କିନ୍ତୁ ରାଧାନାଥ ନାମ ମର୍ତ୍ତ୍ୟରେ ଅମର

0

କବିବର ରାଧାନାଥଙ୍କୁ ସ୍ମରଣ

  • ଶ୍ରୀକାନ୍ତ ଦାଶ
  • // TATKAL ODISHA//

ମଧ୍ୟଯୁଗୀୟ ଓଡ଼ିଆ କାବ୍ୟସୁନ୍ଦରୀଙ୍କ ଲାସ୍ୟମୟୀ ଝଙ୍କାର ଯେଉଁ ସମୟରେ କ୍ରମଶଃ ନିଷ୍ପ୍ରଭ ହୋଇ ଆସୁଥିଲା, ଯେଉଁ ସମୟରେ ଉତ୍କଳର ଜନ ସମାଜରେ ସର୍ବବିଧ ବିଶୃଙ୍ଖଳା ଦେଖା ଦେଇଥିଲା, ପଡୋଶୀ ଅଣଓଡ଼ିଆଙ୍କ ଦ୍ୱାରା ଓଡ଼ିଆ ଭାଷା ଓ ସାହିତ୍ୟର ବିଲୋପ ସାଧନ ପାଇଁ ଚକ୍ରାନ୍ତ ଚାଲିଥିଲା ଏବଂ ଓଡ଼ିଆ ପ୍ରଦେଶକୁ ଖଣ୍ଡ ବିଖଣ୍ଡିତ  କରି ଏହାର ଅସ୍ତିତ୍ୱ ଲୋପ କରିଦେବାର ଅପଚେଷ୍ଟା ଚାଲିଥିଲା, ସେହି ସମୟରେ ଯୁଗପ୍ରବର୍ତ୍ତକ ରାଧାନାଥଙ୍କର ଆବିର୍ଭାବ ହୋଇଥିଲା |

କବିବର 1848 ମସିହା ସେପ୍ଟେମ୍ବର 28ତାରିଖରେ ବାଲେଶ୍ୱର ଜିଲ୍ଲାର କେଦାରପୁର ଗ୍ରାମର ଜନ୍ମ ଗ୍ରହଣ କରିଥିଲେ |ତାଙ୍କ ପିତାଙ୍କ ନାମ ସୁନ୍ଦରନାରାୟଣ ରାୟ ଓ ମାତାଙ୍କ ନାମ ତାରିଣୀ ଦେବୀ ଥିଲା | ସେ ଶୈଶବରୁ ମାତାଙ୍କୁ ହରାଇଥିଲେ ଓ ପିତାଙ୍କ ଦ୍ୱାରା ପାଳିତ ହୋଇଥିଲେ | ସେ ପିଲାଦିନୁ ରୁଗ୍ଣ ଥିଲେ ହେଁ ତାଙ୍କର ଧି ଶକ୍ତି ପ୍ରଖର ଥିଲା |

ରୁଗ୍ଣ ସ୍ୱାସ୍ଥ୍ୟ ଯୋଗୁଁ ସେ କଲିକତା ଯାଇ ଉଚ୍ଚ ଶିକ୍ଷା ପାଇ ପାରି ନ ଥିଲେ | ତେଵେ ପ୍ରାଥମିକ ଶିକ୍ଷା ପରେ ସେ କଲିକତା ବିଶ୍ୱବିଦ୍ୟାଳୟରୁ କୃତିତ୍ୱର ସହିତ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ ହୋଇ ଶିକ୍ଷକ ଭାବେ ନିଯୁକ୍ତି ପାଇଥିଲେ | ପୁରୀ, ବାଲେଶ୍ୱର, ବାଙ୍କୁଡା ଆଦି ସ୍ଥାନରେ ଶିକ୍ଷକତା କରି ପରେ ଡେପୁଟି inspector, joint inspector ଓ 1892ରେ inspector ପଦକୁ ଉନ୍ନୀତ ହୋଇଥିଲେ |

ତାଙ୍କ ପ୍ରତିଭାକୁ ସମ୍ମାନ ଦେଇ ଇଂରେଜ ସରକାର ତାଙ୍କୁ ରାୟ ବହାଦୁର ଉପାଧି ପ୍ରଦାନ କରିଥିଲେ | ମଧୁସୂଦନ ରାଓ ତାଙ୍କର ଛାତ୍ର ଥିଲେ | ତାଙ୍କର ମଧ୍ୟ ବ୍ୟାସକବି ଫକୀର ମୋହନଙ୍କ ସହିତ ଘନିଷ୍ଠତା ରହିଥିଲା | ରାଧାନାଥ, ମଧୁସୂଦନ ଓ ଫକୀରମୋହନଙ୍କ ମିଳନ ଓଡ଼ିଆ ସାହିତ୍ୟ ଜଗତରେ ନୂତନ ଯୁଗ ଆରମ୍ଭ କରିଥିଲା |

ବଙ୍ଗୀୟ ଶିକ୍ଷାବିତ ଭୁଦେବ ମୁଖୋପାଧ୍ୟାୟ 1869ମେ ମାସ 23 ତାରିଖରେ ପ୍ରକାଶିତ ଏଜୁକେସନ ଗେଜେଟରେ ଯେଉଁ କବିତା ଲେଖିଥିଲେ ତାର ଗୋଟିଏ ପଦ ଉଦ୍ଧାର କରୁଛି..
ରାଧାନାଥ ଓଡ଼ିଶାର ଗୌରବ କେତନ,
ଉଦାର ବିନୀତକାର ସୁବୋଧ ସୁଜନ,
ନାନା ଭାଷା ବିଭୂଷିତ,
ନାନା ଶାସ୍ତ୍ର ସୁପଣ୍ଡିତ,
କବିତା କାନନେ ପିକବର ପ୍ରିୟବର,
ସ୍ବର୍ଗୀୟ ସ୍ଵଭାବେ ପୁତ
ତୋମାର ଅନ୍ତର |”

ପ୍ରକୃତରେ ଭୁଦେବ ବାବୁଙ୍କ କଥନ ସତ୍ୟ | ସେ ଥିଲେ ଓଡ଼ିଶାର ସାରସ୍ୱତ ଜଗତର ଗୌରବ କେତନ |
ଉତ୍କଳର ବାଣୀଭଣ୍ଡାରକୁ ରାଧାନାଥଙ୍କର ଅବଦାନ ହେଉଛି :-

  • କେଦାରଗୌରୀ”,’ଚନ୍ଦ୍ରଭାଗା’, ‘ନନ୍ଦୀକେଶ୍ୱରୀ’, ଉଷା’, ପାର୍ବତୀ’, ଯଯାତି କେଶରୀ ‘, ଚିଲିକା ‘, ମହାଯାତ୍ରା ‘, ଉର୍ବଶୀ ‘, ଦରବାର ‘, ତୁଳସୀ ସ୍ତବକ ‘, ମେଘଦୂତ ‘, ଇତ୍ୟାଦି | ତାଙ୍କର ଗଦ୍ୟ ରଚନାଭିତରେ ରହିଛି :-‘ଵିଵେକୀ ‘, ଇତାଲିୟ ଯୁବା'(ପ୍ରବନ୍ଧ) |”ଧବଳେଶ୍ୱର ସ୍ତୋତ୍ର°”, ‘କାଳିକା ସ୍ତୁତି ‘, ଭାରତଗୀତିକା ‘, ତଥା ‘ସତ୍ୟବାଦୀ ‘, ପ୍ରଭୃତି ସଂସ୍କୃତ ଗୀତିକା କବିଙ୍କର ଉଚ୍ଚକୋଟିର ସଂସ୍କୃତ ଜ୍ଞାନର ପରିଚୟ ଦିଏ |

1908 ମସିହା ଏପ୍ରିଲ 17ରେ ରାଧାନାଥଙ୍କର ମହାପ୍ରୟାଣ ହୋଇଥିଲା | ମାଟିର ଦେହ ମାଟିରେ ମିଶିଗଲା ସତ ସେ କିନ୍ତୁ କାଳଜୟୀ ସାହିତ୍ୟ ମାଧ୍ୟମରେ ଅମର ହୋଇ ରହିଗଲେ |

ବାମଣ୍ଡାର ତତ୍କାଳୀନ ସାହିତ୍ୟ ପ୍ରେମୀ ଗୁଣଗ୍ରାହୀ ନରପତି ସଚ୍ଚିଦାନନ୍ଦ ତ୍ରିଭୁବନ ଦେବ କବିଙ୍କର ସ୍ମୃତି ରକ୍ଷା ନିମିତ୍ତ ଏକ ପ୍ରସ୍ତର ବେଦିକା ନିର୍ମାଣ କରାଇ ତହିଁରେ ଏକ ପ୍ରସ୍ତର ଫଳକରେ ଖୋଦନ କରେଇଥିଲେ :-
“କିନ୍ତୁ ରାଧାନାଥ ନାମ ମର୍ତ୍ତ୍ୟରେ ଅମର,
ରଖିଯାଇଅଛି ଯେଉଁ ଅକ୍ଷୟ କିରତି, ବିଲୁପ୍ତ ନ ହେବ ଯାବଚ୍ଚନ୍ଦ୍ରାର୍କ ମେଦିନୀ “
ଏହି ପ୍ରତିଭାଧରଙ୍କ ଉଦ୍ଦେଶ୍ୟରେ ଓଡ଼ିଆ ଜାତୀୟ ସମ୍ମିଳନୀ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି 🙏

  • ଶ୍ରୀକାନ୍ତ ଦାଶ,
  • ସାଧାରଣ ସମ୍ପାଦକ, ଓଡ଼ିଆ ଜାତୀୟ ସମ୍ମିଳନୀ ଓ ସଭାପତି, ଅବି
    ଦୂରଭାଷ :9238304919

Leave A Reply

Your email address will not be published.