ଅତିରିକ୍ତ ଶାସନ ସଚିବ ହାଉଯାଉ? ଘରେ ଥାଇ କାମ କରିବାକୁ ନିର୍ଦେଶ

0
  • ବିରଳ ଘଟଣା,ଲୋକସେବା ଭବନରେ ଚର୍ଚ୍ଚା
  • ସାଧାରଣ ଉଦ୍ୟୋଗ ବିଭାଗ ନିର୍ଦେଶନାମା ଜାରି


ଭୁବନେଶ୍ୱର//TATKAL ODISHA//EXCLUSIVE//


କରୋନା ମହାମାରୀ ଯୋଗୁଁ କେବଳ ବେସରକାରୀ ନୁହେଁ, ସରକାରୀ ସଂସ୍ଥାର ଆର୍ଥିକ ସ୍ଥିତି ବି ବିଗିଡ଼ିଛି I ସାମାନ୍ୟ ସୁଧାର ଆସିଲାବେଳକୁ ଗୋଟିଏ ପରେ ଗୋଟିଏ ଲହର ମାଡ଼ି ଆସି ସ୍ଥିତିକୁ ଅଣାୟତ କରୁଛି I ସେଥିପାଇଁ କର୍ମଚାରୀ ସଂଖ୍ୟା ହ୍ରାସ  ସହ ଅଯଥା ଖର୍ଚ୍ଚରେ ରୋକ ଲଗାଯାଇଛି I ହେଲେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଲୋକସେବା ଭବନରେ ତାର ବିପରୀତ ଘଟଣା ଘଟିଛି I ଅଧିକାରୀ ଓ ଅନ୍ୟ କର୍ମଚାରୀ କମିବା ପରିବର୍ତ୍ତେ ବଢ଼ି ବଢ଼ି ଚାଲିଛି I ବଡ଼ ଅଧିକାରୀଙ୍କ ସଂଖ୍ୟା ଆବଶ୍ୟକତା ଠାରୁ ଢେର ଅଧିକ ଥିବାର ଜଣାପଡ଼ିଛି I ସେଥିପାଇଁ ସ୍ଥାନାଭାବ ଦର୍ଶାଇ ଘରେ ବସି କାମ କରିବାକୁ ନିର୍ଦେଶନାମା ଜାରି ହୋଇଛି I ଏହା ନିଶ୍ଚିତ ଭାବରେ ଏକ ବିରଳ ଘଟଣା I

ଲୋକସେବା ଭବନ


   –  ନିର୍ଦେଶନାମା ଜାରି କରିଛି ପବ୍ଲିକ ଏଣ୍ଟରପ୍ରାଇଜ ଵା ସାଧାରଣ ଉଦ୍ୟୋଗ ବିଭାଗ I 
     ଚଳିତ ମାସ 27 ଅଗଷ୍ଟ 2021ରେ ଚିଠି ନଂ OE-1-08/2021-2159 ଭିତ୍ତିରେ ସମ୍ପୃକ୍ତ ବିଭାଗ ପକ୍ଷରୁ କାର୍ଯ୍ୟରତ 5 ଅତିରିକ୍ତ ଶାସନ ସଚିବଙ୍କୁ ନେଇ ଏକ ଜରୁରୀ ଚିଠି ପ୍ରେରଣ ହୋଇଛି I ବିଭାଗର ପ୍ରିନ୍ସପାଲ ସେକ୍ରେଟାରୀଙ୍କ ନିର୍ଦେଶରେ ଜଣେ ଅତିରିକ୍ତ ଶାସନ ସଚିବଙ୍କ ଦସ୍ତଖତରେ କୁହାଯାଇଛି ଯେ, ଅଫିସରେ ବସି କାମ କରିବାକୁ ସ୍ଥାନର ଅଭାବ ରହିଛି I ତେଣୁ ଅନ୍ତତଃ ଜଣେ ଅଧିକାରୀ ଘରେ ଥାଇ କାମ କରନ୍ତୁ I ଅତିରିକ୍ତ ଶାସନ ସଚିବ ଶୈଳେନ୍ଦ୍ର ଦ୍ବିବେଦୀଙ୍କ ନାମ ପ୍ରକାଶ କରାଯାଇଛି I ତାଙ୍କୁ କୁହାଯାଇଛି ଯେ, ସ୍ଥାନ ହେବା ଯାଏଁ  ନିଜ ଘରୁ କାର୍ଯ୍ୟ କର I ତେଣୁ ସେ ଏବେ ଘରୁ ଥାଇ କାମ କରିବା ଆରମ୍ଭ କରିଛନ୍ତି I


  ତେଣୁ ପ୍ରଶ୍ନ ଉଠୁଛି, ଲୋକସେବା ଭବନରେ ଆବଶ୍ୟକତା ଠାରୁ ଅଧିକ ଅଧିକାରୀ କାର୍ଯ୍ୟ କରୁଛନ୍ତି କି? ‘ବେସଲେଭଲ ପୋଷ୍ଟ’ ଠାରୁ ‘ପ୍ରମୋସନନାଲ ପୋଷ୍ଟ’ ଅଧିକ ଅଛି କି??   

ସାଧାରଣ ପ୍ରଶାସନ ବିଭାଗରେ ଜଣେ ବିଶେଷଜ୍ଞ ଅଧିକାରୀ କହନ୍ତି,..”ନିୟମାନୁସାରେ  ବେସଲେଭଲ ପୋଷ୍ଟ’ର ଏକ ତୃତୀୟାଂଶ  ‘ପ୍ରମୋସନନାଲ ପୋଷ୍ଟ’ ରହିବା କଥା I ହେଲେ ତାହା ଏବେ ନାହିଁ, ଢେର ଅଧିକ ରହିଛି I ଉଦାହରଣ ସ୍ୱରୂପ ଓଏଏସ କ୍ୟାଡର ପୋଷ୍ଟ 555 ଥିଲା ବେଳେ ପ୍ରୋମସନାଲ ପୋଷ୍ଟ 1200ରୁ ଅଧିକ ଅଛନ୍ତି I ଫଳରେ ବିଭ୍ରାଟ ସୃଷ୍ଟି ହୋଇଛି I ସାଧାରଣ ଉଦ୍ୟୋଗ ବିଭାଗ ଯେଉଁ ଚିଠି ଦେଇଛି, ତାହା ଯଥାର୍ଥ I ସ୍ଥାନ ନ ଥିଲେ କାମ କରିବେ କେମତି? ତେଣୁ ଏହା ଉପରେ ତର୍ଜମା କରିବା ଜରୁରୀ I ନ ହେଲେ କ୍ରମଶଃ ସବୁ ବିଭାଗରେ ଏଭଳି ଅବସ୍ଥା ସୃଷ୍ଟି ହେବ I ଲୋକଙ୍କ ଟିକସ ପଇସାର ସଦ ବିନିଯୋଗ ହେବା ଦରକାର I”

Leave A Reply

Your email address will not be published.