ଋତୁସ୍ରାବ ପ୍ରକ୍ରିୟା ହିଁ ମାନବ ସୃଷ୍ଟିର ମୂଳ ଘର

0

କାର୍ଯ୍ୟକ୍ଷେତ୍ରରେ ଋତୁସ୍ରାବଜନିତ ଛୁଟି ଓ ଏହାର ପ୍ରଭାବ
(ବିଶ୍ୱ ଋତୁସ୍ରାବ ପରିଚ୍ଛନ୍ନତା ଦିବସ ଉପଲକ୍ଷେ)

+++++++++++++++
ସ୍ନେହ ମିଶ୍ର
ସମ୍ପାଦିକା, ଆଇନା, ଭୁବନେଶ୍ୱର

+++++++++++++++++++

II ତୀର୍ଯ୍ୟକ II

  • ଋତୁସ୍ରାବ ପରିଚ୍ଛନ୍ନତା ଆଲୋଚନା ବିଗତ ଏକ ଦଶନ୍ଧି ଧରି ଏକ ମୁଖ୍ୟ ଆଲୋଚନାର ବିଷୟବସ୍ତୁ ହୋଇପାରିଛି । ୨୦୧୪ ମସିହାରୁ ଧରି ଆଜି ପର୍ଯ୍ୟନ୍ତ ଭାରତ ତଥା ଦେଶ ବିଦେଶରେ ଋତୁସ୍ରାବ ପରିଚ୍ଛନ୍ନତାକୁ ନେଇ ଆଲୋଚନା, ଗବେଷଣା ତଥା ବିଭିନ୍ନ ଅଂଚଳରେ ପ୍ରକଳ୍ପମାନ ମଧ୍ୟ ହାତକୁ ନିଆଯାଇଛି । ସାମାଜିକ କର୍ମୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ବିଶେଷଜ୍ଞ ତଥା ସରକାରଙ୍କ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମମାନ କରାଯାଉଛି ଓ ଏ ନେଇ ନୀତି ନିର୍ଦ୍ଧାରଣ ମଧ୍ୟ କରାଯାଇଛି । ଏହିକ୍ରମରେ ଚଳିତ ୨୦୨୫ ବର୍ଷର ବିଷୟବସ୍ତୁ ରହିଛି “ଋତୁସ୍ରାବଜନିତ ନିରବତା ଭଙ୍ଗ କରିବା ।”
    ପ୍ରତ୍ୟେକ ବର୍ଷ ମେ ମାସ ୨୮ ତାରିଖକୁ ବିଶ୍ୱ ଋତୁସ୍ରାବ ପରିଚ୍ଛନ୍ନତା ଦିବସ ରୂପେ ପାଳନ କରାଯାଏ । ଏହି ଅବସରରେ ଋତୁସ୍ରାବ ସ୍ୱାସ୍ଥ୍ୟ ଓ ପରିଚ୍ଛନ୍ନତା ସମ୍ବନ୍ଧୀୟ ବିଭିନ୍ନ ଆଲୋଚନା ତଥା କାର୍ଯ୍ୟକ୍ରମମାନ ହାତକୁ ନିଆଯାଇଥାଏ । ସରକାରଙ୍କ ତରଫରୁ ବିଭିନ୍ନ ନୀତି ଓ ପ୍ରୋଜେକ୍ଟ ‘ଖୁସି’ଭଳି କିଛି କାର୍ଯ୍ୟକ୍ରମମାନ କରାଯାଇ ଋତୁମତୀମାନଙ୍କ ପାଖରେ ସୁସ୍ଥ ଋତୁସ୍ରାବ ଶୋଷକ ମଧ୍ୟ ପହଂଚା ଯାଇପାରିଛି । ୨୦୨୪ ମସିହାରେ ଓଡ଼ିଶାରେ ପ୍ରଥମଥର ପାଇଁ ସରକାରୀ ସୂତ୍ରରୁ କାର୍ଯ୍ୟକ୍ଷେତ୍ରରେ ଋତୁସ୍ରାବଜନିତ ଛୁଟି ଘୋଷଣା କରି ସରକାର ସମସ୍ତଙ୍କର ବିଶେଷଭାବରେ ମହିଳା କର୍ମୀମାନଙ୍କର ପ୍ରିୟଭାଜନ ହୋଇପାରିଛନ୍ତି ।
    ଏହି ପରିପ୍ରେକ୍ଷୀରେ ଋତୁସ୍ରାବକୁ ନେଇ ପରିବାର ଓ ସମାଜରେ ରହିଥିବା ଚଳଣି ଓ ଭ୍ରାନ୍ତ ଧାରଣାଗୁଡ଼ିକ ଆଲୋଚନା କରିବା ଖୁବ୍ ଜରୁରୀ ଯାହାକି ଏ ବର୍ଷର ବିଷୟବସ୍ତୁ (ଋତୁସ୍ରାବଜନିତ ନୀରବତା ଭଙ୍ଗ କରନ୍ତୁ)ର ପରିପନ୍ଥୀ ଏବଂ ଋତୁସ୍ରାବ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ସର୍ବସାଧାରଣରେ ଆଲୋଚନାକୁ ବାସନ୍ଦ କରିଥାଏ । ଏବଂ ଏହାର ପ୍ରତିଫଳନ କାର୍ଯ୍ୟକ୍ଷେତ୍ରରେ ମଧ୍ୟ ଦେଖାଦେଇଥାଏ । ଋତୁସ୍ରାବ ବିଷୟରେ ଏକ ବିରାଟ ନୀରବତା ଦେଖା ଦେଇଥାଏ । ପରିବାରରେ ଓ ସମାଜରେ ରହି ଆସିଥିବା ଚଳଣୀ ଏକ ପୁରୁଷତାନ୍ତ୍ରିକ ବ୍ୟବସ୍ଥାର ବାହକ ଭଳି କାମ କରେ ଯାହାକି ମହିଳାମାନଙ୍କୁ ବିଭିନ୍ନ ଆଳରେ କଟକଣା ବା ନିୟନ୍ତ୍ରଣରେ ରଖିବାରେ ସଫଳ ହୋଇଥାଏ । ଏହି ପରିପ୍ରେକ୍ଷୀରେ କାର୍ଯ୍ୟକ୍ଷେତ୍ରରେ ଋତୁସ୍ରାବଜନିତ ଛୁଟି ଭଳି ବ୍ୟବସ୍ଥାର ଅନେକ ତାତ୍ପର୍ଯ୍ୟ ରହିଛି ।
    ଆଗଭଳି ମହିଳାମାନେ ଘରେ ନ ବସି ସାମାଜିକ କ୍ଷେତ୍ରରେ ଖୁବ୍ ଆଗଭର ହେଇଛନ୍ତି ଏବଂ କର୍ମଜୀବୀ ମହିଳା ହିସାବରେ ବିଭିନ୍ନ କ୍ଷେତ୍ରରେ ଶ୍ରମଜୀବୀଠାରୁ ଆରମ୍ଭ କରି ଦେଶ ଚଳେଇବା, ସେନାବାହିନୀରେ ମଧ୍ୟ ଯୋଗ ଦେଇଛନ୍ତି । ନିକଟରେ ସଂଘଟିତ ‘ଅପରେସନ୍ ସିନ୍ଦୁର’ରେ ଆମେମାନେ ସେନାରେ କାର୍ଯ୍ୟରତ ଦୁଇ ସାହସୀ ମହିଳାଙ୍କର କାର୍ଯ୍ୟ ବିଷୟରେ ଅବଗତ ହୋଇଛେ । ଏହିଭଳି ଅନେକ ମହିଳା ପ୍ରତ୍ୟେକ ଦିନ ନିଜ ନିଜ କାର୍ଯ୍ୟକ୍ଷେତ୍ରରେ ଅତି ନିଷ୍ଠାର ସହିତ କାର୍ଯ୍ୟ କରିଚାଲିଛନ୍ତି । ଏହି ପରିପ୍ରେକ୍ଷୀରେ ଋତୁସ୍ରାବଜନିତ କଟକଣା ଗୁଡ଼ିକୁ ମହିଳାମାନଙ୍କ ଉପରେ ସାମାଜିକ ବିଧି ଆଳରେ ଜୋର ଜବରଦସ୍ତି ଲଦିଦେବା ଯୁକ୍ତିସଙ୍ଗତ ନୁହଁ; ବରଂ ପରିବେଶ ଓ ପରିସ୍ଥିତିକୁ ଚାହିଁ ସକାରାତ୍ମକ ପଦକ୍ଷେପ ନେବା ହିଁ ଶ୍ରେୟସ୍କର ।
    ଋତୁସ୍ରାବ ସମୟରେ ମହିଳାମାନଙ୍କୁ ଉଚିତ୍ ଓ ଅନୁକୂଳ ପରିବେଶ ଯୋଗାଇଦେବା ଦ୍ୱାରା ସେମାନଙ୍କର ମନୋବଳ ବଢ଼ିଥାଏ ଏବଂ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଥାଏ । ଏହି ସମୟରେ ପେଟ କଷ୍ଟ ହେବା, ଅଂଟାକଷ୍ଟ ହେବା ଭଳି ସ୍ୱାସ୍ଥ୍ୟସମସ୍ୟା ଦେଖାଦେବା ସାଧାରଣ କଥା । କିନ୍ତୁ କିଛି ଜଣଙ୍କର ବେଳେବେଳେ ଗୁରୁତର ଋତୁସ୍ରାବଜନିତ ସ୍ୱାସ୍ଥ୍ୟ ସମସ୍ୟା ଯେପରିକି, ଅତ୍ୟଧିକ ରକ୍ତସ୍ରାବ ହେବା, ବାନ୍ତି ହେବା, ଖୁବ୍ ପେଟ ଯନ୍ତ୍ରଣା ହେବା ଇତ୍ୟାଦି ଅବସ୍ଥା ଏତେ ଗୁରୁତର ହୋଇଥାଏ ଯେ ଡାକ୍ତରଖାନା ଯିବା, ସାଲାଇନ୍ ଲାଗିବା, ବେଳେବେଳେ ରକ୍ତଦେବା ଅବସ୍ଥା ମଧ୍ୟ ଦେଖାଦେଇଥାଏ । ଯାହାକି ମହିଳାଙ୍କର ସାଧାରଣ ଜୀବନଚର୍ଯ୍ୟାରେ ବାଧା ସୃଷ୍ଟି କରିଥାଏ, ଏବଂ କାର୍ଯ୍ୟରେ ମନୋନିବେଶ କରିବା କଷ୍ଟକର ହୋଇପଡ଼େ । କର୍ମଜୀବୀ ମହିଳା ଜଣଙ୍କୁ ବାଧ୍ୟ ହୋଇ କାର୍ଯ୍ୟକ୍ଷେତ୍ରରୁ ଛୁଟି ନେବାକୁ ହୁଏ । କଥା ହେଲା ଏଥିରେ ମହିଳାଜଣଙ୍କର କୌଣସି ହାତ ନଥାଏ, କାରଣ ଆମେ ଜାଣିଛେ ଯେ ଋତୁସ୍ରାବ ଏକ ପ୍ରାକୃତିକ ପ୍ରକ୍ରିୟା ଏବଂ ଏହା ପ୍ରତ୍ୟେକ ଲୋକଙ୍କଠାରେ ସମାନ ପ୍ରକାରର ପ୍ରଭାବ ପକାଇନଥାଏ ।
    କାର୍ଯ୍ୟକ୍ଷେତ୍ରକୁ ମହିଳାଙ୍କ ଉପେଯାଗୀ ବିଶେଷ ଭାବରେ ଋତୁସ୍ରାବ ଅନୁକୂଳ କରିବା ଏକ ସ୍ୱାଗତଯୋଗ୍ୟ ଓ ସକାରାତ୍ମକ ପଦକ୍ଷେପ । କାର୍ଯ୍ୟକ୍ଷେତ୍ରରେ ଋତୁସ୍ରାବ ସମୟରେ ବିଶ୍ରାମ ନେବା ପାଇଁ ବିଶ୍ରାମ ଗୃହ/ବ୍ୟବସ୍ଥା, ପରିଷ୍କାର ଶୌଚାଳୟ ରହିବା, ଋତୁସ୍ରାବ ସମୟରେ ଶୌଚାଳୟରେ ଶୋଷକ ପରିବର୍ତନପାଇଁ ବ୍ୟବସ୍ଥା ଥିବା, ବର୍ଜନ ବ୍ୟବସ୍ଥା ରହିବା ତଥା ପରିଚ୍ଛନ୍ନତା ପାଇଁ ଆବଶ୍ୟକ ସାମଗ୍ରୀ ଯେପରିକି ସାବୁନ୍, ତଉଲିଆ ଇତ୍ୟାଦି ରହିବା ଦ୍ୱାରା ଋତୁମତୀ ବ୍ୟକ୍ତି ସହଜ ମନେକରେ ଓ କିଛି ସମୟରେ ଅନ୍ତରାଳରେ ନିଜ କାର୍ଯ୍ୟକୁ ଫେରି କାର୍ଯ୍ୟରେ ଯୋଗ ଦେଇପାରେ । କିଛିଜଣଙ୍କ କ୍ଷେତ୍ରରେ ଏହି ସମୟରେ ସମ୍ପୂର୍ଣ୍ଣ ବିଶ୍ରାମ ନେବା ଦରକାର ହୁଏ ଏବଂ ଏଥିପାଇଁ ସେ କାର୍ଯ୍ୟରୁ ଛୁଟି ନେଇ ବିଶ୍ରାମ ନେଇପାରନ୍ତି ।
    ସରକାରୀସ୍ତରରେ ଆମ ରାଜ୍ୟରେ ଗତ ଜୁଲାଇ ମାସଠାରୁ ମହିଳାମାନଙ୍କ ପାଇଁ ଋତୁସ୍ରାବଜନିତ ଛୁଟି ଘୋଷଣା କରାଯାଇଛି ଏବଂ ମହିଳାମାନେ ଏହାର ଉପଯୁକ୍ତ ବ୍ୟବହାର କରୁଥିବା ମଧ୍ୟ ଦେଖାଦେଇଛି । ବହୁତ ସମୟରେ ଅନେକ ଲୋକ ଏହାର ଅପ ବ୍ୟବହାର ହେବାର ଅଭିଯୋଗ ଆଣିଛନ୍ତି, ଯେପରିକି ଦରକାର ନଥାଇ ଛୁଟି ନେବାର ଅଭିଯୋଗ ସବୁଠାରୁ ଅଧିକ । ତେବେ ଏହା ବି ଦେଖିବା ଦରକାର ଯେ ଯନ୍ତ୍ରଣା ହେଉଥିବା ଅବସ୍ଥାରେ ମଧ୍ୟ ମହିଳାମାନେ ଋତୁସ୍ରାବ ସମୟରେ ଛୁଟି ନନେଇ ଆବଶ୍ୟକ ସ୍ଥଳେ କାମ ବି କରୁଛନ୍ତି । ଯାହା ସୂଚାଉଛି ଯେ ଏହା ଅପବ୍ୟବହାର ନୁହଁ ବରଂ ଏକ ଆବଶ୍ୟକୀୟ ବ୍ୟବହାର । ଏହି ଛୁଟିଦ୍ୱାରା ମହିଳାମାନଙ୍କର କାର୍ଯ୍ୟ ଦକ୍ଷତା ବରଂ ବୃଦ୍ଧି ହେବାର ସମ୍ଭାବନା ରହିଛି । ତେବେ ଭବିଷ୍ୟତରେ ଏହି ଦିଗରେ କୌଣସି ଅଧ୍ୟୟନ କରାଗଲେ ଏହାର ଉପାଦେୟତା ସମ୍ପର୍କରେ ଜାଣି ହେବ ।
    ଏହିସବୁ ଦିଗ ବ୍ୟତୀତ ଋତୁସ୍ରାବଜନିତ ଛୁଟିନେଇ ମହିଳାମାନେ କେତେକାଂଶରେ ଅପମାନିତ ହେବାର ଦୃଷ୍ଟାନ୍ତ ମଧ୍ୟ ଦେଖାଦେଇଛି । ଯାହାକି ଖୁବ୍ ଗୁରୁତର ସହ ବିଚାର କରିବା ଦରକାର । କାରଣ ଏଭଳି ସୁବିଧା ଉପଲବ୍ଧ କରାଇବା ସରକାରଙ୍କର ମହିଳା କର୍ମୀମାନଙ୍କର କାର୍ଯ୍ୟକୁ ସମ୍ମାନ ଦେବାଭଳି କଥା, ଏହାକୁ ନେଇ ଥଟ୍ଟା ତାମସା ବା ପରିହାସ କରିବା କିମ୍ବା ଅପମାନସୂଚକ କଥା କହିବା ସରକାରଙ୍କର ନିଷ୍ପତିକୁ ଆହ୍ୱାନ ଦେବା ସହ ସମାନ । ଋତୁସ୍ରାବ ବିଷୟରେ ଅଧିକ ଚର୍ଚ୍ଚା ହେବା ସହିତ, ସମସ୍ତ କର୍ମୀଙ୍କୁ ଏହି ବାବଦରେ ଅଧିକ ସଚେତନା କରିବାଦ୍ୱାରା ସେମାନେ ସମ୍ବେଦନଶୀଳ ହୋଇପାରିବେ । ଆଶା କରାଯାଏ ଆଗାମୀ ଦିନରେ ଏଥିପ୍ରତି ସରକାର ଯତ୍ନବାନ ହେବେ ଏବଂ ଋତୁସ୍ରାବଜନିତ ଆଲୋଚନାକୁ ଯଥୋଚ୍ଚିତ ଗୁରୁତ୍ୱର ସହ ସର୍ବବିଦିତ କରିବାପାଇଁ ପଦକ୍ଷେପମାନ ନେବେ । ତଥା ଏହି ସମ୍ବନ୍ଧୀୟ କାର୍ଯ୍ୟ କରୁଥିବା ଅନୁଷ୍ଠାନମାନଙ୍କୁ ସଚେତନତାମୂଳକ କାର୍ଯ୍ୟପାଇଁ ଉତ୍ସାହିତ କରିବେ ।

//ସ୍ନେହ ମିଶ୍ର //

ମନେରଖିବା ଉଚିତ୍ ଯେ ଋତୁସ୍ରାବ ପ୍ରକ୍ରିୟା ହିଁ ମାନବ ସୃଷ୍ଟିର ମୂଳ ଘର ।
ସେଠି ନାହିଁ କିଛି ଅସନା ଅଳିଆ,
ଅପବିତ୍ରର କଥା
ସେଠି ଖାଲି ଏକ ସୁନା ଫରୁଆରେ ଜଳୁଛି ପ୍ରାଣ ସଳିତା (ପ୍ର. ଦେବଦାସ ଛୋଟ୍ଟରାୟ)

Leave A Reply

Your email address will not be published.