ଆରପାରିରେ କିଶୋର ମହାନ୍ତି

0
  • ହୃଦଘାତରେ ମୃତ୍ୟୁ ହୋଇଥିବା ସୂଚନା
  • ଝାରସୁଗୁଡା, ଭୁବନେଶ୍ୱର //TATKAL ODISHA //

ପୂର୍ବତନ ବାଚସ୍ପତି ତଥା ଏବର ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ଆଉ ଇହ ଜଗତରେ ନାହାନ୍ତି I

ସେ ହୃଦଘାତରେ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି I ଡାକ୍ତରଖାନାରେ ଚିକିତ୍ସାଧୀନ ଥିବାବେଳେ ସେ ପରଲୋକ ଗମନ କରିଥିଲେ I

ମୃତ୍ୟୁ ବେଳକୁ ତାଙ୍କୁ 63 ବର୍ଷ ହୋଇଥିଲା I

ସ୍ବର୍ଗତ ମହାନ୍ତି ପଶ୍ଚିମ ଓଡିଶାରେ ଜଣେ ଟାଣୁଆ ନେତା ଥିଲେ I ସେ 1990ରେ ଝାରସୁଗୁଡାରୁ ପ୍ରଥମେ ଜନତା ଦଳ ଟିକେଟରେ ଲଢ଼ି ବିଜୟୀ ହୋଇଥିଲେ I ସେ ସେଠାରୁ ତିନି ଥର ବିଧାୟକ ଥିଲେ I 2004ରୁ 2009 ମଧ୍ୟରେ ସେ ମୁଖ୍ୟ ସଚେତକ ଥିଲେ I ପରେ ବାଚସ୍ପତି ଆସନ ଅଳଙ୍କୃତ ହୋଇ ଥିଲେ I 2009ରୁ 2012 ମଧ୍ୟରେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ I ଏହାପରେ ସେ ପଶ୍ଚିମ ଓଡିଶା ବିକାଶ ପରିଷଦରେ ଅଧ୍ୟକ୍ଷ ପଦରେ ଆସୀନ ହୋଇ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ I

ମୃତ୍ୟୁ ପର୍ଯ୍ୟନ୍ତ ସ୍ବର୍ଗତ ମହାନ୍ତି ବ୍ରଜରାଜନଗରରେ ବିଜେଡି ବିଧାୟକ ଥିଲେ I

ମୃତ୍ୟୁ ଖବର ପ୍ରଚାର ହେବା ମାତ୍ରେ ସାରା ରାଜ୍ୟରେ ଶୋକର ଛାୟା ଖେଳି ଯାଇଛି I

  • ମୁଖ୍ୟମନ୍ତ୍ରୀଙ୍କ ଶୋକ

ପୂର୍ବତନ ବାଚସ୍ପତି କିଶୋର ମହାନ୍ତିଙ୍କ ଆକସ୍ମିକ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଦୁଃଖଦ ଖବରରେ ସେ ଗଭୀର ଭାବରେ ମର୍ମାହତ ହୋଇଛନ୍ତି । ସେ ଜଣେ ଜନପ୍ରିୟ ନେତା ଭାବରେ ଦଳମତ ନିର୍ବିଶେଷରେ ସମସ୍ତଙ୍କର ପ୍ରିୟପାତ୍ର ଥିଲେ। ବାଚସ୍ପତି ଭାବେ ଉଚ୍ଚ ସଂସଦୀୟ ପରମ୍ପରା ବଜାୟ ରଖିବା ସହିତ ସବୁ ଦଳର ବିଧାୟକ ମାନଙ୍କ ସମ୍ମାନର ଅଧିକାରୀ ହୋଇପାରିଥିଲେ । ମନ୍ତ୍ରୀ ତଥା ବିଧାୟକ ଭାବରେ ଓଡିଶାର ବିକାଶ ପାଇଁ ତାଙ୍କର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି । ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବରେ ମଧ୍ୟ ସେ ଅନେକ ବିକାଶମୂଳକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ପଶ୍ଚିମ ଓଡିଶାରେ ବିଜୁ ଜନତା ଦଳର ସାଂଗଠନିକ କାର୍ଯ୍ୟକ୍ରମକୁ ଦୃଢ ନେତୃତ୍ବ ଦେଇଥିଲେ । ସେବା ଓ ପ୍ରତିବଦ୍ଧତା ତାଙ୍କ ବ୍ୟକ୍ତିତ୍ବର ଅନନ୍ୟ ଦିଗ ଥିଲା ।

ପରଲୋକଗତ ଆତ୍ମାର ସଦ୍ଗତି କାମନା କରିବା ସହିତ ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।

Leave A Reply

Your email address will not be published.