ସ୍ମରଣୀୟ ସ୍ମୃତିର ଶେଷ ସନ୍ତକ
- ତ୍ରିଲୋଚନ କାନୁନଗୋ || ଶ୍ରଦ୍ଧାଞ୍ଜଳି ||
- //TATKAL ODISHA//
- ଶୁଭେନ୍ଦୁ କୁମାର ଭୂୟାଁ
- ************
- ଓଡିଶା ମାଟିରେ ତ୍ରିଲୋଚନ କାନୁନଗୋଙ୍କ ଭଳି ଆଉ କେହି ଜଣେ ଜନସେବୀ-ଜନନେତା ବାହାରି ପାରିବେ କି ??ପଙ୍କିଳ ରାଜନୀତିର ପରିଧି ଭିତରେ ଥାଇ ସୁଦ୍ଧା ସେ ଥିଲେ ପବିତ୍ର ଓ ପରିଶୁଦ୍ଧ ଜଣେ ଜନ ପ୍ରତିନିଧି । ତାଙ୍କ ବିଦାୟ କହୁଛି..ସତେ ଯେପରି ମୂଲ୍ୟବୋଧ ରାଜନୀତିର ଗୋଟେ ସ୍ତମ୍ଭ ଆମଗହଣରୁ ଆକସ୍ମିକ ଭାବରେ ଅପସରି ଯାଇଛି !!
- *************
ବିରଳତମ ଡିପଥେରିଆ ରୋଗ : ଅଲୌକିକ ଜୀବନର ଏକ କାହାଣୀ
*********
1971 ମସିହା ।
ମୁଁ ପ୍ରଥମଥର ଗୋବିନ୍ଦପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଜିତିଥାଏ ।
କେଇଦିନ ପରେ ମୋ ଦେହ ଟିକେ ଖରାପ ଲାଗିଲା ।
କଟକର ବନ୍ଧୁ କେଶବାନନ୍ଦ ଦାସ କହିଲେ, କଟକ ବଡ ଡାକ୍ତରଖାନାରେ ଦେଖାଇବା ପାଇଁ ।
ମୁଁ ରିକ୍ସାରେ ବସି ମେଡିକାଲ ଭିତରକୁ ଗଲି ।
ହଠାତ୍ ଦେଖିଲି, ସାମ୍ନାରୁ ଡାକ୍ତର ଭକ୍ତିଲତା ରାୟ ଆସୁଛନ୍ତି ।
ସେ ମୋତେ ସେଇଠି ଦେଖୁ ଦେଖୁ କହିଲେ – ମେଡିକାଲରେ ଆଡମିଶନ କରିଯାଆନ୍ତୁ ।
ମୁଁ ଆଶ୍ଚର୍ଯ୍ୟ ହୋଇଗଲି !!
ସେ ମୋତେ କିଛି ବି ପରୀକ୍ଷା ନିରୀକ୍ଷା ନକରି ନଦେଖି ଏମିତି ରାସ୍ତା ଉପରେ କହିଦେଲେ ।
ମୋର ରକ୍ତ ପରୀକ୍ଷା ପାଇଁ ପଠାଗଲା ଏବଂ ପରୀକ୍ଷଣରୁ ବାହାରିଲା- #ଡିପଥେରିଆ !!!
ପରୀକ୍ଷାରୁ ଆଉ ଗୋଟେ ସାଂଘାତିକ ଖବର ଜଣାପଡିଲା ଯେ–
ମୋତେ ଯେଉଁ ରୋଗ ହୋଇଛି, ସେଭଳି ରୋଗରେ ସାରା ପୃଥିବୀରେ ମାତ୍ର 3 ଜଣ ରୋଗୀ ପୀଡିତ ।
…….ଏବଂ ମୁଁ ହେଉଛି ଏଇ ବିରଳତମ ଡିପଥେରିଆ ରୋଗର 3 ନମ୍ବର ରୋଗୀ । ମୋ ପୂର୍ବରୁ ଆଉ 2 ଜଣ ରୋଗୀ ଅକାଳରେ ଏ ପୃଥିବୀରୁ ବିଦାୟ ନେଇଯାଇଛନ୍ତି !!
ଶେଷ ରୋଗୀଟିର ଅବସ୍ଥା କଣ ହେବ, କେହି ଜାଣିନଥିଲେ !!
ମୁଁ ତ ଆଡମିଶନ ନେଇଗଲି ଏବଂ ଓପରଓଳି ଚାଲି ଚାଲି କଲେଜ ଛକ ଆଡକୁ ଗଲି ।
[ ମୁଁ ଏଇଠି ତାଙ୍କୁ ପଚାରିଥିଲି–
ଜୀବନର ଏଭଳି ଏକ ସନ୍ଧିକ୍ଷଣରେ ଆପଣଙ୍କୁ ଭୟ ଆସିନଥିଲା ??
ସେ ବେଶ୍ ସହଜ ଭାବେ ଉତ୍ତର ଦେଲେ– ନା ।। ]
ହଠାତ୍ ଗୋଟେ ବହି ଦୋକାନରୁ ଇଂରାଜୀରେ ଲେଖା ବହିଟିଏ ପାଇଲି– ” SATHYA SAI SAIBABA : The Man of Miracle ” .
ବହିର ଲେଖକ ହାୱାର୍ଡ ମର୍ଫେଟ୍ ।।
ଏ ବହିଟିର ବିଷୟ ମୋତେ ସଂପୂର୍ଣ୍ଣ ଅଭିଭୂତ କରିଦେଲା ଏବଂ ସତେଯେପରି ମୁଁ ଭଗବାନ ଶ୍ରୀ ସତ୍ୟସାଇଙ୍କ ଶରଣାଗତ ହୋଇଗଲି ।
ମୋ ମେଡିକାଲ ବେଡ୍ ରେ ବସି ବସି ଏ ଇଂରାଜୀ ବହିଟିର ପଢା ଶେଷ କରିଦେଲି ! ଏହା ପୂର୍ବରୁ ମୁଁ ସତ୍ୟସାଇ ବାବାଙ୍କ ସଂପର୍କରେ ସାମାନ୍ୟ ଯାହା ଶୁଣିଥିଲି କିନ୍ତୁ ମୁଁ ତାଙ୍କ ବିଷୟରେ ବିଶେଷ କିଛି ଜାଣିନଥିଲି କିମ୍ବା ମୁଁ ତାଙ୍କର ଭକ୍ତ ବି ନଥିଲି ।
ଏହା ପରେ ପରେ ମୋର ଦ୍ୱିତୀୟ ଥର ସାମ୍ପଲ୍ ପରୀକ୍ଷା ପାଇଁ ପଠାଗଲା ଏବଂ ସମସ୍ତଙ୍କୁ ଚକିତ ଓ ବିସ୍ମିତ କରି ମୋର ଏଇ ବିରଳ ଡିପଥେରିଆ ରୋଗର ନେଗେଟିଭ ରିପୋର୍ଟ ଆସିଲା !!
କଟକ ବଡ ଡାକ୍ତରଖାନାର ENT ବିଭାଗରେ ଆଲୋଡନ ଖେଳିଗଲା ଏବଂ ସମସ୍ତେ ମୁଣ୍ଡରେ ହାତ ଦେଇଦେଲେ !!
ପୃଥିବୀର ଚିକିତ୍ସା ବିଜ୍ଞାନ ଜଗତରେ ଏକ ସଂପୂର୍ଣ୍ଣ ଅଲୌକିକ ଘଟଣା ଘଟିଗଲା !!
ମୁଁ କୌଣସି ଔଷଧ ଖାଇବା ବି ଆରମ୍ଭ କରିନଥିଲି । କିନ୍ତୁ ଏସବୁ କିପରି ସଂଭବ ହେଲା, ଆଜି ବି ମୁଁ ଜାଣିନି ।।
ଭଗବାନ ଶ୍ରୀ ସତ୍ୟସାଇଙ୍କ ଉପରେ ମୋର ଆସ୍ଥା ଓ ବିଶ୍ବାସ ଦୃଢୀଭୂତ ହୋଇଗଲା ।।
——————————–🍁——————————–
ଏ କାହାଣୀଟିର ବର୍ଣ୍ଣନା ଆଜିକୁ ଠିକ୍ ମାସକ ତଳେ ହୋଇଥିଲା-
ତାଙ୍କ କଟକ ବାସଭବନରେ ଡାଇନିଂ ଟେବୁଲ ଉପରେ, ମାର୍ଚ୍ଚ 21 ତାରିଖ ସଂଧ୍ୟା ପ୍ରାୟ ସାଢେ ଛ’ଟା ବେଳେ !!
ସମୟର କି ବିଚିତ୍ର ସନ୍ଧିକ୍ଷଣ ଦେଖନ୍ତୁ,
ଆଜି ଏପ୍ରିଲ 21 ତାରିଖ :: ଠିକ୍ ମାସକ ତଳର ସେ କାହାଣୀକାର ଆଉ ଆମ ଗହଣରେ ନାହାନ୍ତି !
ଏଇ କାହାଣୀଟିକୁ ସେଦିନ ସଂଜରେ ମୋ ଆଗରେ କହୁଥିଲେ ଓଡିଶାର କିମ୍ବଦନ୍ତୀ ଜନନେତା ତ୍ରିଲୋଚନ କାନୁନଗୋ !!
ମୁଁ ତାଙ୍କ ପାଖକୁ ସେଦିନ ଦୁଇଟି କାମନେଇ ଯାଇଥିଲି ।
ମାର୍ଚ୍ଚ 29 ତାରିଖରୁ କଟକର ଐତିହାସିକ ବାଲିଯାତ୍ରା ପଡିଆରେ ଆୟୋଜିତ ହେବାକୁ ଯାଉଥିବା ଅଷ୍ଟାଦଶ ଆନ୍ତର୍ଜାତିକ କଟକ ବୈଶାଖୀ ବାଣିଜ୍ୟ ମେଳାର ମୁଖପତ୍ର ” ବୈଶାଖୀ କଟକ ” ପାଇଁ ତାଙ୍କ ପାଖରୁ ସ୍ମରଣୀୟ କଟକ ସ୍ମୃତିର ଲେଖାଟିଏ ଆଣିବା ।।
ଦ୍ୱିତୀୟ : ସେଇ ମେଳାରେ ପ୍ରତିବର୍ଷ ଜଣେ ବିଖ୍ୟାତ କଟକିଆଙ୍କୁ ପ୍ରଦାନ କରାଯାଉଥିବା ‘ ରୁଚି ବୈଶାଖୀ ସମ୍ମାନ- 2023 ‘ ଏବର୍ଷ ତାଙ୍କୁ ପ୍ରଦାନ କରାଯାଉଥିବା ଖବର ଦେବା ।।
ଏ ଦୁଇଟି ବିଷୟ ପାଇଁ ଦୁଇଟି ଅଲଗା ଅଲଗା ପତ୍ର ସାଂଗରେ ନେଇ ଯାଇଥିଲି । ଚିଠି ଦେବା ସହିତ ଏଇ ସୁନ୍ଦର ଆଳାପ – ଆଲୋଚନାରେ ଦୀର୍ଘ ସମୟ ଗଡିଯାଇଥିଲା ଏବଂ ସେ ତାଙ୍କ ବୋହୂଙ୍କୁ ଡାକି ମୋ ପାଇଁ କିଛି ଜଳପାନର ବ୍ୟବସ୍ଥା କରିବାକୁ କହିଲେ ।
ନମ୍ରତା ର ସହିତ ମୁଁ ମନାକଲା ପରେ ବି କଫି ଆସିଲା ।।
ମୁଁ ତାଙ୍କୁ ମନେପକାଇ ଦେଲି —
ରେଭେନ୍ସାରେ ଭୀମମଉସା ( ଫିଜିକ୍ସ ର ପ୍ରାଧ୍ୟାପକ ଭୀମସେନ ଦାଶ ) ଙ୍କ ପ୍ରେରଣାରେ ଆମେ ଆରମ୍ଭ କରିଥିବା ମାସିକ Sri Sathya Sai Study Circle for Intellectual ର ପ୍ରଥମ ବାର୍ଷିକ ଉତ୍ସବରେ ଥରେ ସେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଏବଂ କାର୍ଯ୍ୟକ୍ରମଟି ସୁନ୍ଦର ଭାବରେ ଆୟୋଜିତ ହୋଇଥିଲା ।। ରେଭେନ୍ସା PLT – Physic Lecturer Theatre ରେ , କମନରୁମ ରେ, CLTରେ ଆୟୋଜିତ ହେଉଥିବା ପାଠଚକ୍ରର ମୁଁ ଥିଲି ପ୍ରଥମ ଆବାହକ । ଆଉଥରେ ସେ ଓଡିଶାରେ ମଦ ବିକ୍ରି ବିରୋଧରେ CMC ର ଅଧ୍ୟକ୍ଷ ଥାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନ କରିଥିଲେ ଏବଂ ମୁଁ ଭୁବନେଶ୍ଵରରୁ ଆସି ଧାରଣାସ୍ଥଳରୁ ତାଙ୍କର ସାକ୍ଷାତକାର ନେଇଥିଲି ।।
କଥାବାର୍ତ୍ତା ଭିତରେ —
ସେ ବହୁବାର ପ୍ରଶାନ୍ତିଳିଳୟମ୍ ଯିବା, ଭଗବାନ୍ ଶ୍ରୀ ସତ୍ୟସାଇ ବାବାଙ୍କୁ ଦର୍ଶନ କରିବା, ନିଜ ହାତଗଢା କଲେଜ କଥା ଏବଂ କଟକ ସଦରରୁ କିଭଳି ଅନିଛାସହିତ ପ୍ରାର୍ଥୀ ହେବା, ରାଜ୍ୟପାଳଙ୍କ ସହିତ ତାଙ୍କର ସଂପର୍କ ସଂପର୍କରେ ବହୁତ କଥା କହିଥିଲେ ।
ଏସବୁ ପରେ, ମୁଁ ତାଙ୍କ ପାଖରୁ ତାଙ୍କର ସ୍ମରଣୀୟ କଟକ ଅନୁଭୂତିର ଲେଖାଟି ନେବାକୁ ଆସିବି ବୋଲି କହି ଆସିଥିଲି ଏବଂ ମୋ ବାପାଙ୍କ ଲିଖିତ ବହି ” ସାଈଶ ଶରଣମ୍ ” ତାଙ୍କୁ ଦେବି ବୋଲି କହିଥିଲି ।
ଏ ଦୁଇଟି କାମ ଆଉ ପୂରଣ ହୋଇପାରିଲା ନାହିଁ ।
ସେ ମଧ୍ୟ କଟକର ଐତିହାସିକ ବାଲିଯାତ୍ରା ପଡିଆରେ ଆୟୋଜିତ ଉତ୍ସବରେ ସମ୍ମାନ ଗ୍ରହଣ ପାଇଁ ଆଉ ଆସି ପାରିଲେନି । ଅସୁସ୍ଥ ହୋଇ ପ୍ରଥମେ ଶାନ୍ତି ହସପିଟାଲ ଏବଂ ପରେ ଆପୋଲୋରେ ଭର୍ତ୍ତି ହେଲେ ସେ !! ବାଲିଯାତ୍ରା ପଡିଆର ଭବ୍ଯ ଓ ବର୍ଣ୍ଣାଢ୍ୟ ମଂଚରେ ଯେଉଁ ଦିନ ତାଙ୍କୁ ବୈଶାଖୀ ସମ୍ମାନ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ଥିଲା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡିଶା ହାଇକୋର୍ଟର ପୂର୍ବତନ ବିଚାରପତି ତଥା ଜାତୀୟ ଗ୍ରୀନ୍ ଟ୍ରିବୁନାଲର ପୂର୍ବତନ ଅଧ୍ୟକ୍ଷ ନ୍ୟାୟମୂର୍ତ୍ତି ଶ୍ରୀ ଅନନ୍ତ ସୂର୍ଯ୍ୟ ନାରାୟଣ ନାଇଡୁ, କଟକ ଡିସିପି ପିନାକ ମିଶ୍ର ଏବଂ ଅନ୍ୟ ସମସ୍ତେ କଟକର ଏଇ ମହାନ୍ ମଣିଷଙ୍କ କଥା ମନେପକାଇଥିଲେ । ତାଙ୍କ ପୁଅ ଶୁଭଦର୍ଶନ ଓ ବୋହୂଙ୍କ ସହିତ କଥାହୋଇଥିଲି ଏବଂ ପରିବାରରୁ କେହି ଜଣେ ଆସି ସମ୍ମାନ ଗ୍ରହଣ ପାଇଁ ଅନୁରୋଧ ମଧ୍ୟ କରିଥିଲି । କିନ୍ତୁ ସମସ୍ତେ ଭୁବନେଶ୍ଵର ଆପୋଲୋରେ ଥିଲେ । ଶେଷରେ,
ଆଶା କରିଥିଲି ସେ ଭଲହୋଇ ଘରକୁ ଫେରିଲେ ଆମେ ତାଙ୍କୁ ଘରେ ଯାଇ ସମ୍ମାନିତ କରି ଆସିବୁ । କିନ୍ତୁ ଏସବୁ ହେବାର ଆଉ ସୁଯୋଗ ନଥିଲା ବୋଧେ !!!
———————————————————————
ତାଙ୍କ ବିଦାୟ କହୁଛି —
( ଠିକ୍ ମାସକ ତଳେ ତାଙ୍କ ବାସଭବନ ” ସାଇ ଭବନ “ରେ ଉଠିଥିବା ଏ ଫଟୋଚିତ୍ର )
- ଫଟୋ ସୌଜନ୍ୟ : ତ୍ରିଲୋଚନ କାନୁନଗୋଙ୍କ ନାତୁଣୀ