ଓଟିଟି ପ୍ଲାଟଫର୍ମରେ ଜଗନ୍ନାଥ, ଆପତ୍ତି ଉଠାଇଲେ ଗବେଷକ

0
  • ଆରମ୍ଭରୁ ତେଜିଲା ବିବାଦ
  • ଧାର୍ମିକ ଓ ଆଧ୍ୟାତ୍ମିକ ଭାବନାକୁ ଆହତ
  • ପ୍ରସାରିତ ପ୍ରୋମୋରେ ବିଚିତ୍ର ଭିଡିଓ

ପୁରୀ //TATKAL ODISHA//

ଚଳିତ ଅଗଷ୍ଟ ୨୬ରେ ‘ହରି ଓମ୍‌’ ‘ଓଟିଟି ପ୍ଲାଟ୍‌ଫର୍ମ’ରେ ‘ଜୟ ଜଗନ୍ନାଥ’ ନାମରେ ଏକ ଆପତ୍ତିଜନକ ଧାରାବାହିକ କାର୍ଯ୍ୟକ୍ରମର ପ୍ରସାରଣ ଆରମ୍ଭ କରୁଛନ୍ତି। ତାହାକୁ ‘ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ଦିବ୍ୟଯାତ୍ରା’ (Divine Journey of Lord Jagannath’s Rath Yatra) ଆଖ୍ୟା ଦିଆଯାଇଛି। ଅଗଷ୍ଟ ୨୬ ଠାରୁ ‘ୟୁଟ୍ୟୁବ୍‌’ରେ ଏହା ପ୍ରସାରିତ ହେବ।

ମାତ୍ର ଏ ଘୋର ପରିତାପର ବିଷୟ ଏହି ଯେ, ବିଭୁ ଅଗ୍ରୱାଲ୍ ନାମକ ଜଣେ ଉଦ୍ୟୋଗୀ ତାହାକୁ ଫେସ୍‌ବୁକ୍ ଏବଂ ୟୁଟ୍ୟୁବ୍ ଓ ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମରେ ଅପଲୋଡ କରିଛନ୍ତି,ଯେଉଁ ବିଜ୍ଞାପନ ଭିଡିଓ (Promo) ପ୍ରସାରିତ ହେଉଛି I ତାହା ଶ୍ରୀଜଗନ୍ନାଥପ୍ରେମୀ ଭକ୍ତ ଏବଂ ଶ୍ରୀଜଗନ୍ନାଥ ତତ୍ତ୍ୱବିତ୍‌ମାନଙ୍କର ଧାର୍ମିକ ଓ ଆଧ୍ୟାତ୍ମିକ ଭାବନାକୁ ଆହତ କରିଛିି।

  • ବିଜ୍ଞାପନ ଭିଡିଓରେ ଦର୍ଶାଯାଇଛି ଯେ, ଶ୍ରୀକୃଷ୍ଣଙ୍କ ଦେହାନ୍ତ ପରେ ଏବଂ ତାଙ୍କର ଦାହକ୍ରିୟା ସଂପନ୍ନ ହେବା ପରେ, ତାଙ୍କ ନିର୍ଦ୍ଦେଶରେ ତାଙ୍କର ଆତ୍ମାକୁ ଅର୍ଜୁନ ଗୋଟିଏ କାଠଗଣ୍ଡି ମଧ୍ୟରେ ରଖି ସମୁଦ୍ରରେ ଭସାଇ ଦେଉଛନ୍ତି। ସେହି କାଠଗଣ୍ଡିଟିି ପାଣି ଭିତରେ ରକେଟ୍ ପରି ଛୁଟିଯାଉଛି। ଶ୍ରୀକୃଷ୍ଣଙ୍କର ସେହି ଆତ୍ମା ଜ୍ୟୋତି ରୂପରେ ଆସି ଶ୍ରୀଜଗନ୍ନାଥଙ୍କ କପାଳର ରତ୍ନଚିତା ମଧ୍ୟ ଦେଇ ତାଙ୍କ ଶରୀରରେ ପ୍ରବେଶ କରୁଛି।
    ଏହି କାହାଣୀର କୌଣସି ଶାସ୍ତ୍ରୀୟ ଭିତ୍ତିନାହିଁ।

କାରଣ.. ଶ୍ରୀଜଗନ୍ନାଥଙ୍କ ତତ୍ତ୍ୱ, ଦର୍ଶନ, ଭକ୍ତି ଓ ଆଧ୍ୟାତ୍ମିକତା ସଂପର୍କରେ ସର୍ବମାନ୍ୟ ପୁରାଣ ହେଉଛି ‘ସ୍କନ୍ଦପୁରାଣ’ ଅନ୍ତର୍ଗତ ‘ଶ୍ରୀପୁରୁଷୋତ୍ତମକ୍ଷେତ୍ରମାହାତ୍ମ୍ୟମ୍‌’। ତାହା ‘ସ୍କନ୍ଦପୁରାଣ-ଉତ୍କଳଖଣ୍ଡ’ ଭାବରେ ମଧ୍ୟ ସର୍ବମାନ୍ୟ ଓ ସୁପ୍ରସିଦ୍ଧ। ତାହା ଅନୁସାରେ, ଶ୍ରୀଜଗନ୍ନାଥ ପୂର୍ବରୁ ଶ୍ରୀନୀଳମାଧବ ରୂପେ ଉପାସିିତ ହେଉଥିଲେ। ସେ ସେଠାରୁ ଅନ୍ତର୍ଦ୍ଧାନ ହେବା ପରେ ତାଙ୍କୁ ପାଇବାପାଇଁ ମାଳବ ଦେଶର ରାଜା ଇନ୍ଦ୍ରଦ୍ୟୁମ୍ନ ଶ୍ରୀକ୍ଷେତ୍ରକୁ ଆସି ସହସ୍ର ଅଶ୍ୱମେଧ ଯଜ୍ଞ କରିଥିଲେ। ସେହି ଯଜ୍ଞରେ ପ୍ରସନ୍ନ ହୋଇ ଭଗବାନ ବିଷ୍ଣୁ ମହୋଦଧିରେ ଦିବ୍ୟଦାରୁ ରୂପେ ଆବିର୍ଭୂତ ହୋଇଥିଲେ। ସେ ନିଜେ ଜଣେ ବିଶ୍ୱକର୍ମା (ବଢେଇ)ରୂପେ ଆବିର୍ଭୂତ ହୋଇ ନିଜେ ନିଜର ମୂର୍ତ୍ତି ଗଢିଥିଲେ। ଏହିପରି ଭାବରେ ଦାରୁବ୍ରହ୍ମ ଚତୁର୍ଦ୍ଧାମୂର୍ତ୍ତି ରୂପେ ଆବିର୍ଭୂତ ହୋଇଥିଲେ।

‘ସ୍କନ୍ଦପୁରାଣ’ ଅନୁସାରେ ଏହା ସତ୍ୟଯୁଗର ଘଟଣା। ମାତ୍ର ‘ଜୟ ଜଗନ୍ନାଥ’ କାର୍ଯ୍ୟକ୍ରମରେ ତାଙ୍କର ଆବିର୍ଭାବ ଦ୍ୱାପର ଯୁଗର ଶେଷରେ, ଶ୍ରୀକୃଷ୍ଣଙ୍କର ଦେହାନ୍ତ ପରେ ବୋଲି ଦର୍ଶାଯାଇଛି। ଏବଂ ତାଙ୍କର ଆତ୍ମା ଶ୍ରୀଜଗନ୍ନାଥଙ୍କ ମଧ୍ୟରେ ପ୍ରବେଶ କରିବାପରେ ସେ ଜଗନ୍ନାଥ ହୋଇଛନ୍ତି ବୋଲି ମଧ୍ୟ ଦର୍ଶାଯାଇଛି।
ଏହା ଅତ୍ୟନ୍ତ ବିଭ୍ରାନ୍ତିକର ଏବଂ ଶ୍ରୀଜଗନ୍ନାଥଙ୍କ ସଂପର୍କିତ ଶାସ୍ତ୍ରୀୟ ଭିତ୍ତି ଓ ଭକ୍ତିଭାବନାର ପରିପନ୍ଥୀ।

  • ପ୍ରସଙ୍ଗରେ ମହର୍ଷି ବ୍ୟାସଦେବ ବିରଚିତ ‘ସ୍କନ୍ଦପୁରାଣ’ର ଏକ ପ୍ରାସଙ୍ଗିକ ଉଦାହରଣ ଆବଶ୍ୟକ। ଏହି ପୁରାଣର ୩୧ ଅଧ୍ୟାୟ, ୫୨-୫୩ ଶ୍ଳୋକରେ ଉଲ୍ଲେଖ ଅଛି- ବୈବସ୍ୱତ ମନୁଙ୍କ ସପ୍ତବିଂଶ ଚତୁର୍ଯୁଗ ଅନ୍ତର୍ଗତ ଦ୍ୱାପରଯୁଗର ଶେଷଭାଗରେ କୃଷ୍ଣ ଓ ଅର୍ଜୁନ ପୁରୁଷୋତ୍ତମ କ୍ଷେତ୍ର (ଶ୍ରୀକ୍ଷେତ୍ର ପୁରୀ)କୁ ଆସିିଥିଲେ। ସେତେବେଳେ ସେମାନେ ଯଥାବିଧି ବ୍ରତ ପାଳନ ପୂର୍ବକ ପୁରୀରେ ତିନିଦିନ ଅବସ୍ଥାନ କରିଥିଲେ ଏବଂ ପରମ ଭକ୍ତି ସହକାରେ ଶ୍ରୀମଧୁସୂଦନ (ଶ୍ରୀଜଗନ୍ନାଥ)ଙ୍କୁ ଅର୍ଚ୍ଚନା କରିବା ସହିତ ସ୍ତବ କରିଥିଲେ। ତାହା ପରେ ସେମାନେ ଦ୍ୱାରକାକୁ ପ୍ରତ୍ୟାବର୍ତ୍ତନ କରିଥିଲେ।
    ଶ୍ରୀଜଗନ୍ନାଥଙ୍କ ତତ୍ତ୍ୱ ଦର୍ଶନ ସଂପର୍କରେ ପ୍ରଚାର ପ୍ରସାର କରିବାର ଅଧିକାର ସମସ୍ତଙ୍କର ଅଛି। କିନ୍ତୁ ସେ ସଂପର୍କରେ ବିଭ୍ରାନ୍ତିକର ତଥ୍ୟର ପ୍ରଚାର ପ୍ରସାର କରିବାର ଅଧିକାର କାହାର ନାହିଁ।

ଏଣୁ ଏହି ଶାସ୍ତ୍ରୀୟ ପ୍ରମାଣର ବିରୋଧୀ ତଥା ସନାତନ ହିନ୍ଦୁଧର୍ମର ଶ୍ରୀଜଗନ୍ନାଥପ୍ରେମୀଙ୍କ ଭାବନା, ଭକ୍ତି ଓ ଶ୍ରଦ୍ଧାକୁ ଆହତ କରୁଥିବା ଅଶାସ୍ତ୍ରୀୟ କାର୍ଯ୍ୟକ୍ରମକୁ ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଆମେ ବିରୋଧ କରିବା ସହିତ ଏହାର ପ୍ରସାରଣ ତୁରନ୍ତ ବନ୍ଦ କରିବା ପାଇଁ ଦୃଢ ଦାବି ଜଣାଉଛୁ। ଏ ସଂପର୍କରେ ଓଡିଶା ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାପାଇଁ ମଧ୍ୟ ଆମେ ଅନୁରୋଧ କରୁଛୁ।

Leave A Reply

Your email address will not be published.