ଅରବିନ୍ଦ ଦାସଙ୍କ ନୂଆ ଗପ-10 : ନଡ଼ିଆକୋରା ଓ ମା’ତାରିଣୀ
Tatkal odisha
★★★★★★★★★★★
ଅରବିନ୍ଦ ଦାସ
-ନଡିଆକୋରା ପା ମା ତାରିଣୀଙ୍କ ପ୍ରିୟ ଭୋଗ।ଆଗେ ମାଙ୍କୁ ସମର୍ପିଲା ପରେ ତମେମାନେ ଖାଇବ।”
ନଡିଆ କୋରା ଘରେ ତିଆରି କଲାବେଳେ ବୋଉ ବଡ଼ ପାଟିରେ ସମସ୍ତଙ୍କୁ ଆକଟିଲା ଭଳି କୁହେ ।
ବୁଲୁର ଭାରି ପ୍ରିୟ ଏଇ ନଡ଼ିଆ କୋରା।ଗୋଲ ଗୋଲ ଛୋଟ ଛୋଟ ଏଇ ମିଠେଇରେ ଏକ ଅଦ୍ଭୁତ ଆକର୍ଷଣ ଥିଲା ପିଲା ଦିନରୁ।କାଚ ବୋତଲରେ ସାଇତା ବୋଉ ହାତ ତିଆରି ସେଇ ନଡିଆ କୋରାକୁ ଅମୃତଲଡୁ ବୋଲି ନାଁ ଦେଇଥିଲେ ସେମାନେ ଭାଇ ଭଉଣୀସବୁ।ଅତି ସାଧାରଣ ଏହାର ପ୍ରସ୍ତୁତି ପ୍ରଣାଳୀ।
କୋରା ହୋଇଥିବା ନଡ଼ିଆ,ଟିକେ ଘିଅ,ଚିନି ଅବା ଗୁଡ଼ ,ଗୁଜୁରାତି ଗୁଣ୍ଡ ଓ ବେଳେ ବେଳେ ଅଳ୍ପ କ୍ଷୀର ।
ଏତେ ସହଜ,ତଥାପି ଅସାଧାରଣ।
ବୋଉ କୁହେ,
-ସବୁ ନିର୍ଭର କରେ ଭାଗମାପ ଓ ତିଆରି କରୁଥିବା ଲୋକର ହାତ ଉପରେ।”
ହେଲେ ବୁଲୁ ଆଶ୍ଚର୍ଯ୍ୟ ହୁଏ ,ବାପା କାହିଁକି ହସିଦେଇ କୁହନ୍ତି,
-ତୋ ବୋଉ ହାତ ତିଆରି ନଡ଼ିଆ କୋରା କେବଳ ଏକ ମିଠେଇ ନୁହେଁ,ବରଂ ଅଫିମ ଟେଳା।”
ଅଫିମ ଟେଳା !!ଅଫିମ ତ ନିଶା।ହେଲେ ଅଫିମ ରଙ୍ଗ କିଭଳି ?ଗାଁ ସାଙ୍ଗ ତଥା ଗାଈ ଚରାଇବାକୁ ନେଉଥିବା ଗାଁ ସାଙ୍ଗ ନକୁଳର ଜେଜେ କାଳେ ଅଫିମ ଖାଆନ୍ତି।ତାଠୁ ବୁଲୁ ଶୁଣିଥିଲା ଅଫିମ ରଙ୍ଗ କାଳେ କଳା ଓ ଏହା ଖାଇଲେ ନିଶା ହୁଏ।
ଗୁଡ଼ ପାଗରେ ବନା ହୋଇଥିବା ଗାଢ଼ ରଙ୍ଗର ନଡ଼ିଆ କୋରାକୁ ହାତରେ ଧରି,ଆଖି ବଡ଼ ବଡ଼ କରି ଥରେ ବୁଲୁ,ବାପାଙ୍କୁ ପ୍ରଶ୍ନ କରିଥିଲା,
-ସତରେ ବୋଉ ଏଥିରେ ଅଫିମ ମିଶାଉଛି ?”
ବାପା ପୁଣି ହସିଦେଇ ତା ହାତରୁ ନଡ଼ିଆକୋରା ଟି ଟାଣି ନେଇ ଟକ କିନା ପାଟିରେ ପକାଇ କହିଥିଲେ,
-ତୁ ନିଜେ ଦେଖୁନୁ,ନଡ଼ିଆ କୋରା ଖୁଆଇ ଖୁଆଇ ତୋ ବୋଉ ଜେଜେ,ଜେଜେମାଙ୍କୁ ପୁରା ନିଜ ବଶ କରିନେଲାଣି।
ଆବାକାବା ହୋଇ ବୁଲୁ ଯେବେ ଏକଥା ଜେଜେମାକୁ ପଚାରେ,ପାକୁଆ ପାଟିରେ ହସି ଜେଜେମା କୁହେ,
-ତୋ ବାପାଟା ବଗୁଲିଆ, ମଜାରେ କହୁଛି।ମିଠେଇ ରେ କଣ ନିଶା ହୁଏ ?ତୋ ବାପା ନିଜେ ପରା ମେଞ୍ଚାଏ ଲେଖାଏଁ ନଡ଼ିଆ କୋରା ଖାଏ।ତେବେ ସତ କଥା ହେଲା,ଏଇ ନରମ ମିଠେଇ ପାଟିରେ ପକେଇଲେ ମିଳେଇ ଯାଏ।ଦାନ୍ତ ନଥିବା ତୋ ଜେଜେ ଓ ଆମଭଳି ବୟସ୍କଲୋକଙ୍କ ପ୍ରିୟ ଏଇ ନଡ଼ିଆ କୋରା।ଶସ୍ତା,ସୁସ୍ବାଦୁ ଏଇ ମିଠେଇକୁ ଆବାଳ ବୃଦ୍ଧ ବନିତା ସମସ୍ତେ ଭଲ ପାଆନ୍ତି।”
ବୁଲୁ ମନେ ପକାଏ ପିଲାଦିନ କଥା।
ଘର ପଛପଟେ ଥିବା ନଡ଼ିଆ ବାରିରୁ ନଡ଼ିଆ ସବୁ ପରେଇଲା ବେଳେ ଜେଜେ,ଜେଜେମା ଓ ବାପାଙ୍କ ସହ ବୁଲୁ ବି ଯାଇଥାଏ ତୋଟାକୁ।ପିଲାମାନଙ୍କୁ ନଡ଼ିଆ ପରା ହେଲାବେଳେ ବଗିଚା ଭିତରକୁ ଯିବାକୁ ବାରଣ ଥାଏ;କାଳେ ଗଛ ଉପରୁ ନଡ଼ିଆ ସିଧା ଆସି ମୁଣ୍ଡ ଉପରେ ପଡିବ ବୋଲି।ଜେଜେ ତା ହାତକୁ ଜାବୁଡି ଧରିଥାନ୍ତି,କିନ୍ତୁ ତଳେ ପଡୁଥିବା ନଡ଼ିଆ ସବୁର ନିର୍ଭୁଲ ଗଣନା କରୁଥାନ୍ତି।ଜେଜେମା ସତର୍କତା ର ସହ ଆଖି ବୁଲାଉ ଥାଏ,ସାହି ଛୁଆ କିଏ ଆସି,ନଡିଆ ଯେମିତି ନନେଉ ବୋଲି।
ଘରେ ବୋଲହାକ କରୁଥିବା ସୁଦାମ ,ବାଉଁଶ ତିଆରି ଟୋକେଇରେ ତଳେ ପଡିଥିବା ପାକଳ ନଡ଼ିଆ ସବୁକୁ ରଖେ।ପରା ହୋଇଥିବା ନଡ଼ିଆ ସହ,ଗଛରୁ କଟା ହୋଇଥିବା ପୁରୁଣା ତଳ ନଡ଼ିଆ ବାହୁଙ୍ଗା ସବୁ ବି ଆସେ।ବୁଲୁକୁ ଭାରି ମଜାଲାଗେ ନଡ଼ିଆ ବାହୁଙ୍ଗୀ କୁ ଟାଣି ଟାଣି ଘରକୁ ଆଣିବାରେ।ପାକଳ ପତ୍ରକୁ ଚିରି ସେଥିରୁ ନଡ଼ିଆ ପିଞ୍ଛ ବାହାର କରି ଜେଜେମା ପହଁରା ଝାଡୁ ବନାଏ।
ଶୁଖିଲା କଟାପତ୍ର ଚୁଲି ଜାଳ ହୁଏ।ନଡିଆ ଛଡାଇ ଦୁଇଟା ନଡ଼ିଆ ବୋଉ ଅଲଗା ରଖିଦିଏ,ଗୋଟିଏ ଘଟଗାଁ ମା ତାରିଣୀଙ୍କ ପାଇଁ ଓ ଅନ୍ୟଟି ଗ୍ରାମ ଦେବତୀ ମା ମଙ୍ଗଳାଙ୍କ ପାଇଁ।କାହା ହାତରେ ନହେଲେ ବସର ଡ୍ରାଇଭର ହାତରେ ନଡ଼ିଆ ପଠାଯାଏ ମା’ଙ୍କ ପାଖକୁ।ଠାକୁର ଠାକୁରାଣୀଙ୍କ ଉପରେ ଅଖଣ୍ଡ ବିଶ୍ବାସ ବୋଉର।
ନଡ଼ିଆ କୋରି, ବୋଉ ଯେଉଁଦିନ ଅଗଣା ଚୁଲିରେ ନଡ଼ିଆକୋରା ମିଠେଇ ବନାଏ,ସେଦିନ ବୁଲୁ ଦେଖେ,ଆରାମ ଚେୟାରରେ ବସି ଖବରକାଗଜ ପଢ଼ୁଥିବା ଜେଜେ ଓ ବାହାର ପିଣ୍ଡାରେ ବସି ପାନ ଭାଙ୍ଗୁଥିବା ଜେଜେମାଙ୍କ ମୁହଁରେ ହସ ଫୁଟି ଉଠେ।କଡେଇ ରେ ଅଳ୍ପ ଘିଅ ଦେଇ କୋରା ନଡିଆକୁ ବୋଉ ଭାଜିଲାବେଳେ ବାସ୍ନାରେ ଖଣ୍ଡ ମଣ୍ଡଳ ଚହଟେ।
ସତରେ ବୋଉ ହାତ ତିଆରି ନଡ଼ିଆ କୋରା ଏକଦମ ଭିନ୍ନ ହୋଇଥାଏ।ବୁଲୁ ସ୍କୁଲ ଗଲାବେଳେ ଗୋଟେ ଦୁଇଟା ହାତରେ ନେଇଥାଏ।ହଷ୍ଟେଲରେ ରହି କଲେଜ ପଢିଲାବେଳେ ଓ ପରେ ଚାକିରୀରେ ଜଏନ କଲାପରେ ବି ,ଷ୍ଟିଲ ଡ଼ବାରେ ପ୍ୟାକ କରି ବୋଉ ନିଶ୍ଚୟ ଦେଇଥାଏ ନଡ଼ିଆକୋରା।
କିଣା ନଡ଼ିଆକୋରାରେ ,ବୋଉ ହାତ ତିଆରି ନଡ଼ିଆକୋରାର ସ୍ୱାଦ ନଥାଏ।ସେଇ ମିଠେଇ ବନେଇବାର ଟେକନିକ ନିଶ୍ଚେ ଭିନ୍ନ।ବୋଉ ନଡ଼ିଆ କୋରା ବନେଇଲା ବେଳେ,ବାପା କୁହନ୍ତି,
-ନଡ଼ିଆ କୋରା ଯିଏ ନାହିଁ ସିଏ ବନେଇଦେବ।କଣ ବା ବଡ଼ ଜିନିଷ ଅଛି ସେଥିରେ ?ନଡ଼ିଆକୁ କୋରି,
ତାକୁ ଚିନି ବା ଗୁଡ଼ରେ ମିଶାଇ ଗୋଲ ଗୋଲ ଗୁଳା କରିଦେଲେ ତ ନଡ଼ିଆ କୋରା।”
*
- ଚିଡିଯାଇ ବୋଉ କୁହେ,
-ଆଛା,ଏତେ ଯଦି ସହଜ,ନିଜେ ଦିନେ ବନୋଉନ ?”
ବାପା ହସି କୁହନ୍ତି,
-ରୁହ,ଦିନେ ବନେଇକି ଚଖେଇବି।ତେବେ ତମେ ତିଆରି କରୁଥିବା ନଡ଼ିଆ କୋରା ପ୍ରଣାଳୀ ଠୁ ଏକଦମ ଭିନ୍ନ ହେବ ମୋ ନଡିଆ କୋରା।”
ବୁଲୁ ଦେଖେ,ବୋଉ ଗାଁ ଅଗଣା ଚୁଲିରେ ଶୁଖିଲା ନଡ଼ିଆ କତା ରେ ନିଆଁ ଧରାଇ,ସେଥିରେ ଶୁଖିଲା ନଡ଼ିଆ ବାହୁଙ୍ଗା,ପତ୍ର ଜଳାଇ,ଚୁଲି ଉପରେ ବସିଥିବା
ବଡ଼ ଲୁହା କଡେଇରେ ଟିକେ ଘିଅ ଦେଇ କୋରା ହୋଇଥିବା ପାକଳ ନଡ଼ିଆ କୁ ପକାଇ ଟିକେ ଭାଜି ,ସେଥିରେ ଅଳ୍ପ ଟିକେ କ୍ଷୀର ଦେଇ ପୁଣି ଟିକେ ଭାଜି,ସେଥିରେ ମାପ ଅନୁସାରେ ଚିନି ବା ଗୁଡ଼ ପକାଇ, ଶେଷକୁ ଗୁଜୁରାତି ଗୁଣ୍ଡ ଦିଏ।ବୋଉ କୁହେ,କ୍ଷୀର ଦେଲେ ନଡ଼ିଆକୋରା ନରମ ଓ ପାଟିକୁ ସୁଆଦିଆ ଲାଗେ।ଉଷୁମ ଉଷୁମ ସେଇ ନଡ଼ିଆ,ଚିନି/ଗୁଡ଼ ମିଶ୍ରଣକୁ ହାତ ପାପୁଲିରେ ଘିଅ ମାରି,ଛୋଟ ଛୋଟ ଗୁଳା କରି ବୋଉ ଗଢିଦିଏ ନଡ଼ିଆକୋରା।ବାସ, ପ୍ରସ୍ତୁତ ହୋଇଯାଏ ଅମୃତଲଡୁ।ଯେତେ ମିଠା ଜିନିଷ ଖାଇଲେ ବି ବୁଲୁ ସବୁବେଳେ ମନେପକାଏ ବୋଉ ହାତ ତିଆରି ନଡ଼ିଆ କୋରା କୁ।ଅବଶ୍ୟ ବାପା ଙ୍କ ହାତ ତିଆରି ସେଇ ଭିନ୍ନ ଷ୍ଟାଇଲ ର ନଡ଼ିଆ କୋରା ଚାଖିବାର ସୁଯୋଗ ଆସି ନଥିଲା।ଜେଜେ,ଜେଜେମା ଙ୍କ ପରେ ବାପା ବି ହଠାତ ସହଳ ଟିକେଟ କାଟିଥିଲେ ସ୍ୱର୍ଗକୁ।
ଯେତେ ବାଧ୍ୟ କଲେବି ଗାଁ ଘର ଛାଡ଼ି ବୋଉ ଆସେନି।ମଝିରେ ମଝିରେ ସପ୍ତାହେ,ଦୁଇ ସପ୍ତାହ ପିଲାଙ୍କ ପାଖରେ କଟାଇ ବୋଉ ପୁଣି ଗାଁକୁ ଫେରିଯାଏ।ତେବେ ସବୁଦିନ ବୁଲୁର ମନେପଡେ ବୋଉ କଥା ଓ ବୋଉ ହାତ ତିଆରି ନଡ଼ିଆକୋରା କଥା।ବହୁତ ବର୍ଷ ପରେ ଥରେ ଚାକିରୀ କରୁଥିବା ସହରରେ ଏକୁଟିଆ ଥିଲାବେଳେ,
ବୋଉ ହାତ ତିଆରି ନଡ଼ିଆ କୋରା ଥରେ ପାଟିରେ ପକାଇଲା ବେଳେ ଅବସନ୍ନ ହୋଇଯାଉଥିଲା ବୁଲୁର ଦେହ,ଏକ ସ୍ନେହର ହାତ ଯେମିତି ତା ଦେହରେ ବୁଲିଆସୁଥିଲା।ଅସ୍ପଷ୍ଟ ଭାବେ ତା ପାଟିରୁ ବାହାରି ପଡିଥିଲା ବୋଉ ……
-ଏଇ ନିଅ ନଡ଼ିଆ କୋରା।ମୁଁ ନିଜ ହାତରେ ବନେଇଛି।ଦେଖିଲ କେମିତି ହୋଇଛି ?”
ଭାବନା ରାଜ୍ୟରୁ ଫେରିଆସି ବୁଲୁ ଦେଖୁଥିଲା ଧର୍ମପତ୍ନୀ ନନ୍ଦିନୀ ହାତରେ ଗୋଟେ ପ୍ଲେଟ ଧରି ଠିଆ ହୋଇଛି,ଯେଉଁଥିରେ କିଛି ଧଳା ରଙ୍ଗର ନଡ଼ିଆ କୋରା ସଜାଇ ହୋଇ ରଖା ଯାଇଥିଲା।ପ୍ରଥମ ଥର ପାଇଁ ନନ୍ଦିନୀ ବନେଇଥିଲା ନଡ଼ିଆକୋରା।ଅବଶ୍ୟ ବୋଉ ବନାଉଥିବା ନଡ଼ିଆ କୋରାଠାରୁ ଏହା ଟିକେ ଭିନ୍ନ ଦିଶୁଥିଲା।
ଖୁସି ହୋଇ ତିନି ଚାରିଟା ନଡ଼ିଆ କୋରା ହାତରେ ଧରି,ପାଟିରେ ପକାଇଲା ପୂର୍ବରୁ ବୁଲୁ ପଚାରିଲା,
-ବୋଉ କୁ ପଚାରି ତିଆରି କଲ କି ?ତମକୁ ଏସବୁଥିରେ ତ ଜମାରୁ ଇଣ୍ଟରେଷ୍ଟ ନାହିଁ।ଆଛା,
ତମେ ନଡ଼ିଆ କେମିତି କୋରିଲ ?ନଡିଆ କୁ କୋରି, ତାକୁ କଡେଇରେ ଭାଜି ଏଇ ମିଠେଇ ତିଆରି କଲାବେଳେ ମୋ ନାକକୁ ବାସ୍ନା ବି ଆସିଲାନି।”
ମୃଦୁହସି ନନ୍ଦିନୀ କହିଲା,
-କିଏ ମୋର କଷ୍ଟ କରି ନଡ଼ିଆ କୋରିବ ?
ନୂଆ ଓ ସହଜ ଟେକନିକ ରେ ଏଇ ନଡ଼ିଆ କୋରା ବନେଇଛି।କାଲି ଡିପାର୍ଟମେଣ୍ଟାଲ ଷ୍ଟୋର ରୁ ନଡ଼ିଆ ପାଉଡର ପ୍ୟାକେଟ ଆଣିଥିଲି।ମିଲକମେଡ ରେ ସେଇ ନଡ଼ିଆ ପାଉଡର ଓ ମିଳ୍କ ପାଉଡର ମିଶାଇ,ଛୋଟ ଛୋଟ ବଲ କରି ତାକୁ ସେଇ ନଡ଼ିଆ ପାଉଡର ଉପରେ ପୁଣି ଗଡାଇ ଦେଲି।ଖାଅ ତମ ଫେଭ ରାଇଟ ନଡ଼ିଆକୋରା ।”
ଚମକି ପଡିଲା ବୁଲୁ।ହେ ଭଗବାନ !!ଏମିତିକା ନଡିଆକୋରା !!!
ପାଟିକୁ ରାସୁ ରାସୁ ଲାଗୁଥିବା ସେଇ ଜିନିଷ ଯଦିଓ ମିଠା ଲାଗୁଥିଲା,ତଥାପି ସେଥିରେ ବାସ୍ନା,ନଡ଼ିଆ କୋରାର ସ୍ୱତନ୍ତ୍ରତା ଟିକେ ବି ନଥିଲା।କିଏ ଜାଣେ ହୁଏତ ଆଜି ବାପା ବଞ୍ଚିଥିଲେ,ଏଇ ଭିନ୍ନ ନଡ଼ିଆକୋରା ଖାଇ କଣ କହିଥାନ୍ତେ।
-ରେଡିମଡ଼ ନଡ଼ିଆ ପାଉଡର ତିଆରି କଲାବେଳେ ସେଥିରୁ ତ କମ୍ପାନୀ ଵାଲା ନଡ଼ିଆ କ୍ଷୀର ଓ ତେଲ ଭ୍ୟାକୁମ ଟେକନିକ ରେ କାଢି ନେଉଥିବେ।ସେଥିପାଇଁ ଏଥିରେ ଟେଷ୍ଟ ନାହିଁ।ତୁମେ ଏଥର ବୋଉଠୁ ଟେକନିକ ଶିଖିଯିବ।”
ଚିଡିଲା ସ୍ୱରରେ ନନ୍ଦିନୀ କହିଲା,
-ଟେକନିକ ଆଉ କଣ ଯେ ?ନଡ଼ିଆ ଗୁଣ୍ଡ ବାନ୍ଧି ହୋଇ ଗୋଲ ଗୋଲ ହେବା ଦରକାର।ଚିନି,ଗୁଡ଼ ଯୋଗୁଁ ସେସବୁ ବାନ୍ଧି ହୁଏ।”
ସ୍ତ୍ରୀକୁ ପାଖରେ ବସାଇ ବୁଲୁ କହିଲା,
-ନା,ଚିନି ଗୁଡ଼ରେ କେବଳ ମିଠା ବାନ୍ଧି ହୁଏନା।କିଛି ସ୍ପେଶାଲ ଜିନିଷ ଲୋଡ଼ା, ଏସବୁ ଦେଶୀ ଜିନିଷ ବନେଇବା ପାଇଁ।ରୁହ,ଏଥର ବୋଉ ଆସିଲେ ତାକୁ କହିବି ଏଇଠି ସେ ବନେଇବ ନଡ଼ିଆକୋରା।”
ବୋଉ ଘରକୁ ଆସିଲାବେଳେ,ସବୁଥର ପରି ଏବର୍ଷ ବି ସାଙ୍ଗରେ ଆଣିଥିଲା କିଛି ବାରି ନଡ଼ିଆ।ଏଥର ବୁଲୁ ଜିଦି ଧରିଥିଲା ନଡ଼ିଆ କୋରା ବନେଇବା ପାଇଁ।ସବୁ ଜିନିଷ ଆଗରୁ କିଣିଆଣି ରଖା ହୋଇଥିଲା।ଗ୍ୟାସ ଚୁଲାରେ କଡେଇ ବସେଇ,ପାଗ କରି, ବୋଉ ବନାଉଥିଲା ନଡିଆକୋରା।
ପାଖରେ ରହି ସବୁ ଦେଖୁଥିବା ନନ୍ଦିନୀ କାନରେ ଚୁପକିନା ବୁଲୁ କହିଲା,
-ଭଲକି ଦେଖ,ଖାଲି ଚିନି ଗୁଡ଼ ନୁହେଁ,ବରଂ ନିରୁତା ଆଦର ଓ ଆତ୍ମୀୟତା ଓ ଓଡ଼ିଆ ଘରଣୀର ବାତ୍ସଲ୍ୟ ମମତାରେ ବାନ୍ଧିହୁଏ ଏଇ ନଡ଼ିଆ କୋରା।ବାପା କୁହନ୍ତି ଇୟେ କାଳେ ଅଫିମ ଟେଳା।ଆଜି ମୁଁ ବୁଝୁଛି,ସେ କଥାର ରହସ୍ୟ।ଅପରେସନ ପୂର୍ବରୁ ରୋଗୀକୁ ଡାକ୍ତର ଦେଇଥିବା ନିଶ୍ଚେତକ ପ୍ରଭାବରେ ରୋଗୀ ଯେମିତି ଅବସନ୍ନ ହୋଇଯାଏ,ଠିକ ସେମିତି ବୋଉର ଏଇ ନଡ଼ିଆକୋରା ଖାଇଲାବେଳେ ମୋ ସ୍ନାୟୁ ତନ୍ତ୍ରୀ ବି ଅବସନ୍ନ ହୋଇ,ଚତୁର୍ଦିଗ ରେ ମୋତେ କେବଳ ବୋଉ ଦିଶେ।ଇୟେ ସାମାନ୍ୟ ମିଠେଇ ନୁହେଁ, ବରଂ ଅମୃତ ଅପତ୍ୟ ସ୍ନେହରେ ଜୁଡୁବୁଡୁ ଏକ ଗନ୍ତାଘର।”
ନନ୍ଦିନୀ ଶାଶୁଙ୍କୁ ପଚାରିଲା,
-ବୋଉ,ଆପଣଙ୍କ ପୁଅ ଏଇ ନଡ଼ିଆ କୋରାକୁ ଏତେ କାହିଁକି ଭଲ ପାଆନ୍ତି ?”
ମୁରୁକି ହସି ଶାଶୁ କହିଲେ,
-ମା ତାରିଣୀଙ୍କ କୃପାରୁ ଇୟେ ମୋ କୋଳକୁ ଆସିଥିଲା ବୋଲି ତା ନାଁ ତାରିଣୀପ୍ରସାଦ ରଖିଥିଲି।ଛୁଆଟି ବେଳରୁ ଭାରି ଭଲ ପାଏ ସେ ନଡ଼ିଆକୋରାକୁ।ତୁ ଏଣିକି ଏମିତି ବନେଇ ଦେବୁ।”
ବୋଉ, ନଡିଆକୋରା ସବୁ ବନେଇ ଗୋଟିଏ ଥାଳି ରଖା ହୋଉଥିବା କଦଳୀ ପତ୍ରରେ ରଖିଲା ପରେ ବୁଲୁ ଚଟକିନା ଗୋଟିଏ ନେଇ ପାଟିରେ ପକାଇବାକୁ ଗଲାବେଳେ ବୋଉ,ତା ହାତକୁ ଧରି ପକାଇ କହିଲା,
-ରହ,ଆଗେ ମା ତାରିଣୀ ଙ୍କ ପାଇଁ କାଢି,ଭୋଗ ଲଗାଇ ସାରିଲା ପରେ ତୁ ଖାଇବୁ।ବୋହୁ,ଘରେ ମାତାରିଣୀ ଙ୍କ ଫଟ ଅଛି ?”
ମୁଣ୍ଡ ହଲାଇ ମନାକଲା ନନ୍ଦିନୀ।ବୁଲୁ ହାତରେ ଧରିଥିବା ନଡ଼ିଆକୋରା କୁ ବୋଉ ମୁହଁ ସାମ୍ନାରେ ବୁଲାଇ ଜବରଦସ୍ତି ତା ପାଟିରେ ପୁରାଇଦେଇ
ଫେଁ କିନା ହସି କହିଲା,
-ମା ହିଁ ତାରିଣୀ,ନିଜ ପିଲାଙ୍କୁ ଦୁଃଖ କଷ୍ଟରୁ ମା ହିଁ ତାରେ,ଉଦ୍ଧାରେ।ତୁ ହିଁ ମୋ ପାଇଁ ତାରିଣୀ ଠାକୁରାଣୀ।ମା’ଙ୍କୁ ଭୋଗ ଲାଗିଗଲା,ଏଥର ନଡ଼ିଆକୋରା ପ୍ରସାଦ ଆମେ ଖାଇବୁ।”
ଆଖିରେ ଜକେଇ ଆସୁଥିବା ଖୁସିର ଲୁହକୁ କାନିରେ ପୋଛି, ବୁଲୁ ମୁଣ୍ଡକୁ ସାଉଁଳେଇ ବୋଉ ପାକୁଆ ପାଟିରେ ହସି କହୁଥିଲା,
-ନଡିଆକୋରା ରଙ୍କୁଣା,ମୋ ବାଇଆ ଟା।”
(©ଅରବିନ୍ଦଦାସ)