ଅବିସ୍ମରଣୀୟ କାନ୍ତକବି ଲକ୍ଷ୍ମୀକାନ୍ତ

0


  //ଗୁରୁକଲ୍ୟାଣ ମହାପାତ୍ର//

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଆଧୁନିକ ଓଡ଼ିଆ ଭାଷା ଓ ସାହିତ୍ୟ କ୍ଷେତ୍ରରେ ଏକ ଯୁଗସ୍ରଷ୍ଟା ବ୍ୟକ୍ତି ଥିଲେ। ଉଭୟ ପୁରାତନ ଓ ଆଧୁନିକ ସାହିତ୍ୟ ମଧ୍ୟରେ ସେ ଏକ ସଂଯୋଗ ସେତୁ ବୋଲି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ।

ବିଳମ୍ବରେ ହେଲେ ମଧ୍ୟ ତାଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ ‘ ସଂଗୀତ ରାଜ୍ୟ ସଂଗୀତର ମାନ୍ୟତା ପାଇଛି।

ତାଙ୍କର ଅନ୍ୟତମ ବୈଶିଷ୍ଟ୍ୟ ହେଉଛି ଯେ ସେ ଦେଶଭକ୍ତିମୂଳକ ସଂଗୀତ କେବଳ ଲେଖି ସୁନାମ ଅର୍ଜନ କରି ନଥିଲେ, ଭକ୍ତି ସଂଗୀତ ରଚନା କରି ମଧ୍ୟ ଓଡ଼ିଶାର ପୁରପଲ୍ଲୀରେ ମଧ୍ୟ ବେଶ ପରିଚିତ ଥିଲେ।

ସବୁଥିରୁ ବଞ୍ଚିତ କରି କେଉଁ ଯଶବନା ଉଡାଇବ ହେ…. କିମ୍ବା ‘ଦେ ମୋତେ ବାଇଆ କରି ଆରେ ମୋର ବାଇଆ ରଜା, ନାଚିବି ମୁଁ ନଙ୍ଗଳା ହୋଇ ତୁ ତାଳି ମାରି ଦେଖିବୁ ମଜା… ଆରେ ମୋର ବାଇଆ ରଜା….’।

ଏ ଗୀତଟି ସାହିତ୍ୟିକ ସୁରେନ୍ଦ୍ର ମହାନ୍ତିଙ୍କର ଖୁବ ପ୍ରିୟ ଗୀତ ଥିଲା ବୋଲି ସେ ନିଜେ ସ୍ୱୀକାର କରିଥିଲେ।

ଏବେ ତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୃଷି ଓ କୃଷକ ମାନଙ୍କ ଉପରେ ଗୁରୁତ୍ୱାରୋପ କରୁଛନ୍ତି। ମାତ୍ର ସ୍ୱାଧୀନତାର ପ୍ରାକ କାଳରେ ମଧ୍ୟ କାନ୍ତକବି ସେମାନଙ୍କୁ ଗୁରୁତ୍ୱ ଦେଇଥିଲେ।

ସେଥିପାଇଁ ସେ ଲେଖିଥିଲେ,’ହିଡ଼ମାଟି ହିଡ଼ରେ ଦେଇ, ବାଟ ଚାଲୁଥା ଛାତି ଫୁଲାଇ /ଦାନାର ଯୋଗାଡ଼ କରରେ ଚାଷୀ କନ।ର ଯୋଗାଡ଼ କର, ରଜା ହୋଇ ମୋଡ଼ୁଥା ନିଶ ଆଉ କାହାକୁ ଡର।’

ଏହି ଗୀତଟି ନିତ୍ୟାନନ୍ଦ ମହାପାତ୍ରଙ୍କ ପ୍ରସିଦ୍ଧ ଉପନ୍ୟାସ ‘ହିଡ଼ମାଟି ‘ ରଚନା ପାଇଁ ପ୍ରେରଣା ଦେଇଥିଲା।
ଅଦ୍ଭୁତ ଯେ ଆଧୁନିକ ଓଡ଼ିଆ ଭାଷା ଓ ସାହିତ୍ୟର ଗଦ୍ୟ କ୍ଷେତ୍ରରେ ମଧ୍ୟ ସେ ପ୍ରଭାବ ବିସ୍ତାର କରି ଯାଇଛନ୍ତି। ତାଙ୍କ ରଚିତ ଏକମାତ୍ର ଉପନ୍ୟାସ ‘କଣାମାମୁ ‘ ବେଶ ଲୋକପ୍ରିୟ। ତାଙ୍କର ‘ବୁଢା ଶଙ୍ଖାରି ‘ ଗଳ୍ପର ତୁଳନା ନାହିଁ। ତାଙ୍କର ଆତ୍ମଜୀବନୀମୂଳକ ପ୍ରବନ୍ଧ ଓ ରମ୍ୟ ରଚନା ସମେତ ନାଟକ, ପ୍ରବନ୍ଧ ଓ ଶିଶୁ ସାହିତ୍ୟ ଉପରେ ଆଲୋଚନା ଯେପରି ହେବା କଥା ହୋଇ ପାରି ନାହିଁ।
ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟ କ୍ରମରେ ତାଙ୍କ ସାହିତ୍ୟ ସ୍ଥାନ ପାଇବା ଆବଶ୍ୟକ।

୧୮୮୮ ଡିସେମ୍ବର ୯ ତାରିଖରେ କଟକ ସହରରେ ଭୂମିଷ୍ଠ ହୋଇଥିଲେ କାନ୍ତକବି। ଏକ ସମ୍ଭ୍ରାନ୍ତ ଜମିଦାର ପରିବାରରେ, ଭଦ୍ରକ ଅନ୍ତର୍ଗତ ତାଳପଦାର ସେ ଜମିଦାର ଥିଲେ। ତାଙ୍କ ପିତା ଚୌଧୁରୀ ଭାଗବତ ପ୍ରସାଦ ସାମନ୍ତରାୟ ମହାପାତ୍ର ମଧ୍ୟ ବିହାର -ଓଡିଶା ବିଧାନସଭାର ପ୍ରଥମ ଓଡ଼ିଆ ଉପ- ବାଚସ୍ପତି ଥିଲେ। ତାଙ୍କର ଅନୁଜ କମଳାକାନ୍ତ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ ଓ ବାଲେଶ୍ୱରେ ପ୍ରଜାତନ୍ତର ସମ୍ପାଦକ ମଧ୍ୟ ଥିଲେ। କାନ୍ତକବି ନିଜେ ଅସୁସ୍ଥତା ବଶତ ପ୍ରତ୍ୟକ୍ଷ ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇ ନଥିଲେ ହେଁ ତାଙ୍କର ଦୁଇ ସାନ ଭଉଣୀ ଜାହ୍ନବୀ ଦେବୀ, କୋକିଳା ଦେବୀ ଦୁଇ ପୁତ୍ର ନିତ୍ୟାନନ୍ଦ ଓ ଗୌରଚନ୍ଦ୍ର,ଆଉ ଜଣେ ଅନୁଜ ହେମେନ୍ଦ୍ର, ଧର୍ମପୁତ୍ର କୃପାସିନ୍ଧୁ ଦାଶ ପ୍ରଭୃତି ସ୍ୱାଧୀନତା ଆନ୍ଦୋଳନରେ ସାମିଲ ହୋଇ ଜେଲ ଯାଇଥିଲେ ତାଳପଦା ଗ୍ରାମରୁ। କାନ୍ତାକବିଙ୍କ ସହଧର୍ମିଣୀ ଲବଙ୍ଗଲତା ଦେବୀ ଓ ସାନ ବୋହୂ ମୀରା ଦେବୀ କାନ୍ତାକବିଙ୍କ ସେବାକାରିଣୀ ଭାବେ ଏକଦା ସୁନାମ ଅର୍ଜନ କରିଥିଲେ।
୧୯୫୩ ଫେବୃଆରୀ ୨୪ ରେ ଭଦ୍ରକ ସହରରେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ।

{ଲେଖକ ଶ୍ରୀ ମହାପାତ୍ର କାନ୍ତକବିଙ୍କର ଜ୍ୟେଷ୍ଠ ପୌତ୍ର ତଥା ଜଣେ ପ୍ରବୀଣ କବି, ପ୍ର।ବନ୍ଧିକ ଓ ସାମ୍ବାଦିକ )

Leave A Reply

Your email address will not be published.