୨୦୨୨ ମେ’ ସୁଦ୍ଧା ରାଉରକେଲା ବିମାନବନ୍ଦର ସଂପ୍ରସାରଣ, ଜୁଲାଇ ସୁଦ୍ଧା ହକି ଷ୍ଟାଡିୟମ

0
  • ରାଉରକେଲା ଗସ୍ତରେ ଟିମ ନବୀନ
  • ଭୁବନେଶ୍ୱର,ରାଉରକେଲା,//TATKAL ODISHA//

ପୁରୁଷ ହକି ବିଶ୍ୱକପ-୨୦୨୩ ପୂର୍ବରୁ ରାଉରକେଲାରେ ଭିତ୍ତିଭୂମି ବିକାଶ କାର୍ଯ୍ୟ ଶେଷ ହେବ । ବିମାନବନ୍ଦରର ଟର୍ମିନାଲ ବିଲ୍ଡିଂ ନିର୍ମାଣ କାର୍ଯ୍ୟ ମେ’ ୨୦୨୨ ସୁଦ୍ଧା ଶେଷ ହେଉଥିବାବେଳେ ଜୁଲାଇ ୨୦୨୨ ସୁଦ୍ଧା ବିର୍ସାମୁଣ୍ଡା ଆର୍ନ୍ତଜାତିକ ହକି ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଶେଷ ହେବ ।

ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ 5 ଟି ସଚିବ ଭିକେ ପାଣ୍ଡିଆନ


 ରାଉରକେଲା ଗସ୍ତରେ ଥିବାବେଳେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହି ସୂଚନା ଦେଇଥିଲେ । ଶ୍ରୀ ମହାପାତ୍ର କହିଥିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦ୍ଦେର୍ଶକ୍ରମେ ବୁଧବାର ସଚିବ ସ୍ତରୀୟ ପ୍ରତିନିଧି ଦଳ ରାଉରକେଲା ଗସ୍ତ କରିଥିଲେ । ଏଥିରେ ତାଙ୍କ ବ୍ୟତୀତ ମୁଖ୍ୟମନ୍ତ୍ରୀଙ୍କ ସଚିବ ୫-ଟି ଭି କେ ପାଣ୍ଡିଆନ, ଜାତୀୟ ସ୍ୱାସ୍ଥ୍ୟ ମିଶନ, ଓଡ଼ିଶା ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଏବଂ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ତଥା କ୍ରୀଡ଼ା ବିଭାଗ ସଚିବ ଆର ଭିନିଲ କ୍ରିଷ୍ଣା ଅନ୍ତର୍ଭୁକ୍ତ ଥିଲେ । ବିଭିନ୍ନ ପ୍ରକଳ୍ପ ଅନୁଧ୍ୟାନ କରିବା ପରେ ଶ୍ରୀ ମହାପାତ୍ର କହିଥିଲେ, ୨୦୨୩ରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ ଭୁବନେଶ୍ୱର ସହିତ ରାଉରକେଲାର ବିର୍ସାମୁଣ୍ଡା ଆନ୍ତର୍ଜାତୀକ ଷ୍ଟାଡିୟମରେ ଆୟୋଜନ କରାଯିବ । ୨୦ ହଜାର ଦର୍ଶକ ବସି ଖେଳ ଉପଭୋଗ କରିପାରିବେ । ହକି ସହିତ ବିଭିନ୍ନ କ୍ରୀଡ଼ାର ବିକାଶ ଲାଗି ସହରରେ ଯେଉଁ ଅତ୍ୟାଧୁନିକ ଭିତ୍ତିଭୂମି ନିର୍ମାଣ କରାଯାଉଛି ତାହା ସ୍ମାର୍ଟ ସିଟି ରାଉରକେଲାକୁ ଆଗାମୀ ଦିନରେ ଦେଶର ଏକ ପ୍ରମୁଖ ‘କ୍ରୀଡ଼ା ହବ’ ଭାବେ ପରିଚିତ କରାଇବ । ପାନ୍‌ପୋଷଠାରେ ବ୍ୟାଡ୍‌ମିଣ୍ଟନ ଏବଂ ଲନ୍ ଟେନିସ ଖେଳର ପ୍ରସାର ପାଇଁ ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ ନିର୍ମାଣ କରାଯାଉଛି । ଏଠାରେ ୩ଟି ଇନ୍‌ଡୋର ବ୍ୟାଡମିଣ୍ଟନ କୋର୍ଟ ସହିତ ଆଉଟ୍‌ଡୋର୍ ଲନ୍ ଟେନିସ୍ କୋର୍ଟ ରହିଛି । ଖେଳାଳିଙ୍କ ଫିଟ୍‌ନେସ୍ ପାଇଁ ଅତ୍ୟାଧୁନିକ ଜିମ୍‌ର ବ୍ୟବସ୍ଥା କରାଯାଉଛି । ରାଜ୍ୟ ସରକାର ସବୁ ପ୍ରକାର ଖେଳକୁ ପ୍ରୋତ୍ସାହନ ଦେଉଛନ୍ତି । ଏଥିପାଇଁ ବିର୍ସା ମୁଣ୍ଡାଙ୍କ ନାମରେ ବୃହତ୍ତ ଫୁଟବଲ ଷ୍ଟାଡିୟମ ନିର୍ମାଣ ଯାଉଛି । ଉକ୍ତ ନିର୍ମାଣାଧୀନ ଷ୍ଟାଡିୟମରେ ଫୁଟବଲ ଖେଳ ସହ ୪୦୦ ମିଟର ବିଶିଷ୍ଟ ଆଥଲେଟିକ ଟ୍ରାକ ନିର୍ମାଣ କରାଯାଉଛି । ତାହା ଆଥଲେଟିକ୍ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । 
 ଶ୍ରୀ ମହାପାତ୍ର କହିଥିଲେ, ରାଉରକେଲା ସ୍ମାର୍ଟ ସିଟି ଅଧୀନରେ ମଧ୍ୟ ଅନେକ ପ୍ରକଳ୍ପ ଚାଲିଛି । ତେଣୁ ବିଶ୍ୱକପ ହକିକୁ ଦୃଷ୍ଟିରେ ରଖି ସିଟିରେ ଚାଲିଥିବା ବିଭିନ୍ନ ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ଶେଷ କରାଯିବ । ସେହିପରି ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ପକ୍ଷରୁ ରାଉରକେଲା ଏୟାରପୋର୍ଟର ସଂପ୍ରସାରଣ କାର୍ଯ୍ୟ ଜାରି ରହିଛି । ଛେଣ୍ଡଠାରେ ତିଆରି ହେଉଥିବା ସାଇନ୍ସ ପାର୍କ ଓ ପ୍ଲାନେଟୋରିୟମ କାର୍ଯ୍ୟ ୨୦୨୨ ଜୁନ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିସହ ରାଉରକେଲାରେ ବସ୍ତି ବାସିନ୍ଦାଙ୍କ ଥଇଥାନ ବି ନିୟମାନୁସାରେ କରାଯିବ । ସହରାଞ୍ଚଳର ଗରିବ ବସ୍ତି ବାସିନ୍ଦାଙ୍କୁ ବାସୋପଯୋଗୀ ଘର ଯୋଗାଇଦେବା ସରକାରଙ୍କ ଲକ୍ଷ୍ୟ । ତେଣୁ ରାଉରକେଲାରେ ଅତି ସ୍ୱଳ୍ପ ମୂଲ୍ୟରେ ଘର ଯୋଗାଇ ଦେବାକୁ ବିଭିନ୍ନ ପ୍ରକଳ୍ପ ହାତକୁ ନିଆଯାଇଛି । ଛେଣ୍ଡଠାରେ ପ୍ରାୟ ୫ ଏକର ଜମିରେ ଚାଲିଥିବା ଏହି ଆବାସ ନିର୍ମାଣ କାର୍ଯ୍ୟ ବୁଲି ଦେଖିଥିଲେ । ରାଉରକେଲା ମହାନଗର ନିଗମ ଅଞ୍ଚଳରେ ୫ଟି ପ୍ରକଳ୍ପ କରାଯାଉଛି, ଯେଉଁଠି ବସ୍ତି ବାସିନ୍ଦାଙ୍କ ପାଇଁ ପ୍ରାୟ ୩ ହଜାର ଘର ନିର୍ମାଣ କରାଯିବ । ଏଥିପାଇଁ ନିର୍ମାଣଧୀନ ବାସୋପଯୋଗୀ ପ୍ରକଳ୍ପସ୍ଥଳ ମଧ୍ୟ ଉଚ୍ଚସ୍ତରୀୟ ସଚିବ ସ୍ତରୀୟ ପ୍ରତିନିଧି ଦଳ ଅନୁଧ୍ୟାନ କରିଛନ୍ତି । ବିଭିନ୍ନ ପ୍ରକଳ୍ପ ସ୍ଥାନ ପରିଦର୍ଶନ କରିବା ପରେ ସୁନ୍ଦରଗଡ଼ ଜିଲ୍ଲାପାଳ, ରାଉରକେଲା ଏଡିଏମ୍ ତଥା ମହାନଗର ନିଗମ କମିଶନର ଏବଂ ଅନ୍ୟ ଅଧିକାରୀଙ୍କ ସହ ବିମାନବନ୍ଦର ଠାରେ ସମୀକ୍ଷା କରିଥିଲେ ବୋଲି ଶ୍ରୀ ମହାପାତ୍ର ପ୍ରକାଶ କରିଥିଲେ । ଅନ୍ୟପକ୍ଷରେ ୫ଟି ସଚିବ ଶ୍ରୀ ପାଣ୍ଡିଆନ୍ କହିଥିଲେ ଯେ, ଯେତେଶୀଘ୍ର ସମ୍ଭବ ହିତାଧିକାରୀଙ୍କୁ ସେମାନଙ୍କ ପାଇଁ ନିର୍ଦ୍ଧାରିତ ଘର ଚିହ୍ନଟ କରି ଜଣାଇ ଦେବାକୁ ହେବ । ଫଳରେ ହିତାଧିକାରୀମାନେ ନିଜ ନିଜ ଘରର ଗୁଣାତ୍ମକ ମାନ ତଦାରଖ କରିପାରିବେ । ଗଣମାଧ୍ୟମକୁ ମୁଖ୍ୟ ଶାସନ ସଚିବ ପୁଣି କହିଥିଲେ ଯେ,‘ବର୍ତ୍ତମାନ ରାଉରକେଲାରେ ଜେପି ହସ୍ପିଟାଲକୁ ସରକାରୀ କୋଭିଡ୍ ହସ୍ପିଟାଲ ଭାବେ କାର୍ଯ୍ୟକ୍ଷମ ରଖାଯାଇଛି । ସେହିପରି ସୁନ୍ଦରଗଡ଼ରେ ଏନ୍‌ଟିପିସି କୋଭିଡ୍ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରସ୍ତୁତ ରହିଛି । ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ପ୍ରଶାସନ ସବୁ ଦୃଷ୍ଟିରୁ ପ୍ରସ୍ତୁତ ରହିଛି’ ।
 କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.