ଆଉ ଇହ ଜଗତରେ ନାହାନ୍ତି ବରିଷ୍ଠ ପ୍ରଶାସକ ଗଗନ ଚନ୍ଦ୍ର ଦାସ

0

  • ସେ ଥିଲେ ବସନ୍ତ ବିଶ୍ୱାଳଙ୍କ ସଫଳ ରଥର ସମର୍ଥ ସାରଥୀ

ଭୁବନେଶ୍ୱର//TATKAL ODISHA//

ପୂର୍ବତନ ବରିଷ୍ଠ ପ୍ରଶାସକ ତଥା ଓଡ଼ିଶାର ନିର୍ମାଣ ଯୁଗର ସାରଥୀ ଦିବଂଗତ ଉପମୁଖ୍ୟମନ୍ତ୍ରୀ ବସନ୍ତ କୁମାର ବିଶ୍ୱାଳଙ୍କ ତତ୍କାଳୀନ ବ୍ୟକ୍ତିଗତ ସଚିବ ଗଗନ ଚନ୍ଦ୍ର ଦାସ ଆଉ ଇହ ଜଗତରେ ନାହାନ୍ତି I ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ହୋଇ ସେ ବୁଧବାର ଅପରାହ୍ନରେ ପରଲୋକ ଗମନ କରିଛନ୍ତି I ମୃତ୍ୟବେଳକୁ ତାଙ୍କୁ 88 ବର୍ଷ ହୋଇଥିଲା I

ଜଗତସିଂହପୁର ଜିଲ୍ଲା ତିର୍ତୋଲର ଇବ୍ରିସିଂରେ ଜନ୍ମ ଗ୍ରହଣ କରିଥିବା ସ୍ବର୍ଗତ ଦାସ ପିଲା ଦିନରୁ ଖୁବ ମେଧାବୀ ଥିଲେ I ପାଠପଢା ପରେ ସେ ଓଡ଼ିଶା ପ୍ରଶାସନିକ ସେବା( ଓଏଏସ) ପାଇ ବହୁ ଗୁରୁତ୍ୱପୂର୍ଣ ପଦବୀରେ ଥିଲେ I ବିଶିଷ୍ଟ ରାଜନୀତିଜ୍ଞ ବସନ୍ତ କୁମାର ବିଶ୍ୱାଳ ରାଜନୀତିରେ ପାଦ ଦେବା ଠାରୁ ଏବଂ ମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ପଦରେ ଆସୀନ ହେବା ପରେ ଗଗନ ବାବୁ ତାଙ୍କର ମୁଖ୍ୟ ପରାମର୍ଶଦାତା ସହ ବ୍ୟକ୍ତିଗତ ସଚିବ ଥିଲେ I


ଓଡ଼ିଶାରେ ଯେଉଁ ନିର୍ମାଣ ଯୁଗରର ଅୟାମରମ୍ଭ ହୋଇଥିଲା, ସେ ଥିଲେ ବସନ୍ତ ବାବୁଙ୍କ ସମର୍ଥ ରଥରେ ସାରଥୀ I ବିଶେଷକରି କଟକ, ସମ୍ବଲପୁର ଓ ବ୍ରହ୍ମପୁର ରିଙ୍ଗ ରୋଡ, କଟକ ଇଣ୍ଡୋର ଷ୍ଟାଡିଅମ, ଇନ୍ଦ୍ରାବତୀ ଡ୍ୟାମ, କ୍ରିକେଟ ଷ୍ଟାଡିଅମ, ସାରଳା ଭବନ, ଶତାଧିକ ଓଭର ବ୍ରିଜ ଓ ଭୁବନେଶ୍ୱରରେ ପ୍ରଥମ ଦୁଇ ଥାକିଆ ରାସ୍ତା ନିର୍ମାଣ କରିବାରେ ବସନ୍ତ ବାବୁଙ୍କର ଯେଉଁ ନିଷ୍ଠା ଥିଲା, ତାହାକୁ ପୂର୍ଣ୍ଣ ସମର୍ଥନ କରି ଧାର୍ଯ୍ୟ ସମୟ ଭିତରେ ଶେଷ କରିବା ଥିଲା ଗଗନବାବୁଙ୍କ ପ୍ରଥମ ଓ ପ୍ରମୁଖ କାର୍ଯ୍ୟ I ସେଥିପାଇଁ ସେ ଓଡ଼ିଶା ପ୍ରଶାସନର ଜଣେ ଚର୍ଚ୍ଚିତ ଓ ଆଗଧାଡିର ପ୍ରଶାସକ ଥିଲେ I

ଗଗନ ବାବୁ ଜୀବନ କାଳରେ ବହୁ ଅନୁଷ୍ଠାନ ପ୍ରତିଷ୍ଠା କରିବା ସହ ବହୁ ଅନୁଷ୍ଠାନ ସହ ସମ୍ପୃକ୍ତ ଥିଲେ I ଓଡ଼ିଆ ଖବରକାଗଜ ‘ସମୟ’ର ସେ ଚିଫ ଜେନେରାଲ ମ୍ୟାନେଜର( ସିଜିଏମ) ରହିବା ସହ ବକ୍ସି ଜଗବନ୍ଧୁ ଇଂଲିଶ ମିଡ଼ିଅମ ସ୍କୁଲ(ବିଜେଇଏମ)ର ସଭାପତି, ବିଜେବି ନଗର ଓ ୟୁନିଟ 6 ରାଧାଗୋବିନ୍ଦ ମନ୍ଦିର ଟ୍ରଷ୍ଟର ସଭାପତି ଥିଲେ I କେତେ ଯେ ଗରିବ ପିଲାଙ୍କୁ ମାଗଣାରେ ପାଠ ପଢ଼ାଇଛନ୍ତି ତାହା ଯେତେ ବଖାଣିଲେ ବି କମ ହେବ I

ଜୀବନର ଶେଷ ସମୟ ପର୍ଯ୍ୟନ୍ତ ସେ ନିଜ ବଡ଼ ଜ୍ୱାଇଁ ତଥା କ୍ୟାପିଟାଲ ହସ୍ପିଟାଲର ପୂର୍ବତନ ସିଡିଏମଓ ଡାକ୍ତର ସି ଆର ଦାସଙ୍କ ଘରେ ରହୁଥିଲେ I ତାଙ୍କ ମୃତ୍ୟୁ ଖବର ପ୍ରଚାର ହେବା ମାତ୍ରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କୁ ଶେଷ ଦର୍ଶନ କରିଥିଲେ I ସେମାନଙ୍କ ମଧ୍ୟରେ ପୂର୍ବତନ ବରିଷ୍ଠ ପ୍ରଶାସନିକ ଅଧିକାରୀ ରଘୁନାଥ ମିଶ୍ର, ବିଶିଷ୍ଟ ସମାଜ ସେବି ବିଚିତ୍ରାନନ୍ଦ ଲେଙ୍କା, ବିଜେଇଏମର ମ୍ୟାନେଜର ପ୍ରତାପ ଜେନା, ସୁଜିତ ମହାନ୍ତି ପ୍ରମୁଖ ଅନ୍ୟତମ I ବିଜେଇଏମ ପକ୍ଷରୁ ଗଗନ ବାବୁଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦିଆଯାଇଛି I

Leave A Reply

Your email address will not be published.