ଅରବିନ୍ଦ ଦାସଙ୍କ ନୂଆ ଗପ : ‘ଫୁଲେଇ ଟମାଟୋ’
//TATKAL ODISHA//
ଫୁଲେଇ ଟମାଟୋ
★★★★★★
ଅରବିନ୍ଦ ଦାସ
ଟମାଟୋ ନିଜ ରଙ୍ଗ ଦେଖାଉଥିଲା….
ଟମାଟୋ କେଜି ଶହେ ଟଙ୍କା ଶୁଣି ବିରକ୍ତ ହୋଇ ମାର୍କେଟରୁ ଚାଲିଆସିଲା ସୁଜିତ।ଦୋକାନୀ ପ ଛ ପଟୁ କହୁଥିଲା,
- କାଲିକୁ ଆହୁରି ଅଧିକ ଦାମ ହେବ ଆଜ୍ଞା।ବଜାରରେ ଟମାଟୋ ନିଆଁ ଲଗାଉଛି।”
ସୁଜିତ ମନେ ମନେ ଭାବିଲା ,ଟମାଟୋ ନା ସୁନା?
ହାଟ ରେ କିଏ ଜଣେ କହୁଥିଲା, - ଗରିବ ଲୋକଙ୍କୁ ଟଙ୍କିକିଆ ଚାଉଳ ବର୍ଷସାରା ଦେଉଛନ୍ତି ସରକାର।ଏଇନା ଟମାଟୋ ହେଲେ କେଜି ଏକ ଟଙ୍କାରେ ଦିଅନ୍ତେ ?”
ପାଖରେ ଠିଆ ହୋଇଥିବା ଅନ୍ୟ ଜଣେ ହସିଦେଇ କହିଲା, - ଏଇନା ତ ନିର୍ବାଚନ ନାହିଁ,ତେଣୁ ଆମ ଦୁଃଖ କଥା କାହିଁକି ଶୁଣିବେ ?ତେବେ ବିରୋଧୀ ଦଳ ବାଲା ଲୋକଙ୍କୁ ଶସ୍ତାରେ ଟମାଟୋ ଦେଉ ନାହାନ୍ତି କାହିଁକି ?”
ଟମାଟୋ କୁ ନେଇ ରାଜନୀତି !ସାମାନ୍ୟ ପରିବା’ର ଏତେ କରାମତି ?
ଘରକୁ ଚୁପଚାପ ଚାଲି ଆସିଲା ସୁଜିତ।
ବ୍ୟାଗରୁ ଅନ୍ୟ ପରିବା ରଖୁ ରଖୁ ,ତା ପାଖରୁ ଟମାଟୋ ଦାମ ଶୁଣି,ସ୍ତ୍ରୀ ଗୀତା କହିଲା,
-” ହଁ, ମ, କେଉଁ ଏମିତି ଅପୂର୍ବ ପରିବା ଯେ ନହେଲେ ନଚଳେ ?ତେନ୍ତୁଳି,
ଆମ୍ବୁଲ, ଲେମ୍ବୁ କିମ୍ବା ଟମାଟୋ ସସ ରେ କାମ ଚଳିଯିବ।”
ତା ମନ କଥା, ଗୀତା ଙ୍କ ମୁହଁରେ ଶୁଣି ଖୁସି ହେଲା ସୁଜିତ।ସ୍ତ୍ରୀ ମାନଙ୍କ ମତିଗତି ଠିକ ପାଗ ର ମିଜାଜ୍ ଭଳି। କେତେବେଳେ କେଉଁ ମୁଡ଼।ତେବେ ଯାହେଉ ଜିଦି ଲଗାଇନି ଟମାଟୋ ପାଇଁ।
ବାନ୍ଧବୀ ସ୍ୱପ୍ନା ଫୋନ କରି ଗୀତାଙ୍କୁ ପଚାରିଲା, - ଟମାଟୋ ରେଟ ତ ଆକାଶଛୁଆଁ।
ବିନା ଟମାଟୋରେକଷାକଷି ତରକାରୀ କେମିତି କରିବି ଜାଣି ପାରୁନି।”
ଫେଁ କିନା ହସି ଗୀତା କହିଲା, - ଟମାଟୋ କଣ ଆମକୁ ଡରାଇବ? ବରଂ ଆମେ ତାକୁ କିଛିଦିନ ପାଇଁ ବ୍ୟାନ କରିବା ଠିକ୍ ହେବ।ବିନା ଟମାଟୋ ରେ ରେସିପି କିଛି ମୁଁ ତୋତେ ହ୍ୱାଟସଆପ କରୁଛି।ଆଉ ଗୋଟେ ମଜା କଥା ଶୁଣୁ,ବିନା ଟମାଟୋର ଏବେ ତିଆରି ହେଉଛି ଟ ସସ୍।”
ଦୁଇ ବାନ୍ଧବୀ ହସାହସି ହେଉଥିଲେ।
ସୁଜିତ ଦାଣ୍ଡ ପିଣ୍ଡାରେ ବସି ଖବର କାଗଜ ପଢିଲା ବେଳେ, ପଡୋଶୀ କଣ୍ଟ୍ରାକ୍ଟର ରାମ ବାବୁଙ୍କ ସ୍ତ୍ରୀ ପ୍ରମିଳା ଦେବୀ ଆସି ଡାକ ପକାଇଲେ ଗୀତାଙ୍କୁ।
ନାଲି ଶାଢ଼ୀ ପରିହିତା ପ୍ରମିଳାଙ୍କ ହାତରେ ଥିଲା ଲାଲ୍, ଲାଲ୍ ଟମାଟୋ ଭର୍ତ୍ତି ଏକବଡ଼ ପାଛିଆ।ସୁଜିତ ଅନୁମାନ କଲା ନିଶ୍ଚୟ ଦୁଇ କିଲୋ ହୋଇଥିବ।
ସୁଜିତ ଆଡ଼କୁ ଅନାଇ ଟିକେ ମୁରୁକି ହସି ପ୍ରମିଳା, ଗୀତାଙ୍କ ଉଦ୍ଦେଶ୍ୟରେ କହିଲେ,
-” ଗୀତା,ତମ ଫ୍ରିଜରେ ଏ ଟମାଟୋ ରଖିଦେବ ?ଆମ ଫ୍ରିଜ ଖରାପ ହୋଇଯାଇଛି।ମେକାନିକ କେତେବେଳେ ଆସିବ କେଜାଣି ?”
ଗୀତା ପଚାରିଲା ,
-” ଆପଣଙ୍କୁ ଲକି ଡ୍ର ରେ ଟମାଟୋ ମିଳିଲା ନା କଣ?”
ଭୁବନ ମୋହିନୀ ହସ ମୁହଁ ରେ ଖେଳାଇ ପ୍ରମିଳାଦେବୀ କହିଲେ,
-ୟାଙ୍କ ବୁଦ୍ଧି ଦେଖୁନ ? ଏତେ ଦାମ ଦେଇ ଏତେଗୁଡା ଟମାଟୋ ଆଣିବା କଣ ନିହାତି ଦରକାର ଥିଲା?ମୋର ଟମାଟୋ ଖଟା ଖାଇବାକୁ ଇଛା ହେଲା ବୋଲି ଏମିତି କହିଥିଲି ବୋଲି ବାବୁ ଆମର ଆଜି ସକାଳୁ ଏତେ ଦାମ ଦେଇ ନେଇ ଆସିଲେ।ଦେଖେଇ ହେବା ୟାଙ୍କର ପ୍ରକୃତି।ମୋତେ ପରା କହିଲେ,ଶହେ କୋଡିଏ ଟଙ୍କା ଦେଇ ମୁଁ ପେଟ୍ରୋଲ ପକାଉଛି, ଅଥଚ ଶହେ ଟଙ୍କା ଦେଇ ଟମାଟୋ ତମପାଇଁ ଆଣିବିନି ?”
ଲାଜ ଲାଜ ହସ ରେ ପ୍ରମିଳା ଦେବୀ ଙ୍କ ଗାଲ ଦୁଇଟା, ସୁଜିତ କୁ ଲାଲ୍ ଟମାଟୋ ଭଳି ଦିଶୁଥିଲା।
ଗୀତା କହିଲା,
-“ଆପଣ ବହୁତ ଭାଗ୍ୟବତୀ।ଯାହା ଇଛା କରିବେ ରାମ ବାବୁ ସାଙ୍ଗେ ସାଙ୍ଗେ ପୁରଣ କରିବେ।ଆମର ସେ ଭାଗ୍ୟ ନାହିଁ। ତେବେ ଆମ ଫ୍ରିଜ ରେ ବି ଜିନିଷ ଭର୍ତ୍ତି।ଟମାଟୋ ରଖି ହେବନି।ତାଛଡା ଏଇ ହାଇବ୍ରିଡ଼
ଟମାଟୋ ଆରାମରେ ବାହାରେ ରହିପାରିବ।ଦେଶୀ ଟମାଟୋ ହୋଇଥିଲେ ଅଲଗା କଥା।”
ପାଛିଆ ନେଇ ଫେରି ଯାଉ ଯାଇ ପ୍ରମିଳା ସୁଜିତ ଙ୍କ ଆଡ଼କୁ ଅନାଇ କହିଲେ,
-ସୁଜିତ ବାବୁ ଭାରୀ ଭଲ ଲୋକ।ତାଙ୍କ ନାଁ ରେ କାହିଁକି ମିଛରେ ଅଭିଯୋଗ କରୁଛ ?ତମେ ନକହିଲେ ବି ସେ ନେଇ ଆସିବେ।”
ଅଣ୍ଟା କୁ ହଲାଇ ,ଟମାଟୋ ପାଛିଆ ଧରି ,ସର୍ପିଳ ଗତିରେ ଚାଲିଗଲେ ପ୍ରମିଳାଦେବୀ।
ସୁଜିତ ମନଟା ଖୁସିରେ କୁଣ୍ଢେ ମୋଟ ହୋଇଗଲା।
-“ଆମ ଫ୍ରିଜରେ ସତରେ ଜାଗା ନାହିଁ ?”
ଖିଙ୍କାରି ହେଲା ସ୍ୱର ରେ ଗୀତା କହିଲା,
-“ତମର ଏତେ ଦରଦ କାହିଁକି ?ସେ ଫୁଲେଇ ମାଇକିନା କୁ ମୁଁ ଠିକ ଜାଣିଛି। କେଉଁଠୁ ମାଗଣାରେ ପାଇଥିବ।ନିଜ ଷ୍ଟାଟସ ଦେଖେଇ ହେବାକୁ ଆସିଥିଲା ଯେ ଦାମିକା ପରିବା ସେ ହିଁ ଖାଇପାରେ।ହୁଁ !ଛୋପରି କେଉଁଠିକାର।ଟମାଟୋ ଖଟା କାଳେ ୟାର ଖାଇବାକୁ ଇଛା ହେଉଛି ?ତାହେଲେ ଖଟା ନକରି ମୋ ଫ୍ରିଜରେ କାହିଁକି ରଖିବାକୁ ଆସୁଛୁ ?ଆମେ ଟମାଟୋ ଦେଖିନୁ ନା ଖାଇନୁ?”
ସୁଜିତ ଚୁପକିନା ବଡ ହାଟକୁ ବାହାରିଗଲା,ହୁଏତ ସେଠି କାଳେ ଶସ୍ତାରେ ମିଳିବ।
ଦୋକାନରେ ଟମାଟୋ କିଣିଲାବେଳେ ଦୋକାନୀ କହିଲା,
-ବୁଝିଲେ ବାବୁ, ଇୟେ ହେଉଛି ଟମାଟୋ’ର ଅଭିଶାପ।କିଛି ଦିନ ତଳେ ଆମ ଚାଷୀମାନେ , ଶସ୍ତା ଦର ଯୋଗୁଁ ଟମାଟୋ କୁ ରାସ୍ତାରେ ଫିଙ୍ଗୁଥିଲେ।ଏବେ ଟମାଟୋ ପ୍ରତିଶୋଧ ନେଉଛି।”
ଦୀର୍ଘ ନିଶ୍ବାସ ଟେ ଛାଡି ସୁଜିତ କହିଲା,
-“ନିଜ ରଙ୍ଗ ଦେଖାଉଛି ଟମାଟୋ।”
ଅଧ ଘଣ୍ଟାଏ ପରେ ଦୋକାନ ରୁ ଅଧକିଲୋ ଟମାଟୋ ନେଇଆସିଲା ସୁଜିତ।ତା ହାତରେ ଟମାଟୋ ଦେଖି ବିରକ୍ତ ହୋଇ ଗୀତା କହିଲା,
-“ସେ ଫୁଲେଇ ସ୍ତ୍ରୀ ଲୋକ ତମକୁ ପ୍ରଶଂସା କଲା ବୋଲି ଟମାଟୋ ନେଇ ଆସିଲ?ତମେ ପୁରୁଷ ଲୋକ ଗୁଡାକ ସତରେ …..”
ଏଇ ସମୟରେ ଗୀତାର ମୋବାଇଲ ବାଜିଲା।ସେପଟୁ ବାନ୍ଧବୀ ସରିତା’ର ସ୍ୱର,
-ଶୁଣିଲୁଣୁ,ଆଜି ସିଲକ ହାଉସ ଶାଢ଼ୀ ଦୋକାନରେ ଜବରଦସ୍ତ ଅଫର।ହଜାରେ ଟଙ୍କାର ଶାଢ଼ୀ କିଣିଲେ କିଲେ ଟମାଟୋ ଫ୍ରି।ମୁଁ ଏଇନା ବାହାରୁଛି। ଶାଢ଼ୀ ସହ ଟମାଟୋ ବି ମିଳିଯିବ।ଇୟେ କହୁଛନ୍ତି ଟମାଟୋ କୁ ସାଲାଡ଼ କରି ଖାଇବାକୁ।ତୁ ଆସିବୁ କି ?”
ଗୀତା ଚଟକିନା କହିଲା,
-କଣ ପାଇଁ ଆଉ ଯିବି ?ସାଲାଡ଼ ଅପେକ୍ଷା,କଟା ଟମାଟୋ ରେ ମୁଁ ମୋ ମୁହଁ ସଫାକରେ ବୋଲି ଆମ ବାବୁ ପରା ଏଇନା ଟମାଟୋ ମେଞ୍ଚାଏ କିଣି ମୋତେ ଧରାଇଛନ୍ତି।ଶାଢ଼ୀ ବି ମୁଁ ଆଗରୁ କିଣିଦେଇଛି।”ଫୋନ ରଖିଲା ଗୀତା।
ସୁଜିତ ଆଶ୍ଚର୍ଯ୍ୟ ହୋଇ ପଚାରିଲା,
-ଟମାଟୋ ତମେ ମୁହଁରେ ଲଗାଇବ ?ଏତେ ଦାମ ଦେଇ ମୁଁ……
କିଛି ନକହି ଭିତରକୁ ଚାଲିଗଲା ଗୀତା।
କିଛି ସମୟପରେ ଗାଧେଇସାରି ବାହାରିବା ବେଳେ ସୁଜିତଙ୍କ କାନରେ। ପଡ଼ିଲା ଗୀତାଙ୍କ ସ୍ୱର।କାମବାଲୀ ରମାକୁ ପଚାରୁଥିଲେ ଗୀତା, - ତୁ ବିନା ଟମାଟୋ ରେ କେମିତି ତରକାରୀ ପତ୍ର କରୁଛୁ ?”
ନିଜ ଦାନ୍ତ କୁ ନେଫେଡି ହସିଦେଇ ରମା କହିଲା, - ଯେଉଁ ସବୁ ବାବୁମାନଙ୍କ ଘରେ କାମ କରୁଛି,ସେମାନେ ବାହାରୁ ଖାଇବା ମଗେଇଲା ବେଳେ ପ୍ୟାକେଟ ଭିତରେ ଛୋଟ ଛୋଟ ଟଙ୍କିକିଆ ଟମାଟୋ ସସ ସ୍ୟାଚେଟ ସବୁ ଥାଏ,ଯାହାକୁ ବାବୁଘର ଲୋକେ ବ୍ୟବହାର କରି ନଥାନ୍ତି।ସେଇ ସବୁ ପ୍ୟାକେଟ ମୁଁ ମୋ ଘର କୁ ନେଇ ସାଇତି ରଖିଥାଏ।ଟମାଟୋ ମହରଗ ହେଲାବେଳେ ସେଇ ପ୍ୟାକେଟ ସବୁ କାମରେ ଲଗାଏ।”
ମନେମନେ ରମାର ବୁଦ୍ଧିକୁ ତାରିଫ କରୁଥିଲେ ଗୀତା।ଘରଣୀଟିର ସବୁ ଦିଗକୁ ନଜର ଥାଏ।ନିଜ ଘର ବଜେଟ ସେ ହିଁ ସଜାଡେ।
ରମା ପଚାରିଲା,
-ମା,ଆଜି ବାବୁ କେତେ ଟଙ୍କା ଦେଇ ଟମାଟୋ ଆଣିଛନ୍ତି ?”
-“ଶହେ କୋଡ଼ିଏ ଟଙ୍କା ଦେଇ ବାବୁ ଟମାଟୋ ଆଣିଛନ୍ତି”।
ଗୀତା ମିଛରେ ଅଧିକ ରେଟ କାହିଁକି କହୁଛନ୍ତି ତାହା ବୁଝିପାରୁନଥିଲା ସୁଜିତ।
-“ମା,ଟମାଟୋ ପରା ଶହେ ଟଙ୍କା ?”ପୁଣି ପ୍ରଶ୍ନ କଲା ରମା।
ଚଟକିନା ଗୀତା କହିଲା,
-“ଆଲୋ, ସେଗୁଡା ହାଇବ୍ରିଡ।ମୋର ଟମାଟୋ ଖଟା ଖାଇବାକୁ ଇଛା ହେଲାବୋଲି ବାବୁ ଦେଶୀ ଟମାଟୋ ନେଇଆସିଲେ।ଦେଶୀ ଟମାଟୋ ଅଧିକ ରେଟ।”
ମୁହଁରେ ହସ ଖେଳିଗଲା ସୁଜିତଙ୍କର।ମନେ ମନେ ଭାବିଲା,ସତରେ ଟମାଟୋଟା ଏକଦମ ଫୁଲେଇ। - (©️ଅରବିନ୍ଦ ଦାସ)