ଉତ୍କଳ ଦିବସ, ଆତ୍ମ ସମୀକ୍ଷାର ବେଳ

0
  • ଶ୍ରୀକାନ୍ତ ଦାଶ

*କାନ୍ଦୁଛି ଉତ୍କଳ ଜନନୀ

ଓଡିଶା 1936 ଏପ୍ରିଲ 1ରେ ଭାଷା ଭିତ୍ତିରେ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଲାଭ କଲା |

ସେହି ବର୍ଷରୁ କ୍ରମାଗତ ଭାବେ ଆମେଗତାନୁଗତିକ ଧାରାରେ ଉତ୍କଳ ଦିବସ ପାଳନ କରି ଆଜି ଅଣାନବେ ତମ ଉତ୍କଳ ଦିବସ ପାଳନ କରୁଛେ |ସରକାରୀ, ବେସରକାରୀ ଅନେକ ସଂଗଠନ ଏ ଦିବସ ଉତ୍ସାହର ସହ ପାଳନ କରୁଛନ୍ତି |

  • କେହି ଅନୁଭବ କରୁନାହାନ୍ତି ଉତ୍କଳ ଜନନୀଙ୍କ ଦୁଃଖ | ଉତ୍କଳ ଜନନୀଙ୍କ କରୁଣ ବିଳାପ କାହା କର୍ଣ୍ଣକୁ ଶୁଭୁନାହିଁ, ଅର୍ଥାତ ଯେଉଁ ବଡ଼ ପଣ୍ଡା ମାନେ ବିଭିନ୍ନ ସମୟରେ ଶାସନ ଗାଦିରେ ବସିଛନ୍ତି ସେମାନଙ୍କୁ ଉତ୍କଳ ଜନନୀଙ୍କ ଦୁଃଖ ଜଣାପଡୁନାହିଁ |ଭାଷା ଭିତ୍ତିରେ ଗଠିତ ଏ ରାଜ୍ୟ ଆଜି ତାର ଭାଷାକୁ ବଞ୍ଚେଇବାକୁ ସଂଘର୍ଷ କରୁଛି |
    ଉତ୍କଳ ଜନନୀଙ୍କ ସୀମା ସରହଦ ଆଜି ବି ବିବାଦରେ |କେତେବେଳେ ଆନ୍ଧ୍ର ତ କେତେବେଳେ ପଶ୍ଚିମବଙ୍ଗ, ଛତିଶଗଡର ସୀମା ଉପରେ ଆକ୍ରମଣ ଆମକୁ ଅତିଷ୍ଠ କରୁଛି, ଆଉ ଆମ ପ୍ରଶାସନ ନିରବ ଦ୍ରଷ୍ଟା ସାଜୁଛି |

ଆମ ଭାଷା, ସଂସ୍କୃତି, ସାହିତ୍ୟ, ଇତିହାସ ଆଜି ବିକୃତ ମାନସିକତା ଧାରୀ ଶାସନ ମୁଖ୍ୟଙ୍କ ଚକ୍ରାନ୍ତରେ ଶେଷ ନିଶ୍ୱାସ ନେଉଛି |
ଦେଶ ସ୍ୱାଧୀନତା ପୂର୍ବରୁ ମିଶ୍ରଣ ଓ ବିଭାଜନ ଘଟଣା କ୍ରମରେ ତତ୍କାଳୀନ ମୟୁରଭଞ୍ଜ ରାଜ୍ୟର ଅଂଶ ବିଶେଷ ଥିବା ଗଡଜାତ ରାଜ୍ୟ ଷଢ଼େଇକଳା ଓ ଖରସୁଆଁ 1947ଡ଼ିସେମ୍ବର 15 ତାରିଖରେ ଓଡିଶାରେ ମିଶିଥିଲା |

  • ଷଢ଼େଇକଳାକୁ ଓଡ଼ିଶାରେ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ମିଳିଥିଲା |ଏହାର 15ଦିନ ପରେ ଏ ଅଞ୍ଚଳର ଆଦିବାସୀ ମାନେ ମିଶ୍ରଣକୁ ବିରୋଧ କରି ସ୍ୱତନ୍ତ୍ର ରାଜ୍ୟ ଗଠନ ଦାବିରେ 1948 ଜାନୁଆରୀ ପହିଲାରେ ଆନ୍ଦୋଳନ କରିଥିଲେ |ଏହାର ପ୍ରାୟ ଚାରିମାସ ପରେ ଅର୍ଥାତ 1948 ମେ 18ତାରିଖରେ ଷଢ଼େଇକଳା ଓ ଖରସୁଆଁକୁ ବିହାରରେ ମିଶେଇ ଦିଆଗଲା |ଏହାର ପ୍ରତିବାଦରେ ଷଢ଼େଇକଳା ରାଜପ୍ରାସାଦ ସମ୍ମୁଖରେ ଗୋଦାବରୀଶ ମିଶ୍ରଙ୍କ ନେତୃତ୍ୱରେ ବଡ଼ ଆନ୍ଦୋଳନ ହୋଇଥିଲା | ଏହି ଆନ୍ଦୋଳନକୁ ବିହାର ସରକାର ଦୃଢ ହସ୍ତରେ ଦମନ କରିଥିଲେ |


ଏହାପରେ ଅନେକ ଆନ୍ଦୋଳନ ହୋଇଛି ମାତ୍ର ଓଡିଶା ସରକାରଙ୍କ ଦୃଢ଼ ଇଚ୍ଛାଶକ୍ତି ଅଭାବରୁ କୌଣସି ଆନ୍ଦୋଳନ ସଫଳ ହୋଇନାହିଁ |
2000ମସିହା ନଭେମ୍ବରରେ ରାଜ୍ୟ ପୁନର୍ଗଠନ କ୍ରମେ ବିହାର ବିଭାଜନ ପରେ ଷଢ଼େଇକଳା ଓ ଖରସୁଆଁ ଝାଡ଼ଖଣ୍ଡ ରାଜ୍ୟ ଅନ୍ତର୍ଗତ ହୋଇରହିଛି |ଓଡିଶାର ନ୍ୟାୟିକ ଦାବିକୁ ଅଣଦେଖା କରାଗଲା |ଏବେ ବି ସେ ଅଞ୍ଚଳରେ ଓଡ଼ିଆ ଭାଷା ସଂସ୍କୃତିକୁ ଓଡ଼ିଆମାନେ ବଜାୟ ରଖିଛନ୍ତି | ତତ୍କାଳୀନ ଝାଡ଼ଖଣ୍ଡ ମୁଖ୍ୟମନ୍ତୀ ଓଡ଼ିଆ ଭାଷାକୁ ରାଜ୍ୟରେ ଦ୍ଵିତୀୟ ରାଜଭାଷାର ମାନ୍ୟତା ପ୍ରଦାନ କଲେ |ଦୁଃଖର ବିଷୟ ଏହା ଯେ ଗତ 25ବର୍ଷ ଧରି ଶାସନରେ ଥିବା ଆମ ସରକାର ଓଡ଼ିଆ ଭାଷା, ସଂସ୍କୃତିକୁ ମାରିଦେବାର ଚକ୍ରାନ୍ତ କରୁଛନ୍ତି ଓ ଅନେକାଂଶରେ ସଫଳ ହୋଇଛନ୍ତି | ଆଉ ଏହାର ସୁଯୋଗ ନେଇ ପଡୋଶୀ ରାଜ୍ୟରେ ଥିବା ଓଡ଼ିଆ ମାନେ ସେଠାରେ ଥିବା ସରକାରଙ୍କ ଅଣହେଳାର ଶିକାର ହେଉଛନ୍ତି |
1954ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଓଡିଶା ଭାଷା ଆଇନ ପ୍ରଣୟନ କରିଥିଲେ | ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ | ବରଂ ଆମର ବର୍ତ୍ତମାନ ସରକାର ଏହି ଆଇନକୁ ବଦଳେଇ ନିଜକୁ ସୁହାଇଲା ଭଳି ଆଇନ କରି ଓଡ଼ିଆ ଭାଷାକୁ ସବୁଦିନ ପାଇଁ କବର ଦେଇଛନ୍ତି |

କୋରାପୁଟ ଜିଲ୍ଲାର କୋଟିଆ, ଆଜି ଆନ୍ଧ୍ର ସରକାରଙ୍କ ଅକ୍ତିଆରକୁ ଯିବାକୁ ବସିଛି |ଏମିତି କି ଆମ ସରକାରଙ୍କ ଦୁର୍ବଳତାର ସୁଯୋଗ ନେଇ ଆନ୍ଧ୍ର କୋରାପୁଟ ଜିଲ୍ଲା ନନ୍ଦପୂରର ରାଈ ପାହାଡ଼ ଉପରେ ଲୋଲୁପଦୃଷ୍ଟି ପକେଇଛି |ଓଡିଶା ଛତିଶଗଡ ଜଳ ବିବାଦ, ଓ ସୀମା ବିବାଦ ଥମିବାର ନା ନେଉନି | ଓଡିଶାର ଓଡ଼ିଆ ଭାଷା ବିଦ୍ୱେଷୀ ସରକାର ଏସବୁ ସମାଧାନ ପାଇଁ ଅନାଗ୍ରହୀ |ବାଲେଶ୍ୱର ଭୋଗରାଇ ବ୍ଲକର ଶଙ୍ଖାମେଦି ଗ୍ରାମ ଉପରେ ପଶ୍ଚିମବଙ୍ଗ ଅଧିକାର ସାବ୍ୟସ୍ତ କରୁଛି |

ଗୋଟିଏ ବାକ୍ୟରେ କହିବାକୁ ଗଲେ ବିଛିନ୍ନଞ୍ଚଳରେ ବସବାସ କରୁଥିବା ଆମ ଓଡ଼ିଆ ଭାଇ ଭଉଣୀ ମାନେ ଓଡିଶାକୁ ଫେରିବାକୁ ଆଗ୍ରହୀ ଥିଲେ ହେଁ ଆମ ପ୍ରଶାସନ ଏ ଦିଗରେ ଅନାଗ୍ରହୀ |

ସ୍ୱତନ୍ତ୍ର ଓଡିଶା ଗଠନ ପାଇଁ ସଂଗ୍ରାମ କରିଥିବା ଉତ୍କଳଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ନୀଳମଣି ବିଦ୍ୟାରତ୍ନ, ମହାରାଜା ସୁଢଳ ଦେବ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ବ୍ୟାସକବି ଫକୀର ମୋହନ ସେନାପତି, ସ୍ଵଭାଵକବି ଗଙ୍ଗାଧର ମେହେର, ଗୋଦାବରୀଶ ମିଶ୍ର,କବିବର ରାଧାନାଥ ରାୟ ଆଦି ମନୀଷୀ ମାନଙ୍କ ଆତ୍ମା ଆଜିର ଓଡିଶା ଅବସ୍ଥା ଦେଖି ବ୍ୟଥିତ ହେଉଥିବ |
ଅପରାଜେୟ ଓଡ଼ିଆ ଜାତି ଆଜି ତାର ଅତୀତ ଗୌରବ ଭୁଲି ଯାଇଛି |ଏ କଙ୍କାଳ ସାର ଦୁର୍ବଳ ଜାତିକୁ ଉଠେଇବାକୁ ଯାଇ ଗୋଦାବରୀଶ ମହାପାତ୍ର କହିଥିଲେ

ଉଠ କଙ୍କାକ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି |ଉଠୁ ଗତ ଗୌରବ, ହୃତ ଗୌରବ ମୃତ ଗୌରବ ରାଜି ||

“ଉତ୍କଳ ଗୌରବ ମଧୁସୂଦନ ଦାସ କହିଥିଲେ,”ଉଠରେ ଉଠରେ ଉତ୍କଳ ସନ୍ତାନ ଉଠିବୁ ତୁ କେତେ ଦିନେ, ପୂରୁବ ଗୌରବ ପୂରୁବ ମହିମା ପଡୁନାହିଁ ତୋର ମନେ |”
କୁନ୍ତଳାକୁମାରୀ ସାବତଙ୍କ ଉଦବୋଧନ, “ଓଡ଼ିଆ ବୋଲି ତୁ ମନେ ଗର୍ବ ବହି ଚାଲରେ ଟେକି ତୋ ମଥା,ନିତି ମନେ ମନେ ଗୁଣୀ ହେଉଥା ପୂର୍ବପୁରୁଷଙ୍କ କଥା |”
ଆମ ମାତୃଭାଷା ଓ ମାତୃଭୂମି ଆଜି ସଙ୍କଟରେ | ଆଜି ଦିନରେ ଶପଥ ନେବା ଆମ ସୁରକ୍ଷା ଆମେ କରିବା, ଆଉ ଏ ଜାତି ଯେ ବୀର ପ୍ରସବିନି ତାର ଉଦାହରଣ ସୃଷ୍ଟି କରିବା |ତା ହେଲେ ଉତ୍କଳ ଦିବସ ପାଳନର ଯଥାର୍ଥତା ରହିବ |
ବନ୍ଦେ ଉତ୍କଳ ଜନନୀ 🙏🙏
ଶ୍ରୀକାନ୍ତ ଦାଶ, ସଭାପତି, “ଅବି”ଓ ସାଧାରଣ ସମ୍ପାଦକ, ଓଡ଼ିଆ ଜାତୀୟ ସମ୍ମିଳନୀ |.
ଦୂରଭାଷ :9238304919,
Email : srikantadash. bpc@gmail. com

++++++++++++++++++++++++++++++++

Advt..

RAMBHA PALACE.mp4

Leave A Reply

Your email address will not be published.