ଅରବିନ୍ଦ ଦାସଙ୍କ ନୂଆ ଗଳ୍ପ-‘ସମୟସହ ତାଳଦେଇ’

0

//TATKAL ODISHA//

★★★★★★★★★

ଅରବିନ୍ଦ ଦାସ

କାନ୍ଥ ଘଣ୍ଟା ଉପରେ ନଜର ପଡିବା କ୍ଷଣି ଚମକି ପଡିଲା ଜୁହି।ରାତି ବାରଟା!!ଗତ ରାତିରୁ ହିଁ ଯେମିତି ଅଟକି ଯାଇଛନ୍ତି; ସମୟ ଓ ଜୁହି ଉଭୟେ….
ବିଛଣାରେ ବସି ଚାରି ଆଡକୁ ଅନାଇଲା ଜୁହି।
ଚାରିଆଡେ ଜିନିଷ ପତ୍ର ସବୁ ଖେଳାଇ ପଡିଥଲା। ସାରା ଘର ଯେମିତି ଓଲଟ ପାଲଟ ହୋଇଯାଇଥିଲା।
ଗତକାଲି ଯେମିତି ଘର ଭିତରେ ପ୍ରଳୟ ଆଣିଦେଇଥିଲା।ଜୁହି ଦେଖୁଥିଲା,
ରୁମ’ର ଡାହାଣ ପଟ କପବୋର୍ଡଟା ଠିଆ ମେଲା ଥିଲା ଓ କପ ବୋର୍ଡର ଭିତର ସମ୍ପୂର୍ଣ୍ଣ ଖାଲି ଥିଲା।ସେଇ କପ ବୋର୍ଡ ତ ପାର୍ଥିବ’ର ଲୁଗାପଟା ଥିଲା।
ପାର୍ଥିବ କଣ ସତରେ ତା ଜିନିଷପତ୍ର ନେଇ ଘର ଛାଡ଼ି ଚାଲିଯାଇଛି ?ନିଜ ହାତକୁ ଚିମୁଟିଲା ଜୁହି।

ଆଃ….ଏସବୁ ଖରାପ ସ୍ୱପ୍ନ ନୁହେଁ,ବରଂ ସତ ।ଗତ ରାତିରେ ସେ ଶୋଇଥିଲା।
ମୁଣ୍ଡଟା ଏବେ ଭାରି ଭାରି ଲାଗୁଥିଲା ଜୁହିକୁ।ନିଦ ବଟିକାର ପ୍ରଭାବ ଯୋଗୁଁ ସେ ତା ହେଲେ ଏତେ ସମୟ ଧରି ଶୋଇଥିଲା !ପୁରା ଚବିଶ ଘଣ୍ଟା !!ମଝିରେ କଣ ସେ ଉଠି ନଥିଲା ?ଗୋଟିଏ ବଦଳରେ ଅଧିକ ନିଦ ବଟିକା ଖାଇବା ପାଇଁ ସେ ଗତକାଲି ଠିକ କରିଥିଲା।ହେଲେ କେତେଟା ଟ୍ୟାବଲେଟ ଖାଇଥିଲା ସେ କେଜାଣି ??ସତରେ କଣ ସେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲା ?
ଦୁଇ ହାତରେ ମୁଣ୍ଡକୁ ଚାପିଧରି ସେ ମନେ ପକାଇବାକୁ ଚେଷ୍ଟା କରୁଥିଲା ଗତ ରାତି କଥା ସବୁକୁ।
ସିଙ୍ଗଲ ବେଡ଼ରୁମ ଵାଲା ଏଇ ଫ୍ଲାଟରେ ଜୁହି ଓ ପାର୍ଥିବ ଲିଭିଙ୍ଗ ଇନ ରିଲେସନସିପରେ ଅନେକ ଦିନ ହେଲାଣି ରହି ଆସୁଥିଲେ।ପାର୍ଥିବ ଭଳି ଜୁହି ବି ଚାହୁଁଥିଲା ବିବାହ ବନ୍ଧନରେ ବାନ୍ଧି ନହୋଇ, ବିନ୍ଦାସ ଭାବେ ଜୀବନକୁ ଉପଭୋଗ କରିବା ସହ ପରୀକ୍ଷାମୂଳକ ଭାବେ ଏଇ ସମ୍ପର୍କକୁ ଆଗେଇ ନେବା ପାଇଁ।ଜୀବନସାଥି ଭାବେ ଯାହାକୁ ଗ୍ରହଣ କରିବ,ତାକୁ ପ୍ରଥମେ ଭଲ ଭାବେ ଚିହ୍ନିବା ଦରକାର ବୋଲି ଆଜିର ଟ୍ରେଣ୍ଡ କହୁଛି।
ସହକର୍ମୀ ମୋନିକା କହୁଥିଲା,
-ସ୍ୱାମୀ ମ୍ୟାଟେରିଆଲ ବୋଲି ଭଲଭାବେ ହୃଦୟଙ୍ଗମ ହେଲାପରେ ଯାଇଁ ବୟଫ୍ରେଣ୍ଡକୁ ବାହା ହେବା ଉଚିତ।ସେଥିପାଇଁ ଲିଭ ଇନ ହେଉଛି ବଢିଆ ଉପାୟ।ନହେଲେ ଜୀବନରେ ସନ୍ତୁଷ୍ଟି ପାଇବା ବଦଳରେ କେବଳ ସାଲିସ କରି ବଞ୍ଚିବାକୁ ପଡିପାରେ।ଯେମିତି ଘରଲୋକଙ୍କ କଥାରେ ରାଜି ହୋଇ ଆରେଞ୍ଜ ମ୍ୟାରେଜ କଲା ପରେ ଅନେକ ପୁଅ ଝିଅ ପସ୍ତାନ୍ତି।ଝଗଡା,ଛାଡପତ୍ର ହୁଏ। ସେଥିପାଇଁ ଲିଭଇନ ରେ ଉଭୟେ ପୁଅ,ଝିଅ ପରସ୍ପରକୁ ଆଗେ ଜାଣନ୍ତି ଓ ବାକି ଜୀବନ ଦୁହେଁ କାଟିବେ କି ନାହିଁ ତାହା ସ୍ଥିର କରନ୍ତି।”
ପାର୍ଥିବ ବି ଏଇ ଫ୍ଲାଟକୁ ଆସିବା ପୂର୍ବରୁ କହିଥିଲା ,
-ମ୍ୟାରେଜ ଦ୍ୱାରା ଆମେ ନିଜ ଜୀବନକୁ ସଙ୍କୁଚିତ କରିଦେଉ।ଚାକିରୀ କରି ଇଣ୍ଡିପେଣ୍ଡଣ୍ଟ ହୋଇ,ଲାଇଫ କୁ ବି ଇଣ୍ଡିପେଣ୍ଡେଣ୍ଟ ଭାବେ କାଟିବା ଉଚିତ।ବନ୍ଧୁ ହିସାବରେ ସାରା ଜୀବନ ବି କାଟି ହୋଇ ପାରିବେ ଦୁଇ ପୁଅ ଝିଅ।ଆମେ ଦୁହେଁ କେହି କାହା ନିଷ୍ପତ୍ତିରେ ମୁଣ୍ଡ ଖେଳାଇବା ନାହିଁ।ମାସିକ ଖର୍ଚ୍ଚ ଦୁହେଁ ସମାନ ସମାନ ବାଣ୍ଟି ନେବା।କାମ ବି।”
ଜୁହିକୁ ବି କଥାଟା ଠିକ ଲାଗିଥିଲା।ବୟ ଫ୍ରେଣ୍ଡ ଓ ସ୍ୱାମୀ ଭିତରେ ଏଇତ ଫରକ।ଲିଭଇନ ରେ ଝିଅଟି ଉପରେ ସ୍ୱାମୀତ୍ୱ ଜାହିର କରିପାରିବନି ପୁଅ।ବ୍ୟକ୍ତିଗତ ସ୍ବାଧୀନତା ଅକ୍ଷୁର୍ଣ୍ଣ ରୁହେ।ତାଛଡା ଧୀରେ ଧୀରେ ଏହାକୁ ଲୋକେ ଗ୍ରହଣ କଲେଣି।ପ୍ରାପ୍ତ ବୟସ୍କ ପୁରୁଷ ମହିଳା ଲିଭ ଇନରେ ରହିବା ଦୋଷାବହ ନୁହେଁ ବୋଲି ନ୍ୟାୟାଳୟ କହିଲେଣି।
କିଛିଦିନ ଏକାଠି ରହିଲା ପରେ, ଜୁହିର ମା’ଙ୍କ କାନକୁ ଖବର ଗଲାପରେ ବ୍ୟସ୍ତ ହୋଇ ଫୋନ କରି କହିଥିଲେ,
-ମା ରେ,ଏସବୁ ଆମ ଭାରତୀୟ ପରମ୍ପରା ନୁହେଁ।ତୁମେ ଦୁହେଁ ଏକାଠି ରୁହ ଆମର ଆପତ୍ତି ନାହିଁ;ହେଲେ ବିବାହ ପରେ।ସମାଜ ଏ ଭଳି ସମ୍ପର୍କ କୁ ଭଲ ଦୃଷ୍ଟିରେ ଦେଖେନା।କାଲିକୁ ଯଦି ସେ ପିଲା ବାହାହେବାକୁ ମନେକରେ ?ଅନ୍ୟପିଲା ଏକଥା ଶୁଣିଲେ..”
-ଓ ମମି,ବ୍ୟସ୍ତ ହୁଅନା।ବିବାହ ଏକ ଗୋଟେ ବଡ଼ ଡିସିସନ ଓ ଭାବିଚିନ୍ତି ନିଷ୍ପତ୍ତି ନେବା ଉଚିତ।ମୁଁ ଚାକିରୀ କରି ନିଜ ଗୋଡ଼ରେ ଠିଆ ହୋଇଛି,ଫାଇନାଁସିଆଲି ମୁଁ ଇଣ୍ଡିପେଣ୍ଡେଣ୍ଟ। ନିଜ ଜୀବନର ନିଷ୍ପତ୍ତି ନିଜେ ନେଇ ପାରିବି।”
ଚୁପ ରହିଥିଲେ ସୁଷମା।ଆଜିକାଲି ପିଲାଙ୍କ ସହ ଯୁକ୍ତି କରି କି ଲାଭ !
ସବୁ ଠିକ ଚାଲିଥିଲା।ହେଲେ ସେଦିନ ସକାଳେ ଜୁହିକୁ ଟିକେ ସନ୍ଦେହ ହେବାରୁ ସେ ପ୍ରେଗନାସି ଟେଷ୍ଟକିଟ ଆଣି ପରୀକ୍ଷା କରି ଚମକି ପଡିଥିଲା।ସେ ଗର୍ଭବତୀ ଥିଲା।ପ୍ରଥମେ ଟିକେ ଭୟ ଲାଗିଥିଲା ତାକୁ,ହେଲେ ପରେ ଏକଦମ ନର୍ମାଲ ହୋଇଯାଇଥିଲା ସେ।ପାର୍ଥିବ କୁ ସରପ୍ରାଇଜ ଦେବ ବୋଲି ଠିକ କରି ନିଜ ଆଡୁ ବାହାଘର ପାଇଁ ପ୍ରପୋଜ ସହ ମୁଦି ଗିଫ୍ଟ ଦେବ ବୋଲି ଠିକ କରିଥିଲା।
ହେଲେ ପାର୍ଥିବ ସରପ୍ରାଇଜ ବା ଖୁସି ହେବା ବଦଳରେ ବହୁତ ରାଗିଯାଇଥିଲା ଓ ବିରକ୍ତ ହୋଇ କହିଥିଲା,
-ତମେ ଏମିତି କେମିତି ଦାୟିତ୍ୱହୀନ ହୋଇପାରିଲ ?ଶୀଘ୍ର ପିଲ ଖାଇ କ୍ଲିନ କରିଦିଅ।ଆମ ଲିଭଇନ ଭିତରେ ତୃତୀୟ’ର ପ୍ରବେଶ ନିଷେଧ।”
ଜୁହି ଏ ପରିସ୍ଥିତି ପାଇଁ ପ୍ରସ୍ତୁତ ଥିଲା।ତେଣୁ ମୃଦୁହସି ପାର୍ଥିବ ମୁଣ୍ଡରେ ଚୁମାଟିଏ ଦେଇ କହିଲା,
ରିଲାକ୍ସ ପାର୍ଥିବ,ଆମେ ଦୁହେଁ ପରସ୍ପରକୁ ଭଲ ଭାବେ ଜାଣି ସାରିଲେଣି।ଆଉ ଡେରି କାହିଁକି ?ବିବାହ କରି ଆମ ସନ୍ତାନକୁ ସ୍ୱାଗତ କରିବା।”

ଚିତ୍କାର କଲାଭଳି ପାର୍ଥିବ କହିଲା,
ଆମ ସନ୍ତାନ !ହ୍ଵାଟ ଆମ ସନ୍ତାନ !ଏ ପିଲା ମୋର ବୋଲି ଗ୍ୟାରେଣ୍ଟି କଣ ?ଲିଭ ଇନରେ ରହିଲା ପୂର୍ବରୁ ଆମେ ବିବାହ କରିବା ବୋଲି ତ କଣ୍ଡିସନ ରଖି ନଥିଲେ।ଏଇନା ବ୍ଲାକମେଲ କାହିଁକି ?ମୁଁ ବାହା ହେବାକୁ ଚାହୁଁନି।ଉଇ କ୍ୟାନ ଷ୍ଟିଲ କନଟିନିଉ ଏନଜଇଙ୍ଗ ଲାଇଫ। “

ଅପମାନର ନିଆଁ ଯେମିତି ଜୁହିର ସାରା ଶରୀରରେ ସଞ୍ଚରି ଯାଉଥିଲା।ରାଗିଯାଇ ସେ କହିଲା,
-ତମେ ଏତେ ଅଭଦ୍ର !ମୋ ଚରିତ୍ର ଉପରେ ସନ୍ଦେହ କରୁଛୁ ?ମୋତେ ଏତେ ଶସ୍ତା ବୋଲି ଭାବୁଛୁ ?ଆଉ କିଏ ପିଲାର ବାପା ?”

ଆଛା !ଯଦି ମୋ ସହ ଶୋଇ ପାରୁଛ,ତେବେ ଅନ୍ୟ କେଉଁ ପୁଅ ସହ ଶୋଉ ନଥିବ ବୋଲି ଗ୍ୟାରେଣ୍ଟି କଣ ?”
ଠୋ ଠା କିନା ଦୁଇ ଚଟକଣି ପାର୍ଥିବ ଗାଲରେ ପକାଇ ଜୁହି କହିଲା,
ବାଷ୍ଟାର୍ଡ଼ ,ଏଇନା ବାହାର ମୋ ଫ୍ଲାଟରୁ।ଗେଟ ଆଉଟ ନାଓ ଫ୍ରମ ମାଇଁ ହାଉସ ଆଣ୍ଡ ଲାଇଫ।”

ମୁହଁ ଫଣଫଣ କରି ପାର୍ଥିବ ନିଜର ସବୁ ଜିନିଷ ଦୁଇଟା ବଡ଼ ଟ୍ରଲି ବ୍ୟାଗ ଓ ହ୍ୟାଣ୍ଡ ବ୍ୟାଗରେ ଭର୍ତ୍ତି କରି ଟ୍ୟାକ୍ସି ଡାକି ଚାଲିଗଲା।

କାବାଟ ଧଡ଼ କିନା ବନ୍ଦ କରି ଜୁହି ଭାବୁଥିଲା କଣ କରିବ ?ଘରେ ଜଣାଇଲେ କଣ କହିବ ବୋଉ ?ଗାଳିଦେଵ,କାନ୍ଦିବ ?ବନ୍ଧୁବାନ୍ଧବ,ଚିହ୍ନା ଜଣା କଣ କହିବେ ?ସମସ୍ତେ ତ ଝିଅକୁ ହିଁ ଦୋଷ ଦେବେ।
ଡ୍ର ଭିତରୁ ନିଦ ବଟିକା ବାହାର କରି ପ୍ରଥମେ ଗୋଟେ ଓ ପରେ ଆଉ ଗୋଟେ ଖାଇ ପାଣି ପିଇ ଥିଲା।ହାତରେ ଆହୁରି ବଟିକା ବି ଥିଲା।ସେସବୁ ନିଦ ବଟିକା ସେ ଖାଇଥିଲା କି ନାହିଁ ତାର ଏବେ ମନେ ପଡୁନଥିଲା।ମୋବାଇଲ ସୁଇଚ ଅଫ କରିବା ପରେ ନିଦ ଆସିଯାଇଥିଲା ତାକୁ।
ଏଇନା ସେ ଉଠୁଛି।ନମରି ବଞ୍ଚି ଯାଇଛି ସେ ?କିନ୍ତୁ ସତରେ କଣ ସେ ଏତେ ଭୀରୁ ?ରାଗିଯାଇ ଥିଲା ସେ,କିନ୍ତୁ ଆତ୍ମହତ୍ୟା କଥା ସେ କଣ ସତରେ ଚିନ୍ତା କରିଥିଲା ?
ଖଟ ତଳକୁ ଅନାଇଲା ସେ।ନିଦ ବଟିକା ସବୁ ତଳେ ଚଟାଣରେ ଖେଳାଇ ହୋଇ ପଡିଛି।ନା ସେ ଆତ୍ମହତ୍ୟା ଚେଷ୍ଟା କରିନି।ଡରକୁରୀ ଝିଅ ନୁହେଁ ସେ।

ସତରେ କଣ ଏଇନା ରାତି ବାରଟା ହୋଇଛି ?ଝରକା ଫାଙ୍କରେ ମୋଟା ପରଦା ଦେଇ ସ୍ୱଳ୍ପ ଲାଇଟ ତ ଦିଶୁଛି।ମୋବାଇଲ ଅନ କଲା ସେ।ଆରେ !ଏବେ ତ ଦିନ ହୋଇଛି।କାଲି ଶୋଇଲାବେଳେ ରାତି ତିନିଟା ହୋଇଯାଇଥିଲା।
ଘଣ୍ଟା ଟା ମନକୁ ମନ ବନ୍ଦ ହୋଇ ଯାଇଛି,ହୁଏତ ଗତକାଲି ରାତିରୁ।
ଘଣ୍ଟାକୁ କାନ୍ଥରୁ ଉତାରି ,ଡ୍ରେସିଙ୍ଗ ଟେବୁଲ ଡ୍ରୟାରରୁ ବ୍ୟାଟେରୀ ଆଣି ବଦଳାଇଲା ପରେ ଶୁଣାଗଲା ଟିକ ଟିକ ଶବ୍ଦ।ଜୁହିକୁ କିନ୍ତୁ ଲାଗୁଥିଲା ଠିକ ତାର ହୃଦସ୍ପନ୍ଦନ ପରି।ଅପେକ୍ଷାକୃତ କର୍କଶ ଓ ଗମ୍ଭୀର..ଧକ୍ ଧକ ଧଡ଼ ଧଡ଼।

ଏଇନା ତା ଆଗରେ ଦୁଇଟା ବିକଳ୍ପ;ପ୍ରଥମ ଟି ହେଲା ଆବର୍ସନ ଓ ଦ୍ଵିତୀୟଟି ହେଲା ପିଲାକୁ ଜନ୍ମ ଦେଇ ସିଙ୍ଗଲମଦର ଭାବେ ଆଗକୁ ବଢିବ।ପାର୍ଥିବ କଣ ଆଉ ଫେରିବ ?ଥରେ ଫୋନ କରି କଥା ହେବ କି ?ପାର୍ଥିବ ବାପା,ମାଙ୍କୁ ସେ ସବୁ ଜଣାଇ ପାରିବ।ହେଲେ ସେମାନେ କଣ ତା ପକ୍ଷ ନେବେ ?କିନ୍ତୁ ଯେଉଁ ପୁଅ ତା ଚରିତ୍ର,ଅସ୍ମିତା ଉପରେ ସନ୍ଦେହ କରି ଆଙ୍ଗୁଳି ଉଠାଏ, ସେଭଳି ନୀଚସ୍ତର ର ପିଲା ସହ ଜୀବନ ବିତାଇବା କଣ ଠିକ ?
ଏଭଳି ଘଡି ସନ୍ଧି ମୁହୂର୍ତ୍ତରେ ନିଷ୍ପତ୍ତି ନେବା ସତରେ କଣ ଏତେ ସହଜ ?
ମୋବାଇଲ ଦେଖି ସେ କାନ୍ଥ ଘଣ୍ଟାର ସେଟିଙ୍ଗ ଚାବି ମୋଡିବାକୁ ଲାଗିଲା।ଏଇନା ଦିନ ବାରଟା ବାଜିଛି।ହଠାତ ତାର ମନେ ପଡ଼ିଲା,ବନ୍ଦ ହୋଇଥିବା ଘଣ୍ଟା ବି ଦିନରେ ଦୁଇଥର ସଠିକ ସମୟ ସୂଚାଇଥାଏ।
ଜୁହି ଭାବୁଥିଲା, ଘଣ୍ଟାରେ ଚାବି ଦେଇ ଟାଇମ ଆଡ଼ଜଷ୍ଟ କଲା ଭଳି ,ଏମିତି ସମୟକୁ ମୋଡିମାଡି ନିଜ ଇଚ୍ଛାରେ ବଦଳାଇ ହୁଅନ୍ତା କି ?
ଜୁହିର ମୋବାଇଲ ବାଜିଲା।ସ୍କ୍ରିନରେ ପାର୍ଥିବ ର ନମ୍ବର।କାହିଁକି ଫୋନ କରିଛି ପାର୍ଥିବ !

ପାର୍ଥିବ ଯଦି ନିଜ ଭୁଲ ବୁଝି କ୍ଷମାମାଗେ ?
ଫୋନ ଅନ କଲା ଜୁହି। ସେପଟୁ ପାର୍ଥିବ ର ସ୍ୱର,

-ହାଲୋ ଜୁହି….

ଜୁହିର ଛାତିର ସ୍ପନ୍ଦନ ଘଣ୍ଟା’ର କଣ୍ଟା ଭଳି ଆଗେଇ ଚାଲୁଥିଲା…..

  • (©ଅରବିନ୍ଦଦାସ)

Leave A Reply

Your email address will not be published.