରଙ୍କ ସର୍ବୋଚ୍ଚ ନାଗରିକ ପଦ୍ମ ସମ୍ମାନରେ ସମ୍ମାନିତ କରି ପାରୁନ ।

ଅନ୍ୟ କେଉଁ ରାଜ୍ୟରେ ସେ ଜନ୍ମ ନେଇଥିଲେ, ପ୍ରଫେସର ଅଦ୍ବୈତ ଚରଣ ପାତ୍ର ଦୁଇ ଦୁଇଟି ପଦ୍ମ ପୁରଷ୍କାର ପାଇ ସାରନ୍ତେଣି ।
ବାଲିଛତୁର ଏହି ପଦକ ଛାତିକୁ ବାଧିଲା ଯେତିକି ହୃଦୟକୁ ଛୁଇଁଲା ସେତିକି । ମୁଁ ଆଗକୁ ଆଉ ଯାଇ ପାରିଲି ନାହିଁ । ତା ପାଖରେ ବସିବାକୁ ଯାଉଥିବା ବେଳେ ସେ କହିଲା – ମୁଁ ବାଲିଛତୁ, ମୁଁ ମସୃମ୍ ନୁହେଁ ।

ଏହି ପଦକରେ ମୁଁ ଗୁମ୍ ମାରି ବସି ପଡ଼ିଲି ତା ପାଖରେ । ମନେ ପଡ଼ିଯାଉଥାଏ ୪୦ ବର୍ଷ ତଳର କଥା । ମାଆ ଆମ ଗାଁ ଦୁବଲାଗଡିର ବାଡ଼ିରୁ ବାଲିଛତୁ ତୋଳି ଆଣି ସେଥିରେ ଆଳୁ ବାଇଗଣ ପକାଇ ତାଟିଆ ବସା କିମ୍ବା ପତ୍ରପୋଡା କରି ଖାଇବାକୁ ଦେଉଥିଲେ । ଭାରି ସ୍ବାଦିଷ୍ଟ । ଏଇ ବର୍ଷା ଦିନେ ବାଲିଛତୁ, ଉଇ ଛତୁ କିମ୍ବା କୁଟା ଛତୁ ର ପଥରିବସା ନ ହେଲେ ପତ୍ରପୋଡା ଦୁଇ ଚାରି ଥର ଖିଆ ହେବ । ଯେ ବର୍ଷ ବର୍ଷା ଦିନେ ଛତୁ ତରକାରୀ ଖିଆ ହୋଇ ନ ଥିବ, ବାପା କହିବେ – ଏ ସନ ଛତୁ ତରକାରୀ ପାଟିରେ ବାଜିଲା ନାହିଁ । ତହୁଁ ମାଆ ଉତ୍ତର ଦିଅନ୍ତି – ଗଲା ସନ ଧାନ ଭଲ ହେଲାନି କି କୁଟା ଦି କେରା ଅଧିକ ହେଲାନାହିଁ । ଯାହା କୁଟା ହେଲା ଘର ଛାଆଣ ଓ ଗୋରୁ ପାଇଁ ନିଅଣ୍ଟ ।

ମୁଁ ଆଉ କେଉଁଠି କୁଟା ଆଣି ପକାଇ, ତାକୁ ପଚେଇବି ଯେ ? କୁଟା ଅଧିକା ହେଲେ ତାକୁ ପଚେଇ ଥିଲେ, ଛତୁ ଦି ଚାରି ଗଣ୍ଡା ହୁଅନ୍ତା ।
ତେବେ ବି ମାଆ ବହୁତ ସମୟରେ ନିଜେ ବାଡ଼ିରୁ ବାଲିଛତୁ ତୋଳି ଆଣନ୍ତି ତ ବେଳେ ଆମ ଭାଇଭଉଣୀକୁ ତାଟିଆ ଧରାଇ କହନ୍ତି – ଯା, ଭଙ୍ଗା ଉଇ ହୁଙ୍କା ପାଖରେ ଉଇ ଛତୁ ଫୁଟିଛି, ତୋଳି ଆଣିବୁ ।
ଆମେ ଭାଇଭଉଣୀ ଦୌଡ଼ି ଯାଉ । ଛତୁ ଟୁଙ୍କିବା ପାଇଁ ଭାରି ଭଲ ଲାଗେ । ଚାରିଣୀ ସାଇଜର ଧଳା ଧଳା ଟୋପି ପିନ୍ଧି ସୈନ୍ୟମାନେ ଦେଶ ଜଗିଲା ଭଳିଆ ଉଇହୁଙ୍କା ଏପଟେ ସେପଟେ ମେଞ୍ଚେ ମେଞ୍ଚେ ଫୁଟିଥାଏ । ମନ ଖୁସୀରେ ଟୁଙ୍କୁ । ଟୁଙ୍କି ସାରି ମାଆକୁ ଦେଲା ବେଳେ ଆମେ ନିଜ ନିଜର ଆପତ୍ତି ଜଣାଉ ଯେ ମୁଁ ବେଶୀ ଛତୁ ତୋଳିଛି, ମୋତେ ଅଧିକା ଟିକେ ତାଟିଆ ବସା ଦବୁ । ମାଆ ବି ସମସ୍ତଙ୍କୁ ବେଶୀ ଦବ କହି ବୁଝାଇ ଦିଏ । ଆମେ ବି ଖୁସ୍ ।

ଛତୁ ନେଇ ଆହୁରି ଅନେକ କଥା ମନରେ ଉଙ୍କି ମାରି ଆସୁଥିବା ବେଳେ ମୋବାଇଲ ରିଂ ବାଜିଉଠିଲା । ଅତିରିକ୍ତ ଜିଲ୍ଲାପାଳ ନୀଲୁ ମହାପାତ୍ର ଫୋନ କରି କହିଲେ କି ଆଜି ଆପଣଙ୍କ କୋଶମ୍ବ ନଗରରେ ରାଜ୍ୟପାଳ ପ୍ରୋଗ୍ରାମ ହୋଇ ପାରିବନି । ପୋଲିସ ରିପୋର୍ଟ କରିଛନ୍ତି ଯେ ରାଜ୍ୟପାଳଙ୍କ ଗାଡ଼ି ତା ଭିତରକୁ ପଶି ପାରିବନି ।
ମୋ ମୁଣ୍ଡ କିଛି କାମ କଲାନାହିଁ ।
ମତେ ଲାଗିଲା ଏଇ ବାଲିଛତୁ ବିଦ୍ରୁପ କରି କହୁଛି – ମୁଁ କହୁଥିଲି ନା ମତେ ତମ ରାଜ୍ୟପାଳଙ୍କ ଖାଦ୍ୟ ଥାଳିରେ ପରସା ନ ଗଲେ, କାର୍ଯ୍ୟକ୍ରମ ଫସର ଫାଟିବ । ଏଥର ସମ୍ଭାଳ ।

ମୁଁ ଆଉ ନିଜକୁ ସମ୍ଭାଳିବା ଅବସ୍ଥାରେ ନ ଥିଲି । ଏକଥା କହା ଆଗରେ ପ୍ରକାଶ ନ କରି ମୁଁ ନିଜକୁ ନିଜେ ଆୟତ୍ତ ନେଇ ବାଲିଛତୁକୁ କଥା ଦେଲି – ତୁମ ମନସ୍କାମନା ପୂର୍ଣ୍ଣ ହେବ । ୨୦ ରୁ ୨୧ ଟି ଓଡ଼ିଆ ଘରର ହଜିଯାଉଥିବା ପାରମ୍ପାରିକ ଖାଦ୍ୟ ତାଲିକାରେ ତୁମ ନାମ ଯୋଡ଼ି ରାଜ୍ୟପାଳଙ୍କୁ ପରସା ଯିବ ।

ମୁଁ ତାକୁ ସଯତ୍ନେ ତୋଳି ଆଣି କଦଳୀ ପତ୍ରରେ ସଜାଇ ରଖିଲା ବେଳେ କନକଲତା ଆଗ୍ରହ ସହ ପଚାରିଲା – ଏ ଖାସ୍ ଜିନିଷ ପାଇଲ କେଉଁଠୁ ?

ମୁଁ ତାକୁ କିଛି କହିବା ପୂର୍ବରୁ ପୁଣି ମୋବାଇଲ ରିଂ ହେଲା । ଅତିରିକ୍ତ ଜିଲ୍ଲାପାଳ ଫୋନ କରି କହିଲେ – ଆପଣଙ୍କ କୋଶମ୍ବ ନଗର ଓ ଦୁବଲାଗଡ଼କୁ ରାଜ୍ୟପାଳ ଯିବାର ପ୍ରୋଗ୍ରାମ କାୟେମ ରହିଲା । ଆପଣମାନେ କାମରେ ଲାଗି ପଡ଼ନ୍ତୁ ।

ମୁଁ ନିରାଶା ଓ ଆଶାର ସନ୍ଧିକ୍ଷଣରେ ସ୍ଥିତପ୍ରଜ୍ଞ ମୁଦ୍ରାରେ ବାଲିଛତୁକୁ ଅନେଇବାରୁ ବାଲିଛତୁ ମୁରୁକି ହସୁଥିବାର ଅନୁଭବ କରୁଥିଲି ।
ଆହୁରି ଅନୁଭବ କଲି – ବାଲିଛତୁ ବରା ଥାଳିରେ ଥାଇ ରାଜ୍ୟପାଳଙ୍କୁ ସୂଚେଇ ଦେବ ଯେ ଏଥର ଆମ ବାଲେଶ୍ବରର ଯୁଗାନ୍ତକାରୀ ଗବେଷକ ଓ ମହାନ ସମାଜସେବୀ ପ୍ରଫେସର ଅଦ୍ବୈତ ଚରଣ ପାତ୍ରକୁ ଭାରତ ସରକାରଙ୍କ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମ ପୁରଷ୍କାରରେ ପୁରଷ୍କୃତ କରିବା ପାଇଁ ।

ଶିଳ୍ପୀ କେଶୁଦାସ

Leave A Reply

Your email address will not be published.