କିଟ୍ ଓ କିସରେ ଦେଶର ପ୍ରଥମ “ଚେସ ଏକାଡେମୀ”

0
  • ସାମନ୍ତ କହିଲେ, ଏକ ଐତିହାସିକ ସଫଳତା


ଭୁବନେଶ୍ୱର//TATKAL ODISHA//


 କିଟ୍‍ ଓ କିସରେ ଦେଶରେ  ପ୍ରଥମ ପୂର୍ଣ୍ଣକାଳୀନ ଆବାସିକ ଚେସ୍‍ ଆକାଡେମି ପ୍ରତିଷ୍ଠା ହେବ । ଗୁରୁବାର ରାଜସ୍ଥାନର ଜୟପୁରଠାରେ ଅନୁଷ୍ଠିତ ସର୍ବଭାରତୀୟ ଚେସ୍‍ ସଂଘ (ଅଲ୍‍ ଇଣ୍ଡିଆ ଚେସ୍‍ ଫେଡେରେସନ୍‍)ର କେନ୍ଦ୍ରୀୟ ପରିଷଦ ଏବଂ ସାଧାରଣ ପରିଷଦ ବୈଠକରେ ଦେଶର ଏକମାତ୍ର ତଥା ପ୍ରଥମ ଚେସ୍‍ ଏକାଡେମି ପ୍ରତିଷ୍ଠା କରାଯିବା ନେଇ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି ବୋଲି ସର୍ବଭାରତୀୟ ଚେସ୍‍ ସଂଘର ସଭାପତି ସଞ୍ଜୟ କପୁର, ସମ୍ପାଦକ ଭରତ ସିଂହ ଚୌହାନ ପ୍ରକାଶ କରିଛନ୍ତି ।
   ପ୍ରଥମ ପର୍ଯ୍ୟାୟରେ ଏଠାରେ ଶହେ ଜଣ ଛାତ୍ରଛାତ୍ରୀଙ୍କୁ ଗ୍ରହଣ କରାଯିବ । ସେମାନେ ସମ୍ପୂର୍ଣ୍ଣ ଆବାସିକ ଭାବେ ଏଠାରେ ରହି ଶିକ୍ଷା ଗ୍ରହଣ ସହ ଚେସ୍‍ ତାଲିମ୍‍ ନେଇ ଭବିଷ୍ୟତରେ ମାଷ୍ଟର ଓ ଗ୍ରାଣ୍ଡମାଷ୍ଟର ହେବେ ।

   ୨୦୦୯ରୁ କିଟ୍‍ ଓ କିସ୍‍ ଚେସ୍‍କୁ ପ୍ରୋତ୍ସାହନ ଯୋଗାଇ ଦେଇଆସୁଛି । କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ତୃଣମୂଳସ୍ତରରୁ ଚେସ୍‍କୁ ପ୍ରୋତ୍ସାହିତ କରିଆସୁଛନ୍ତି । ଶ୍ରୀ ସାମନ୍ତ ଚେସ୍‍ ଖେଳ ଓ ଖେଳାଳିଙ୍କ ଉନ୍ନତି ପାଇଁ ଆର୍ଥିକ ସହାୟତାଠାରୁ ଆରମ୍ଭ କରି ସମସ୍ତ ପ୍ରକାର ପ୍ରୋତ୍ସାହନ ଯୋଗାଇ ଦେଇ ଆସୁଛନ୍ତି ।


ଓଡ଼ିଶାର ଜଣେ ଚେସ୍‍ ଖେଳାଳିଙ୍କ ପାଇଁ ଦୀର୍ଘ ଦୁଇ ବର୍ଷ ମଧ୍ୟରେ ପ୍ରାୟ ୨୬ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବା ଯୋଗୁଁ ଇତି ମଧ୍ୟରେ ସେ ବିଶ୍ୱସ୍ତରରେ ଭଲ ପ୍ରଦର୍ଶନ କରି ଗ୍ରାଣ୍ଡମାଷ୍ଟର ହୋଇପାରିଛନ୍ତି । କିଟ୍‍ ଓ କିସ୍‍ରେ ଦୀର୍ଘ ୧୨ବର୍ଷ ଧରି ବିଭିନ୍ନ ଆଞ୍ଚଳିକସ୍ତରଠାରୁ ଅନ୍ତର୍ଜାତୀୟସ୍ତରର ଚେସ୍‍ ପ୍ରତିଯୋଗିତା ଆୟୋଜନ କରିଆସୁଛି ।
ପ୍ରତିବର୍ଷ କିଟ୍‍ ଓ କିସ୍‍ରେ ସ୍କୁଲ୍‍ ଚେସ୍‍ଠାରୁ ଆରମ୍ଭ କରି କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ଚେସ୍‍ ଫେଷ୍ଟିଭଲ, ମହିଳା ଚେସ୍‍, ନ୍ୟାସ୍‍ନାଲ୍‍ ପ୍ରିମିୟର ଚେସ୍‍ ଚାମ୍ପିଅନ୍‍ସିପ୍‍, ଗ୍ରାଣ୍ଡ ମାଷ୍ଟର କୋଚିଂ କ୍ୟାମ୍ପ, ନ୍ୟାସ୍‍ନାଲ୍‍ ଓପନ୍‍ ରାପିଡ୍‍ ଚେସ୍‍, ନ୍ୟାସ୍‍ନାଲ୍‍ ଓପନ୍‍ ବ୍ଲିଜ୍‍ ଚେସ୍‍୍‍, ନ୍ୟାସ୍‍ନାଲ୍‍ ଆର୍ବିଟର କନ୍‍ଫରେନ୍‍ସ, ବିଶ୍ୱ କନିଷ୍ଠ ଚେସ୍‍, ଏସିଆନ୍‍ ସିଟିଜ୍‍ ଚେସ୍‍, ଫାଇଡ୍‍ ଟ୍ରେନର୍‍ସ ସେମିନାର ଆଦି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଆସୁଛି । ଏହା ଦ୍ୱାରା କିଟ୍‍ ଭାରତୀୟ ଚେସ୍‍କୁ ଆନ୍ତର୍ଜାତିକସ୍ତରରେ ପହଞ୍ଚାଇ ପାରିଛି । ଏହା ସହିତ କିଟ୍‍ ଓ କିସରେ  ପ୍ରଥମ ଥର ଲାଗି ୨୦୧୧ରେ ସ୍କୁଲ୍‍ ଚେସ୍‍ ଖୋଲାଯାଇ ପିଲାଙ୍କୁ ଚେସ୍‍ ଶିକ୍ଷା ପ୍ରଦାନ କରାଯାଉଛି ।

ଏହି ଅବସରରେ ନିଜର ଖୁସି ବ୍ୟକ୍ତ କରି ଶ୍ରୀ ସାମନ୍ତ କହିଛନ୍ତି ଓଡ଼ିଶାରେ ଚେସ୍‍ ଏକାଡେମି ହେବା ନିଶ୍ଚିତ ଭାବେ ଏକ ଐତିହାସିକ ସଫଳତା । କିଟ୍‍ ଓ କିସ୍‍ରେ ଚେସ୍‍ ଏକାଡେମି ହେବା ପାଇଁ ନିଷ୍ପତ୍ତି ହେବା ପରେ ଶ୍ରୀ ସାମନ୍ତ ସର୍ବଭାରତୀୟ ଚେସ୍‍ ସଂଘର ସଭାପତି ସଞ୍ଜୟ କପୁର, ସମ୍ପାଦକ ଭରତ ସିଂହ ଚୌହାନଙ୍କୁ କୃତଜ୍ଞତା ଜଣାଇବା ସହ ଓଡ଼ିଶା ଚେସ୍‍ ଆସୋସିଏସନ୍‍ର ସଭାପତି ତଥା ଏଆଇସିଏଫ୍‍ ନବନିର୍ବାଚିତ ଯୁଗ୍ମ ସମ୍ପାଦକ ରଞ୍ଜନ ମହାନ୍ତି, ସମ୍ପାଦକ ଦେବବ୍ରତ ଭଟ୍ଟ ଓ ଆଇଏମ୍‍ ଶେଖର ସାହୁଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।
ଶ୍ରୀ ସାମନ୍ତ ନିଜ ପ୍ରତିକ୍ରୟାରେ କହିଛନ୍ତି, ଓଡ଼ିଶା ଚେସ୍‍ ଆସୋସିଏସନ୍‍ର ସହଯୋଗ ପାଇଁ ଓଡ଼ିଶାରେ ଚେସ୍‍ର ବହୁଳ ପ୍ରସାର ହେବା ସହ କିଟ୍‍ ଓ କିସ୍‍ରେ ଚେସ୍‍ ଏକାଡେମି ପ୍ରତିଷ୍ଠା ହେବା ସମ୍ଭବ ହୋଇପାରିଛି । ଚେସ୍‍ର ପ୍ରସାର ଓ ପ୍ରସାର ପାଇଁ ନିଜସ୍ୱ ଖର୍ଚ୍ଚରେ ଦୀର୍ଘ ୧୨ ବର୍ଷ ହେଲା କିଟ୍‍ ଓ କିସ୍‍ ପକ୍ଷରୁ ବହୁ ଉଦ୍ୟମ କରାଯାଇଛି । ଆଜି ଏହି ପରିଶ୍ରମର ସ୍ୱୀକୃତି ମିଳିଛି ବୋଲି ଶ୍ରୀ ସାମନ୍ତ କହିଛନ୍ତି ।

Leave A Reply

Your email address will not be published.