ଅଗ୍ରପୂଜ୍ୟ ଶ୍ରୀ ଗଣେଶ
ଖର୍ବ°ସ୍ଥୁଳତନୁଂ ଗଜେନ୍ଦ୍ର ବଦନ°ଲମ୍ବୋଦର ସୁନ୍ଦର°,
ପ୍ରସ୍ୟନ୍ଦନ୍ ମଧୁଗନ୍ଧ ଲୁବ୍ଧ ମଧୁପ ବ୍ୟାଲୋଳ°ଗଣ୍ଡସ୍ଥଳ°,
ଦନ୍ତାଘାତ ବିଦାରିତାରି ରୁଧିରୟେଇ ସିନ୍ଦୁର ଶୋଭାକର°
ବନ୍ଦେ ଶୈଳସୂତା ସୁତଂ ଗଣପତି°ସିଦ୍ଧିପ୍ରଦ°କାମଦ°
ଆଜି ପବିତ୍ର ଗଣେଶ ଚତୁର୍ଥୀ, ବିଘ୍ନରାଜ ଶ୍ରୀଗଣେଶଙ୍କର ଜନ୍ମଦିନ |
ସେ ହେଉଛନ୍ତି ବିଦ୍ୟାଧିପତି, ବିଘ୍ନହର୍ତ୍ତା, ଅଗ୍ରପୂଜ୍ୟ ଗଣାଧିପତି, ଉମାପୁତ୍ର, ବିନାୟକ ଶ୍ରୀଗଣେଶ |
ପ୍ରତି ଶୁଭ କାର୍ଯ୍ୟରେ ତାଙ୍କ ପୂଜା ଅନୁଷ୍ଠିତ ହୁଏ | କେବଳ ଯେ ଶିକ୍ଷାନୁଷ୍ଠାନରେ ତାଙ୍କର ପୂଜା ଆରାଧନା କରାଯାଏ ତାହା ନୁହେଁ, ବିଭିନ୍ନ ସ୍ଥାନରେ ତାଙ୍କର ପୂଜା କରାଯାଏ |ବିଶେଷ କରି ଛାତ୍ର ଛାତ୍ରୀ ମାନେ ଶ୍ରୀଗଣେଶଙ୍କ ପୂଜା ଭକ୍ତିପୁତ ଭାବରେ ମହା ଆଡମ୍ବରରେ ପାଳନ କରନ୍ତି |
- ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀରେ ମାତା ପାର୍ବତୀଙ୍କ ଅଙ୍ଗରାଗରୁ ଶ୍ରୀଗଣେଶ ଜନ୍ମ ଲାଭ କରିଥିଲେ | ମାତା ତାଙ୍କୁ ଆଶୀର୍ବାଦ ଦେଇ ଦ୍ୱାର ଜଗେଇ ସ୍ନାନାଦି କାର୍ଯ୍ୟ ସମ୍ପାଦନ ପାଇଁ ଭିତରକୁ ଗଲେ ଓ କହିଲେ ଯେ ସେ ନିର୍ଦ୍ଦେଶ ନ ଦେଲା ପର୍ଯ୍ୟନ୍ତ କାହାକୁ ଭିତରକୁ ଛାଡିବନାହିଁ |ଶିଶୁ ଗଣେଶ ମାତାଙ୍କ ଆଦେଶ ଶିରୋଧାର୍ଯ୍ୟ କରି ଦ୍ୱାର ଜଗିରହିଲେ |କିଛି ସମୟ ପରେ ସ୍ୱୟଂ ଶିବ ଅନୁଚରଙ୍କ ସହିତ ଦ୍ୱାର ନିକଟରେ ପହଞ୍ଚି ଭିତରେ ପ୍ରବେଶ କରିବାକୁ ଚାହିଁଲେ |କିନ୍ତୁ ଗଣେଶ ସେମାନଙ୍କୁ ଭିତରକୁ ଛାଡିଲେ ନାହିଁ |ଶେଷରେ ସେମାନଙ୍କୁ ଗଣେଶ ଙ୍କ ସହିତ ଯୁଦ୍ଧ କରିବାକୁ ପଡିଲା | ଯୁଦ୍ଧରେ ଗଣେଶ ବିଜୟୀ ହେଲେ | ପରାଜୟ ଗ୍ଲାନିରେ ଜର୍ଜରିତ ଶିବ ଗଣେଶଙ୍କ ମସ୍ତକ କାଟି ଭିତରେ ପ୍ରବେଶ କରି ପାର୍ବତୀଙ୍କୁ ସବୁ କହିଲେ ଓ ପାର୍ବତୀଙ୍କ ଠାରୁ ଜାଣିଲେ ଯେ ସେ ନିଜ ପୁତ୍ରକୁ ହତ୍ୟା କରିଛନ୍ତି | ପାର୍ବତୀଙ୍କ କ୍ରୋଧ ଓ ନିଜ ପାପବୋଧ ଜନିତ ଅନୁତାପରୁ ନିଶ୍ଚୟ କଲେ ଗଣେଶଙ୍କୁ ଜୀବନ୍ୟାସ ଦେଵେ |ହେଲେ ଗଣେଶଙ୍କ ମସ୍ତକ ନ ଥିଲା | ଏଣୁ ଶିବଙ୍କ ନିର୍ଦେଶରେ ଅନୁଚର ମାନେ ଏକ ଶିଶୁ ହସ୍ତୀର ମସ୍ତକ ଆଣିଲେ |ଏହାକୁ ଅଶ୍ୱିନୀ କୁମାର ପ୍ରଭୁଙ୍କ ଆଦେଶରେ ଗଣେଶଙ୍କ ମସ୍ତକରେ ଲଗେଇ ଦେଲେ ଓ ଶିବ ନିଜ ପୁତ୍ରକୁ ଜୀବନ୍ୟାସ ଦେଲେ |
ଗଣେଶଙ୍କ ଏ ନୂତନ ରୂପକୁ ଦେଖି ଦେବଗଣ ଖୁସିରେ ଆଶୀର୍ବାଦ ଦେଲେ | ମାତୃଗତ ଓ ପିତୃଗତ ପ୍ରାଣ ଗଣେଶ ସବୁ ଦେବ ଦେବୀଙ୍କ ଆଶୀର୍ବାଦରେ ଅଗ୍ରପୂଜ୍ୟ ହେବାର ବରଦାନ ପାଇଲେ | ବିବାହ, ବ୍ରତ,ଗୃହ ପ୍ରତିଷ୍ଠା, ଅନ୍ୟ ମାଙ୍ଗଳିକ କାର୍ଯ୍ୟରେ ଶ୍ରୀଗଣେଶଙ୍କ ପୂଜା ପ୍ରଥମେ ଅନୁଷ୍ଠିତ ହୁଏ | ସେ ସିଦ୍ଧିଦାତା, ବିଘ୍ନହର୍ତ୍ତା, ବୁଦ୍ଧି ଦାତାଭାବେ ପ୍ରସିଦ୍ଧ ହେଲେ |
କେବଳ ଭାରତରେ ନୁହେଁ, ପୃଥିବୀର ବିଭିନ୍ନ ଦେଶରେ ଥିବା ହିନ୍ଦୁମାନେ ଏ ପୂଜା ପାଳନ କରନ୍ତି | ମହାରାଷ୍ଟ୍ରରେ ଏହା ସାତଦିନ ଧରି ମହା ସମାରୋହରେ ପାଳିତ ହୁଏ |ଆମ ରାଜ୍ୟରେ ପ୍ରାୟ ପ୍ରତ୍ୟେକ ସ୍ଥାନରେ ଏହି ପୂଜା ଅନୁଷ୍ଠିତ ହୁଏ |ତେବେ ପୁରୀ, ଜଟଣୀରେ ଏହା ଧୁମ ଧାମରେ ପାକିତ ହୁଏ | ସମସ୍ତ ପ୍ରକାର ଫଳ, ଚୁଡା ଘଷା, ବେସନ ସେଉ, ବୁନ୍ଦି ଗଣେଶଙ୍କୁ ଭୋଗ ରୂପେ ଅର୍ପଣ କରାଗଲେ ବି ତାଙ୍କର ପ୍ରିୟ ଭୋଗ ହେଲା ମୋଦକ ଓ ରାଶିଲଡ଼ୁ |
ବୈଦିକ ରୀତିରେ ଶ୍ରୀଗଣେଶଙ୍କ ମୃଣ୍ମୟୀ ପ୍ରତିମା କୁ ସୁନ୍ଦର ସଜ୍ଜିତ ମଣ୍ଡପରେ ତାଙ୍କର ବୀଜମନ୍ତ୍ର, “ଓଁ ଗଣାନା°ତ୍ୱା° ଗଣପତି ହବାମହେ, ନିଧିନା°ତ୍ୱା° ନିଧିପତି ହବାମହେ, ପ୍ରିୟାଣା°ତ୍ୱା°ପ୍ରିୟପତି° ହବାମହେ”ରେ ନୈବେଦ୍ୟ ଅର୍ପଣ ଓ ପୂଜା କରାଯାଏ ଓ ନିର୍ଦ୍ଦିଷ୍ଟ ଦିନରେ ଜଳରେ ବିସର୍ଜନ କରାଯାଏ |
ତେବେ ଚିନ୍ତାର ବିଷୟ ହେଉଛି ଜ୍ଞାନ, ବୁଦ୍ଧି, ବିକାଶର ଦେବତା ଶ୍ରୀଗଣେଶଙ୍କ ପୂଜାରେ ସାତ୍ତ୍ଵିକ ଭାବ ରହୁନି | ପୂଜା ମଣ୍ଡପରେ ଉଚ୍ଚ ସ୍ୱରରେ ଅଶ୍ଳୀଳ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରାଯାଉଛି | ମାଦକ ଦ୍ରବ୍ୟ ସେବନ କରିବାର ଅପୂର୍ଵ ସୁଯୋଗ ଏବେକାର ଯୁବ, ଛାତ୍ରଙ୍କୁ ଏହି ପୂଜା ମାଧ୍ୟମରେ ମିଳିଯାଏ |
ଆଉ ମଧ୍ୟ ମୂର୍ତ୍ତିରେ ଯେଉଁ ରାସାୟନିକ ରଙ୍ଗ ବ୍ୟବହାର ହେଉଛି ତାହା ଜଳ ଓ ମୃତ୍ତିକାକୁ ପ୍ରଦୂଷିତ କରୁଛି | ଆମେ ସଚେତନ ହୋଇପାରିଲେ ସମସ୍ତ ପୂଜାରେ ସାତ୍ତ୍ଵିକତା ବଜାୟ ରହିବା ସହ ପରିବେଶ ଶୁଦ୍ଧ ରହିବ |🙏
- ଶ୍ରୀକାନ୍ତ ଦାଶ, ସଭାପତି ‘ଅବି’ ଓ ସାଧାରଣ ସମ୍ପାଦକ, ଓଡ଼ିଆ ଜାତୀୟ ସମ୍ମିଳନୀ,
ଦୂରଭାଷ :9238304919