ଅଜୟ କୁମାର ମହାପାତ୍ରଙ୍କ ନିଚ୍ଛକ ଗପ -‘କାଠ ବାଘ’ -2

0

********************************************

କାଠ ବାଘ ଗୋଟିଏ ସତ୍ୟ ଘଟଣା ଉପରେ ଆଧାରିତ ‘କାଳ୍ପନିକ’କାହାଣୀ I ଚରିତ୍ରସବୁ ବି ସମ୍ପୂର୍ଣ୍ଣ କାଳ୍ପନିକ I ଯଦି କାହା ସହ କିଛି ଚରିତ୍ରର ସାମଞ୍ଜସ୍ୟ ଥାଏ, ନିଜ ଦେହକୁ ନେବେ ନାହିଁ I ତାହାଲେ..ଆସନ୍ତୁ ‘ଦ୍ଵିତୀୟ’ ଏପିସୋଡର କାହାଣୀ ପଢ଼ି ମଜା ନେବା “- ସମ୍ପାଦିକା

********************************

କାଠ ବାଘ //ଅଜୟ କୁମାର ମହାପାତ୍ର//

**********************************

ଭେରି ଭେରି ଫାଣ୍ଟାଷ୍ଟିକ୍‌!
ୟା’ପରଠୁ ବନାନୀ ଜଙ୍ଗଲରେ ମହାରାଜା ବାଘଙ୍କୁ ଯେତିକି ଡର, ତହିଁଠୁ ଅଧିକ ଡର ଓ ଭକ୍ତି ଚତୁରାନନ୍ଦଙ୍କ ପ୍ରତି ଦେଖିବାକୁ ମିଳିଥିଲା। ଚତୁରାନନ୍ଦ ମହାରାଜା ବାଘଙ୍କୁ ସମ୍ମାନ ଜଣେଇ କହିଲା;
ମହାରାଜ!
ଏଣିକି ଆପଣ
ଗୁମ୍ଫା ମଧ୍ୟରେ ଶୟନ କରନ୍ତୁ
ଓ ମଦ୍ୟପାନ କରି ଅୟସ କରନ୍ତୁ!
ଆପଣଙ୍କ ନିକଟକୁ
ଆପଣଙ୍କ ଇଚ୍ଛା ମୁତାବକ
ଖାଦ୍ୟରୂପକ ପ୍ରାଣୀ ସବୁ ଆସି କହିବେ;
ମୋତେ ଭକ୍ଷଣ କରନ୍ତୁ ମହାରାଜ!
ଆପଣ ଆପଣଙ୍କ ଇଚ୍ଛାରେ ଖାଦ୍ୟ ଖାଇବେ
ଜୀବନକୁ ଉପଭୋଗ କରିବେ
ଆପଣ ମହାରାଜା
ଏଣୁ ମହାରାଜା ଢଙ୍ଗରେ ଜିଇବେ!
ମହାରାଜା!
ଏଣିକି ଶାସନ, ଆପଣ ନୁହନ୍ତି
ଆପଣଙ୍କ ନାଁରେ ଥିବା ଡର ହିଁ କରିବ!
କାରଣ ଡର ହିଁ ହେଉଛି
ଶାସନ ପାଇଁ ଅସଲ ଅସ୍ତ୍ର!
ଡର ହିଁ ହେଉଛି ପ୍ରକୃତ କ୍ଷମତା!
ମହାରାଜା ବାଘ ମୁଚୁକୁନ୍ଦିଆ ହସଟିଏ ପକେଇ ଚତୁରାନନ୍ଦକୁ ଚାହିଁଲେ। ତା’ପରେ ଗୁମ୍ଫା ମଧ୍ୟରେ ସେ ମହାଆନନ୍ଦରେ ପ୍ରବେଶ କଲେ।


ଚତୁରାନନ୍ଦ ତା’ପରେ ଜଙ୍ଗଲ ମଧ୍ୟରେ ପ୍ରବେଶ କରି ସବୁ ପଶୁଙ୍କୁ ଡାକିଲେ। ଦେଖିଲେ ତାଙ୍କୁ ଦେଖି କେବଳ ମୂଷା କି ଠେକୁଆ ନୁହେଁ ହାତୀ, ଘୋଡ଼ା, ସିଂହ, ଭାଲୁଠୁ ମୂଷା ପର‌୍ୟ୍ୟନ୍ତ ସକଳ ପଶୁ ଡରରେ ଥରହର ହେଉଛନ୍ତି। ଚତୁରାନନ୍ଦଙ୍କୁ ହାତୀ ଓ ଘୋଡ଼ା ବାଟ କଢ଼େଇ ନେଉଛନ୍ତି। ସିଂହ ଓ ବାଘମାନେ ମଧ୍ୟ ଲାଞ୍ଜ ହଲେଇ ହଲେଇ ତାଙ୍କ ପଛେ ପଛେ ଯାଉଛନ୍ତି। ବନାନୀ ଜଙ୍ଗଲର ଛୋଟବଡ଼ ସମସ୍ତ ଜୀବ ଚତୁରାନନ୍ଦଙ୍କ ଦର୍ଶନାଭିଳାଷୀ। ଚତୁରାନନ୍ଦଙ୍କୁ ସକଳ ଜୀବ ମଥାନତ କରି ପ୍ରଣାମ ଜଣାଉଥାଆନ୍ତି। କେହି କେହି ତାଙ୍କୁ ତାଙ୍କର ଦୁଃଖ ଜଣାଉଥାଆନ୍ତି। ସକଳ ଜୀବଙ୍କର ତାଙ୍କ ପ୍ରତି ସମ୍ମାନ ଦେଖି ସେ ଅତ୍ୟନ୍ତ ପ୍ରୀତ। ସେ ଯାହା ହିଁ ଅସଲରେ ପରିକଳ୍ପନା କରିଥିଲେ ସେଇଆ ହିଁ ଘଟୁଛି। ତାଙ୍କ ଆନନ୍ଦର ସୀମା କହିଲେ ନସରେ।
ଧୋବାର ନୀଳରଙ୍ଗ କୁଣ୍ଡରେ ଦିନେ ବିଲୁଆ ପଡ଼ି ନୀଳବର୍ଣ୍ଣ ଧାରଣ କରିଥିଲା। ନୀଳ ରଙ୍ଗରେ ନୂଆ ଜୀବଟିକୁ ଦେଖି ସାରା ଜଙ୍ଗଲର ଜୀବ ଭୟଭୀତ ହୋଇଥିଲେ। ଚତୁରାନନ୍ଦର ଆଜି ସେଇ ଅବସ୍ଥା। ଚତୁରାନନ୍ଦ ସୌଭାଗ୍ୟକ୍ରମେ ପାୱାର ହାଉସ ମଧ୍ୟରେ ଗଳି ପଡ଼ିଛି। ଏବେ ତା’ ଦେହସାରା କେବଳ କ୍ଷମତାର ରଙ୍ଗ। କ୍ଷମତାର ରଙ୍ଗଟା ଖୁବ୍ ବିଚିତ୍ର। ନୀଳରଙ୍ଗ ତା’ ତୁଳନାରେ କିଛି ବି ନୁହେଁ। ମୂଷା ଦେହରେ କ୍ଷମତାର ରଙ୍ଗ ଲଗେଇଦେଲେ ସେ ଧରାକୁ ବି ସରା କରିପାରିବ! ଚତୁରାନନ୍ଦ ସହଜରେ ବୁଦ୍ଧିମାନ୍ ପୁଣି ତା’ର ସଂପୂର୍ଣ୍ଣ ଶରୀରରେ ପାୱାର ହାଉସର କ୍ଷମତାର ରଙ୍ଗ ଲାଗିଛି। ସେ କାହାକୁ ଖାତିର କରିବ ବା କାହିଁକି?
ଚତୁରାନନ୍ଦ ସକଳ ପଶୁଙ୍କ ଗୁହାରି କର୍ଣ୍ଣପାତ କରି ଶ୍ରବଣ କଲା। ସମସ୍ତଙ୍କର ଗୋଟିଏ ଅଭିଯୋଗ;
ମହାରାଜ ବ୍ୟାଘ୍ର ଖୁବ୍ ନୃଶଂସ!
ସେ ଖାଆନ୍ତି ଯେତିକି
ମାରନ୍ତି ତା’ଠୁ ଅନେକ ବେଶୀ!
ବେଳେବେଳେ ରାଗିଗଲେ କଥା ସରିଲା।
ଅନେକ ଜୀବଙ୍କୁ ଗୋଡ଼େଇ ଗୋଡ଼େଇ
ତା’ ତଣ୍ଟିକୁ କାମୁଡ଼ି ଧରି
ଘୋଷାରି ଘୋଷାରି
ଅତି ଜଘନ୍ୟ ଭାବେ ମାରନ୍ତି।
ଅତି ଭୟାନକ ସେ ମରଣ!
ସମସ୍ତ ପଶୁଙ୍କ ଅଭିଯୋଗ ଶୁଣି ଚତୁରାନନ୍ଦ ଅତି ଚତୁରତାର ସହ କହିଲା;
ବନ୍ଧୁଗଣ!
ମୁଁ ଦୁଃଖିତ!
ମହାରାଜା ବ୍ୟାଘ୍ର
ଖାଦ୍ୟ ପାଇଁ ଶିକାର କରିବାକୁ ବାଧ୍ୟ!
ଶିକାରରେ କାହା ପାଳି କେବେ ପଡ଼ିବ
ଏସବୁ କହିବା ବି କଷ୍ଟକର!
ଏଣୁ ମୁଁ ମହାରାଜା ବାଘଙ୍କ ତରଫରୁ
ଆପଣମାନଙ୍କୁ ଏକ ପ୍ରସ୍ତାବ ଦେବାକୁ ଚାହେଁ!
ସକଳ ପଶୁ ଚତୁରାନନ୍ଦଙ୍କ ପ୍ରସ୍ତାବଟି ଜାଣିବା ପାଇଁ ଉତ୍ସାହର ସହ ଇଚ୍ଛା ପ୍ରକାଶ କଲେ। ଚତୁରାନନ୍ଦ ପ୍ରସ୍ତାବ ଦେଇ କହିଲା;
ମହାରାଜା ବାଘ ଆଜିଠାରୁ
ଆଉ ଶିକାର କରିବେ ନାହିଁ।
ସେ ଗୁମ୍ଫା ମଧ୍ୟରେ ବିରାଜମାନ କରିବେ
ମାତ୍ର ତାଙ୍କ ପାଇଁ
ସୁସ୍ୱାଦୁ ଖାଦ୍ୟର ବନ୍ଦୋବସ୍ତ କରିବାକୁ ହେବ!
ଯଦି ତାଙ୍କ ପାଖରେ ଖାଦ୍ୟ ନ ପହଞ୍ଚେ
ଆପଣମାନେ ଜାଣନ୍ତି ସେ କେତେ ଖୁଖାଁର!
ସାରା ଜଙ୍ଗଲର ସମସ୍ତ ଜୀବଙ୍କୁ
ଗୋଟିଏ ଦିନରେ ଶିକାର କରିବେ!
ସାଦାସିଧା ଶିକାର ନୁହେଁ,
ଘୋଷାରି ଘୋଷାରି ଜଘନ୍ୟ ଭାବେ ମାରିବେ!
ମୃତ୍ୟୁର ଡର ବା କାହା ପାଖରେ ନାହିଁ! ସମସ୍ତ ଜୀବ ଚତୁରାନନ୍ଦ ପ୍ରସ୍ତାବରେ ସହମତି ପ୍ରକାଶ କଲେ। ଚତୁରାନନ୍ଦ ତତ୍‌କ୍ଷଣାତ୍ କହିଲା;
ମହାରାଜା ବ୍ୟାଘ୍ର ବର୍ତ୍ତମାନ ଗୁମ୍ଫାରେ ବିରାଜମାନ।
ପାଳିକରି ଖାଦ୍ୟ ଦେଇ ତାଙ୍କୁ ଆପ୍ୟାୟିତ କର।
ସେ ଆପ୍ୟାୟିତ ହେଲେ,
ଆଉ ଶିକାର କରିବେ ନାହିଁ।
ସକଳ ପଶୁ ଏକ ସ୍ୱରରେ କହିଲେ;
ଚତୁରାନନ୍ଦ କି – ଜୟ!
ଚତୁରାନନ୍ଦ କି – ଜୟ!
ଚତୁରାନନ୍ଦ କି – ଜୟ!
ତା’ ପରଠାରୁ ପାଳିକରି ଖାଦ୍ୟ ମହାରାଜାଙ୍କ ନିକଟକୁ ପ୍ରେରଣ କରାଗଲା। ଜଙ୍ଗଲରେ ପଶୁମାନେ ନିର୍ଭୟରେ ବିଚରଣ କଲେ। କେଉଁଦିନ ହରିଣ, କେଉଁଦିନ ଭାଲୁ, କେଉଁଦିନ ହାତୀ, କେଉଁଦିନ ଘୋଡ଼ା କି ସିଂହ ମହାରାଜାଙ୍କ ପାଇଁ ବଳି ଦିଆଯିବ ଏବଂ କେତେଟା ବଳି ଦିଆଯିବ ସେସବୁର ନିଷ୍ପତ୍ତି ନେଲେ ସ୍ୱୟଂ ଚତୁରାନନ୍ଦ। ଚତୁରାନନ୍ଦଙ୍କ ପାଟିରୁ କେତେବେଳେ ଯାହା ନାଁ ବାହାରିବ ସେ ବଳି ପଡ଼ିବ। ଏଣୁ ଚତୁରାନନ୍ଦଙ୍କୁ ସମସ୍ତଙ୍କର ହେଲା ପ୍ରାଣର ଡର!
ମହାରାଜା ବାଘଙ୍କ କବଳରୁ ରକ୍ଷା ପାଇବା ପାଇଁ ବନାନୀ ଜଙ୍ଗଲର ସମସ୍ତ ପ୍ରାଣୀ ନିଜ ଜୀବନକୁ ଚତୁରାନନ୍ଦ ହସ୍ତରେ ଅର୍ପଣ କରିଦେଲେ। ଚତୁରାନନ୍ଦ ପାଲଟିଗଲେ ପଶୁକୁଳର ରକ୍ଷାକର୍ତ୍ତା ଓ ଭାଗ୍ୟ ବିଧାତା। ସେ ଆସ୍ତେ ଆସ୍ତେ ମହାରାଜା ବାଘଙ୍କ ଡର ଦେଖେଇ ସକଳ ପଶୁଙ୍କୁ ନିଜ ନିୟନ୍ତ୍ରଣକୁ ଆଣିଲା। ତାଙ୍କ ପାଟିରୁ ଯାହା ବାହାରିଲା ସେଇଟା ହେଇଗଲା ମହାରାଜା ବାଘଙ୍କ ଆଦେଶ। ସେ ଆଦେଶକୁ ମାନିବାକୁ ବାଧ୍ୟ ହେଲେ ବନାନୀ ଜଙ୍ଗଲର ସକଳ ପଶୁ ଓ ପକ୍ଷୀ। ନଚେତ୍ ମୁଣ୍ଡକାଟ ହେବା ଥୟ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ।(କ୍ରମଶଃ)

**************

ପୂର୍ବରୁ କଣ (Episode -1) କଣ ପଢିଥିଲେ.. ଦେଖନ୍ତୁ..

//TATKAL STORY TELLER//

ଅଜୟ ମହାପାତ୍ରଙ୍କ ନିଚ୍ଛକ ଗପ -କାଠ ବାଘ'(ଏକ)

Leave A Reply

Your email address will not be published.