ଅଶୋକାଷ୍ଟମୀରେ ଶ୍ରୀଲିଙ୍ଗରାଜଙ୍କ ରଥଯାତ୍ରା

0

  • ଆଲେଖ୍ୟ : ଶ୍ରୀକାନ୍ତ ଦାଶ
  • ଭୁବନେଶ୍ୱର//TATKAL ODISHA//


ଏକାମ୍ର କ୍ଷେତ୍ରର ଅଧିସ୍ୱର ପ୍ରଭୁ ଲିଙ୍ଗରାଜଙ୍କର ଚତୁର୍ଦଶ ଯାତ୍ରା ମଧ୍ୟରୁ ଅଶୋକାଷ୍ଟମୀ ଅନ୍ୟତମ | ଚୈତ୍ର ମାସ ଶୁକ୍ଳ ପକ୍ଷ ପୁନର୍ବସୁ ନକ୍ଷତ୍ର ଯୁକ୍ତ ଅଷ୍ଟମୀ ତିଥିରେ ଅନୁଷ୍ଠିତ ହେଉଥିବାପ୍ରଭୁ ଲିଙ୍ଗରାଜଙ୍କର ରଥଯାତ୍ରା ଉତ୍ସବରେ ପ୍ରଭୁଙ୍କୁ ଅଶୋକ ଫୁଲର କଢି ସମର୍ପଣ କରାଯାଉଥିବା ହେତୁ ଏହାକୁ ଅଶୋକାଷ୍ଟମୀ କୁହାଯାଏ |


ଇତିହାସରୁ ଜଣାଯାଏ ଯେତେବେଳେ ଉତ୍କଳୀୟ ରାଜା ବୈଷ୍ଣବ ଧର୍ମରେ ଦୀକ୍ଷିତ ହେଲେ ସେତେବେଳେ ଶିବଙ୍କ ମୂର୍ତ୍ତି ସହିତ ଦୋଳ ଗୋଵିନ୍ଦଙ୍କୁ ବିଜେ କରାଇ ତାଙ୍କ ପାର୍ଶ୍ଵରେ ରୁକ୍ମିଣୀଙ୍କୁ ବସାଇଦେଲେ ଓ ରଥର ନାଁ ରୁକୁଣା ରଥ ଦେଲେ |ଏହି ରଥରୁ ଦିଅଁମାନେ ବାହାରି ଯେଉଁ ମନ୍ଦିରରେ ରହନ୍ତି, ତାହା ରାମେଶ୍ୱର ମନ୍ଦିର ନାମରେ ପ୍ରସିଦ୍ଧ |

ଲୋକକଥାନୁସାରେ ଯେଉଁ ସ୍ତ୍ରୀ ଲୋକମାନଙ୍କର କୌଣସି ପିଲାପିଲି ହେଉନାହାନ୍ତି ଵା ହୋଇ ମରିଯାଉଛନ୍ତି, ସେମାନେ ଅଶୋକାଷ୍ଟମୀ ପୁର୍ବ ଦିନ ଅଧିବାସ କରି ଅଶୋକାଷ୍ଟମୀ ପାହାନ୍ତିରେ ମରିଚି କୁଣ୍ଡରେ ସ୍ନାନ କରନ୍ତି | ଏହାଦ୍ୱାରା ସେମାନଙ୍କର ପିଲାପିଲି ହୋଇ ଥାଏ ଵା ପିଲା ମରନ୍ତି ନାହିଁ |
ଏହା ପରଦିନ ରାମ ନବମୀ ପାଳନ କରାଯାଏ |


ପୁରାଣ ମତ ଅନୁସାରେ ରାବଣ ଦ୍ୱାରା ଅପହୃତା ସୀତା ଅଶୋକ ବନରେ ଥିବା ସମୟରେ ପୁନର୍ବସୁ ନକ୍ଷତ୍ରଯୁକ୍ତ ଅଷ୍ଟମୀ ତିଥିରେ ପ୍ରଭୁ ଶ୍ରୀରାମଙ୍କ ସହିତ ପୁନର୍ମିଳନ ପାଇଁ ସେ ଅଶୋକ କଢି ଦ୍ୱାରା ଶିବଙ୍କ ଆରାଧନା କରିଥିଲେ | ସେହି ପରମ୍ପରା ଅନୁଯାୟୀ ନିଜ ପରିବାରର ସୁଖ, ଶାନ୍ତି, ସମୃଦ୍ଧି ପାଇଁ ହିନ୍ଦୁ ନାରୀମାନେ ବ୍ରତ ପାଳନ ପୂର୍ବକ ଆଠଗୋଟି ଅଶୋକ କଢି ଶିବଙ୍କୁ ସମର୍ପଣ କରି ନିଜର ଉପବାସ ଭଙ୍ଗ କରିଥାନ୍ତି |ଅନ୍ୟ ମତ ଅନୁଯାୟୀ ରାବଣକୁ ମାରି ବ୍ରହ୍ମହତ୍ୟା ଦୋଷରୁ ମୁକ୍ତି ପାଇଁ ଗୁରୁ ବଶିଷ୍ଠଙ୍କ ପରାମର୍ଶ ରେ ପ୍ରଭୁ ରାମଚନ୍ଦ୍ର ସପରିବାର ଏକାମ୍ର କ୍ଷେତ୍ରରେ ଶ୍ରୀଲିଙ୍ଗରାଜଙ୍କ ପୂଜାର୍ଚ୍ଚନା କରିଥିଲେ |

ଏଥିରେ ସନ୍ତୁଷ୍ଟ ହୋଇ ପ୍ରଭୁ ଲିଙ୍ଗରାଜ ଶ୍ରୀରାମଙ୍କୁ ରାମେଶ୍ୱର ମନ୍ଦିର ପ୍ରତିଷ୍ଠା କରିବାକୁ କହିଥିଲେ ଓ ତଦନୁଯାୟୀ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା କରିଥିଲେ |ପ୍ରଭୁ ଲିଙ୍ଗରାଜ ମଧ୍ୟ ରଥ ଯାତ୍ରାରେ ଏହି ମନ୍ଦିରକୁ ଆସି ଶ୍ରୀରାମ ଓ ତାଙ୍କ ଭାଇମାନଙ୍କ ପୂଜା ଗ୍ରହଣ କରିଥାନ୍ତି |

ଲିଙ୍ଗରାଜଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ରଶେଖରଙ୍କ ସହିତ ବାସୁଦେବ ଓ ଲକ୍ଷ୍ମୀରୂପିଣୀ ରୁକ୍ମିଣୀ ରଥଯାତ୍ରାରେ ଯାଉଥିବାରୁ ଏହି ରଥକୁ ରୁକୁଣା ରଥ କୁହାଯାଏ |


ଅଶୋକାଷ୍ଟମୀ ଓ ରୁକୁଣା ରଥଯାତ୍ରା ଏକାମ୍ର କ୍ଷେତ୍ରର ମହାନ ପର୍ବ |ଏହିଭଳି ଏକ ପବିତ୍ର ପର୍ବରେ ପ୍ରଭୂ ଆଶୁତୋଷଙ୍କ ନିକଟରେ ପ୍ରାର୍ଥନା ସଂସାରର ସମସ୍ତ ରିଷ୍ଟ ଖଣ୍ଡନ କରନ୍ତୁ ଓ ରାଷ୍ଟ୍ରରେ ଶାନ୍ତି, ସମୃଦ୍ଧି ବଜାୟ ରହୁ |

ଶ୍ରୀକାନ୍ତ ଦାଶ,

କାର୍ଯ୍ୟକାରି ସଭାପତି, ଓଡ଼ିଆ ଜାତୀୟ ସମ୍ମିଳନୀ |
ଦୂରଭାଷ 9238304919

Leave A Reply

Your email address will not be published.