କାହିଁକି ରାକ୍ଷୀ ପୂର୍ଣ୍ଣିମା? ଜାଣନ୍ତୁ କାରଣ..
- ବିଶ୍ୱାସ,ଭରସା ଓ ଭଲ ପାଇବାର ପର୍ବ -ରକ୍ଷାବନ୍ଧନ
- ***********
- ଶ୍ରୀକାନ୍ତ ଦାଶ
- ***********
- //TATKAL ODISHA//
ମଣିଷ ଜୀଵନ ଜଞ୍ଜାଳମୟ | ଏଥିରୁ ମୁକ୍ତି ପାଇଁ ଆବହମାନ କାଳରୁ ସମାଜରେ ଅନେକ ପର୍ବ ପର୍ବାଣୀ ଓ ଉତ୍ସବର ବ୍ୟବସ୍ଥା କରାଯାଇଛି | ଏସବୁ କର୍ମମୟ ଜୀବନରେ ଆନନ୍ଦର ସୁଯୋଗ ଦିଏ ଓ ମଣିଷ ମନରେ ନୂଆ ଉତ୍ସାହ ଭରିଦିଏ |ଏସବୁ ପାର୍ବମାନଙ୍କ ମଧ୍ୟରୁ ଅନେକ ଜାତୀୟ ମର୍ଯ୍ୟାଦା ସମ୍ପର୍ଣ୍ଣ ହୋଇଥିବା ବେଳେ ଆହୁରି ଅନେକ ଆଞ୍ଚଳିକ ସ୍ତରରେ ପାଳିତ ହୋଇଥାଏ |
ଗହ୍ମାପୁର୍ଣିମା ବା ରାକ୍ଷୀ ପୂର୍ଣ୍ଣିମା ଏଭଳି ଏକ ପର୍ବ ଯାହାର ରାଷ୍ଟ୍ରୀୟ ଓ ରାଜ୍ୟସ୍ତରୀୟ ମର୍ଯ୍ୟାଦା ରହିଛି |ଏହାକୁ ବଳଭଦ୍ର ଜନ୍ମ ନାମରେ ମଧ୍ୟ ଶ୍ରାବଣ ପୂର୍ଣ୍ଣିମାରେ ଏହା ପାଳନ କରାଯାଏ |
ଆମର କୃଷିଭିତ୍ତିକ ଅର୍ଥନୀତିରେ ଗୋ ମାତା ଓ ବଳଦର ଭୂମିକା ଗୁରୁତ୍ୱପୂର୍ଣ୍ଣ |ବିଶେଷକରି ପଶୁ ସମ୍ପଦର ବୃଦ୍ଧି ଓ ସୁରକ୍ଷା ଜରୁରୀ |ଏଣୁ ବଳଭଦ୍ର ଜନ୍ମ ପାଳନ କରି କୃଷି କ୍ଷେତ୍ରରେ ଗୋ ସମ୍ପଦର ଭୂମିକାକୁ ନିଶ୍ଚିତ କରାଯାଏ |ଏହିଦିନ ଗାଇ ଗୋରୁଙ୍କୁ ସ୍ନାନକରାଯାଇ ସେମାନଙ୍କୁ ପୂଜା କରାଯାଏ ଓ ବିଭିନ୍ନ ଖାଦ୍ୟ ସେମାନଙ୍କୁ ଖାଇବାକୁ ଦିଆଯାଏ |
ଏହିଦିନ ସାରା ଦେଶରେ ରକ୍ଷା ବନ୍ଧନ ପାଳନ କରାଯାଏ |
ରକ୍ଷା ବନ୍ଧନ ହିନ୍ଦୁ ସଂସ୍କୃତିର ଅନ୍ୟ ଏକ ସୁନ୍ଦର ପର୍ବ | ଏହା ସ୍ନେହ, ପ୍ରେମ, ସଦିଛା, ବିଶ୍ୱାସ ଓ ଭରସାର ପର୍ବ ଭାବେ ସବୁ ଶ୍ରେଣୀର ଲୋକଙ୍କ ଦ୍ୱାରା ଆଦୃତ |
ଏ ପର୍ବରେ ସାଧାରଣତଃ ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧି ତାର ସୁସ୍ଥ ନିରାମୟ ଜୀଵନ କାମନା କରିଥାଏ ଓ ପ୍ରତି ବଦଳରେ ଭାଇ ଭଉଣୀକୁ ବିପଦ ଆପଦରେ ସୁରକ୍ଷା ଦେବାକୁ ଅଙ୍ଗିକାର କରେ |ଆଉ ଭଉଣୀକୁ ଭାଇ ଉପହାର ମଧ୍ୟ ଦେଇଥାଏ |
ଏ ସୁନ୍ଦର ପ୍ରଥା ଆଜିର ନୁହେଁ,ଏହା ପଛରେ ଅନେକ କାହାଣୀ ରହିଛି | ସେ ବିଷୟରେ ସମ୍ୟକ ଆଲୋଚନା କରିବା ପରେ ଆଜିର ଦିନରେ ରାକ୍ଷୀ ପର୍ବ ପାଳନ ଉପରେ ଆଲୋଚନା କରିବା |
- ମହାଭାରତ କଥା ଅନୁସାରେ ଶ୍ରୀକୃଷ୍ଣଙ୍କ ଆଙ୍ଗୁଠି କ୍ଷତରୁ ରକ୍ତ ବହିବା ଦେଖି ଦ୍ରୌପଦୀ ତାଙ୍କ ଶାଢ଼ୀ କାନିଚିରି ବାନ୍ଧି ଦେଇଥିଲେ | ଆଉ କୃଷ୍ଣ ତାଙ୍କୁ ବିପଦଆପଦରେ ସୁରକ୍ଷା ଦେବାକୁ ପ୍ରତିଶୃତି ଦେଇଥିଲେ | ଧୃତରାଷ୍ଟ୍ରଙ୍କ ସଭାରେ ସମସ୍ତଙ୍କ ସମ୍ମୁଖରେ ଦ୍ରୌପଦୀଙ୍କୁ ଦୁଃଶାସନ ନିର୍ବସନା କଲା ବେଳେ ଦ୍ରୌପଦୀ ବିକଳ ହୋଇ ଶ୍ରୀକୃଷ୍ଣଙ୍କୁ ସ୍ମରଣ କରନ୍ତେ ତାଙ୍କ ଶାଢ଼ୀର ଲମ୍ବା ବଢ଼ି ଚାଲିଲା ଓ ଦୁଷ୍ଟ ଦୁଃଶାସନ ତାଙ୍କୁ ବସ୍ତ୍ରହୀନା କରିବାରେ ଅସଫଳ ହେଲା |କୃଷ୍ଣ ଓ କୃଷ୍ଣା ଭାଇ ଭଉଣୀଙ୍କ କଥା ଯୁଗ ଯୁଗ ପାଇଁ ରହିଗଲା |
ମେୱାରର ବିଧବା ରାଣୀ କର୍ଣ୍ଣାବତି ମୋଗଲ ସମ୍ରାଟ ହୁମାୟୁନଙ୍କୁ ରାକ୍ଷୀ ପଠେଇ ଗୁଜୁରାଟ ଶାସକ ବହାଦୁର ସାହାଙ୍କ ଠାରୁ ସୁରକ୍ଷା ମାଗିଥିଲେ | ହୁମାୟୁନ ସେତେବେଳେ ଅନ୍ୟ ଏକ ଯୁଦ୍ଧ ଯାତ୍ରାରେ ଥିଲେ ବି ରାଣୀଙ୍କୁ ସାହାଯ୍ୟ ଦେବାକୁ ଯୁଦ୍ଧ ଯାତ୍ରାରୁ ଫେରି ଆସିଲେ |ରାଣୀଙ୍କ ପାଖରେ ଠିକ ସମୟରେ ପହଞ୍ଚି ନ ପାରିବା ଯୋଗୁଁ ରାଣୀ ବହାଦୁର ସାହା ଙ୍କ ଠାରୁ ନିଜ ସମ୍ମାନ ରଖିବାକୁ ଯାଇ ଅଗ୍ନିରେ ଝାସ ଦେଇଦେଲେ | ଅବଶ୍ୟ ହୁମାୟୁନ ସୈନ୍ୟ ନେଇ ବହାଦୁରଙ୍କୁ ପରାସ୍ତ କରି ରାଣୀଙ୍କ ପୁତ୍ର ବିକ୍ରମଜିତ ହାତରେ ରାଜ୍ୟ ଅର୍ପଣ କରି ରାଣୀଙ୍କର ସମ୍ମାନ ରଖିଥିଲେ ଓ ଜଣେ ଭାଇର କର୍ତ୍ତବ୍ୟ କରିଥିଲେ | ଅନ୍ୟ ଏଜ ପୁରାଣ କାହାଣୀ ଅନୁସାରେ ଦାନବୀର ବଳିଙ୍କୁ ପାତାଳକୁ ଚାପିବା ପୂର୍ବରୁ ବିଷ୍ଣୁ ତାଙ୍କୁ ବର ମାଗିବାକୁ କହିଥିଲେ | ବଳି ବର ମାଗିବା ଛଳରେ ବିଷ୍ଣୁ ତାଙ୍କର ପାତାଳ ରାଜ୍ୟରେ ଦ୍ୱାରପାଳ ହୁଅନ୍ତୁ ବୋଲି ଅନୁରୋଧ କରିଥିଲେ, ଓ ବିଷ୍ଣୁ ତାହା ସ୍ୱୀକାର କରିଥିଲେ | ମା ଲକ୍ଷ୍ମୀ ବୈକୁଣ୍ଠରେ ବିଷ୍ଣୁଙ୍କୁ ନ ପାଇ ସାଧାରଣ ନାରୀ ରୂପେ ପାତାଳକୁ ଆସି ମହାରାଜ ବଳିଙ୍କ ପରିଚାରିକା ରୂପେ ରହିଲେ | ଶ୍ରାବଣ ପୂର୍ଣମୀରେ ବଳିଙ୍କ ହାତରେ ରାକ୍ଷୀ ବାନ୍ଧି ଭଉଣୀର କର୍ତ୍ତବ୍ୟ କଲେ |ଏଥିରେ ପ୍ରୀତ ବଳି ତାଙ୍କୁ ବର ମାଗିବାକୁ କହିବାରୁ ସେ ଦ୍ୱାରପାଳଙ୍କୁ ମାଗିଲେ |ବୁଦ୍ଧିମାନ ବଳି ସବୁ ବୁଝିଗଲେ | ବିଷ୍ଣୁ ଓ ଲକ୍ଷ୍ମୀଙ୍କୁ ବୈକୁଣ୍ଠ ଯିବାକୁ ଅନୁମତି ଦେଲେ |ତେବେ ବିଷ୍ଣୁ ତାଙ୍କ ସହ ବର୍ଷରେ ଚାରିମାସ ରହିବେ ବୋଲି କଥା ଦେଇଥିଲେ |
ଏହିପରି ରାକ୍ଷୀକୁ ନେଇ ଅନେକ ରୋଚକ କାହାଣୀ ରହିଛି, ଯାହା ସ୍ନେହ, ପ୍ରେମ, ପ୍ରୀତି, ବିଶ୍ୱାସ ଉପରେ ଆଧାରିତ |
ଏବେ ସେ ସବୁ ବଦଳି ଗଲାଣି | ରାକ୍ଷୀ ଏବେ ବେପାର ବାଣିଜ୍ୟର ଚିଜ ହୋଇ ଯାଇଛି |
ଧରମ ଭାଇ ହାତରେ ଧରମ ଭଉଣୀ ରାକ୍ଷୀ ବାନ୍ଧି ଭଲ ରକମ ଉପହାର ଜବରଦସ୍ତ ମାଗି ନେଉଛି ଓ ବେସରମ ଭାବେ ସେଇ ଭାଇ ସହ ପାର୍କ, ହୋଟେଲରେ valentine day ପାଳନ କରୁଛି |ଭାଇ ଭଉଣୀର ପବିତ୍ର ସମ୍ପର୍କ ରେ କାଳିମା ବୋଳିବାରେ ସେମାନେ ଟିକେ ବି ଲଜ୍ଜା ବୋଧ କରୁନାହାନ୍ତି |ଏହି ରଙ୍ଗ, ଚରିତ୍ର ବଦଳାଉଥିବା ଯୁବକ ଓ ଯୁବତୀ ମାନେ ରକ୍ଷୀର ମହତ୍ତ୍ୱ ବୁଝି ନ ପାରି ପରିବାର ଓ ସମାଜ ପାଇଁ ଅନେକ ବିପଦ ସୃଷ୍ଟି କରନ୍ତି |
ପ୍ରଭୁ ଜଗନ୍ନାଥ ଓ ବଳଭଦ୍ରଙ୍କ ହାତରେ ଭଉଣୀ ସୁଭଦ୍ରା ରାକ୍ଷୀ ବାନ୍ଧନ୍ତି | ଆଉ ଭାଇମାନେ ଅଲିଅଳି ଭଉଣୀକୁ ନ’ଦିନ ଯାତ୍ରାରେ ନେଇଯା’ନ୍ତି |ଯାହା ରଥଯାତ୍ରା, ଘୋଷ ଯାତ୍ରା, ପତିତପାବନ ଯାତ୍ରା ବା ଗୁଣ୍ଡିଚା ଯାତ୍ରା ନାମରେ ଖ୍ୟାତ | ମା ଲକ୍ଷ୍ମୀ ଏଥିରେ କୁପିତା ହୁଅନ୍ତି, ପ୍ରଭୁ ରସଗୋଲା ଦେଇ ତାଙ୍କ ମାନ ଭାଙ୍ଗି ବଡ଼ ଦେଉଳକୁ ଭଉଣୀ, ଭାଇଙ୍କ ସହ ପ୍ରବେଶ କରନ୍ତି |ସେ ସଂସାରକୁ ଦେଖେଇ ଦିଅନ୍ତି ଭାଇ ଭଉଣୀ, ଭାଇ ଭାଇ, ଓ ପତି ପତ୍ନୀ ସମ୍ପର୍କ କିପରି ହେବା ଉଚିତ |
ସ୍ନେହ ସଦିଛାର ମୂଲ୍ୟାୟନ କରାଯାଏନି | ମାତ୍ର ଏବେ କେତେ ଟଙ୍କାରେ ରାକ୍ଷୀ କିଣା ଯାଉଛି, କେତେ ଟଙ୍କାର ଉପହାର ମିଳୁଛି, ତାର ହିସାବ ହେଉଛି, ଟିକେ ଓଲମ ବିଲୋମ ରେ ମହାଭାରତ ସୃଷ୍ଟି ହେଉଛି |
ଏହା ରକ୍ଷାବନ୍ଧନ ପର୍ବର ମହତ୍ତ୍ୱକୁ ନଷ୍ଟ କରୁଛି |
ତେବେ ପବିତ୍ର ପର୍ବକୁ ଅନେକ ବୁଝି ତାର ମର୍ଯ୍ୟାଦା ଅନୁଯାୟୀ ରାକ୍ଷୀବାନ୍ଧି ଭାଇ ଭଉଣୀର ପବିତ୍ର ସମ୍ପର୍କକୁ ବଜାୟ ରଖୁଛନ୍ତି |
ଏ ପର୍ବ ଉତ୍ତମ ରୂପେ ପାଳନ କଲେ ସଂସାର ବୈକୁଣ୍ଠ ପାଲଟି ଯିବ, ଏଥିରେ ସନ୍ଦେହ ନାହିଁ 🙏
- ଶ୍ରୀକାନ୍ତ ଦାଶ, ସଭାପତି AUBI, ଓ ସାଧାରଣ ସମ୍ପାଦକ, ଓଡ଼ିଆ ଜାତୀୟ ସମ୍ମିଳନୀ.
ଦୂରଭାଷ : 9238304919