ଝୁରୁଛି ଓଡ଼ିଶା : ଦିଗ୍ଗଜ ସ୍ୱରସାଧକ ପ୍ରଫୁଲ୍ଲ କର ‘ଅମର’

0

  • ଆରପାରିରେ ଓଡ଼ିଆ ସଂଗୀତ ଜଗତର ମଉଡମଣୀ 
  • ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ଶୋକ ପ୍ରକାଶ-
  • ସଂଗୀତପ୍ରେମୀଙ୍କ ମହଲରେ ଶୋକର ଛାୟା 

TATKAL ODISHA// ଶ୍ରଦ୍ଧାଞ୍ଜଳି//


‘ କମଳ ଦେଶ ରାଜକୁମାର
ମୋ ହାତରେ ପୁଷ୍ପ ଧନୁ,
ଲକ୍ଷେ ରାଜାର ମଉଡ଼ମଣି
ମୋ ନାମ ଚନ୍ଦ୍ରଭାନୁ…
ମୋ ନାମ ଚନ୍ଦ୍ରଭାନୁ…|”

ଓଡ଼ିଆ ସଂଗୀତ ଜଗତର
     ବର୍ଷୀୟାନ ଦିଗ୍ଗଜ ସ୍ୱରସାଧକ
             କମଳ ଦେଶର ରାଜକୁମାର
                       ପ୍ରଫୁଲ୍ଲ କରଙ୍କ ଦେହାନ୍ତରେ କେବଳ ଓଡ଼ିଶା ନୁହେଁ ସାରା ଦେଶରେ ଶୋକର ଛାୟା ଖେଳି ଯାଇଛି I ଝୁରୁଛି ଓଡ଼ିଶା I

କାହିଁକି ଏହି ଯାଦୁକରୀ ସ୍ୱରସାଧକ ପ୍ରଫୁଲ୍ଲ କର ‘ଅମର’? ଓଡ଼ିଆ ସଂଗୀତ ଜଗତକୁ ତାଙ୍କର ଅବଦାନ କଣ?

ସଂସାରର ସବୁ ମୋହ ମାୟା ତୁଟାଇ ସ୍ଵର୍ଗାରୋହଣ କରିଥିବା ସଂଗୀତ ଯାଦୁକର ପ୍ରଫୁଲ୍ଲ କରଙ୍କ ଅବଦାନ ବିଷୟରେ ନୂଆ ପୀଢ଼ି ଜାଣି ନ ଥାଇ ପାରନ୍ତି , ହେଲେ ଓଡ଼ିଆ ସଂଗୀତକୁ ତାଙ୍କର ଅବଦାନକୁ ଦେଖିଲେ ମଥା ନତ ହୋଇଯାଏ I 

ଭୁବନେଶ୍ୱରସ୍ଥ ସତ୍ୟନଗର ବାସଭବନରେ ପ୍ରଫୁଲ୍ଲ କର ୮୩ ବର୍ଷ ବୟସରେ ଆରପାରିକୁ ଚାଲିଯାଇଛନ୍ତି । ରବିବାର  ରାତି ପ୍ରାୟ ୧୦ ଟା ୨୦ ମିନିଟରେ ତାଙ୍କର ପରଲୋକ ହୋଇଯାଇଛି । ରାତି ୯ ଟା ପରେ ସେ ରାତ୍ରିଭୋଜନ କରିବା ପରେ ବିଶ୍ରାମ ନେଉଥିବା ବେଳେ ସେ ହଠାତ୍ ଅସୁସ୍ଥ ହୋଇପଡିଥିଲେ । ତାଙ୍କ ଅକ୍ସିଜେନ ସ୍ତର ହଠାତ୍ କମି ଯାଇଥିଲା ।ମୃତ୍ୟୁ ଶଯ୍ୟାରେ ତାଙ୍କ ପତ୍ନୀ ମନୋରମା କର, ଦୁଇ ପୁଅ ମହାଦୀପ ଓ ମହାପ୍ରସାଦଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।ସୋମବାର  ପୁରୀ ସ୍ୱର୍ଗଦ୍ୱାରରେ ରାଷ୍ଟ୍ରୀୟ ସମ୍ମାନ ସହ ହେବ ସଂଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ଶେଷକୃତ୍ୟ ହେବ I ସରକାରଙ୍କ ପକ୍ଷରୁ ଦୁଇ ଜଣ ମନ୍ତ୍ରୀ ଉପସ୍ଥିତ ରହିବେ ।

ଓଡ଼ିଶା ସଙ୍ଗୀତ କ୍ଷେତ୍ରକୁ ପ୍ରଫୁଲଙ୍କର ବହୁ ଅବଦାନ ରହିଛି ।

ସମ୍ମାନ
♦ ପଦ୍ମଶ୍ରୀ ସମ୍ମାନ- ୨୦୧୫

♦ ଜୟଦେବ ପୁରସ୍କାର- ୨୦୦୪

♦ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ସମ୍ମାନ

♦ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର-୨୦୦୬

♦ ଡି. ଲିଟ୍-ଉତ୍କଳ ବିଶ୍ବବିଦ୍ୟାଳୟ, ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ

♦ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ-୨୦୦୯


ପ୍ରଥମ ଚଳଚିତ୍ରରୁ ‘ହିଟ’

“ଓଡ଼ିଆ ଚଳଚ୍ଚିତ୍ର ଥିଲା  ‘ମମତା’। ଏହି ଚଳଚ୍ଚିତ୍ରରେ ପ୍ରଣବ ପଟ୍ଟନାୟକ, ସିକନ୍ଦର ଆଲମ ଏବଂ ଚିତ୍ତ ଜେନାଙ୍କୁ ଦୃଷ୍ଟିରେ ରଖି ସ୍ବର ରଚନା କଲେ | ପ୍ରଣବ ପଟ୍ଟନାୟକଙ୍କ ପାଇଁ ‘ରେ ଆତ୍ମନ ନିଦ୍ରା ପରିହରି, ସିକନ୍ଦର ଆଲାମଙ୍କ ପାଇଁ ‘ମୁଁ ତ ମଣିଷ ମାରିନିଚୋରି କରିନି ଏବଂ ସେମାନଙ୍କ ଯୁଗଳ କଣ୍ଠ ପାଇଁ ‘ଆରେ ମିତ ଆ ସଙ୍ଗାତ’ ଭଳି ଗୀତ ରଚନା କରିଥିଲେ

ସଙ୍ଗୀତ ଜଗତରେ ସଫଳତା ପରେ ୧୯୯୫ରେ ରାଜନୀତିରେ ପାଦ ଥାପିଥିଲେ । ଏହା ପୂର୍ବରୁ ସେ ୧୯୯୫ରେ ସେ କଂଗ୍ରେସ ଟିକେଟରୁ ପୁରୀ ବିଧାନସଭା ଆସନରୁ ଲଢି ହାରିଯାଇଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ଶୋକ 

ପ୍ରଫୁଲ୍ଲ କରଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିବା ସହ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୋକବାର୍ତ୍ତାରେ ସ୍ୱର୍ଗତ କରଙ୍କୁ ଯଶସ୍ୱୀ କଳାକାର ଭାବରେ ବର୍ଣ୍ଣନା କରିଛନ୍ତି ମୁଖ୍ୟମନ୍ତ୍ରୀ ।ସେ  କହିଛନ୍ତି, ଜଣେ ଗୀତିକାର, ସଂଗୀତଜ୍ଞ ତଥା ସଂଗୀତ ନିର୍ଦ୍ଦେଶକ ଭାବରେ ସେ ଅନେକ ଗୌରବାଜ୍ୱଳ କୀର୍ତ୍ତି ସ୍ଥାପନ କରିଛନ୍ତି । ତାଙ୍କ ବିୟୋଗ ଓଡିଆ ସଂଗୀତ ଜଗତରେ ଏକ ଯୁଗର ଅବସାନ ଘଟାଇଛି । ତାଙ୍କର ସ୍ୱତନ୍ତ୍ର ସଂଗୀତ ରଚନା ଶୈଳୀ ଓ ନିର୍ଦ୍ଦେଶନା ଲୋକଙ୍କ ହୃଦୟରେ ତାଙ୍କୁ ସର୍ବଦା ଅମର କରି ରଖିବ । 

ଧର୍ମେନ୍ଦ୍ରଙ୍କ ଶୋକ

  • ସଙ୍ଗୀତ ଜଗତ ପ୍ରତି ପ୍ରଫୁଲ୍ଲ କରଙ୍କ ଭଲପାଇବା ଓ ଏକାଗ୍ରତା ଥିଲା ବିରଳ
  • କରଙ୍କ ପ୍ରତିଟି କାଳଜୟୀ ଗୀତ ତାଙ୍କୁ ସବୁ ଦିନ ପାଇଁ ଅମର କରି ରଖିବ

ଓଡ଼ିଆ ସଂଗୀତ ଜଗତର ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ, କଣ୍ଠଶିଳ୍ପୀ, ଗୀତିକାର ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ବିୟୋଗ ଖବରରେ ଟ୍ୱିଟ୍ କରି ଗଭୀର ଦୁଃଖ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଶାସ୍ତ୍ରୀୟ ଓଡ଼ିଶୀ ସଙ୍ଗୀତ, ସିନେମା ଓ ଆଧୁନିକ ସଙ୍ଗୀତରେ ତାଙ୍କର ଜୀବନବ୍ୟାପୀ ସାଧନା ପାଇଁ ସେ ଲୋକଙ୍କ ମନରେ ଚିର ସ୍ମରଣୀୟ ହୋଇ ରହିବେ ।

ତାଙ୍କ ସହ ମୋର ଅନେକ ଥର ସାକ୍ଷାତ୍ ହୋଇଛି । ସେ ଜଣେ ଅମାୟିକ ଓ ସ୍ନେହୀ ସ୍ୱଭାବର ବ୍ୟକ୍ତି ଥିଲେ । ସଙ୍ଗୀତ ଜଗତ ପ୍ରତି ତାଙ୍କର ଭଲପାଇବା ଓ ଏକାଗ୍ରତା ଥିଲା ବିରଳ, ଯାହା ସେ ଅତୀତରେ ପ୍ରମାଣିତ କରିଥିଲେ । ଅନେକ ସମ୍ମାନର ଅଧିକାରୀ ଶ୍ରୀ କରଙ୍କ ବିୟୋଗରେ ଓଡ଼ିଆ ସଙ୍ଗୀତ ଜଗତରେ ଏକ ଯୁଗର ଅବସାନ ଘଟିଲା । ସ୍ୱର୍ଗତ କରଙ୍କ ପ୍ରତିଟି କାଳଜୟୀ ଗୀତ ତାଙ୍କୁ ସବୁ ଦିନ ପାଇଁ ଅମର କରି ରଖିବ । ଶ୍ରୀ ପ୍ରଧାନ ଦିବଙ୍ଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

ଅନ୍ୟମାନେ..

ଅନ୍ୟମାନଙ୍କ ମଧ୍ୟରେ  ପିସିସି ସଭାପତି  ନିରଞ୍ଜନ ପଟ୍ଟନାୟକ, ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.