ସନ୍ତୋଷ କୁମାର ସେଠୀଙ୍କ ନୂଆ ଗପ-‘ଅଜ୍ଞାତବାସ’
//ଅଜ୍ଞାତବାସ//
ଲୋକ ଟି ର କରୁଣ ଚାହାଁଣୀରେ ହୃଦୟ ବିଗଳିତ ହୋଇଗଲା। ତା'ର ଦୁସ୍ଥ ଚେହେରା, ଛିଣ୍ଡା କପଡାରେ ଆବୃତ ଶରୀର ଓ ଶୀର୍ଣ୍ଣକାୟ ଦେହ, ବିକୃତ ମୁଖ ମଣ୍ଡଳ । ମୁଁ କାହିଁକି, ଯେ କୌଣସି ଲୋକ କୁ ବି ବିବ୍ରତ କରିବା ସ୍ବଭାବିକ ଥିଲା। ମୁଁ ତାକୁ ୫୦ ଟଙ୍କା ଦେଲି। ଜୟ ଜଗନ୍ନାଥ କହି ସେ ହିନ୍ଦୀ ରେ ମୋ ପାଇଁ ପ୍ରଭୁ ଙ୍କ ପାଖରେ ଆଶୀର୍ବାଦ ଭିକ୍ଷା କଲା।
“ତୁମେ କ’ଣ ଓଡ଼ିଆ ?”
ମୋ ପ୍ରଶ୍ନ ରେ ଚମକି ପଡ଼ିଲା ସେ।
“ନେହିଁ ତୋ ? ମେଁ ତୋ କଭି ଓଡ଼ିଶା ନେହିଁ ଗେୟା ହୁଁ।”
“ତୋ ଫିର୍ ଆପ୍ ଜଗନ୍ନାଥ ଜୀ କା ନାମ୍ ଲିୟା ?”
ସେ ହସିଦେଇ ମତେ ବୁଝେଇଲା।ଜଗନ୍ନାଥ ଜଗତର ନାଥ। ସେ ଜଗନ୍ନାଥଙ୍କୁ ବହୁତ ମାନେ।
ଚଟ୍ କରି ଚାଲିଗଲା ସେ ମୁଁ ଆଉ କିଛି ପଚାରିବା ଆଗରୁ। ତା ଅପସାରଣ ବାଟକୁ ଚାହିଁ ଦୀର୍ଘ ଶ୍ୱାସ ମାରିଲି। ଜଗନ୍ନାଥ ଙ୍କ ଉଦ୍ଦେଶ୍ୟରେ ହାତ ଯୋଡ଼ି ସମସ୍ତ ଙ୍କୁ ଭଲରେ ରଖ ବୋଲି ପ୍ରାର୍ଥନା କଲି।
ପ୍ରକୃତରେ ମୁମ୍ବାଇ ମୋ କର୍ମସ୍ଥାନ ନୁହେଁ। ମୋ ଏକମାତ୍ର ଝିଅ ଗୋଟେ ମଲ୍ଟି ନ୍ୟାସନାଲ କମ୍ପାନୀରେ ଚାକିରୀ କରିଛି। ଜ୍ୱାଇଁ ମଧ୍ୟ ମୁମ୍ବାଇ ରେ ଚାକିରୀ କରନ୍ତି। ତେଣୁ ମଝିରେ ମଝିରେ ଆମେ ଚାଲିଆସୁ। ସମୁଦି ସମୁଦୁଣୀ କେବେ କେବେ ମୁମ୍ବାଇ ତ କେବେ ଆମଭଳି ଓଡ଼ିଶା ରେ। ମୋର ମର୍ଣିଂୱାକ୍ ର ଅଭ୍ୟାସ ଥିବା ରୁ ମୁଁ ଓଡ଼ିଶା ରେ ବା ମୁମ୍ବାଇ ରେ ସକାଳୁ ସକାଳୁ ବାହାରି ଯାଏ। ଆଜି ହଠାତ୍ ଏ ଲୋକ ଟିକୁ ଦେଖି ଆଶ୍ଚର୍ଯ୍ୟ ଲାଗିଲା। ଆଗରୁ ଏମିତି ବୁଲିଲା ବେଳେ ସ୍ଥାନୀୟ କିଛି ବୟସ୍କ ଓ ଯୁବ ୱାକର ସାଥିରେ ମିଶନ୍ତି। ଆଜି ଯେହେତୁ ମୋର ପ୍ରଥମ ଦିନ ତେଣୁ ସମୟର ଆଗ ପଛ କାରଣରୁ ସେମାନଙ୍କ ସହ ଭେଟ ହୋଇ ପାରିନାହିଁ।
ମୁଁ ଅବସରପ୍ରାପ୍ତ ସରକାରୀ କର୍ମଚାରୀ। ଅବସର ପରେ ଏମିତି ଭୁବନେଶ୍ଵର ମୁମ୍ବାଇ ହୋଇ ସମୟ ବିତିଯାଏ। ତା ସହ ଭୁବନେଶ୍ୱର ରେ ଏକ ସ୍ୱଛାସେବୀ ସଂଗଠନ ସହ ଜଡ଼ିତ ଥିବାରୁ ସମୟ କଟିବାରେ ଅସୁବିଧା ହୁଏନାହିଁ। ଦୁଇ ତିନି ଦିନ ପରେ ପୁନଶ୍ଚ ସେ ଲୋକଟି ମୋ ହାବୁଡ଼ରେ ପଡ଼ିଲା। ଏଥର ମାର୍କେଟ ଛକରେ। ମୋର ସକାଳ ର ରୂପ ଓ ମାର୍କେଟ ଆସିବା ରୂପ ମଧ୍ୟ ରେ ବୋଧହୁଏ ସେ ଫରକ ଜାଣିପାରିଲା ନାହିଁ। ମୁଁ ତାକୁ କିଛି ଖାଇବାକୁ ଦେଇ ତା’ର ନାଁ ପଚାରିଲି। ସେ ମୋତେ କଟମଟ କରି ଚାହିଁ ଉତ୍ତର ଦେଲା “ଭିକାରୀ କେ ନାମ୍ ଜାନକେ କ୍ୟା ମିଲେଗା ବାବୁଜୀ। ମଦତ୍ କେ ଲିଏ ଧନ୍ୟବାଦ।”
- ମତେ ଲାଗିଲା ସେ ମୋତେ କିଛି ଲୁଚଉଛି। ତା ଅଜ୍ଞାତ ରେ ସେଦିନ ମୁଁ ତାକୁ ଫଲୋ କଲି। ଲୋକ ଟି ସେଇ ମାର୍କେଟ ଠାରୁ ପ୍ରାୟ ଗୋଟିଏ କିଲୋମିଟର ଦୂରରେ ଏକ ବସ୍ତିରେ ରହୁଥିଲା। ଅତି ଅପରିଷ୍କାର ସେ ବସ୍ତି। ତା ରହିବା ସ୍ଥାନ ଟି ଦେଖି ପାଖ ଲୋକ ଙ୍କୁ ତା ବିଷୟରେ ପଚାରିଲି। ସମସ୍ତେ ପ୍ରାୟ ଜରି, ବୋତଲ ଇତ୍ୟାଦି ରଦି ଜିନିଷ ଗୋଟାଳି, ନଚେତ ଭିକାରୀ। ସେ ବହୁତ ଦିନ ଧରି ଏଇଠି ଏକା ରହୁଛି। ଘର କୋଉଠି ଜଣାନାହିଁ। ତା ବିଷୟରେ ଅଧିକ ଅନୁସନ୍ଧାନ କରିବା ର ଇଛା ଥିଲେ ବି ଲୋକମାନଙ୍କୁ ଅଧିକ ଉତ୍କଣ୍ଠିତ ନ କରିବା ଉଦ୍ଦେଶ୍ୟରେ ମୁଁ ଫେରିଆସିଲି। ପରେ ପରେ ବିଭିନ୍ନ ସ୍ଥାନରେ ତା ସହିତ ଭେଟ ହେବା ମଧ୍ୟରେ ମୁଁ ତାକୁ ପ୍ରାୟ ସହଯୋଗ କରୁଥିଲି। କାହିଁକି କେଜାଣି ତା ପ୍ରତି ଗୋଟେ ଦରଦ ଭାବ ଆସି ଯାଇଥିଲା। ସବୁଦିନ ମର୍ଣିଂୱାକ୍ ମୁଁ ଜାଣି ଜାଣି ତା ଘର ପଟେ ଯାଏ ଓ ତା ବିଷୟରେ ଜାଣିବା ପାଇଁ ଚେଷ୍ଟା କରେ। ହେଲେ ତା ସହ ସାକ୍ଷାତ ହୁଏନାହିଁ।
ସେଦିନ ମାର୍କେଟ ସାରି ଫେରିବା ବେଳକୁ ଦୁର୍ଭାଗ୍ୟକୁ ଦୁର୍ଘଟଣା ଟିଏ ଘଟିଗଲା। ସେ ତଥାକଥିତ ଭିକାରୀଟିକୁ ଗାଡିଟେ ଧକ୍କା ଦେଲା। ମୋ ସହ ଅନ୍ୟ ମାନେ ଓ ସେ ଗାଡ଼ି ମାଲିକ ଙ୍କ ସହାୟତା ରେ ତାକୁ ପାଖ ହସ୍ପିଟାଲରେ ଚିକିତ୍ସିତ କରାଗଲା। ଲୋକଟି ଯନ୍ତ୍ରଣା ରେ ପାଟି କରୁଥାଏ। ସ୍ପଷ୍ଟ ଓଡ଼ିଆ ଭାଷାରେ “ମା ଲୋ ମରିଗଲି” ର ଧ୍ଵନି ମତେ ନିଶ୍ଚିତ କରିଦେଲା ଯେ ମୋ ସନ୍ଦେହ ସତ୍ୟ। ଏ ଲୋକ ଟି ଓଡ଼ିଶାର। ତେବେ କୈାଣସି କାରଣ ବଶତଃ ସେ ତା ପରିଚୟ ଲୁଚାଉଛି। ସେ ହସ୍ପିଟାଲରେ ଚିକିତ୍ସା ସମୟରେ ମୁଁ ପ୍ରାୟ ଯାଏ ତା ପାଖକୁ। ଚିକିତ୍ସା ରୁ ଜଣା ପଡିଥିଲା ଯେ ସେ କ୍ୟାନ୍ସର ରେ ପିଡୀତ। ଉପଯୁକ୍ତ ଚିକିତ୍ସା ଅଭାବରୁ ଦ୍ରୁତ ଗତିରେ ରୋଗ ବ୍ୟାପି ଚାଲିଛି। ମୃତ୍ୟୁ ସନ୍ନିକଟ।
ମୁଁ ତା ମୁଣ୍ଡ କୁ ଆଉଁସି ଦେଲି ଓଡ଼ିଆ ପଣରେ। ବିଚରା ପାଖରେ ଏ ଦୁଃସମୟ ରେ ତା ପାଖରେ ପରିବାର ଲୋକ କେହି ଥିଲେ ତାକୁ ଭଲ ଲାଗୁଥାନ୍ତା। ମୋ ହାତ ସ୍ପର୍ଶ ରେ ସେ ଆଖି ଖୋଲି ଚାହିଁଲା। ତା ଆଖି ରୁ ଧାର ଧାର ହୋଇ ଲୁହ ବୋହି ଗଲା।
“ଆରେ ତୁମେ କାନ୍ଦୁଛ କାହିଁକି ? ବ୍ୟସ୍ତ ହୁଅନି ଭଲ ହୋଇଯିବ।”
ମୁଁ ସାନ୍ତ୍ୱନା ଦେଲି ତାକୁ।
“ମୁଁ ଭଲ ହେବାକୁ ଚାହୁଁନି ବାବୁ।”
“ମାନେ ?”
“ମୁଁ ଆପଣଙ୍କୁ ମିଛ କହିଥିଲି। ମୁଁ ଓଡ଼ିଆ ଲୋକ।ଓଡ଼ିଶା ର। କାଳେ ମତେ କିଏ ଚିହ୍ନିଦେବେ ସେଥିପାଇଁ ମୁଁ ପରିଚୟ ଦେଉ ନ ଥିଲି।” - ସେ ତା କାହାଣୀ କହିଲା। ତା ନାଁ ସାଧବ। ଘର ପରିବାର କଥା ବି କହିଲା। ତା ହସ ଖୁସି ର ପରିବାର କୁ ନଜର ଲାଗିବା କଥା ବି କହିଲା। ବିଧବା ବୁଢ଼ୀ ମା,ସ୍ତ୍ରୀ, ଗୋଟିଏ ଝିଅ ଓ ଗୋଟିଏ ପୁଅ କୁ ନେଇ ତା ପରିବାର। ସେ ଛୋଟ କାଟିଆ ଦୋକାନ ଟିଏ କରି ଚଳିଯାଉଥିଲା। ହେଲେ ଧନୀ ହେବା ଓ ବେଶୀ ପଇସା ରୋଜଗାର କରିବା ଆଶାରେ ସେ ସ୍ଥାନୀୟ ରାଜନିତିଆ ଙ୍କ ହାତବାରିଶି ପାଲଟିଗଲା। ଦିନେ ସେଇ ମାନଙ୍କ କଥା ରେ ଅନ୍ୟ ପକ୍ଷର ଲୋକ ଙ୍କୁ ଆକ୍ରମଣ କରିବାରୁ ଜଣଙ୍କର ମୃତ୍ୟୁ ହେଲା। ହେଲେ ତାକୁ ଉତ୍ସାହିତ କରି କାଣ୍ଡ ଭିଆଇ ଥିବା ଲୋକ ଆଉ ଧରାଛୁଆଁ ଦେଲେନି।ସାଧବ ସିନା ସୁସ୍ଥ ସବଳ ତାଗଡା ଦିଶୁଥିଲା।କିନ୍ତୁ ସେ ଗୋଟେ ଭୟାଳୁ ଲୋକ ଥିଲା।ଏହି ହତ୍ୟା ଘଟଣା ଭୟରେ ବନ୍ଧୁ ବାନ୍ଧବ ଙ୍କ ଆଶ୍ରା ପାଇଁ ଗଲେ ମଧ୍ୟ ସେମାନେ ନିଜ ସୁରକ୍ଷା ପାଇଁ ସମସ୍ତେ ହାତ ଛାଡ଼ିଦେଲେ। ପୋଲିସ କୋର୍ଟ କଚେରୀ।ଏତେ ଝାମେଲାକୁ କିଏ ଯିବ ! ପୋଲିସ ଓ ଅପରପକ୍ଷର ଭୟରେ ପରିବାର କୁ ଆଉ ଯିବା ସମ୍ଭବ ହେଲାନି। ସେ ବେଶ୍ କିଛି ଦିନ ବଣ ଜଙ୍ଗଲରେ ଉପାସ ଭୋକରେ ଲୁଚିଲା। ଶେଷରେ ଓଡ଼ିଶା ଛାଡ଼ି ମୁମ୍ବାଇ ପଳେଇ ଆସିଲା ପୋଲିସ ଭୟରେ। ସେତେବେଳକୁ ଦେହରେ ତା’ର ବଳ। ତେଣୁ ମୂଲ ମଜୁରୀ କରି ପେଟ ପୋଷିଲା। ପୋଲିସ ଓ ଲୋକ ଙ୍କ ନଜର ଏଡ଼ାଇବା ପାଇଁ ସେ ମୁହଁ କୁ ବିକୃତ କରିବାକୁ ବି ପଛେଇଲା ନାହିଁ।ଯେମିତି ସେମିତି ସେଠି ଚଳୁଥିଲେ ମଧ୍ୟ ସର୍ବଦା ତାକୁ ଭୟ ଓ ଆଶଙ୍କା ଗ୍ରାସ କରୁଥିଲା।ସେ ଭାବୁଥିଲା ତାକୁ କୋଉ ମୂହୁର୍ତ୍ତରେ ପୋଲିସ ଧରିନେବ ଓ ଫାଶୀ ଖୁଣ୍ଟ ରେ ଝୁଲେଇ ଦବ।ବେଶ୍ କିଛି ବର୍ଷ ପରେ ଥରେ ନିଜ ଅଂଚଳ କୁ ସାହାସ ସଂଚୟ କରି ବେଶ ବଦଳାଇ ଯାଇଥିଲା ସେ। ହେଲେ ସେ ଘର ଛାଡ଼ିବା ପରେ ତା ପରିବାର ମଧ୍ୟ ନିର୍ଯାତିତ ହୋଇ କୁଆଡେ ଯାଇଥିଲେ ଯେ ସେ ଆଉ ପାଇଲା ନାହିଁ ବା ଖୋଜିବାର ସାହାସ ଜୁଟେଇ ପାରିଲା ନାହିଁ।
କଟିଗଲାଣି ୟା ଭିତରେ ବହୁ ବର୍ଷ।ସେ ଯବାନ ବୟସ ରୁ ଆସି ବାର୍ଦ୍ଧକ୍ୟ ଆଡକୁ ଗତି କଲାଣି। ଅନେକ ଥର ତା ପରିବାର କଥା ତା’ର ମନେ ପଡ଼ିଛି। ଇଛା ହୋଇଛି ସେ ଧାଇଁ ଯାଆନ୍ତା ତା ଘରକୁ,ଆଦର କରନ୍ତା ପିଲା ମାନଙ୍କୁ,ଶୋଇ ଯାଆନ୍ତା ମା କୋଳରେ ମୁଣ୍ଡ ଗୁଂଜି କିମ୍ବା ପ୍ରିୟତମା ପତ୍ନୀ ର ହାତ ଧରି ବୁଲେଇ ନିଅନ୍ତା କୁଆଡେ ! ତା ଭାବନାରେ ତା ପରିବାର ସେମିତି ରହିଯାଇଛି।ସେମାନେ ଆଉ ବଢୁ ନାହାଁନ୍ତି।ସେଇ ଭାବନାରେ ସେ ବେଳେ ବେଳେ ଖୁସି ହୁଏ। ହେଲେ ସବୁଥର ତା ସ୍ୱପ୍ନ ଆସୁଆସୁ ଆଇନ ର ଫାଶ ତା ଆଖି ଆଗରେ ନାଚି ଯାଏ। ସେ ପୁଣି ତା ଭାଗ୍ୟ କୁ ଆଦରି ପଡିରହେ ବିଦେଶରେ।
ମୁଁ ସାନ୍ତ୍ୱନା ଦେଲି।
“ - ଏଥର ଓଡ଼ିଶା ଗଲେ ନିଶ୍ଚିତ ତୁମ ବ୍ୟବସ୍ଥା କରିବା। ତୁମ ପରିବାର ସହ ମିଶାଇବା।”
ସେ ନିରୁତ୍ସାହର ହସ ହସିଲା। ଭାଗବତ ର ବାଣିଟିଏ କହିଲା
“ଆଉ ମୋହର ବଳ କାହିଁ
ପାରିବି ପୁତ୍ର ଉପୁଜାଇ,
ଜାଣିଛ ବାବୁ ଆଗରୁ ମୁଁ ଅନେକ ରୋଗ ରେ ସଢିଛି। ଏମିତି କି ମୋ ଦେହ ରେ କ୍ଷତ ହୋଇ ପୋକ ସାଲୁବାଲୁ ହୋଇଛନ୍ତି।ଏଗୁଡ଼ିକ ମୋ ପାପ କର୍ମର ଫଳ। କିଛି ସାହାଯ୍ୟକାରୀ ଲୋକ ମତେ ଭଲ କରିଛନ୍ତି। ହେଲେ ସବୁଥର ମୋର କିଛି ମନେ ନାହିଁ ବୋଲି କହି ପରିଚୟ କୁ ମୁଁ ଲୁଚେଇଛି। ମୁଁ ଜାଣିଛି ବାବୁ। ମୋର ଆଉ ବେଶୀ ଦିନ ନାହିଁ। ପରିବାର ତ ସାତ ସପନ ହୋଇଗଲା।ଗୋଟିଏ ଇଛା ଥିଲା ମୋ ଗାଁ ମଶାଣିରେ ନ ହେଲେ ବି ଓଡ଼ିଶା ମାଟିରେ ମୋ ସଂସ୍କାର ହୁଅନ୍ତା କି। ସେ ପବିତ୍ର ଜଗନ୍ନାଥ ଭୁଇଁ ରେ ମୋର ଜୁଇ ଜଳିଲେ ହୁଏତ ମୋ ଆତ୍ମା ଶାନ୍ତି ପାଆନ୍ତା।ଲୋଭ ଓ ସଂଗ ଦୋଷ ରେ ଯେଉଁ ଭୁଲ କରିଥିଲି ତାହାରି କୋଳରେ ଜଳି ହୁଏତ ଟିକେ ପ୍ରାୟଶ୍ଚିତ ହେଲା ବୋଲି ଭାବନ୍ତି। ଛାଡ,ତାହା ତ ହେବା ସମ୍ଭବ ନୁହେଁ। ହେଲେ ବାବୁ ମୁଁ ତଥାପି ଖୁସି। ଭଗବାନ ତମରି ଭଳି ଜଣେ ଦେବପ୍ରତିମ ଲୋକ କୁ ମୋ ପାଇଁ ପଠେଇଛନ୍ତି।ନିଜ ଅଂଚଳର ଲୋକ କୁ ଦେଖି ମରିବା କମ୍ ସୈାଭାଗ୍ୟ ର କଥା ନୁହେଁ ! ମୋ ଭୁଲର ପ୍ରାୟଶ୍ଚିତ ପାଇଁ ମୁଁ ରାତି ଦିନ ଠାକୁର ଙ୍କୁ ଡାକୁଥିଲି। ପାଇଛି ବାବୁ ଇଶ୍ୱର ଙ୍କ ଆଶୀର୍ବାଦ ରୂପେ ତୁମକୁ ପାଇଛି।”
ଏକାଥରେ ଏତେ କଥା କହି ସେ ଧଇଁ ସଇଁ ହୋଇଗଲା। ମୁଁ ତାକୁ ପାଣି ଟିକେ ପେଇଦେଲି। ଶୁଆଇ ଦେବାକୁ ଚେଷ୍ଟା କଲା ବେଳକୁ ସେ ମୁଣ୍ଡ ବଙ୍କେଇ ଦେଲା। ଡାକ୍ତର ଦେଖି ଧଳା ଚାଦରଟି ଯାହା ଘୋଡ଼େଇ ଦେଲେ। ବିଚାରା ମୋରି ହାତରୁ ଜଳ ମୁନ୍ଦାଏ ପିଇ ସେ ଆଖି ବୁଜିଲା।
ମୁଁ ଆମ ସଂଗଠନର ଚେଷ୍ଟା ରେ ତା ମୃତ ଶରୀରକୁ ଓଡ଼ିଶା ଆଣିଲି। ତା ପରିବାର ଓ ଗାଁ ର ଠିକଣା ଅନୁସାରେ ସେମାନଙ୍କୁ ଯୋଗାଯୋଗ କରିବାରେ କେହି ଜଣେ ବି ଆଗ୍ରହ ପ୍ରକାଶ ନ କରିବାରୁ ପୋଲିସ କୁ ଜଣାଇ ଆମେ ମାନେ ତା’ର ସତ୍କାର କଲୁ ତା ଇଛା ଅନୁସାରେ ଓଡ଼ିଶା ମାଟିରେ ।
ତା ଡେଡ୍ ବଡିକୁ ଆଣିଲା ବେଳେ ମୁଁ ଭାବୁଥିଲି
“ସତରେ କ’ଣ ସାଧବ ଏବେ ମଲା ?”
“ନା ! “
ସେ ସେବେଠାରୁ ମରିଯାଇଥିଲା ଯେବେ ତା ଛୋଟିଆ ମୁଣ୍ଡ ରେ ଲୋଭ ସବାର ହୋଇଥିଲା। ସେ ସେବେ ଠାରୁ ମରିଯାଇଥିଲା ଯେବେ ସେ ମଣିଷ ମାରିଲା। ସେବେଠାରୁ ମରିଯାଇଥିଲା ଯେବେ ପରିବାର ଜ୍ଞାତି ପରିଜନ ଠାରୁ ସେ ପର ହୋଇଯାଇଥିଲା।ସେବେଠାରୁ ମରି ସାରିଥିଲା ଯେବେ ପ୍ରାଣ ବିକଳରେ ମୁମ୍ବାଇ ପଳେଇ ଆସିଥିଲା। ସେ ଘର ଛାଡ଼ିବାର ୩୦/୩୫ ବର୍ଷ ପରେ ମଲା। ହେଲେ ଏହି ଜୀବନ ତକ ସେ ଡରି ଡରି ଜୀଇଁ ଥିଲା। ଖାଦ୍ୟ, ପାନୀୟ, ନିଦ୍ରା ରେ ମଧ୍ୟ ସେ ଦେଖୁଥିଲା ତା ଦୁର୍ଦ୍ଦିନ କୁ। ବରଂ ଯଦି ପୋଲିସ ରେ ନିଜକୁ ସେ ସମର୍ପଣ କରିଥାନ୍ତା ତେବେ ହୁଏତ ତା ଦଣ୍ଡ ବିଧାନ ପର୍ଯ୍ୟନ୍ତ ପରିବାର ଙ୍କୁ ଦେଖି ପାରିଥାଆନ୍ତା, ନିଜ ମାଟି ର ଲୋକ ମାନଙ୍କ ସହ ସେ ଜେଲ୍ ମଧ୍ୟ ରେ ଦୁଃଖ ସୁଖ ବାଣ୍ଟି ପାରିଥାଆନ୍ତା।
“ଛାଡ ! “
ଭାଗ୍ୟ ବୋଧହୁଏ ତାକୁ ଅଜ୍ଞାତବାସରେ ପଳାତକ ସଜେଇ ଥିଲା ମୃତ୍ୟୁ ପର୍ଯ୍ୟନ୍ତ।
- ସନ୍ତୋଷ କୁମାର ସେଠୀ, ପୁରୀ
୯୪୩୭୩୦୨୬୧୮