କାର୍ତ୍ତିକ ପୂର୍ଣ୍ଣିମାର ବିଶେଷତ୍ୱ

0
  • **********
  • ଶ୍ରୀକାନ୍ତ ଦାଶ
  • ++++++++

ଭାରତୀୟ ଉପମହାଦେଶରେ ଉତ୍କଳର ସ୍ୱତନ୍ତ୍ରତା ଅବିସମ୍ବାଦିତ |କପିଳସଂହିତାରେ ଗଜପତି କପିଳେନ୍ଦ୍ର ଦେବ ଲେଖିଛନ୍ତି, “ବର୍ଷାଣା°ଭାରତଃ ଶ୍ରେଷ୍ଠ8,
ଦେଶାନା°ଉତ୍କଳ8 ଶୃତଃ,
ଉତ୍କଳସ୍ୟ ସମୋ ଦେଶୋ
ଦେଶୋ ନାସ୍ତି ମହିତଳେ |”

ଏଭଳି ଏକ ରାଜ୍ୟ ପରମ୍ପରାରେ ପର୍ବପର୍ବାଣି ଗୁଡିକ ସ୍ୱତନ୍ତ୍ର ମାଧୁର୍ଯ୍ୟ ବହନ କରେ |କଳାତ୍ମକତାର ଅନନ୍ୟ ପୀଠ ଏହି ରାଜ୍ୟରେ ଅନେକ ପର୍ବ ପର୍ବାଣୀ ପାଳିତ ହୁଏ |ସେଥିମଧ୍ୟରୁ ଅନେକ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ପ୍ରସିଦ୍ଧ |ସେହିପରି ଏକ ପର୍ବ କାର୍ତ୍ତିକ ପୂର୍ଣ୍ଣିମା |ଏହା ଓଡ଼ିଶାର ପ୍ରାଚୀନ ସମୃଦ୍ଧିର ସୂଚନାତ୍ମକ ପର୍ବ |ଏହିଦିନ ଓଡ଼ିଆ ଘରର ବୋହୁମାନେ ସାଧବ ମାନଙ୍କୁ ବିଦେଶକୁ ପଠାଉଥିଲେ |ବୋଇତ ବନ୍ଦାଣ ସାରି ସେମାନେ ସୁଦୂର ଜାଭା, ବୋର୍ଣ୍ଣିଓ, ସୁମାତ୍ରା, ଆଦି ଦ୍ବୀପମାନଙ୍କୁ ଯାଉଥିଲେ |ସେଠାରେ ବେପାରବାଣିଜ୍ୟ କରି ବିପୁଳ ଧନ ସମ୍ପତ୍ତି ସହ ରାଜ୍ୟକୁ ଫେରୁଥିଲେ |

କାର୍ତ୍ତିକ ପୂର୍ଣ୍ଣିମାରେ ଏବେ ସେହି ସଂସ୍କୃତିକୁ ମନେ ପକାଯାଇ କଦଳୀ ଗଛର ଗଣ୍ଡିରେ ଡ଼ଙ୍ଗା କରି ଭସାଯାଏ |କଟକରେ ସେହି ପରମ୍ପରାକୁ ସ୍ମୃତିରେ ରଖି ବାଲିଯାତ୍ରା ପାଳିତ ହେଉଛି |ଆଜି ସେହି ବାଲିଯାତ୍ରା ଅନ୍ତର୍ଜାତୀୟ ସ୍ତରରେ ପରିଚୟ ହାସଲ କରିଛି |
ଓଡ଼ିଶାର ପ୍ରାଚୀନ ବାଣିଜ୍ୟ ସଂସ୍କୃତି ସହ କାର୍ତ୍ତିକ ମାସର ଅନେକ ବିଶେଷତ୍ତ୍ୱ ରହିଛି |
ହିନ୍ଦୁ, ଜୈନ ଓ ଶିଖ ମାନଙ୍କର ଏହା ପବିତ୍ର ମାସ |

ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ଏହା ବର୍ଷର ଅଷ୍ଟମ ମାସ | ଆଷାଢ଼ ମାସ ଶୟନ ଏକାଦଶୀରୁ ଚତୁର୍ମାସ୍ୟ ବ୍ରତ ଆରମ୍ଭ ହୋଇ ପ୍ରବୋଧୀନି ଏକାଦଶୀରେ ସମାପନ ହୁଏ,
କାର୍ତ୍ତିକ ପୂର୍ଣ୍ଣିମାର ସମ୍ପର୍କ ପ୍ରବୋଧିନି ଏକାଦଶୀ ସହିତ ରହିଛି | ଏହି ତିଥିରେ ଭଗବାନ ବିଷ୍ଣୁ ନିଦ୍ରାରୁ ଉଠିଥାନ୍ତି | ତାଙ୍କର ସ୍ୱାଗତ ପାଇଁ ଯେଉଁ ଉତ୍ସବ ପ୍ରବୋଧିନି ଏକାଦଶୀ ବା ଦେବୋଥାନ ଏକାଦଶୀରୁ ଆରମ୍ଭ ହୁଏ ତାହା ପୂର୍ଣ୍ଣିମାରେ ଉଦଯାପିତ ହୁଏ |ମୁଖ୍ୟ ଉତ୍ସବ ପୂର୍ଣ୍ଣିମାରେ ପାଳିତ ହୁଏ |

ମହାରାଷ୍ଟ୍ରର ସୋଲାପୁର ଜିଲ୍ଲାରେ ଥିବା ପଣ୍ଡରପୁର ଓ ରାଜସ୍ଥାନରେ ପୁଷ୍କର ମେଳାର ଉଦଯାପନ ଏହି ପୂର୍ଣ୍ଣିମାରେ ହୁଏ | ଭକ୍ତମାନେ ପୁଷ୍କର ହ୍ରଦରେ ବୁଡ଼ ପକାଇ ପୁଣ୍ୟ ଅର୍ଜନ କରନ୍ତି |ଏହି ମେଳା ଅନ୍ତର୍ଜାତୀୟ ସ୍ତରରେ ପରିଚୟ ହାସଲ କରିଛି | ତ୍ରିପୁରାରୀ ପୂର୍ଣ୍ଣିମା ଏକଦା ତାରକାସୁର ନାମରେ ଏକ ରାକ୍ଷସ ତିନିପୁରରେ ଉତ୍ପାତ କଲା | ତାକୁ ଶିବପୁତ୍ର କାର୍ତ୍ତିକେୟ ନିଧନ କରିଥିଲେ |ଏହି ରାକ୍ଷସର ତିନି ପୁତ୍ର ଥିଲେ |ସେମାନେ ହେଲେ ତାରକାକ୍ଷ, କମଳାକ୍ଷ ଓ ବିଦ୍ୟୁତମାଳି |ଏମାନେ କଠୋର ତପସ୍ୟା କରି ବ୍ରହ୍ମାଙ୍କ ବର ଅନୁସାରେ ତିନୋଟି ସ୍ୱତନ୍ତ୍ର ପୁରରେ ବାସ କଲେ ଓ ସଂସାରରେ ଉତ୍ପାତ କଲେ | ବର ଅନୁସାରେ ସହସ୍ର ବର୍ଷ ପରେ ସେମାନେ ଏକାଠି ହେବେ ଓ ସେତେବେଳେ ଯଦି କେହି ଗୋଟିଏ ବାଣରେ ସେମାନଙ୍କ ତ୍ରିପୁର ସହିତ ତାଙ୍କୁ ବିନାଶ କରେ, ତେଵେ ଯାଇ ସେମାନଙ୍କ ମୃତ୍ୟୁ ହେବ |ଦେବଗଣଙ୍କ ପ୍ରାର୍ଥନାରେ ଶିବ ସମସ୍ତ ଦେବତାଙ୍କ ସହଯୋଗ ଓ ଶକ୍ତିରେ ସଜ୍ଜିତ ହୋଇ ସେମାନଙ୍କୁ ତ୍ରିପୁର ସହିତ ବଧକଲେ |ଏହା କାର୍ତ୍ତିକ ପୂର୍ଣ୍ଣିମାରେ ହୋଇଥିଲା |ଏଣୁ ଏହାକୁ ତ୍ରିପୁରାରୀପୂର୍ଣ୍ଣିମା ମଧ୍ୟ କୁହାଯାଏ | ତ୍ରିପୁରାସୁରର ଅନ୍ତ କରି ଭଗବାନ ଶିବ ତ୍ରିପୁରାନ୍ତକ ନାମରେ ଖ୍ୟାତ ହେଲେ |
ଦେବ ଦୀପାବଳି
କାର୍ତ୍ତିକ ପୂର୍ଣ୍ଣିମାରେ ଦେବ ଦୀପାବଳି ମନ୍ଦିର ମାନଙ୍କରେ ପାଳିତ ହୁଏ | ବିଶ୍ୱାସ ରହିଛି ଯେ ପାତାଳ ପୁରରେ ଦାନବେନ୍ଦ୍ର ବଳିଙ୍କ ପୁରରୁ ଭଗବାନ ବିଷ୍ଣୁ ବୈକୁଣ୍ଠକୁ ଏହି ଦିନ ପ୍ରତ୍ୟାଗମନ କରନ୍ତି |ବିଷ୍ଣୁଙ୍କ ଦର୍ଶନରେ ପ୍ରୀତ ଦେବଗଣ ମାଟି ଦୀପ ଜାଳି ତାଙ୍କର ସ୍ୱାଗତ କରନ୍ତି |ଏହା ଦେବ ଦୀପାବଳି ନାମରେ ବିଦିତ |ଏହି ପର୍ବ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ଵିଧି ପୂର୍ବକ ପାଳିତ ହୁଏ |
ନକ୍ଷତ୍ର ଅନୁସାରେ ପୂର୍ଣ୍ଣିମାର ମହତ୍ତ୍ୱ
ନିର୍ଦ୍ଦିଷ୍ଟ ନକ୍ଷତ୍ରରେ ଏହି ପୂର୍ଣ୍ଣିମା ପଡିଲେ ତାର ଗୁରୁତ୍ୱ ବଢ଼ିଯାଏ |କୃତ୍ତିକା ନକ୍ଷତ୍ରରେ ପଡିଲେ ଏହା ମହାକାର୍ତ୍ତିକ ଓ ସ୍ନାନ ମହାକାର୍ତ୍ତିକ ସ୍ନାନ ଭାବେ ଜଣାଯାଏ | ଏହି ସ୍ନାନରେ ଅନେକ ପୁଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି |ରୋହିଣୀ ନକ୍ଷତ୍ରରେ ଏହି ପୂର୍ଣ୍ଣିମା ସମସ୍ତ ଶୁଭ କାର୍ଯ୍ୟପାଇଁ ଅନୁକୂଳ ବୋଲି ବିବେଚନା କରାଯାଏ | ଏହି ଦିନରେ ଆରମ୍ଭ ହୋଇଥିବା କାର୍ଯ୍ୟ ସଫଳ ହୁଏ ଓ କାର୍ତ୍ତିକ ସ୍ନାନରେ ଦଶ ଯଜ୍ଞର ପୁଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି |
ତୁଳସୀ ଓ ବିଷ୍ଣୁ
କାର୍ତ୍ତିକ ମାସ ବିଷ୍ଣୁଙ୍କର ପ୍ରିୟ ମାସ |ଏହିମାସରେ ପ୍ରଭୁ ପ୍ରଥମ ଅବତାର ମତ୍ସ୍ୟ ଅବତାର ଗ୍ରହଣ କରି ଚାରି ବେଦ ଉଦ୍ଧାର କରିବା ସହିତ ପ୍ରଳୟ ଜଳରୁ ରୁଷି ମନୁ ଓ ତାଙ୍କ ପତ୍ନୀ ଶତରୁପାଙ୍କୁ ଏକ ନୌକାରେ ରଖିଥିଲେ |ପରବର୍ତ୍ତୀ ଅବସ୍ଥାରେ ମନୁ, ଶତରୁପାଙ୍କ ଠାରୁ ମନୁଷ୍ୟମାନେ ଜନ୍ମ ହୋଇଥିଲେ ବୋଲି ବିଶ୍ୱାସ ରହିଛି |
ଏକାଦଶୀରୁ ପୂର୍ଣ୍ଣିମା ଭିତରେ ଯେ କୌଣସି ଦିନ ବିଷ୍ଣୁଙ୍କ ପ୍ରତିନିଧି ରୂପେ ସ୍ୱୀକୃତ ଶାଳଗ୍ରାମ ସହିତ ଦେବୀ ବୃନ୍ଦାବତୀଙ୍କ ସ୍ୱରୂପ ତୁଳସୀଙ୍କର ବିବାହ କରାଯିବାର ଵିଧି ରହିଛି |ତେଵେ ପୂର୍ଣ୍ଣିମାରେ ଵିଧି ମୁତାବକ ତୁଳସୀ ବିବାହ ଅନୁଷ୍ଠିତ ହୁଏ |
କାର୍ତ୍ତିକେୟଙ୍କ ଜନ୍ମଦିନ
ଶିବପୁତ୍ର, ଦେବସେନାପତି କୁମାର କାର୍ତ୍ତିକେୟଙ୍କର ଏହା ଜନ୍ମଦିବସ | ଦକ୍ଷିଣ ଭାରତରେ ଏହା ବିଶେଷ ଭାବେ ପାଳିତ ହୁଏ | ସେମାନେ ମଧ୍ୟ ଏହି ଦିନ ପିତୃପୁରୁଷଙ୍କୁ ସ୍ମରଣ କରନ୍ତି |
ଗୁରୁ ନାନକ ଜୟନ୍ତୀ
ଶିଖ ସମ୍ପ୍ରଦାୟର ସଂସ୍ଥାପକ ଗୁରୁ ନାନକ ଦେବଙ୍କର ଏହା ଜନ୍ମଦିନ | ଏଣୁ ଗୁରୁଦ୍ୱାରମାନଙ୍କରେ ଏହାକୁ ଆନନ୍ଦ ଉତ୍ସବର ସହ ଶିଖ ସମ୍ପ୍ରଦାୟ ପାଳନ କରନ୍ତି |
ରାଧାକୃଷ୍ଣଙ୍କ ପୂଜା ଓ ରାସ ପୂର୍ଣ୍ଣିମା
ବୈଷ୍ଣବମାନେ ରାଧାକୃଷ୍ଣଙ୍କର ପୂଜା ଓ ଉପାସନା ବଡ଼ ଧୁମଧାମରେ ପାଳନ କରନ୍ତି |ମାସସାରା ରାଧାକୃଷ୍ଣଙ୍କର ଚରିତକୁ ନେଇ ରାସଲୀଳା ଅନୁଷ୍ଠିତ ହୁଏ | ପୂର୍ଣ୍ଣିମାରେ ରାଧାକୃଷ୍ଣଙ୍କର ଗୋପୀମାନଙ୍କ ମେଳରେ ବୃନ୍ଦାବନରେ ମହା ରାସ ହୋଇଥିବାର ବୈଷ୍ଣବ ମାନେ ବିଶ୍ୱାସ କରନ୍ତି |ମାସସାରା ସେମାନେ କାର୍ତ୍ତିକ ବ୍ରତ ନିଷ୍ଠାର ସହିତ ପାଳନ କରନ୍ତି | ରାସଲୀଳା ପାଇଁ ଏହା ରାସ ପୂର୍ଣ୍ଣିମା ନାମରେ ପ୍ରସିଦ୍ଧ |
ଭୀଷ୍ମପଞ୍ଚକ ବା ବିଷ୍ଣୁ ପଞ୍ଚକ
ଏକାଦଶୀରୁ ପୂର୍ଣ୍ଣିମା ଯାଏଁ ସାଧାରଣ ଭକ୍ତ ପଞ୍ଚକ ବ୍ରତ ପାଳନ କରନ୍ତି | ବିଷ୍ଣୁଙ୍କୁ ଧ୍ୟାନ, ଭାଗବତ ପାଠ ଓ ହବିଷ୍ୟାନ୍ନ ଭୋଜନ କରି ଏହି ବ୍ରତ ପାଳନ କରିଥାନ୍ତି |
ବୈକୁଣ୍ଠ ଚତୁର୍ଦଶୀ
ପୂର୍ଣ୍ଣିମା ପୂର୍ବଦିନ ବୈଷ୍ଣବମାନେ ଏହି ବ୍ରତ ପାଳନ କରନ୍ତି |ଏହିଦିନ ଶିବ ମନ୍ଦିରରେ ସ୍ୱତନ୍ତ୍ର ପୂଜା ଅନୁଷ୍ଠିତ ହୁଏ | ଭକ୍ତମାନେ ନଦୀ ପୁଷ୍କରିଣୀରେ ପବିତ୍ର ବୁଡ଼ ପକେଇ ପୁଣ୍ୟ ଅର୍ଜନ କରନ୍ତି | ବାରଣାସୀର ମଣିକର୍ଣ୍ଣିକା ଘାଟରେ ପବିତ୍ର ବୁଡ଼ ପକାଇ ବ୍ରତ ପୂର୍ଣ୍ଣ କରନ୍ତି
ଜୈନ ମାନଙ୍କ ସହ ସମ୍ପର୍କ :-
କାର୍ତ୍ତିକ ପୂର୍ଣ୍ଣିମା ପର୍ବ ସହିତ ଜୈନ ଧର୍ମାଵଲମ୍ବିଙ୍କର ଗଭୀର ସମ୍ପର୍କ ରହିଛି | ଏହିଦିନ ସେମାନେ ଗୁଜୁରାଟର ଭାବନଗର ଜିଲ୍ଲା ପାଲିଟଣା ଶତ୍ରୁଞ୍ଜୟ ପାହାଡ଼ ନିକଟରେ ଥିବା ଜୈନ ମନ୍ଦିର ଗୁଡିକୁ ଯାତ୍ରା କରନ୍ତି ଓ ସେଠାରେ ପୂଜାର୍ଚ୍ଚନା କରନ୍ତି | ହିନ୍ଦୁମାନଙ୍କର ବିଶ୍ୱାସ
ହିନ୍ଦୁମାନେ ଏହି ମାସକୁ ଅତି ପବିତ୍ର ମାସ ମନେ କରନ୍ତି |ସେମାନଙ୍କ ପାଇଁ କାର୍ତ୍ତିକ ମାସର ଧାର୍ମିକ ଓ ଆଧ୍ୟାତ୍ମିକ ମହତ୍ତ୍ୱ ଯଥେଷ୍ଟ | ମାସସାରା ପ୍ରାତଃ ସ୍ନାନ ସାରି ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ଦ୍ୱାରା ଅପାର ଆଶୀର୍ବାଦ ମିଳେ ବୋଲି ସମସ୍ତଙ୍କର ବିଶ୍ୱାସ ରହିଛି | ଧାର୍ମିକ ସମାରୋହ ପାଇଁ ଏହା ପବିତ୍ର ମାସ ବୋଲି ଗ୍ରହଣ କରାଯାଏ |
ବିଧବା ନାରୀମାନେ ହବିଷ୍ୟ ପାଳନ କରନ୍ତି | ସୂର୍ଯ୍ୟାସ୍ତ ପୂର୍ବରୁ ଅରୁଆ ଅନ୍ନ ଓ ହବିଷ ଡାଲମା (ମୁଗ, ସାରୁ, କଞ୍ଚା କଦଳୀ, କନ୍ଦମୂଳ, ଓଉ, ଅଦାଛେଚା,ପାଳୁଅ,ପ୍ରସ୍ତୁତ )ଏକ ବକ୍ତ ଭୋଜନ କରନ୍ତି |ଏହି ଡାଲମାରେ ଗୁଆ ଘିଅ ଦିଆ ଯାଏ, ଛୁଙ୍କ ଦିଆ ନ ଯାଇ, ହଳଦୀ ନ ପକାଇ ପ୍ରସ୍ତୁତ ହୁଏ |କେତେକ ନଡ଼ିଆ କୋରା ମଧ୍ୟ ପକାଇ ଏହାକୁ ଅଧିକ ସ୍ୱାଦିଷ୍ଟ କରିଥାନ୍ତି |
ସନ୍ଧ୍ୟାରେ ଆକାଶ ଦୀପ ଜାଳି, କାର୍ତ୍ତିକ ମାହାତ୍ମ୍ୟ ପୁରାଣ ଶୁଣନ୍ତି |ପୂର୍ଣ୍ଣମୀରେ ଏ ବ୍ରତ ଉଦଯାପନ କରନ୍ତି |
ଉପରୋକ୍ତ ଆଲୋଚନାରୁ ଏହା ସ୍ପଷ୍ଟ ଯେ ଆମ ଧର୍ମ ସଂସ୍କୃତିରେ କାର୍ତ୍ତିକ ମାସର ଯଥେଷ୍ଟ ଗୁରୁତ୍ୱ ରହିଛି |ତେବେ ଯେଉଁ ସାତ୍ତ୍ଵିକ ଭାବନେଇ ଆମେ ଏହା ପାଳନ କରୁଛେ, ସେଇ ଭାବ ସବୁଦିନ ରହିଲେ ଆମ ସମସ୍ତଙ୍କ ପାଇଁ ମଙ୍ଗଳକର ହେବ |
ଜୟ ଜଗନ୍ନାଥ 🙏🙏

  • ଶ୍ରୀକାନ୍ତ ଦାଶ, ସଭାପତି,’ଅବି’ ଓ ସାଧାରଣ ସମ୍ପାଦକ, ଓଡ଼ିଆ ଜାତୀୟ ସମ୍ମିଳନୀ |
    ଦୂରଭାଷ :9238304919

Leave A Reply

Your email address will not be published.