ସମବାୟ ସମିତିର ସ୍ଥାବର ସମ୍ପତ୍ତିକୁ ବିକ୍ରି: ଦୀର୍ଘ ଦିନର ସମସ୍ୟା ସମାଧାନ

0
  • ମନ୍ତ୍ରୀ ଅତନୁ କହିଲେ, ସରକାରଙ୍କ ନିର୍ଦେଶ କ୍ରମେ କମିଟି ତଦାରଖ କରିବ

ଭୁବନେଶ୍ୱର//TATKAL ODISHA//

ସମବାୟ ସମିତିଗୁଡିକର ସ୍ଥାବର ସମ୍ପତ୍ତିକୁ ବିକ୍ରି ଅନୁମତି ପାଇଁ ରାଜ୍ୟ ସରକାର କମିଟି ଗଠନ କରିବା ପରେ ଦୀର୍ଘ ଦିନରୁ ସମସ୍ୟା ସମାଧାନ ହୋଇଛି I ସରକାରଙ୍କ ନିଷ୍ପତ୍ତି ପାଇଁ  ସବୁ ମହଲରେ ସ୍ୱାଗତ କରାଯାଇଛି I

TATKAL ODISHAକୁ ରାଜ୍ୟ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଯେ,କମିଟିରେ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଅଧ୍ୟକ୍ଷ ଥିବାବେଳେ ଅତିରିକ୍ତ ଶାସନ ସଚିବ (ଯୋଜନା), ସହକାରୀ ନିର୍ଦ୍ଦେଶକ (ଆଇନ୍‍), ଅତିରିକ୍ତ ସମବାୟ ନିବନ୍ଧକ (ଆଇନ୍‍ ଓ ଯୋଜନା) ସଦସ୍ୟ ଏବଂ  ସମବାୟ ଉପନିବନ୍ଧକ (ଏମଆଇଏସ୍‍) ଏହି କମିଟିର ଆବହକ ଅଛନ୍ତି । ଏହି କମିଟିର ବୈଠକ ପ୍ରତି ତିନି ମାସରେ ଥରେ ବସିବା ସହିତ ସମବାୟ ନିବନ୍ଧକଙ୍କ ଠାରୁ ପାଇଥିବା ପ୍ରସ୍ତାବଗୁଡିକର ତର୍ଜମା କରିବ ।

ଶ୍ରୀ ନାୟକ ପୁଣି କହିଛନ୍ତି ଯେ, ଓଡିଶା ସମବାୟ ସମିତି ଆଇନ୍‍ ୧୯୬୫ର ଧାରା ୧୨-କ ଅନୁଯାୟୀ ଉଭୟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିଗୁଡିକୁ ବିକ୍ରି କରିବାର କ୍ଷମତା ପ୍ରଦାନ କରାଯାଇଛି । ତେବେ କମିଟି ସମବାୟ ନିବନ୍ଧକଙ୍କ ଠାରୁ ସମିତିର ସ୍ଥାବର ସମ୍ପତ୍ତି ବିକ୍ରି କିମ୍ବା ଲିଜ୍‍ ପାଇଁ ପ୍ରସ୍ତାବ ପାଇବାପରେ ତାହାକୁ ପରୀକ୍ଷା ନିରୀକ୍ଷା ସହିତ ଅନୁମୋଦନ ପାଇଁ ରାଜ୍ୟ ସରକାରଙ୍କ ନିକଟକୁ ପଠାଇବେ । ସରକାରଙ୍କ ଠାରୁ ଅନୁମୋଦନ ପାଇଲା ପରେ ରାଜ୍ୟ ସମବାୟ ନିବନ୍ଧକ ତାଙ୍କ ତରଫରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି ସେ ପ୍ରକାଶ କରିଛନ୍ତି । 

Leave A Reply

Your email address will not be published.