ଏକ ମିଳନାତ୍ମକ ନାଟକ ଏ ଜୀବନ : ଅଥଚ ଅଶାନ୍ତ ଆରମ୍ଭ (୨)
//TATKAL ODISHA//
- **************
- ମାୟାଧର ନାୟକ
- ***************
ଗୋଟିଏ ବଡ଼ ସମ୍ବେଦନଶୀଳ ଘଟଣା ହେଉଛି – ମୋ ବଡନନା ଦୀନବନ୍ଧୁ ନାୟକ ଲେଖିଛନ୍ତି “ତୀର୍ଥତରୁ ତିନିଭାୟା”ରେ – ଦିନେ ବାସନ୍ତୀ ତା’ର ପତ୍ନୀସୁଲଭ ଚାଲାକିରେ ମୋର ବେଶ୍ ସ୍ୱାଭାବିକ ଖୁସି ଅବସ୍ଥାରେ ମୋତେ କହିଲା – ମୁଁ ତମକୁ ଗୋଟିଏ ଅପୂର୍ବ ଜିନିଷ ଦେଖାଇବି, ଦେଖିବ?
ହଠାତ୍ ମୋତେ ଜିନିଷଟିକୁ ନ ଦେଖାଇ ମୋର ଉତ୍କଣ୍ଠା ବଢ଼ାଇ ଚାଲିଲା ଏବଂ ଶେଷରେ ମୋର ଜିଦ୍ ଯୋଗୁଁ ଗୋଟିଏ ଫଟୋ ଆଣି ଦେଖାଇଲା । – କହିଲ ଦେଖି ଝିଅଟି କିପରି, ତୁମକୁ କେମିତି ଲାଗୁଛି? ମୁଁ ସେ ଝିଅଟିକୁ କେବେ ଦେଖିନି । ତେବେ ଫଟୋରୁ ଯାହା ମୁଁ ଅନୁମାନ କଲି କହିଲି – ଭଲ ଝିଅଟିଏ ହୋଇଥିବ । ତା’ ଆଖିରୁ ମନେ ହେଉଛି ସରଳ, ଅଥଚ ଖୁବ୍ ଦୃଢ଼ମନା । ପୋଷାକରୁ ମନେ ହେଉଛି ଶିକ୍ଷିତ ଘରୁଆଘରର ଝିଅ ବୋଲି । ହସିହସି ବାସନ୍ତୀ କହିଲା – ଏଇ ଝିଅଟିକୁ ମାୟା ପସନ୍ଦ କରିଛି, ତାଙ୍କ ପାର୍ଟିରେ ଏ ଝିଅ ଅଛି । ମାୟା, ପୁଣି ଝିଅ ପସନ୍ଦ ଅର୍ଥାତ୍ ବିବାହ!! ମୋତେ ଲାଗିଲା ସତେ ଯେପରି ଦୁଇ ବିପରୀତ ବିନ୍ଦୁ ଏକ ହୋଇଗଲେ କି? ମୁଁ ଅବିଶ୍ୱାସର ହସ ହସି କହିଲି – ଧେତ୍! ତୋତେ ଥଟ୍ଟା କରିବାକୁ ଲୋକ ମିଳିଲେନି? ସେ ମୋତେ ସବୁକଥା ସବିସ୍ତାରେ ଶୁଣାଇଲା, ମୁଁ ଖୁସି ହୋଇଗଲି ।
- କିନ୍ତୁ ଏକ ବିରାଟ ସମସ୍ୟା ଆସି ପହଞ୍ଚିଲା । ସେ ଝିଅଟି କରଣ ଘରରଝିଅ, ଉଚ୍ଚଶିକ୍ଷିତା, କିନ୍ତୁ ପାର୍ଟିକର୍ମୀ । ବାପା ତ ମାୟା ଉପରେ ଭୀଷଣ ଭାବେ ରାଗିକରି ଥାଆନ୍ତି, ତାକୁ ଏକରକମ ଛାଡ଼ି ଦେଇଥାଆନ୍ତି । ତା’ ଉପରେ କରଣଝିଅକୁ ବାହାହୋଇ ସାମାଜିକ ସ୍ତରରେ ତାଙ୍କ ଖାତିର୍ ଆହୁରି କମାଇଦେବ ବୋଲି ଆଶଙ୍କା କରି ରାଗିକରି ପାଚିଗଲେ । ମୋର କିନ୍ତୁ ଝିଅଟି ପସନ୍ଦ ହୋଇଥାଏ । ବାପାଙ୍କୁ ବୁଝାଇବାକୁ ଚେଷ୍ଟା କଲି । ସେ କାଠିପାଞ୍ଚଣ ଛୁଆଁଇ ଦେଲେନି, ନା – ମାନେ – ନା । ମୁଁ କିନ୍ତୁ ହତୋତ୍ସାହ ନ ହୋଇ ତାଙ୍କ ମାନସିକ ସ୍ଥିତିକୁ ଲକ୍ଷ୍ୟ କରି ସୁଯୋଗ ଉଣ୍ଡି ବୁଝାଇ ଚାଲିଥାଏ । କରଣ ତ କିଛି ଖରାପ ଜାତି ନୁହେଁ, ହଁ, ଆମର ଆଗରୁ ସେମାନଙ୍କ ସହିତ ବୈବାହିକ ସଂପର୍କ ନାହିଁ । ଦେଶ, ସମାଜ କେତେ ଆଗେଇ ଗଲାଣି, ସେଇ ପୁରୁଣାକାଳିଆ ରୀତିନୀତିକୁ ଧରିବସିଲେ ଚଳିବ ନାହିଁ । ତା’ ପରେ ଝିଅଟି ସୁନ୍ଦର, ଶିକ୍ଷିତା, ଗୁଣର, ଗୋଟିଏ ପାର୍ଟିର, ସେମାନେ ତାଙ୍କର ତାଙ୍କ ସଂସାର ଗଢ଼ନ୍ତୁ । ତା’ପରେ ବଡ଼ କଥା ହେଉଛି, ଶାସ୍ତ୍ର କହୁଛି – କନ୍ୟାରତ୍ନ । ରତ୍ନ ପଙ୍କରେ ପଡିଥିଲେ ବି ତାହା ଗ୍ରହଣଯୋଗ୍ୟ । ବହୁ ବଡ଼ବଡ଼ ଲୋକଙ୍କ ଉଦାହରଣ ଦେଲି । ଏଇ ରତ୍ନ କଥାରୁ ବାପା ଟିକେ ନରମିଲେ । କହିଲେ – ହଉ ତୁ ଯଦି କହୁଛୁ କର । ହେଲେ ବେଦୀ ଉପରେ ଦୁହିଁଙ୍କୁ ବସାଇ ବ୍ରାହ୍ମଣ ମନ୍ତ୍ର ପଢି ଗୋତ୍ରରେ ପୂରାଇବି ।
ମୁଁ ଉତ୍ସାହିତ ହୋଇ ମାୟାକୁ ଡକାଇଲି । ତାହା ଆମ ଦୁଇଭାଇଙ୍କ ଭିତରେ ସବୁଠୁ ଦୀର୍ଘ ଓ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଥିଲା । ମାୟା କିନ୍ତୁ, ବ୍ରାହ୍ମଣର ମନ୍ତ୍ର, ବେଦୀ, ରୀତି, ରିୱାଜ ପାଇଁ ଆଦୌ ରାଜି ହେଲାନି । ଯେତେ ଯାହା ଯୁକ୍ତି ମୁଁ ଦେଲେ ବି ସେ କେବଳ ପାର୍ଟିର ଆଦର୍ଶ ଓ ନୀତି କହି ସବୁ କାଟି ଦେଲା । କ’ଣ କରିବି! ଏତେ ଚେଷ୍ଟା କରି ବାପାଙ୍କୁ ରାଜି କରିଥିଲି, ଏ କଥା ଶୁଣିଲେ ସେ ପୂରା ସୂତାଟିକୁ ଛିଣ୍ଡାଇ ଦେବେ । ବହୁତ ବଡ଼ ଚିନ୍ତାରେ ପଡିଗଲି । ହଠାତ୍ ବହୁଦିନ ତଳର ଗୋଟାଏ ସୂତ୍ର ମୋର ମନେପଡ଼ିଗଲା । ବହୁଦିନ ଆଗରୁ ପ୍ରାୟ ମୁଁ କୋରାପୁଟରେ ଥିଲି, ସେତିକିବେଳେ ବାପା ଦୈତାରି ଉପରେ ଭୀଷଣ ରାଗିଥାଆନ୍ତି । ଦୁଇଜଣଙ୍କ ଠାରୁ ଚିଠି ପାଇଥାଏ । ଦୁହିଁଙ୍କୁ ଚିଠି ଲେଖିଲି । ବାପାଙ୍କ ଚିଠିରେ ଲେଖିଲି -ଆପଣ ବାପା, ପୁଅର ଦୋଷକୁ କ୍ଷମା କରିଦିଅନ୍ତୁ । ଦୈତାରି ଚିଠିରେ ଲେଖିଲି – ସେ ବାପା, ଜନ୍ମଦାତା, ତାଙ୍କ ଉପରେ ରାଗିବା ପୁଅର କର୍ତ୍ତବ୍ୟ ନୁହେଁ । ଯେତେ ଯାହା ହେଲେ ବି ତାଙ୍କ ଦୋଷ ଧରିବାର ନୁହେଁ । ଲଫାପାରେ ଠିକଣା ଲେଖି ସତର୍କତାର ସହିତ ବାପାଙ୍କ ଖାମ୍ରେ ଦୈତାରି ଚିଠି ଓ ଦୈତାରି ଖାମ୍ରେ ବାପାଙ୍କ ଚିଠି ପୂରାଇ ପଠାଇଦେଲି । ବାପା ପାଇଲେ ଦୈତାରି ଚିଠି, ଦୈତାରି ପାଇଲା ବାପାଙ୍କ ଚିଠି । କହିବା ବାହୁଲ୍ୟ, ସେତିକିରେ ସବୁ ସମାଧାନ ହୋଇଗଲା । ମୁଁ ସେହି ବୁଦ୍ଧି ପ୍ରୟୋଗ କଲି । ମାୟାକୁ କହିଲି – ଠିକ୍ ଅଛି ତୁ ଆଗେଇ ଯା । ମୁଁ ତୋ ପଛରେ ଅଛି, କିନ୍ତୁ ପ୍ରକାଶ୍ୟରେ ନୁହେଁ, ପ୍ରକାଶ୍ୟରେ ମୁଁ ବାପାଙ୍କ ପଟରେ ।
- ମାୟା କହିଲା – ରେଜେଷ୍ଟ୍ରି ମ୍ୟାରେଜରେ ଆମପଟରୁ ଜଣେ ରହିବା ଦରକାର ।
- ମୁଁ କହିଲି – ଦୈତାରି ରହିବ । କାମ ସରିଯାଉ । ବାପାଙ୍କ କଥା ମୁଁ ସମ୍ଭାଳିବି ।
ମାୟା ଖୁସି ହୋଇଗଲା । ଦୈତାରିକୁ ସବୁ ବିଷୟ ବୁଝାଇ ଦେଲି, ପରିସ୍ଥିତି ବି ସେ ବୁଝିଗଲା । ରେଜେଷ୍ଟ୍ରି ମ୍ୟାରେଜ ଦୈତାରିର ଉପସ୍ଥିତିରେ ହୋଇଗଲା । ମୁଁ ଏପର୍ଯ୍ୟନ୍ତ ଝିଅଟିର ନାଁ କହିନି । ସେ ଆମ ଲିଲି, ଇନ୍ଦିରା ଦାସ, ଭୂମିକା, ଆକାଶର ବୋଉ, ରିଟାୟାର୍ଡ ହେଡ୍ ମିଷ୍ଟ୍ରେସ୍ ।
ବାପାଙ୍କ ଅଜାଣତରେ ଏ ସବୁ ଘଟଣା ଘଟିଯିବା ପରେ ଆଗ୍ନେୟଗିରିରୁ ଲାଭା ଉଦ୍ଗିରଣ ହେଲା । ଦିନେ ମୁଁ ବାରଣ୍ଡାରେ ବସିଛି, ବାପା ବାହାରୁ ଆସି ମୋତେ ଦେଖି ରାଗି କରି କହିଲେ – ମୁଁ ମାୟାକୁ ଶୁଦ୍ଧି ହେବି । ତୁ ମୋ ସାଙ୍ଗରେ ଶୁଦ୍ଧି ହେବୁ ନା ନାହିଁ? ମୁଁ ଘଟଣାଟା ଚଟ୍କରି ଅନୁମାନ କରି ନେଲି । କହିଲି, ଖୁବ୍ ନମ୍ର ଅଥଚ ଦୃଢ଼ ଭାବେ – ମୋ ଭାଇଟା ବଂଚିଛି, ମୁଁ ତାକୁ ଶୁଦ୍ଧ ହେବି କିପରି? ମୁଁ ଶୁଦ୍ଧି ହେବି ନାହିଁ । ମୋଠାରୁ ଏପରି ଉତ୍ତର ବାପା ଆଶା କରି ନଥିଲେ । ସାଙ୍ଗେ ସାଙ୍ଗେ କହିଲେ – ସେଇଟା ମୋ କଥା ମାନିଲା ନାହିଁ, ତାକୁ ଘରୁ ବାହାର କରିଦେଲି । ତୁ ବି ମୋ କଥା ମାନିଲୁନି, ତୁ ମୋ ଘରୁ ବାହାରି ଯା । ମୁଁ କହିଲି – ବେଶ୍, ମୁଁ ବି ତୁମ ଘରୁ ବାହାରି ଯିବି । ପୁଣି ଗର୍ଜି ଉଠି କହିଲେ – ତୋ ଛୁଆପିଲାଙ୍କୁ ନେଇ ତୁ ବାହାରି ଯା, ଏ ବୁଢ଼ାବୟସରେ କ’ଣ ତୋ ଛୁଆପିଲାଙ୍କୁ ମୁଁ ପୋଷିବି? ମୁଁ କହିଲି – ଏବେ କୁଆଡ଼େ ଯିବି, ରାତି ପାହିଲେ, ମୁଁ ବାହାରି ଯିବି । ହେଲେ ଅଳକା ତା ସାଙ୍ଗମାନଙ୍କ ସାଙ୍ଗରେ ସିନେମା ଦେଖି ଯାଇଛି । ଛୁଆଟା ଏପର୍ଯ୍ୟନ୍ତ ଫେରିଲାନି, ଟିକେ ଯାଉନାହାଁନ୍ତି ତାକୁ ନେଇ ଆସିବେ । ବାପା ନାଟକୀୟ ଠାଣିରେ ଝଡ଼ବେଗରେ ପ୍ରସ୍ଥାନ କଲେ । ବାପାଙ୍କ ପ୍ରସ୍ଥାନରୁ ମୁଁ ଠିକ୍ଭାବେ ଅନୁମାନ କରିଥିଲି, ଏହା ମାୟା ଉପରେ ଥିବା ରାଗର ଖଣ୍ଡିଆଭୂତ, ହଠାତ୍ ଆସିବ, ଧୂଳିକୁଟା ସବୁ ଗୁଡ଼େଇତୁଡ଼େଇ ଉଠେଇ ନେଇଯିବ । ବାସ୍, ଖତମ୍, ଆଉ ଦେଖାଦେବନି, ଗଲା ଯେ ଗଲା, ଗଲା ପୁତ୍ର ବାହୁଡ଼ି ନଇଲା । ସେ ଚକ୍ରବାତରେ ମୁଁ ବି ସମ୍ଭଳା ପଡିଲିନି । ମୋତେ ଘରୁ ବାହାର କରିଦେବା ଯେ ତାଙ୍କ ଅନ୍ତରର କଥାନୁହେଁ, ଠିକ୍ ଭାବେ ବୁଝି ପାରିଥିଲି । ମାୟାକୁ ଶୁଦ୍ଧି ହେବା ବି ସେଇଆ । ପିତୃହୃଦୟର କଠିନ ପ୍ରସ୍ତର ଆବରଣ ତଳେ ଯେ ସ୍ନେହଫଲ୍ଗୁଧାରା ଚିରପ୍ରବାହିତ, ତା’ର ପ୍ରମାଣ ମିଳିଲା ପନ୍ଦରଦିନ ପରେ । ବାସନ୍ତୀକୁ ଡାକିକରି କହିଲେ – ତୁ ମାୟାକୁ ଆଣିପାରିବୁ ନା? ବାସନ୍ତୀ କହିଲା – ସେ କେଉଁଠି ରହୁଛି ଜାଣିବି କେମିତି? ବାପା କହିଲେ – ସେ କୋପଣ୍ଡ ସାହୁ ସମୁଦି ଘରକୁ ଆସୁଛି । ତୁ ଯା’ ସେଠାରେ ରହିବୁ, ଆସିଲେ ନେଇକି ଆସିବୁ । (କୋପଣ୍ଡ ସାଧୁଚରଣ ସାହୁ, ଦୈତାରିର ଶଶୁର, ସତୀଙ୍କ ପୋଷ୍ୟବାପା) । ବାସନ୍ତୀ କୋପଣ୍ଡ ଗଲା, ଅପେକ୍ଷା କଲା, କେଉଁଦିନ ମାୟା ଆସିବ । ପ୍ରାୟ ୮/୧୦ ଦିନ ପରେ ଦିନେ ଆସି ମାୟା କୋପଣ୍ଡରେ ପହଞ୍ଚିଲା । ତା’ ନୂଆବୋଉ ପଚାରିଲା – ତୁମେ ମୋତେ କେଉଁ ଦୃଷ୍ଟିରେ ଦେଖୁଛ? ଚଟକରି ମାୟା କହିଲା – ମାଆରୂପେ । ଏ ପ୍ରଶ୍ନ କାହିଁକି? ବାସନ୍ତୀ କହିଲା – ଯଦି ମା ବୋଲି କହୁଛ, ତେବେ ମୋ ସାଙ୍ଗରେ ଏବେ ଘରକୁ ଚାଲ । ପ୍ରାୟ କୌଣସି ଜରୁରୀ କାମ ଥିଲା, ମାୟା କହିଲା – ମୁଁ ତୁମକୁ କଥା ଦେଉଛି, କାଲି ଯିବି, ଏବେ ଯାଇ ହେବନି । ତହିଁଆର ଦିନ ମାୟା ଘରକୁ ଆସିଲା । ଏହା ପରର ଘଟଣା, ମିଳନାନ୍ତକ ନାଟକ ପରି ବେଶ୍ ସୁଖଦ ।
((୩) ପରବର୍ତ୍ତୀ ସଂଖ୍ୟାରେ ‘ଟଙ୍କା ୧୨ରେ ବାହାଘର, ୨୫ରେ ଭୋଜି’)
- ମାୟାଧର ନାୟକ,ଯାଜପୁର ରୋଡ, ଯାଜପୁର
- ମୋ : ୯୮୬୧୦୩୪୧୬୩
+++++++++++++++++++++++++++++++++
- ଦେଖନ୍ତୁ ମାୟାଧରଙ୍କ ପ୍ରଥମ ଷ୍ଟୋରୀ
// Love Story//
‘ ପ୍ରେମ ଏକ ଗୋପନୀୟ ପଦ୍ମପୋଖରୀ’