ସାହିତ୍ୟ ଏକାଡେମୀରେ ଗଡବଡ଼? ଡ଼ ରାଧାରଂଜନ ପଟ୍ଟନାୟକଙ୍କ ଖୋଲା ଚିଠି
//TATKAL ODISHA//ଫୋକସ//
(ଆଗାମୀ ଦିନରେ ହେବାକୁ ଥିବା ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ମନୋନୟନ -୨୦୨୩ ପ୍ରସଙ୍ଗ ସମ୍ପର୍କରେ…)
ଓଡିଶାର ୩୦ ଜିଲ୍ଲାର ବିଧାୟକ ଓ ମନ୍ତ୍ରୀଙ୍କୁ ଖୋଲା ଚିଠି
- ମହାଶୟ,
ଆସନ୍ତା ଜୁଲାଇ ମାସ ଓଡ଼ିଶା ସାହିତ୍ୟ ଏକାଡେମୀ ର କର୍ମକର୍ତ୍ତା ଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି ।ପୁଣି ଆଗାମୀ ତିନି ବର୍ଷ ପାଇଁ ମନୋନୟନ ପ୍ରକ୍ରିୟା ଆରମ୍ଭ ହେବ ।
ସଦସ୍ୟ ପାଇଁ ଇଛୁକ ବ୍ୟକ୍ତିବିଶେଷ ପ୍ରତି ଜିଲ୍ଲାର ନେତା ବିଧାୟକ ଏବଂ ମନ୍ତ୍ରୀ ମାନଂକ ପିଛା ଛାଡିବେନି ।କାରଣ ଆପଣମାନଂକ ସୁପାରିଶ ହିଁ କାର୍ଯ୍ୟ କରିବ ।ଯଦିଓ ଏଇ ଅନୁଷ୍ଠାନ ଟି ଏକ ସ୍ୱୟଂ ଶାସିତ ଅନୁଷ୍ଠାନ ବୋଲି ସମ୍ବିଧାନ ରେ ଉଲ୍ଲେଖ ଅଛି,ତଥାପି ଓଡିଶା ସରକାରଙ୍କ ର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରେ ଅଛି ।ତା ହୋଇନଥିଲେ ଏଇ ଏକାଡେମୀ କୁ ଯାଉଥିବା ଅଧିକରୁ ଅଧିକ ସଦସ୍ୟ ଙ୍କୁ ସରକାର ମନୋନୟନ କରୁନଥାନ୍ତେ ।ସୁତରାଂ ,ଏଇ ପ୍ରରିପ୍ରେକ୍ଷୀରେ ପ୍ରତି ଜିଲ୍ଳା ର ବିଧାୟକ କିମ୍ବା ମନ୍ତ୍ରୀ ମାନଙ୍କ ଭୂମିକା ଅତୀବ ଗୁରୁତ୍ୱ ପୂର୍ଣ୍ଣ ।ସେମାନେ ଯେଉଁ ସଜ୍ଜନଙ୍କ ନାମ ପ୍ରସ୍ତାଵ ଦେବେ,ସେଇମାନଙ୍କୁ ସରକାର ମନୋନୀତ କରିଥାନ୍ତି ।
ଏଇଠୁ ହିଁ ଆରମ୍ଭ ହୁଏ ଏକାଡେମୀ ସଦସ୍ୟ ପାଇଁ ଢାଲ ସୁପାରୀ ଖେଳ। ବିଛାଇ ହୋଇଯାଏ ଲବି ଆଉ ଛବିର ଅଠାଳିଆ ଜାଲ। ଆରମ୍ଭ ହୁଏ ତେଲ ମାଲିସ ଆଉ ଚାପୁରୁସିର ଛଳ ଓ କୌଶଳ ।ଯିଏ ଯାହା ନୁହେଁ ,ତା ମସ୍ତକ ରେ ଶୋଭା ପାଏ ସାହିତ୍ୟି ଶ୍ରୀ ର ମୁକୁଟ ।କିନ୍ତୁ ଯେଉଁ ମାନେ ପ୍ରକୃତ ରେ ସାହିତ୍ୟ ତପସ୍ୱୀ ,ସାରା ଜୀବନ ସାହିତ୍ୟ ସେବାରେ ସମୟ ଅତିବାହିତ କରିଛନ୍ତି, ସେମାନେ ହୁଅନ୍ତି ଆଖୋଜା ଏବଂ ଅଲୋଡ଼ା ।ଯେଉଁଥିପାଇଁ ଓଡ଼ିଆ ସାହିତ୍ୟର ଶ୍ରୀଵୃଦ୍ଧି ନ ଘଟି କେବଳ ବିଜ୍ଞାପନ ଏବଂ ଫାଇଲ କାଗଜର ଶୋଭାବର୍ଦ୍ଧନ କରେ ।ସାହିତ୍ୟ କୁ ରାଜନୀତି ଠାରୁ ଦୂରେଇ ରଖିଲେ, ଭାଷା ଓ ସାହିତ୍ୟ ଯେ ମୌଳିକ ସମୃଦ୍ଧି ହୋଇ ପାରିବ,ଏହା କହିବା ନିଷ୍ପ୍ରାୟୋଜନ ।
ମୋଗଲ ଦରବାର ଠାରୁ ଆରମ୍ଭ କରି ରାଜା ମହାରାଜା ମାନେ ଯଦିଓ ସାହିତ୍ୟ ବିକାଶ ପାଇଁ ଅର୍ଥ ଦାନ କରୁଥିଲେ;ତଥାପି ସାହିତ୍ୟ ଭିତରେ ରାଜନୀତି ପୂରାଉ ନଥିଲେ ।ବେଳେ ବେଳେ ରାଜା ଏବଂ କବିଙ୍କ ଭିତରେ ରୋଙ୍କ ଝୋଙ୍କ ବି ଲାଗୁଥିଲା ।ଏପରିକି ରାଜା ବଡ଼ କି କବି ବଡ଼ ଏମିତି ତର୍କ ବିତର୍କ ହେଉଥିଲା ।ଏ ସବୁ ସତ୍ତ୍ୱେ ରାଜ ଦରବାର ରେ କବିଙ୍କୁ ଉପଯୁକ୍ତ ସମ୍ମାନ ମିଳୁଥିଲା ।ଯିଏ ପ୍ରକୃତ ତପସ୍ୱୀ ସାହିତ୍ୟିକ ସେଇ ମାନେ ହିଁ ରାଜ ଦରବାର ମଣ୍ଡନ କରୁଥିଲେ ।
ଯେଉଁମାନେ ନିଜ ପାଣ୍ଡିତ୍ୟ ର ଡେଙ୍ଗୁରା ବଜାଇ ଅଷ୍ଟବକ୍ର ଭଳି
ମହାଜ୍ଞାନୀ ଙ୍କୁ ବ୍ୟଙ୍ଗଭାଷ କରୁଥିଲେ,ସେଇମାନେ ହିଁ ପରିହାସ ର ପାତ୍ର ହେଉଥିଲେ ।ଏଇମିତି ଅନେକ ଉଦାହରଣ ଅଛି ।
ତେଣୁ ,ତମାମ ବିଧାୟକ ଏବଂ ମନ୍ତ୍ରୀ ମାନଂକୁ ନିବେଦନ ,ଓଡ଼ିଆ ସାହିତ୍ୟ ଏକାଡେମୀ ସଦସ୍ୟ ମନୋନୟନ ସମୟରେ ଯେଉଁ ମାନଙ୍କ ନାମ ପ୍ରସ୍ତାବ ଦେବେ,ସେ ବ୍ୟକ୍ତିର ସାହିତ୍ୟ ପ୍ରତି ଅବଦାନ , ଦୀର୍ଘ ବର୍ଷ ସାଧନା ର ଅବଧି ,ସୃଷ୍ଟି ସମୂହ ର ତାଲିକା, ବୟସ ,ଲୋକ ସମ୍ପର୍କ ଆଦି ବିଭିନ୍ନ ଦିଗକୁ ବିଚାରକୁ ନେବା ଆବଶ୍ୟକ ।
ଅପର ପକ୍ଷରେ ଯେଉଁ ମାନଙ୍କ ବିରୋଧ ରେ କୋର୍ଟ ର କେଶ ଲମ୍ବିତ ଅଛି ,ସେମାନେ ଯେତେବଡ଼ ସାହିତ୍ୟିକ
ହୋଇଥାନ୍ତୁ ନା କହିଁକି ,ଏମାନଙ୍କ ନାମ କୁ ପ୍ରସ୍ତାବ ଦେବା ବି ଅନୁଚିତ ।କାରଣ ଏଇମାନେ ଯାଇ କେବଳ ରାଜନୀତି ହିଁ କରିବେ ।ଅଣ୍ଟି ଛୁରୀ ତଣ୍ଟି କାଟିଲା ପରି ପର୍ଦା ପଛରେ ରହି ଅନେକହୀନ କାର୍ଯ୍ୟ ରେ ଲିପ୍ତ ରହିବେ । ଏକାଡେମୀ ପୁରସ୍କାର ତ କରାଇ ପାରିବେ ନହିଁ ;ବରଂ କାହାକୁ ଏକାଡେମୀ ତରଫରୁ ସମ୍ବର୍ଦ୍ଧିତ କରାଇଦେବା ପାଇଁ ବେଶ ଅର୍ଥ ବି କମାଇବେ। ଫଳରେ ଅନାମଧ୍ୟେୟ ବ୍ୟକ୍ତିଙ୍କ ନାମ ରାତାରାତି ସୁପାରିଶ ହୋଇଯିବ।
ଅନ୍ତତଃ ସାହିତ୍ୟ କୁ ରାଜନୀତି ଠାରୁ ଦୂରେଇ ରଖି ଜଣେ ଜଣେ ସୃଜନଶୀଳ ସାରସ୍ୱତ ସାଧକ ଙ୍କୁ ପଠାଇବା ଦର୍କାର ।ମାତ୍ର ବାସ୍ତବ ରେ ଏହା ହେଉନାହିଁ ।ଖଣ୍ଡେ ଦୁଇ ଖଣ୍ଡ ପୁସ୍ତକ ଲେଖିଦେଇ ନିଜକୁ ବଡ଼ ସାହିତ୍ୟିକ ବୋଲାଉ ଥିବା ବ୍ୟକ୍ତିଙ୍କ ନାମ ସୁପାରିଶ କରା ଯାଉଥିବାରୁ ବାସ୍ତବ ସର୍ଜନାକାରଙ୍କ ହୃଦୟ ରେ ଯେଉଁ ଆଘାତ ସୃଷ୍ଟି ହେଉଛି,ତାହା ଅବର୍ଣ୍ଣନୀୟ ।ଏଇ ସବୁ ଦିଗକୁ ଧ୍ୟାନ ଦେବା ଆବଶ୍ୟକ ।
ଆଶା କରିବି ,୨୦୨୩ ପାଇଁ ଯେଉଁ ମାନଙ୍କ ନାମ ପ୍ରସ୍ତାବ ଆସିବ,ସେମାନେ ଜଣେ ଜଣେ ସ୍ୱୟଂସମ୍ପନ୍ନ ସାରସ୍ୱତ ସ୍ରଷ୍ଟା ହୋଇଥିବେ ଏବଂ ସେମାନଙ୍କର ଦୀର୍ଘ ବର୍ଷର ସାହିତ୍ୟ ସାଧନା ଥିବ।ଫଳରେ ସେଇ ମାନଙ୍କୁ ମଗ୍ନ ସାହିତ୍ୟିକ ବୋଲି ସଭିଏଁ ନିର୍ବିବାଦରେ ସ୍ୱୀକାର କରିବେ ।
(ଇତି)
ଆପଣଙ୍କର ଗୁଣମୁଗ୍ଧ
ଡ.ରାଧାରଂଜନ ପଟ୍ଟନାୟକ
ସଲଟ ରୋଡ଼,କଦ୍ରାବାଦ ,ସୁନହଟ,ବାଲେଶ୍ଵର-୨
ମୋ:୯୪୩୮୨୯୦୦୭୨