ସାରା ଦେଶରେ ଆଦର୍ଶ ବ୍ୟକ୍ତିତ୍ୱର ଘୋର ଅଭାବ: ରାଜେନ୍ଦ୍ରନ

0

  • ଭୁବନେଶ୍ୱର//TATKAL ODISHA//

ସାରା ଦେଶରେ ଆଦର୍ଶ ବ୍ୟକ୍ତିତ୍ୱର ଘୋର ଅଭାବ I ସେଥିପାଇଁ ଛାତ୍ରଛାତ୍ରୀଙ୍କ ମନରେ ନୈତିକ ମୂଲ୍ୟବୋଧ ଭରିବାରେ ଶିକ୍ଷକଙ୍କର  ସ୍ୱତନ୍ତ୍ର ଭୂମିକା ଜରୁରୀ I

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆୟୋଜିତ “ଦ୍ରୁତ ପରିବର୍ତନଶୀଳ ପରିବେଶରେ ଶିକ୍ଷା” ଶୀର୍ଷକ ବକ୍ତୃତା ପ୍ରଦାନ କରି ଏହା କହିଛନ୍ତି ଓଡ଼ିଶାର ପୂର୍ବତନ ରାଜ୍ୟପାଳ  ଏମ୍‌.ଏମ୍‌. ରାଜେନ୍ଦ୍ରନ । ସେ କହିଛନ୍ତି ଯେ,ଦେଶ ଗଠନ ନିମନ୍ତେ ଚରିତ୍ର ଗଠନର ଏକ ପ୍ରମୁଖ ଭୂମିକା ରହିଛି ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କ ମନରେ ନୈତିକ ମୂଲ୍ୟବୋଧର ମଞ୍ଜି ବୁଣିବା ଆବଶ୍ୟକ I

ଶ୍ରୀ ରାଜେନ୍ଦ୍ରନ୍  କହିଛନ୍ତି ଯେ,ବର୍ତମାନ ସମୟରେ ଲୋକମାନେ ଯେଉଁମାନଙ୍କୁ ନିଜର ଆଦର୍ଶ ବୋଲି ମାନୁଛନ୍ତି ସେମାନେ ପ୍ରକୃତରେ ତାହା ହୋଇପାରୁ ନାହାନ୍ତି । ତେଣୁ ନିଜ ଚରିତ୍ର ଗଠନରେ ଅଭାବ ଯୋଗୁଁ ସବୁଠାରୁ ଶୀର୍ଷରେ ଥିବା ବ୍ୟକ୍ତି ମଧ୍ୟ ସମସ୍ୟାର ସମ୍ମୁଖିନ ହେଉଛନ୍ତି ।ଛାତ୍ରଛାତ୍ରୀମାନେ ହୃଦୟଙ୍ଗମ କରିବା ଉଚିତ୍ ଯେ ଯାହା ସେମାନେ ସ୍କୁଲ୍ କିମ୍ବା କଲେଜରେ ଶିକ୍ଷା ଗ୍ରହଣ କରୁଛନ୍ତି କେବଳ ତାହା ଶିକ୍ଷା ନୁହେଁ । ଶିକ୍ଷା ଏକ ଗତିଶୀଳ ଅନୁଭୂତି, ଯାହା ସାରା ଜୀବନ ଗ୍ରହଣ କରିବାକୁ ପଡ଼େ । ଯେତେବେଳେ ଜଣେ ଛାତ୍ର କହେ ମୁଁ ମୋର ଶିକ୍ଷା ସମାପ୍ତ କରିଛି ତାହା ଠିକ୍ ନୁହେଁ । ସେ କେବଳ ଏକ ଡିଗ୍ରୀ ପାଇଲା ମାତ୍ର ଶିକ୍ଷା ଗ୍ରହଣ ଏକ ଗତିଶୀଳ ପ୍ରକ୍ରିୟା ।

ସ୍ୱାମୀ ବିବେକାନନ୍ଦଙ୍କ ଉକ୍ତିକୁ ଉଦ୍ଧୃତ କରି ଶ୍ରୀ ରାଜେନ୍ଦ୍ରନ  କହିଥିଲେ, ଶିକ୍ଷା ପ୍ରଦାନ ବ୍ୟବସ୍ଥାରେ ଜୀବନ ଗଠନ, ମଣିଷ ଗଠନ ଏବଂ ଚରିତ୍ର ଗଠନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଅନେକ ବର୍ଷ ପୂର୍ବରୁ ସ୍ୱାମୀଜୀ ଯାହା କହିଥିଲେ ତାହା ବର୍ତମାନ ସମୟ ପାଇଁ ମଧ୍ୟ ପ୍ରଯୁଜ୍ୟ I ତେଣୁ ଦକ୍ଷତା ମଣିଷକୁ ଶୀର୍ଷକୁ ନେଇପାରେ କିନ୍ତୁ ଚରିତ୍ର ସେହି ଶୀର୍ଷ ସ୍ଥାନରେ ନିଜକୁ ବଜାୟ ରଖିବାରେ ସହାୟକ ହୋଇଥାଏ ବୋଲି ସେ କହିଥିଲେ ।  ଶେଷରେ  ଶିକ୍ଷା ଓ ଅନୁସନ୍ଧାନକୁ ଉଚ୍ଚ ପ୍ରଶଂସା କରି ଶ୍ରୀ ରାଜେନ୍ଦ୍ରନ  ଏହି ବିଶ୍ୱବିଦ୍ୟାଳୟ ଅନେକ ମହତ୍ୱପୂର୍ଣ୍ଣ ଗବେଷଣା କାର୍ଯ୍ୟରେ ବେଶ ସଫଳ ହୋଇଛି ବୋଲି ପ୍ରକାଶ କରିଥିଲେ I 

କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଞ୍ଜନ ନାୟକ ଶ୍ରୀ ରାଜେନ୍ଦ୍ରନଙ୍କୁ ସ୍ୱାଗତ କରିବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।ସୋଆ କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତା କରିଥିଲେ I

 ଏହି କାର୍ଯ୍ୟକ୍ରମରେ ସୋଆର ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ, ଶ୍ରୀ ରାଜନ୍ଦ୍ରେନ୍‌ଙ୍କ ପତ୍ନୀ ଶ୍ରୀମତି ସୁଶୀଳା ରାଜେନ୍ଦ୍ରନ ଉପସ୍ଥିତ ଥିଲେ । ସୋଆର ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.