ଆମେ କେତେ ସ୍ୱାଧୀନ ?
- **********
- ଶ୍ରୀକାନ୍ତ ଦାଶ
- ***********
- ଆମେ କେତେ ସ୍ୱାଧୀନ ?
ସ୍ୱାଧୀନତା ମଣିଷ ଆତ୍ମାର ସବୁଠୁ ସୁନ୍ଦରତମ ଫୁଲ |ଗୋଟିଏ ବ୍ୟକ୍ତି ସ୍ୱାଧୀନତା ହରେଇଲେ ତାହାର ପ୍ରତିକାର କରିହେବ, ମାତ୍ର ଗୋଟିଏ ଜାତି ସ୍ୱାଧୀନତା ହରେଇଲେ ତାକୁ ପୁନଃ ପ୍ରାପ୍ତ କରିବାକୁ ଅନେକ ବର୍ଷ ଲାଗି ଯାଏ|
ଆଉ ଏଥିପାଇଁ ବିପ୍ଳବ, ରକ୍ତପାତ, ସଂଘର୍ଷ କରିବାକୁ ପଡେ |ପ୍ରାକ୍ ଐତିହାସିକ ଯୁଗରୁ ସଭ୍ୟତାର ଆଲୋକ ଦେଖିଥିବା ଦେବଭୁମି ଭାରତବର୍ଷ ଏହିପରି ଦିନେ ବ୍ରିଟିଶ ଜାତି ଦ୍ୱାରା କବଳିତ ହୋଇଥିଲା |ବାଣିଜ୍ୟ ବାହାନାରେ ସେମାନେ ଅଧିକାର କରିଥିଲେ ଭାରତର ପ୍ରତ୍ୟେକ ରାଜ୍ୟ |
ପ୍ରାୟ ତିନିଶହ ବର୍ଷ ଧରି ଭାରତ ବର୍ଷରେ ସେମାନଙ୍କର ରାଜତ୍ୱର ଇତିହାସ ଥିଲା ରକ୍ତ ରଂଜିତ ଓ ଲୋମ ହର୍ଷଣକାରୀ |1817 ଓଡିଶାର ପାଇକ ବିଦ୍ରୋହ, 1857ସିପାହୀ ବିଦ୍ରୋହ, ପରି ଅନେକ ବିଦ୍ରୋହ ଘଟିଯାଇଛି ସେମାନଙ୍କ ବିରୋଧରେ |1942ଭାରତ ଛାଡ଼ ଆନ୍ଦୋଳନର ତୀବ୍ରତା ସେମାନଙ୍କୁ ଏ ଦେଶ ଛାଡିବାକୁ ବାଧ୍ୟ କରିଥିଲା |ଶେଷରେ ସେମାନେ 1947ଅଗଷ୍ଟ 15ରେ ଏ ଦେଶ ଛାଡି ଚାଲିଯିବାକୁ ବାଧ୍ୟ ହୋଇଥିଲେ |ଆଉ ସେହି ଦିନଠାରୁ ଆମେ ପ୍ରତିବର୍ଷ ଅଗଷ୍ଟ 15ତାରିଖରେ ସ୍ୱାଧୀନତା ଦିବସ ପାଳନ କରୁଛୁ |
ତେବେ ଇଂରେଜ ଶାସନ ଭାରତୀୟ ମାନଙ୍କ ଆଖି ଖୋଲି ଦେବାରେ ଅନେକତଃ ସମର୍ଥ ହୋଇଛି, ଯାହା ଆମେ ଅସ୍ବୀକାର କରିପାରିବାନାହିଁ |1857ର ସିପାହୀ ବିଦ୍ରୋହ ବିଫଳ ହୋଇଥିଲା ସତ ମାତ୍ର ଭାରତୀୟ ସୁପ୍ତ ଚେତନାରେ ଜାଳି ଦେଇଥିଲା ସମ୍ଭାବନାର ଦୀପାବଳି |
ପରବର୍ତ୍ତୀ ସମୟରେ ପାଶ୍ଚାତ୍ୟ ଶିକ୍ଷାର ପ୍ରସାର ଫଳରେ ସଚେତନତା ବୃଦ୍ଧି ପାଇଲା |ରାଜା ରାମ ମୋହନ ରାୟ, ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର ଆଦି ମନୀଷୀଙ୍କ ସଂସ୍କାର ଅଭିମୁଖୀ କାର୍ଯ୍ୟକ୍ରମ ଦେଶକୁ ନୂତନ ଦିଗଦର୍ଶନ ଦେଲା |ଏହି ସଂଗ୍ରାମର ଦୁଇଟି ଧାରା ଲୋକଙ୍କୁ ସ୍ୱାଧୀନତା ଉପରେ ସଚେତନ କରିଥିଲା |ଗୋଟିଏ ନରମ ପନ୍ଥୀ ଯାହାର ନେତ୍ରତ୍ୱ ନେଇଥିଲେ ମହାତ୍ମା ଗାନ୍ଧୀ |ତାଙ୍କର ସହଯୋଗୀ ଥିଲେ ଜବାହାରଲାଲ ନେହରୁ, ସୀତା ରାମେୟା, ମହମଦ ଅଲ୍ଲୀ ଜିନ୍ନା, ମୌଲାନା ଆଜାଦ, ଚକ୍ରବର୍ତ୍ତୀ ରାଜ ଗୋପାଳାଚାରୀ ପ୍ରମୁଖ |ଚରମ ପନ୍ଥୀଙ୍କ ମଧ୍ୟରେ ଥିଲେ ସୁବାଷ ବୋଷ, ସୂର୍ଯ୍ୟ ସେନ, ବାଘା ଯତୀନ, ରାମ ବିହାରୀ,ଲାଲ,ବାଲ, ପାଲ ଓ ଅନ୍ୟ ମାନେ |ଆଉ ମଧ୍ୟ ଅରବିନ୍ଦଙ୍କ ପରି ଚିନ୍ତାନାୟକ ମାନେ ଏ ଆନ୍ଦୋଳନକୁ ବିପୁଳ ମାତ୍ରାରେ ଉଦ୍ଦୀପିତ କରିଥିଲେ |
ଗାନ୍ଧୀ ଚାହୁଁଥିଲେ ସତ୍ୟାଗ୍ରହ ଅହିଂସା ଓ ଅସହଯୋଗ ମାଧ୍ୟମରେ ସ୍ୱାଧୀନତା, ଆଉ ସୁବାଷ ବୋଷ ଚାହୁଁଥିଲେ ଏକ ଭିନ୍ନ ପଥ |ସେ କହୁଥିଲେ “ଭିକ୍ଷା କରି ସ୍ୱାଧୀନତା ମିଳେନି |”
ଏଥିପାଇଁ ସେ ଜର୍ମାନୀ ଯାଇ ଆଜାଦ ହିନ୍ଦ ଫୌଜ ଗଠନ କରିଥିଲେ |ଜାପାନରେ ଥିବା ବିପ୍ଲବୀ ରାସ ବିହାରୀ ତାଙ୍କୁ ସହଯୋଗ କରିଥିଲେ |ଦ୍ଵିତୀୟ ବିଶ୍ୱ ଯୁଦ୍ଧ ସମୟରେ ଭିତରୁ ଓ ବାହାରୁ ଆକ୍ରମଣ ହେଲେ ଭାରତରୁ ବ୍ରିଟିଶ ଶାସନ ଭୁଶୁଡି ପଡିବ ବୋଲି ସେ ମନେ କରିଥିଲେ |ମାତ୍ର ଏକ ବିମାନ ଦୁର୍ଘଟଣାରେ ସେ ପ୍ରାଣତ୍ୟାଗ କଲେ ବୋଲି ସେତେବେଳେ ପ୍ରଚାର ହେଲା ଓ ଏକ ଜ୍ୱଳନ୍ତ ଅଗ୍ନିଶିଖା ନିର୍ବାପିତ ହୋଇଗଲା |ତେବେ ନେତାଜୀ ସୁବାଷ ବୋଷଙ୍କ ସଂଘର୍ଷର କାହାଣୀ ଚିର ସ୍ମରଣୀୟ ରହିବ |ତେବେ ଚରମପନ୍ଥୀ ଓ ନରମ ପନ୍ଥୀଙ୍କ ଉଦ୍ୟମରେ, ବିଶେଷ କରି ମହାତ୍ମା ଗାନ୍ଧୀଙ୍କ ନାୟକତ୍ୱରେ ଭାରତ 1947ଅଗଷ୍ଟ 15ତାରିଖରେ ସ୍ୱଧିନତା ପାଇଲା |
ତେବେ ବହୁ କଷ୍ଟ ଲବ୍ଧ ସ୍ୱାଧୀନତା ଦେଶ ବାସୀ ଭୋଗିବା ପୂର୍ବରୁ ଅଖଣ୍ଡ ଭାରତ ଦୁଇ ଖଣ୍ଡ ହେଲା ଓ ଜନ୍ମନେଲା ପାକିସ୍ତାନ |ଏଠାରେ ଦୁଃଖର ସହ ଜଣେଇବାକୁ ଉଚିତ ମନେକରେ ଯେ ଭାରତକୁ ଅଖଣ୍ଡ ରୂପେ ଦେଖିବାକୁ ଯେଉଁ କଵି ଇକବାଲ ଲେଖିଥିଲେ “, ସାରେ ଜହାଁ ସେ ଆଛା ହିନ୍ଦୁସ୍ତାଂ ହମାରା,
ହମ ବୁଲ୍ ବୁଲେ ହେଁ ଇସକେ ୟେ ଗୁଲି°ସ୍ତା ହମାରା |”ସେ ପୁଣି ପାକିସ୍ତାନର ସମର୍ଥକ ବନିଗଲେ |
ସ୍ୱାଧୀନତା ଦିବସ ପାଳନର ଉଦ୍ଦେଶ୍ୟ
ଏହାକୁ ପାଳନ କରିବାର ଉଦ୍ଦେଶ୍ୟ ବହୁବିଧ |ପ୍ରଥମତଃ ଏହାଦ୍ୱାରା ଆମେ ସ୍ୱାଧୀନତା ସଂଗ୍ରାମର ରକ୍ତ ରଞ୍ଜିତ ଇତିହାସ ମନେ ପକାଇବା |ଦ୍ଵିତୀୟତଃ ବହୁ କଷ୍ଟ ଲବ୍ଧ ସ୍ୱାଧୀନତାକୁ ଆମେ କିପରି ରୂପେ ମର୍ଯ୍ୟାଦା ଦେଇଛୁ ତା’ର ଆତ୍ମ ସମୀକ୍ଷା କରିବା, ତୃତୀୟତଃ ଆଗାମୀ ସମୟରେ ଏହି ସ୍ୱାଧୀନତା ଯେପରି ବିପର୍ଯ୍ୟସ୍ତ ନ ହୁଏ ସେଥିପାଇଁ ଆମେ ଶପଥ ନେଉ |
ଉତ୍କଳ ମଣି ଗୋପବନ୍ଧୁଙ୍କ ଭାଷାରେ,:–
“ସ୍ୱାଧୀନତା ମାନବର ଜନ୍ମ ଅଧିକାର,
ସ୍ୱାଧୀନ ଭାଷଣ ଆଉ ସ୍ୱାଧୀନ ବିହାର,
ସ୍ୱାଧୀନ ଜୀବନ ପୁଣି ସ୍ୱାଧୀନ ସମିତି, ଚାରି ସ୍ତମ୍ଭେ ମାନବର ସମାଜ ସଂସ୍ଥିତି ||
ଆଜି କଣ ଏସବୁ ଆମେ ଅନୁଭବ କରୁଛୁ?
ଲାଲ କିଲ୍ଲା ଉପରୁ ବଜ୍ର ଗମ୍ଭୀର ବକ୍ତୃତା ଶୁଣି, ପ୍ୟାରେଡ ପଡିଆରେ ପ୍ୟାରେଡ ଦେଖି ଆମେ ବୁଝିନେଉ ଯେ ସ୍ୱାଧୀନତା ଦିବସ ପାଳନ ସାରିଦେଲୁ |ମାତ୍ର ବାସ୍ତବତା ଠାରୁ ଆମେ ବହୁତ ଦୂରରେ |ଆମର ଚିନ୍ତା କରିବାର କଥା ଆଗାମୀ ପିଢ଼ି ପାଇଁ ଆମେ କ’ଣ ବଞ୍ଚାଇ ରଖିବୁ? ଦେଶକୁ ଶାସନ କରୁଥିବା ଲୋକମାନେ ସମ୍ପ୍ରତି ଦେଶର ଧ୍ବଂସ ପାଇଁ ସତତ ପ୍ରୟାସ ରତ |ଭୋଟ ରାଜନୀତି କରି ଶାସନ ଗାଦି ଅକ୍ତିଆର କରିବା, ଆବଶ୍ୟକ ହେଲେ ଲୋକଙ୍କୁ ଭୟଭିତ କରି ଶାସନ କରିବା ଶାସକର କଳା ହୋଇଛି |
ବିଧାୟକ, ସାଂସଦ ମାନେ ସମ୍ବିଧାନର ଦ୍ୱାହି ଦେଇ ଅସାମ୍ବିଧାନିକ କାର୍ଯ୍ୟ କରୁଛନ୍ତି |
ଆତଙ୍କବାଦୀ ଆକ୍ରମଣ,ପ୍ରତି ନିୟତ ନାରୀ ନିର୍ଯାତନା, ଶିଶୁ ନିଖୋଜ, ଚୋରି, ଡକାୟତି, ଖାଦ୍ୟ ଅପମିଶ୍ରଣ, ଠକେଇ ଇତ୍ୟାଦି ବଢ଼ି ଚାଲିଛି |ଗୁରୁ ଶିଷ୍ୟ ସମ୍ପର୍କରେ ଅବନତି, ସାମାଜିକ ସ୍ଥିତି, ଅର୍ଥନୈତିକ ସ୍ଥିତି, ଶୈକ୍ଷିକ ସ୍ଥିତି ବିପନ୍ନ, ପାରିବାରିକ ସଂସ୍କୃତି ଅବକ୍ଷୟ ମୁଖି, ଯୌଥ ପରିବାରର ବିଲୋପ, ଏକ ସନ୍ତାନ ନୀତି, ନିଶା ପ୍ରସାରଣ ଦ୍ୱାରା ଯୁବଶକ୍ତିକୁ ନଷ୍ଟ କରିବାର ପ୍ରୟାସ ଦର୍ଶେଇ ଦେଉଛି ସମାଜ ତଥା ରାଷ୍ଟ୍ରର ସ୍ଥିତି |
78ତମ ସ୍ୱାଧୀନତା ଦିବସ ପାଳନ ଗତାନୁଗତିକ ନ ହୋଇ ଆନ୍ତରିକ ହେଉ |
ଏହି ନିବେଦନ ସହିତ ଏ ପ୍ରବନ୍ଧ ଶେଷ କରୁଛି |
ଜୟ ହିନ୍ଦ,🙏
- ଶ୍ରୀକାନ୍ତ ଦାଶ, ସଭାପତି “ଅବି “ଓ ସାଧାରଣ ସମ୍ପାଦକ, ଓଡ଼ିଆ ଜାତୀୟ ସମ୍ମିଳନୀ |
ଦୂରଭାଷ :9238304919