…ଉପଦେକ୍ଷନ୍ତି ତେ ଜ୍ଞାନ° ଜ୍ଞାନୀନ ସ୍ତତ୍ତ୍ୱ ଦର୍ଶୀନଃ

0

ଗୁରୁଦିବସ
ଗୁରୁ ଆମର ପୂଜ୍ୟ ଓ ନମସ୍ୟ |ତାଙ୍କରି ଆଶୀର୍ବାଦରେ ବ୍ୟକ୍ତି ବଡ଼ ହୋଇପାରେ ଓ ଅଶାନ୍ତିରେ ପତନ ମୁଖକୁ ଟାଣି ହୋଇଯାଏ | ତାର ଉଦାହରଣ ମହାଭାରତ ମହାପୁରାଣରୁ ମିଳିଥାଏ |

ମହାଭାରତର ମହାନ ବୀର କର୍ଣ୍ଣ ଗୁରୁ ଭଗବାନ ପର୍ଶୁରାମଙ୍କ ପାଖରେ ରହି ସମସ୍ତ ବିଦ୍ୟା ଲାଭକରିଥିଲେ | ମାତ୍ର ବିଦ୍ୟା ଆରମ୍ଭ ପୂର୍ବରୁ ଗୁରୁଙ୍କୁ ତାଙ୍କ ଜନ୍ମ ବିଷୟରେ ସଠିକ ତଥ୍ୟ ଦେଇ ନ ଥିବାରୁ ଗୁରୁ ଅପ୍ରସନ୍ନ ହୋଇ ଅଭିଶାପ ଦେଇଥିଲେ ଓ ଜୀବନର ନିର୍ଣ୍ଣାୟକ ଯୁଦ୍ଧରେ ଅସ୍ତ୍ର ବିଷୟରେ ଭୁଲି ଅର୍ଜୁନଙ୍କ ହାତରେ ନିହତ ହୋଇଥିଲେ | ଆଉ ଏକଲବ୍ୟ ଗୁରୁ ଦ୍ରୋଣଙ୍କ ଠାରୁ ବିଦ୍ୟା ଚୋରି କରି ଥିବା ହେତୁ ଗୁରୁଙ୍କ ଆଦେଶରେ ଦକ୍ଷିଣା ସ୍ୱରୂପ ନିଜ ଦକ୍ଷିଣ ହସ୍ତର ବୁଢ଼ା ଆଙ୍ଗୁଳି ଦେଇ ଦଣ୍ଡ ସ୍ୱୀକାର କରିଥିଲେ |

ଏମିତି ରାଶି ରାଶି ଉଦାହରଣ ଆମର ପୁରାଣ ଶାସ୍ତ୍ର, କାହାଣୀ କବିତା, ଲୋକ ଗୀତରେ ରହିଛି |

ଶ୍ରୀମଦ ଭଗବତ ଗୀତା କହନ୍ତି

“ତଦ୍ ବିଦ୍ଧି ପ୍ରଣୀପାତେନ ପରି ପ୍ରଶ୍ନେନ ସେବୟା,
ଉପଦେକ୍ଷନ୍ତି ତେ ଜ୍ଞାନ° ଜ୍ଞାନୀନ ସ୍ତତ୍ତ୍ୱ ଦର୍ଶୀନଃ |(ଗୀତା 4/34 ) ଅର୍ଥ :
ଶ୍ରୀକୃଷ୍ଣ ମାନବ ଜାତିର ପ୍ରତିନିଧି ଅର୍ଜୁନଙ୍କୁ ଉପଦେଶ ଦେଇ କହୁଛନ୍ତି, “ତୁମ୍ଭେ ଏକ ତତ୍ତ୍ୱଦର୍ଶୀ ଗୁରୁଙ୍କ ପାଖକୁ ଯାଇ, ତାଙ୍କଠାରୁ ଦୀକ୍ଷା ଗ୍ରହଣ କରି, ତାଙ୍କୁ ବିନମ୍ର ଭାବରେ ପ୍ରଣାମ କରି,, ଅତି ସାବଧାନତାର ସହିତ ପ୍ରଶ୍ନ କଲେ ସେ ତୁମକୁ ସଦଜ୍ଞାନ ଦେଵେ ଓ ତୁମ୍ଭେ ଗୁରୁଙ୍କ ସେବା କରି ତାଙ୍କୁ ସନ୍ତୁଷ୍ଟ କଲେ ସେ ତୁମକୁ ତତ୍ତ୍ୱ କଥା କହି ତତ୍ତ୍ୱଜ୍ଞାନୀ କରିଦେବେ |ଏଥିରେ ଗୁରୁ ସେବା ଦ୍ୱାରା ଜୀବନ ସାର୍ଥକ କରିବାପାଇଁ ଉପଦେଶ ଦିଆ ଯାଇଛି |
ଗୁରୁ ଗୁରୁଜନଙ୍କ ଅଶାନ୍ତିରୁ ଯେଉଁ ଅସୁବିଧା ହୁଏ ତାହା ଆମେ ସମାଜରେ ଦେଖୁଥିଲେ ମଧ୍ୟ ସଚେତନ ହେଉନାହେଁ | ଏହା ହିଁ ବିଡମ୍ବନା |

  • ମହାଭାରତ ତଥା ଅଷ୍ଟାଦଶ ପୁରାଣର ସ୍ରଷ୍ଟା ମହର୍ଷି ବ୍ୟାସଦେବଙ୍କ ଜନ୍ମଦିନକୁ ଆମ ସଂସ୍କୃତିରେ ଗୁରୁ ପୂର୍ଣ୍ଣିମା /ବ୍ୟାସ ପୂର୍ଣ୍ଣିମା ଭାବେ ପାଳନ କରାଯାଉଛି |ଅର୍ଥାତ ଆମ ସଂସ୍କୃତିରେ ଗୁରୁ ପୂଜା ପରମ୍ପରା ବୈଦିକ ଯୁଗରୁ ଚାଲି ଆସିଛି |
    ତେଵେ ଆଜିର ଏ ଗୁରୁଦିବସ ପାଳନ କ’ଣ ପାଇଁ?
    ଆଧୁନିକ ଭାରତର ଅନ୍ୟତମ ମହାନ ଗୁରୁ, ଅନ୍ତର୍ଜାତୀୟ ଖ୍ୟାତିସମ୍ପର୍ଣ୍ଣ ଦାର୍ଶନିକ, ଡ଼ଃ ସର୍ବପଲ୍ଲୀ ରାଧାକୃଷ୍ଣନ୍ ଙ୍କର ଜନ୍ମଦିନକୁ ଆମେ ଗୁରୁଦିବସ ଭାବେ ପାଳନକରୁଛେ |ସେ ଥିଲେ ସ୍ୱାଧୀନ ଭାରତର ପ୍ରଥମ ଉପରାଷ୍ଟ୍ରପତି ତଥା ଦ୍ଵିତୀୟ ରାଷ୍ଟ୍ରପତି | ସେ ଅନୁଭବ କରିଥିଲେ ଗୁରୁ ଗୁରୁଜନଙ୍କ ଅବମାନନା ତଥା ତାଙ୍କ ପ୍ରତି ଅବହେଳା ଭାରତର ଉନ୍ନତି ପାଇଁ ଚରମ ବାଧକ ହେବ |ଭାରତୀୟ ଯୁବକମାନେ ପ୍ରାଚୀନ ଗୁରୁକୁଳ ପରମ୍ପରାକୁ ବଜାୟ ରଖି ନିଜକୁ ସୁନାଗରିକ ଭାବେ ଗଢିଲେ ଦେଶ ପୃଥିବୀରେ ଏକ ଅନନ୍ୟ ଦେଶର ମର୍ଯ୍ୟାଦା ଲାଭ କରିବ | ସେ ଆହୁରି ଅନୁଭବ କରିଥିଲେ ଯେ ବୈଦିକ ଯୁଗରେ ପବିତ୍ର ପରିବେଶରେ ଗୁରୁକୁଳ ଆଶ୍ରମ ଗଢି ଉଠିଥିଲା | ଶିଷ୍ୟ ଗୁରୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରହି ବିଦ୍ୟାଲାଭ କରୁଥିଲେ | ଆତ୍ମ ଜ୍ଞାନ ସହିତ ଉଦାର ବିଶ୍ୱ ଜ୍ଞାନରେ ଶିଷ୍ୟ ଭୂଷିତ ହେଉଥିଲା | ଶିଷ୍ୟର ସର୍ବାଙ୍ଗୀନ ଉନ୍ନତି ପାଇଁ ଗୁରୁ ଥିଲେ ସର୍ବେସର୍ବା |ଶିଷ୍ୟର ସେବା, ଭକ୍ତି, ଓ କର୍ତ୍ତବ୍ୟ ନିଷ୍ଠାରେ ମୁଗ୍ଧ ହୋଇ ସେ ନିଜର ଜ୍ଞାନକୁ ନିଷ୍କପଟ ହୃଦୟରେ ବିତରଣ କରୁଥିଲେ | ପୁତ୍ରସମ ଶିଷ୍ୟ ଠାରୁ ସେ ଭୌତିକ ଧନ ଇଚ୍ଛା କରୁ ନ ଥିଲେ |
  • ଅତୀତର ସେ ଗୁରୁକୁଳ ଆଶ୍ରମ ଶିକ୍ଷା ଓ ଗୁରୁ-ଶିଷ୍ୟ ସମ୍ବନ୍ଧ କାଳକ୍ରମେ ଦେଶରୁ ବିଦାୟ ନେଇଛି |ବହୁ ବୈଦେଶିକଙ୍କର ବାସଭୂମି ଓ ଶାସନ କ୍ଷେତ୍ର ହେଲାପରେ ଏଭଳି ଅବସ୍ଥା ସୃଷ୍ଟି ହୋଇଛି |ଗୁରୁମାନେ ବେତନ ଭୋଗୀ ହେଲେ |ସମ ଯୋଗ୍ୟତା ସମ୍ପନ୍ନ ଅନ୍ୟ କର୍ମଚାରୀଙ୍କ ଠାରୁ ସେମାନେ କମ ବେତନ ଓ ସମ୍ମାନର ଅଧିକାରୀ ହେଲେ |ସମାଜରେ ଗୁରୁ ବର୍ଗ ଯଥାର୍ଥ ସମ୍ମାନରୁ ବଞ୍ଚିତ ହେଲେ |ମୋ ମତରେ
    ସ୍ୱଧିନତା ଲାଭ ପରେ ଶିକ୍ଷାପ୍ରତି ସରକାର ଧ୍ୟାନ ଦେଲେ ସତ ମାତ୍ର ଶିକ୍ଷକଶ୍ରେଣୀ ଯଥା ଯୋଗ୍ୟ ସମ୍ମାନ ପାଇଲେନି |ଏଣୁ ଅଳ୍ପଧି ବ୍ୟକ୍ତି ଶିକ୍ଷକ ହେଲେ ଓ ଏହା ଅଧମ ଉଦ୍ଧାରଣ ପନ୍ଥା ବୋଲି ଅନେକ ଧରିନେଲେ | ଶିକ୍ଷା ବ୍ୟବସ୍ଥାର ଉନ୍ନତି ନ ହେଲେ ଦେଶର ଉନ୍ନତି ଅସମ୍ଭବ ବୋଲି ରାଧାକୃଷ୍ଣନ୍ ଅନୁଭବ କରିଥିଲେ |
    ପ୍ରାଚୀନ ଶିକ୍ଷା ବ୍ୟବସ୍ଥାର ପୁନଃ ଉଦ୍ଧାର ପାଇଁ ସେ ଚିନ୍ତା କରୁଥିବା ବେଳେ, ତାଙ୍କର କେତେକ ଛାତ୍ର ତାଙ୍କ ଜନ୍ମଦିନ ପାଳନ ପାଇଁ ତାଙ୍କ ମତ ପଚାରିଲେ |ଏହି ଅବସରରେ ସେ ତାଙ୍କ ଜନ୍ମଦିନକୁ ଗୁରୁ ଦିବସ ରୂପେ ପାଳନ କରାଯିବାକୁ ଇଚ୍ଛା ପ୍ରକାଶ କରିଥିଲେ | ସେଥିପାଇଁ 1969 ମସିହା ସେପ୍ଟେମ୍ବର 5 ତାରିଖରୁ ଗୁରୁଦିବସ ପାଳିତ ହୋଇ ଆସୁଅଛି |
    ତେଵେ ଆଜି ବି ଶିକ୍ଷା ବ୍ୟବସ୍ଥା ପରୀକ୍ଷା ନୀରିକ୍ଷା ଭିତରେ ଗତି କରୁଛି |
    ନୂତନ ଶିକ୍ଷାନିତି ଭ୍ରମାତ୍ମକ ସ୍ଥିତି ସୃଷ୍ଟି କରିଛି |
    ମାତୃ ଭାଷାରେ ଶିକ୍ଷାକୁ ସମ୍ବିଧାନ ସ୍ୱୀକୃତି ଦେଇ ଥିଲେ ବି ନୂତନ ଶିକ୍ଷା ନିତିରେ ପ୍ରତି ରାଜ୍ୟର ମାତୃଭାଷା ସଙ୍କଟଜନକ ସ୍ଥିତିରେ ଓ ସନ୍ଦେହ ଭିତରେ ଅଛନ୍ତି | ଆମ ଭାଷା ଓଡ଼ିଆ ଏବେ ନୂତନ ସରକାରଙ୍କ ଶୁଭ ଦୃଷ୍ଟିରୁ ପ୍ରଶାସନିକ ଭାଷା ହେବା ପାଇଁ ଯାଉଛି, ଯାହା ସୁଖର ବିଷୟ | କେବଳ ଗତାନୁଗତିକ ଧାରାରେ ଆମେ ଗୁରୁ ଦିବସ ପାଳନ କରୁଛେ | କିଛି ଲବ୍ଧ ପ୍ରତିଷ୍ଠ ଗୁରୁଙ୍କୁ ରାଜ୍ୟ ଓ କେନ୍ଦ୍ର ସ୍ତରରେ ସମ୍ମାନିତ କରି ଆତ୍ମ ସନ୍ତୋଷ ପାଉଛେ |
    ଭାରତର ମହାନ ଗୁରୁ, ପ୍ରଥମ ଉପରାଷ୍ଟ୍ରପତି, ଦ୍ଵିତୀୟ ରାଷ୍ଟ୍ରପତି, ରାଷ୍ଟ୍ରଦୂତ (ରୁଷିଆରେ ) ସର୍ବୋପରି ବିଖ୍ୟାତ ଦାର୍ଶନିକଙ୍କ ଜନ୍ମଦିନକୁ ଆମେ ଗୁରୁ ଦିବସ ରୂପେ ପାଳନ କରିବା ସହିତ ତାଙ୍କ ଉଦ୍ଦେଶ୍ୟକୁ ବୁଝି ଯଦି ଆମେ ଆମର ଗୁରୁ ଗୁରୁଜନଙ୍କୁ ଉଚିତ ସମ୍ମାନ ଦେବା ଓ ମାନବିକ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ଲାଭ ପାଇଁ ଆଗେଇ ଯିବା, ତେବେ ତାହା ହେବ ସେହି ମହାମାନବଙ୍କ ପ୍ରତି ଯଥାର୍ଥ ଶ୍ରଦ୍ଧାଞ୍ଜଳି 🙏🙏
  • ଶ୍ରୀକାନ୍ତ ଦାଶ,ସଭାପତି, (ଅବି) ଓ ସାଧାରଣ ସମ୍ପାଦକ,
    , ଓଡ଼ିଆ ଜାତୀୟ ସମ୍ମିଳନୀ,
    ଦୂରଭାଷ :9238304919

+++++++++++++ADVT+++++++++++++++

Leave A Reply

Your email address will not be published.