ଅରବିନ୍ଦ ଦାସଙ୍କ ନିଚ୍ଛକ ଗପ-6: ‘ଶ୍ରମିକ ଦିବସ’

0

//TATKAL ODISHA//

★★★★★★

ଅରବିନ୍ଦ ଦାସ

ସରକାରୀ ଦପ୍ତରରେ ମୁଖ୍ୟ କିରାଣୀ ଅର୍ଥାତ ବଡ଼ବାବୁ ଭାବେ କାର୍ଯ୍ୟରତ ଗୌରାଙ୍ଗ ବାବୁ, ଅଫିସ ଯିବାକୁ ପ୍ରସ୍ତୁତହୋଇ ଡାଇନିଂ ଟେବୁଲରେ ଜଳଖିଆ ଖାଇଲାବେଳେ , ସାନଭାଇ ଅଭୟକୁ ଆରାମରେ ବସି ଚା ପିଇ ଟିଭି ଦେଖୁଥିବାର ଦେଖି ଆଶ୍ଚର୍ଯ୍ୟ ହୋଇ ପଚାରିଲେ,
କିରେ ତୁ ଆଜି ଅଫିସ ଯିବୁନି କି ?”
-ନା।”
-କାହିଁକି ?”

ଅଭୟ କିଛି ଉତ୍ତର ଦେବା ପୂର୍ବରୁ ତା ସ୍ତ୍ରୀ ଛନ୍ଦା,ଦେଢଶୁରଙ୍କ ପ୍ଲେଟରେ ପୁରୀ,ତରକାରୀ ଦେଉ ଦେଉ କହିଲା,
-ଭାଇ, ଆଜି ପରା ମେ ଏକ ତାରିଖ ପରା।ୟାଙ୍କ କମ୍ପାନୀ ଛୁଟି।”
ଏକ ପ୍ରାଇଭେଟ ମଲ୍ଟିନେସନାଲ କମ୍ପାନୀରେ ଆସିଷ୍ଟାଣ୍ଟ ମ୍ୟାନେଜର ଭାବେ କାମ କରେ ଅଭୟ।
ହସିଦେଇ ଗୌରାଙ୍ଗ କହିଲେ,
ଆଜି ତେବେ ବାବୁଙ୍କର ଆରାମ।”
ରୋଷେଇ ଘରକୁ ଆସି ଛନ୍ଦା ,ବଡ଼ ଯା ସଙ୍ଗୀତାଙ୍କୁ ପଚାରିଲା,
-ଅପା,ଆଜି ବଡ଼ଭାଇଙ୍କର କାହିଁକି ଛୁଟି ନାହିଁ ?”
ମୁହଁକୁ ଶୁଖାଇ ସଙ୍ଗୀତା କହିଲେ,
-ସରକାର ଜାଣିଥିବେ।ତେବେ ବଡ଼ ବଡ଼ କମ୍ପାନୀଙ୍କ ଭଳି,ସରକାର ଅଧିକ ଦରମା ବି ଦେଉ ନାହାନ୍ତି ସରକାରୀ ଚାକିରିଆଙ୍କୁ।”
ଗୌରାଙ୍ଗ ଅଫିସ ଚାଲିଗଲା ପରେ ,ଠାକୁରପୂଜା ସାରି ଦମୟନ୍ତୀ ଦେବୀ ଦୁଇ ବୋହୁଙ୍କ ସହିତ ଜଳଖିଆ ଖାଇଲାବେଳେ ସାନପୁଅକୁ ସୋଫା ଉପରେ ଶୋଇଥିବାର ଦେଖି ପଚାରିଲେ,
-ଅଭି ଦେହ ଭଲ ନାହିଁ କି ?ଅଫିସ କାହିଁକି ଯାଇନି?”
ଛନ୍ଦା କହିଲା,
ବୋଉ ଆଜି ମେ ଡେ ବୋଲି ୟାଙ୍କର କମ୍ପାନୀ ଛୁଟି।”
ଦମୟନ୍ତୀ ପୁଣି ପଚାରିଲେ,
ତାହେଲେ ଗୌର କାହିଁକି ଅଫିସ ଗଲା ?ତାର ଛୁଟି ନାହିଁକି ?”
ବଡ଼ ବୋହୁ ସଙ୍ଗୀତା ଶାଶୁଙ୍କୁ ବୁଝାଇ କହିଲା,
-ବୋଉ ,ଏ ଛୁଟି ଆପଣଙ୍କ ବଡ଼ପୁଅଙ୍କ ଭାଗ୍ୟରେ ନାହିଁ।ୟାଙ୍କ ଦରମା କମ,ଖଟଣୀ ଅଧିକ।ଆଜି ମେ ଡେ,ଶ୍ରମିକ ଦିବସ ବୋଲି ଅଭିଙ୍କ କମ୍ପାନୀ ଛୁଟି।”
ଏକ ଗର୍ବୋଦୀପ୍ତ ଚାହାଣୀ ଫୁଟି ଉଠୁଥିଲା ସାନବୋହୁ ଛନ୍ଦା ମୁହଁରେ।
ଦୀର୍ଘନିଶ୍ବାସ ଛାଡି ଦମୟନ୍ତୀ କହିଲେ,
-କେତେ ବୁଝେଇଥିଲି ମୁଁ ଅଭିକୁ ,ଭଲ ପାଠ ପଢିବା ସହିତ ଅଧିକ ପରିଶ୍ରମ ଓ ଚେଷ୍ଟାକରି ବଡ଼ଭାଇ ଭଳି ସରକାରୀ ଚାକିରୀରେ ଯୋଗ ଦେଇ ବଡ଼ବାବୁ ହେବାକୁ।ହେଲେ ମୋ କଥା କଣ ଶୁଣିଲା ?ଅଧିକ ଟଙ୍କା ଲୋଭରେ ପ୍ରାଇଭେଟ କମ୍ପାନୀରେ ଶ୍ରମିକ ହେଲା।”
(© ଅରବିନ୍ଦ ଦାସ)

Leave A Reply

Your email address will not be published.