୩୫ ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ୨୬୬୦ କୋଟିର ସହାୟତା

0

ଅନଲାଇନ ପୋର୍ଟାଲ ଲୋକାର୍ପିତ


ଭୁବନେଶ୍ୱର//TATKAL ODISHA//


ଓଡ଼ିଶାରେ ୩୫ ଲକ୍ଷରୁ ଉର୍ଦ୍ଧ ନିର୍ମାଣ ଶ୍ରମିକଙ୍କୁ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ ଅଧୁନରେ ପଞ୍ଜିକୃତ କରାଯାଇଛି I ବର୍ତ୍ତମାନ ସୁଦ୍ଧା  ୨୬୬୦ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ନୂତନ ଭାବେ ଲୋକାର୍ପିତ ହୋଇଛି ଅନଲାଇନ ‘ପୋର୍ଟାଲ’ I ନିର୍ମାଣ ଶ୍ରମିକମାନେ ପଞ୍ଜିକରଣ, ନବୀକରଣ ଓ ସହାୟତା ଆବେଦନ ନିମନ୍ତେ ଏଣିକି ଅଯଥା ଆଉ ଶ୍ରମ କାର୍ଯ୍ୟାଳୟକୁ ଯିବାକୁ ପଡ଼ିବନାହିଁ । ନିଜ ଘରେ ବସି ଏହି ସୁବିଧା ଅନ୍‌ଲାଇନ୍‌ ମାଧ୍ୟମରେ ପାଇପାରିବେ ।

ଆନ୍ତର୍ଜାତିକ ଶ୍ରମିକ ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ I ସେ କହିଥିଲେ,ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନୀତି ଯୋଗୁଁ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ମାଧ୍ୟମରେ ପଞ୍ଜିକୃତ ନିର୍ମାଣ ଶ୍ରମିକମାନଙ୍କୁ ବିଭିନ୍ନ ସହାୟତା ଯଥା – ଶିକ୍ଷା,ବିବାହ, ପ୍ରସୂତି, ଗୃହ ଆଦି ଆର୍ଥିକ ସହାୟତା ପ୍ରଦାନ କରାଯାଉଅଛି । ଏପରିକି ପଞ୍ଜିକୃତ ନିର୍ମାଣ ଶ୍ରମିକମାନଙ୍କର ମୃତ୍ୟୁ ପରେ ମଧ୍ୟ ସେମାନଙ୍କ ପରିବାରକୁ ମୃତ୍ୟୁକାଳୀନ ସହାୟତା ଓ ଅତ୍ୟେଷ୍ଟିକ୍ରିୟା ସହାୟତା ବାବଦରେ ଆର୍ଥିକ ରାଶି ଯୋଗାଇ ଦିଆଯାଉଛି ।

ଆହୁରି ମଧ୍ୟ ୬୦ ବର୍ଷ ଅତିକ୍ରମ ପରେ ପେନସନ ସହାୟତାର ବ୍ୟବସ୍ଥା ରହିଛି । ଏହି ସୁବିଧା ସୁଯୋଗ ଶ୍ରମିକମାନଙ୍କର ଅଭାବ ଅସୁବିଧା ଲାଘବ କରିବାରେ ବହୁମାତ୍ରାରେ ସହାୟକ ହୋଇପାରିଛି ଓ ସେମାନଙ୍କ ମୁହଁରେ ହସ ଫୁଟାଇ ପାରିଛି 

  ଶ୍ରୀ ସିଂ କହିଥିଲେ, ଓଡ଼ିଶାର ପ୍ରବାସୀ ଶ୍ରମିକମାନଙ୍କର ସୁରକ୍ଷା ତଥା କଲ୍ୟାଣ ନିମନ୍ତେ ଆନ୍ତଃ ରାଜ୍ୟ ସମନ୍ଵୟକୁ ତ୍ବରାନ୍ବିତ କରିବା ସହ ପ୍ରବାସୀ ଶ୍ରମିକଙ୍କୁ ଜୀବିକା ନିର୍ବାହ ତଥା କଲ୍ୟାଣକାରୀ ଯୋଜନାଗୁଡ଼ିକରେ ସାମିଲ କରିବା ପାଇଁ ସରକାର State Action Plan ମାଧ୍ୟମରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ରାଜ୍ୟରେ ଶିଳ୍ପାୟନର ଅଭିବୃଦ୍ଧି ତଥା ଏ କ୍ଷେତ୍ରରେ ସ୍ଵଚ୍ଛତା ଆଣିବା ଦିଗରେ ବିଭିନ୍ନ ଶ୍ରମ ସଂସ୍କାର କରାଯାଇଅଛି ବୋଲି ପ୍ରକାଶ କରିଥିଲେ I  

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ଅନ୍ୟ ଅଧିକାରୀ ଯୋଗଦେଇଥିଲେ I

Leave A Reply

Your email address will not be published.