କିଏ ସେ ଶାମ୍ବ? ଦଶମୀ ବ୍ରତ କାହିଁକି ପାଳନ ହୁଏ?
- *********
- ଶ୍ରୀକାନ୍ତ ଦାଶ
- **********
ଓଡ଼ିଆ ପର୍ବ ଭାବରେ ଶାମ୍ବ ଦଶମୀର ଯଥେଷ୍ଟ ଗୁରୁତ୍ୱ ରହିଛି | ଏହାକୁ ଓଡ଼ିଆ ହିନ୍ଦୁ ପରିବାରରେ ଖୁବ ଖୁସିରେ ପାଳନ କରାଯାଏ | ପୌଷ ମାସ ଶୁକ୍ଳ ପକ୍ଷ ଦଶମୀରେ ଏହାକୁ ପାଳନ କରାଯାଏ |
ପୁରାଣ କାହାଣୀ ଅନୁସାରେ ଶାମ୍ବ ହେଉଛନ୍ତି ଶ୍ରୀକୃଷ୍ଣ ଓ ଜାମ୍ବବତୀଙ୍କ ପୁତ୍ର | ସେ ଖୁବ ସୁନ୍ଦର ଥିଲେ |ତାଙ୍କ ସୌନ୍ଦର୍ଯ୍ୟକୁ ନେଇ ସେ ଖୁବ ଅଭିମାନୀ ଥିଲେ | ଆଉ ସେ ଥିଲେ ଏକ ଜିଦିଆ, ଦୁଷ୍ଟାମୀ ପ୍ରିୟ | ସେ ସାଙ୍ଗମାନଙ୍କ ସହ ମିଶି ମଉଜ ମସ୍ତି କଲାବେଳେ ହିତାହିତ ଜ୍ଞାନ ଭୁଲି ଯାଇ ଗୁରୁଜନମାନଙ୍କ ଅସମ୍ମାନ ବି କରୁଥିଲେ | ତାଙ୍କର ଏ ସବୁ ଗୁଣକୁ ଲକ୍ଷ କରି ମହାମୁନି ନାରଦ ତାଙ୍କୁ ନାରୀବେଶରେ ଋଷି ଦୁର୍ବାସାଙ୍କୁ ଥଟ୍ଟା କରିବାକୁ ପ୍ରବର୍ତ୍ତେଇଲେ |
ଶାମ୍ବ ନାରିବେଶ ହୋଇ ଅଣ୍ଟିରେ ଏକ ମୁଷଳ ରଖି ସାଙ୍ଗ ମାନଙ୍କ ସହ ଦୁର୍ବାସା ଋଷିଙ୍କୁ ଦେଖି ପଚାରିଲେ “ମୋ ଗର୍ଭର ସନ୍ତାନ କେବେ ଜନ୍ମ ନେବ? ଆଉ ତାର ଭବିଷ୍ୟତ କିପରି ହେବ?”
ଦିବ୍ୟ ଦ୍ରଷ୍ଟା ରୁଷି ପିଲାମାନଙ୍କ ଥଟ୍ଟା ବୁଝି କହିଲେ, “ଏହା ଗର୍ଭର ସନ୍ତାନ ଶୀଘ୍ର ଜନ୍ମ ହେବ ଓ ଯଦୁବଂଶର ଧ୍ବଂସର କାରଣ ହେବ “ଏଥିରେ ସେମାନେ ଡରିଗଲେ ଓ କୃଷ୍ଣଙ୍କ ପାଖରେ ପହଞ୍ଚି ସବୁ କଥା ଜଣେଇଲେ |ଆଗରୁ ଶାମ୍ବଙ୍କ ଉପରେ କୃଷ୍ଣ ବିରକ୍ତ ହୋଇଥିଲେ |କାରଣ ସେ ଲୁଚିକରି ସାବତ ମା’ମାନଙ୍କ ପାଇଁ ଉଦ୍ଦିଷ୍ଟ ଗାଧୁଆ ପୋଖରୀକୁ ଯାଇ ଗାଧୁଆ ଦୃଶ୍ୟ ଦେଖି ଆନନ୍ଦ ଉପଭୋଗ କରୁଥିଲେ |ଏଣୁ କୃଷ୍ଣ ଶାମ୍ବଙ୍କ କଥା ଶୁଣି ପୁର୍ବରାଗକୁ ମନେ ପକାଇ ଶାମ୍ବଙ୍କୁ କୁଷ୍ଠ ରୋଗରେ ଆକ୍ରାନ୍ତ ହେବାକୁ ଅଭିଶାପ ଦେଲେ | ଶାମ୍ବ ପିତା କୃଷ୍ଣଙ୍କ ଆଗରେ କୃତକର୍ମ ପାଇଁ ଅନୁତାପ କରିବା ସହିତ ଅଭିଶାପ ମୁକ୍ତ ପାଇଁ ପ୍ରାର୍ଥନା କଲେ |ଆଉ ମଧ୍ୟ ନାରଦଙ୍କ ପାଇଁ ସେ ଦୁର୍ବାସାଙ୍କ ଅଭିଶାପ ପ୍ରାପ୍ତ ହେଲେ ବୋଲି କହିଲେ |କୃଷ୍ଣ ତାଙ୍କୁ ଚନ୍ଦ୍ରଭାଗାନଦୀ କୂଳରେ ସୂର୍ଯ୍ୟଦେବଙ୍କ ପୂଜା କରି ଅଭିଶାପ ମୁକ୍ତ ହେବାକୁ କହିଲେ |
ଶାମ୍ବ ବାରବର୍ଷ କାଳ କୋଣାର୍କ ଚନ୍ଦ୍ରଭାଗା ନଦୀକୂଳରେ ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ପାଇଁ କଠୋର ତପସ୍ୟା କଲେ ଓ ଶେଷରେ ସୂର୍ଯ୍ୟଦେବଙ୍କ ଆଶୀର୍ବାଦରୁ ରୋଗମୁକ୍ତ ହେଲେ |ଏଥିପାଇଁ ଏହା ସୂର୍ଯ୍ୟ ପୂଜା ନାମରେ ଖ୍ୟାତ |
ବାପା ମା’ ମାନେ ସେମାନଙ୍କ ପିଲାମାନଙ୍କ ନିରୋଗ ସ୍ୱାସ୍ଥ୍ୟ ଓ ଦୀର୍ଘ ଜୀବନ ପାଇଁ ଏହି ଦଶମୀରେ ସୂର୍ଯ୍ୟଦେବଙ୍କ ପୂଜା କରିଥାନ୍ତି |
ସୂର୍ଯ୍ୟ ଉଦୟ ପୁର୍ବରୁ ମହିଳାମାନେ ଶଯ୍ୟା ତ୍ୟାଗ କରି ଶୁଦ୍ଧପୁତ ହୋଇ ଖିଚିଡି ଓ ଭିଭିନ୍ନ ପରିବା ପକେଇ ଘଡଘଡିଆ ତରକାରୀ ପ୍ରସ୍ତୁତ କରି ଚଉରା ମୂଳେ ସୂର୍ଯ୍ୟଙ୍କୁ ଅର୍ପଣ କରନ୍ତି |ଆଉ ମଧ୍ୟ ପିଲାଙ୍କ ରୁଚି ଅନୁସାରେ ଖାଦ୍ୟ ପ୍ରସ୍ତୁତ କରି ସୂର୍ଯ୍ୟଙ୍କୁ ଅର୍ପଣ କରନ୍ତି |ଏଥି ମଧ୍ୟରେ ଥାଏ ବିରି ଲଡ଼ୁ, ଆରିସା, କାକରା, ମଣ୍ଡା,ଧନୁ ମୁଆଁ,ଇଟିଲି,ବରା,ଛେନାଗ ଜା, ରସଗୋଲା, ଆଳୁଚପ, ମକର ଚାଉଳ, ଝିଲ୍ଲୀ,ଚକୁଳି,ପୋଡପିଠା, କ୍ଷୀରି, ଖିଚିଡି..ଏମିତି ଅନେକ ଦ୍ରବ୍ୟ |
ମାଧ୍ୟାହ୍ନରେ ବଡ଼ପାତ୍ରରେ ପାତ୍ରରେ ହଳଦୀ ପାଣି ରଖି ପାନ ପତ୍ର ପକାଇ ରୋଷେଇ ହୋଇଥିବା ନୈବେଦ୍ୟ ଚଉରା ମୂଳେ ରଖି ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ ଅର୍ପଣ କରାଯାଏ |ହଳଦୀ ପାଣିରେ ସୂର୍ଯ୍ୟଙ୍କ ଦର୍ଶନ କରି ପିଲାମାନଙ୍କର ଓ ପରିବାର ସଦସ୍ୟଙ୍କ ନିରୋଗ ସ୍ୱାସ୍ଥ୍ୟ ଓ ଦୀର୍ଘ ଆୟୁ ପାଇଁ ପ୍ରାର୍ଥନା କରନ୍ତି |ଶାମ୍ବ ଦଶମୀ ବ୍ରତ କଥା ପଢିଥାନ୍ତି |
ସନ୍ଧ୍ୟାରେ ଶେଷ ପୂଜା ଅନୁଷ୍ଠିତ ହୁଏ |ଏହା ‘ମହାକାଳ ପୂଜା ‘ନାମରେ ଖ୍ୟାତ | ଏଥିରେ ଚଉରା ମୂଳେ ବୁଢ଼ା ଚକୁଳି ଭୋଗ ଲାଗିହୁଏ |ଏହିପରି ଭାବେ ଶାମ୍ବ ଦଶମୀ ପୂଜା ଆନନ୍ଦ ଉଲ୍ଲାସରେ ପାଳିତ ହୁଏ |
- ଶ୍ରୀକାନ୍ତ ଦାଶ, ସଭାପତି ‘ଅବି’ଓ ସାଧାରଣ ସମ୍ପାଦକ, ଓଡ଼ିଆ ଜାତୀୟ ସମ୍ମିଳନୀ |
E-mail srikantadash. bpc@gmail.com