ସନ୍ତୋଷ କୁମାର ସେଠୀଙ୍କ ନୂଆ ଗଳ୍ପ -‘ଦୂର ପାହାଡ଼’
// TATKAL ODISHA//STORY TELLLING//
- ଦୂର ପାହାଡ
- +++++++🍰
ଚାହୁଁ ଚାହୁଁ ମାସେ ବିତିଗଲା। କୁମାର ପୁନେଇଁ ଦିନ ଆସି ହବିଷ୍ୟାଳୀ କେନ୍ଦ୍ର ରେ ରହି ପରଦିନ ସଂକଳ୍ପ କରିଥିଲେ ରୂପେଇ ହେରିକା। ଫି ବରଷ ଆସି ଭଡାରେ ରହୁଥିଲେ ସେମାନେ ଗୋଠ ହେଇ। ଖାଲି କଣ ରୂପେଇ !
କେତେ ସ୍ତ୍ରୀ ଲୋକ ତାଙ୍କ ଗାଁ ଓ ପାଖ ଗାଁର ଆସୁଥିଲେ ସାଥୀ ହେଇ, ୧୫ କି ୨୦ ହେବେ। ଗୋଟାଏ ଲମ୍ବା ଘରେ ଚଟାଣ ଉପରେ ପାଲ ପକେଇ ଦିଏ ଗଣ୍ଠି ତିଆଡି । ତା’ରି ଉପରେ ଖଣ୍ଡେ ଖଣ୍ଡେ ବେଡ଼ସିଟ ପକେଇ ଇଏ ସବୁ ବୁଢ଼ୀ ମାନେ ଶୋଇ ଯାଆନ୍ତି। ପ୍ରକୃତରେ ଘର ମାଲିକ ବୁଢ଼ା ନାଁ ଗୁଣ୍ଠ ତିଆଡି । ହେଲେ ତା’ର ବିକଳ ଓ ଲୋଭୀ ସ୍ୱଭାବ ପାଇଁ ମା ମାନେ ନାଁ ଦେଇଛନ୍ତି ଗଣ୍ଠି ତିଆଡି। ସକାଳୁ ନରେନ୍ଦ୍ରରେ ଗାଧେଇ ସାରି, ବୃନ୍ଦାବତୀ ସେବା କରି, ନିଜ ଭିତରେ ରାଇ ଦାମୋଦର ହେଇ ସଂକୀର୍ତ୍ତନ କରି ଚାଲି ଚାଲି ଯାଆନ୍ତି ବଡଦେଉଳ। ଠାକୁର ଦର୍ଶନ କରି ଫେରିଲେ ଚୁଡା,ଛତୁଆ ଯିଏ ଯାହା ଖାଇ ସେଇ ପରମାନନ୍ଦ ଙ୍କ ନାମ ନେଇ ସଂଧ୍ୟାରେ ମହାପ୍ରସାଦ ଖାଇ ବିତେଇ ଦିଅନ୍ତି ମାସଟିଏ। କାର୍ତ୍ତିକ ପୂର୍ଣ୍ଣିମା କୁ ବିକଳ ହେଇ ଅନେଇ ଥାନ୍ତି, କେମିତି ଘରକୁ ଫେରି ଯିବେ।
ଏଥରର କଥା କିନ୍ତୁ ନିଆରା। ସରକାରୀ ବ୍ୟବସ୍ଥା ରେ ରହିଲେ ସେମାନେ। ଏଠି ସବୁ ଶୃଙ୍ଖଳିତ। ଗଣ୍ଠି ତିଆଡି ର ସେ ଅନ୍ଧାରିଆ ଘର ବଦଳରେ ଚକାଚକ ଟାଇଲ,ମାର୍ବଲ ବିଛା ଘର। ଦିନ ରାତି ଆଲୋକ,ପବନର ହିଲ୍ଲୋଳ। ଖାଇବା, ପିଇବା, ରହିବା, ଠାକୁର ଦର୍ଶନ, ଭଜନ, ପ୍ରବଚନ ଆଉ ସ୍ୱଛାସେବୀଙ୍କ ସେବା ରେ ମନ ପ୍ରାଣ ପୁରି ଉଠିଲା। ରୂପେଇ ହେରିକା ରହିଥିବା ଯାଗାରେ ନିଇତି ଭୋଅରୁ ପହଞ୍ଚି ଯାଆନ୍ତି ସ୍ୱଛାସେବୀ ଝିଅ, ସ୍ତ୍ରୀ ଲୋକ ମାନେ। ସରକାର, ପ୍ରଶାସନ ତାଙ୍କୁ କାଳେ ଦାୟିତ୍ବ ଦେଇଛି ଏହି ହବିଷ୍ୟାଳୀ ମା ମାନଙ୍କ ସେବା ପାଇଁ। ବର୍ଷ ବର୍ଷ ଧରି ଗଣ୍ଠି ତିଆଡି ଭଡ଼ା ଘରେ ଅଭ୍ୟସ୍ତ ଥିବା ରୂପେଇ ମାନଙ୍କୁ ଏ ନୂଆ ସାତ,ଆଠ ମହଲା ଘର ଅଲଗା ଅଲଗା ଲାଗିଲା। କେତେ ଥର ରହୁଥିବା ଉପର ମହଲା ରୁ ତଳକୁ ଆସି ପୁଣି ଫେରିବା ବେଳକୁ ବାଉଳାରେ ନିଜ ମହଲା ପରିବର୍ତ୍ତେ ଆଉ କୋଉ ମହଲା କୁ ପଳେଇ ଯାଉଥିଲେ। ସରକାର ବିଭିନ୍ନ ପ୍ରକଳ୍ପ ର ସୂଚନା ଫଳକ ବା ସ୍ଥାନ ଚିହ୍ନଟ ପାଇଁ ଫଳକ ମାରିବା ଭଳି ଏ ବୁଢ଼ୀ ମା ମାନେ ଜରି, ଲୁଗାରେ ଲାଗିଥିବା ଷ୍ଟିକର, ଲୁଗା ଧଡି ଇତ୍ୟାଦି ନିଜ ବୁଦ୍ଧି ଅନୁସାରେ ଯିବା ଆସିବା ବାଟରେ ଲଗେଇ ଚିହ୍ନଟ କଲେ। ଅବଶ୍ୟ ଦୁଇ ତିନି ଦିନ ପରେ ଏ ସ୍ୱଛାସେବୀ ମାନେ ତାଙ୍କ ସାହାରା ହେଲେ। ଭାରି ଭଲ ପିଲା ଗୁଡାକ। ଯଦିଓ ତା ଭିତରେ ଜଣେ ଜଣେ ବଦ ମିଜାଜୀ ଥିଲେ,ଚିଡଚିଡ ହେଉଥିଲେ କିନ୍ତୁ ମୋଟ ଉପରେ ସମସ୍ତେ ସ୍ନେହୀ ଓ ପରୋପକାରୀ ଥିଲେ।
- ସେହି ଗହଳି ଭିତରୁ ବାରି ହୋଇ ପଡେ ତୁଳସୀ। ନାମ ଭଳି କାମ ମଧ୍ୟ ତା’ର। ଭାରି ଧିର ସ୍ଥିର,ସବୁବେଳେ ହସହସ। ତୁଳସୀ କୁ ଦେଖି ଦେଲେ ସବୁ ମା ମାନଙ୍କର ଓଠରେ ହସ ଫୁଟିଉଠେ। ସେ ଭୋଅରୁ ଆସି ସେହି ମହଲା ର ସବୁ ମା ମାନଙ୍କୁ ଉଠେଇ ଗାଧେଇ, ପୂଜା ସାରି ନିର୍ଦ୍ଧାରିତ ଗାଡ଼ିରେ ନେଇ ମନ୍ଦିର ଦର୍ଶନ କରେଇ ଫେରେ। ଘର, ପାଇଖାନା, ବେଡ଼ସିଟ ପରିସ୍କାର ପରିଛନ୍ନ ଅଛି ନା ନାହିଁ,ସମସ୍ତେ ସୁସ୍ଥ ଅଛନ୍ତି ନା ନାହିଁ ସବୁ ତଦାରଖ କରେ। ସବୁ ମା ମାନେ ସତେ ଯେମିତି ତା ଆସିବା ବାଟକୁ ଚାହିଁ ରହି ଥାନ୍ତି। ଆଉ ସେ ଘରକୁ ଗଲା ବେଳକୁ ସମସ୍ତେ ଉଦାସ ହୋଇ ଯାଆନ୍ତି।ରୂପେଇକୁ ବେଶି ଭଲ ଲାଗେ ତୁଳସୀ। ହବିଷ୍ୟାଳୀ ନିବାସକୁ ଆସିବା କ୍ଷଣି ତୁଳସୀ ରୂପେଇ ଓଠରେ ହାତ ମାରି ଛୁଆ କୁ ମା ଗେଲ କଲା ଭଳି ଆଦର କରେ। ଭଲ ମନ୍ଦ ପଚାରେ।
ତୁଳସୀ ୨୪/୨୫ ବର୍ଷ ର ଝିଅ ଟିଏ। ଦେଖିବାକୁ ଶ୍ୟାମଳ ରଙ୍ଗ ହେଲେ ବି ଗଢ଼ଣ ଟି ଭାରି ସୁନ୍ଦର। ଏଇ ମାସେ ରହିବା ଭିତରେ ତା’ର ଘନିଷ୍ଠତା ବଢ଼ିବା କାରଣରୁ ରୂପେଇ ଜାଣିଛି ହସ ଖୁସି ଦିଶୁଥିଲେ ବି କେତେ ଯନ୍ତ୍ରଣା କୁ ନୀଳକଣ୍ଠ ପରି ପିଇ ବାହାରକୁ ଶାନ୍ତ, କାନ୍ତ, ସୁସ୍ଥ ଭଳି ବ୍ୟବହାର କରି ଚାଲିଛି ତୁଳସୀ।
ଦୁଖ କଷ୍ଟ କ’ଣ ସମସ୍ତ ଙ୍କୁ ବାଣ୍ଟିହୁଏ ?
ଆଜିର ଦୁନିଆରେ ତ କଷ୍ଟ ଶୁଣି ମଜା ଉଡେଇବା,ଦେଖେଇ କହିବା ଲୋକ ଙ୍କ ଅଭାବ ନାହିଁ ନା ! ରୂପେଇ ଶୁଣେ। ସମବେଦନା ରେ ତା ଲୁହ ଭରା ଆଖିକୁ ନିଜ ପଣତରେ ପୋଛି ନିଜ ଝିଅ ଭଳି କୋଳେଇ ନିଏ।
ବିଚାରି କେତେ ସହିଛି !!
ଛୋଟ ଥିଲା ବେଳେ ମା ମରିଗଲା। ସାବତ ମା’ର ଦାଉ ସହି ବଡ ହେଲା ସେ। ଭଲ ପଢୁଥିଲେ ମଧ ମାଟ୍ରିକ ପାଶ ପରେ ପଇସା ର ଆଳ ଦେଖେଇ ପଢା ବନ୍ଦ କଲା ବାପା ସାବତ ମା କଥାରେ। ସାବତ ମା ର ଗୋଟିଏ ପୁଅ। ସିଏ କିନ୍ତୁ ଭାରି ଭଲ ପାଏ ତୁଳସୀ କୁ। ୨୦ ବର୍ଷ ବୟସ ରେ ଛୋଟ ମୋଟ ବେପାର କରୁଥିବା ଟୋକାଟେ ହାତରେ ତୁଳସୀକୁ ବାପା ସିନା ଛନ୍ଦି ଦେଇଥିଲା ହେଲେ ଅତିରିକ୍ତ ମଦ ପିଇ ଗୋଟେ ଗାଡି ପଛରେ ପିଟି ହୋଇ ବାହାଘରର ତିନି ମାସରେ ସେ ଆର ପାରିକି ଚାଲିଗଲା। ଦୁଖ ଯେତେ ବେଳେ ଆସେ ସାଙ୍ଗ ସାଥି ନେଇ ଆସେ। ଅଲକ୍ଷଣୀ ମୋ ପୁଅକୁ ଖାଇଲୁ ର ଅପବାଦ ମୁଣ୍ଡେଇ ସେ ଶାଶୁ ଘରୁ ତଡା ଖାଇଲା। ଏଣେ ଅଜଣା ବେମାରିରେ ବାପା ଓ ସାବତ ଭାଇ ବି ଚାଲିଗଲେ। ଏ ଘଟଣା ଗୁଡିକ ତା ଜୀବନରେ ଏତେ ଶିଘ୍ର ଘଟିଗଲା ଯେ ଯେମିତି ଦି ଘଣ୍ଟିଆ ସିନେମା ଟେ ସେ ଦେଖୁଛି । ଦୁଇ ବିଧବା ଙ୍କୁ ନେଇ ତୁଳସୀ ର ପରିବାର ଚାଲିଲା। ପୁଅ ଓ ସ୍ୱାମୀ କି ହରେଇ ସାବତ ମା’ର ମସ୍ତିଷ୍କ ବିକୃତି ହୋଇଛି। ଯିଏ ଦିନେ ତୁଳସୀ କି ଆଖିରେ ଦେଖି ପାରୁ ନ ଥିଲା ,ଆଜି ସେହି ତୁଳସୀ ଶରଣରେ ବଞ୍ଚିଛି ସେ । ଏ ଦୁଖ ଗୁଡାକୁ ବାଣ୍ଟିଲା ବେଳକୁ ଅସହାୟ ହୋଇ ଉଠେ ତୁଳସୀ। ସ୍ୱୟଂ ସହାୟକ ଦଳରେ ମିଶି , ଛୋଟ ପିଲା ଙ୍କୁ ଟିଉସନ କରି କଷ୍ଟେମଷ୍ଟେ ଚଳି ଯାଆନ୍ତି ସେମାନେ। ଏବର କାମ ପାଇଁ ଯେତେ ବେଳେ ପ୍ରସ୍ତାବ ଗଲା ଭାରି ଖୁସି ହେଲା ସେ। ଜୀବନ ଜଞ୍ଜାଳ ଭିତରେ ନ ହେଲା ନାହିଁ ଏଇ ମା ମାନଙ୍କ ସେବା କରିବା ଅବସରରେ ଠାକୁର ଙ୍କୁ ତ ଦେଖି ମାନସିକ ଶାନ୍ତି ପାଇ ପାରିବ !
ଠାକୁର ଙ୍କୁ ସେ କିଛି ମାଗେ ନାହିଁ।
କ’ଣ ମାଗିବ ? କାହା ପାଇଁ ମାଗିବ ?
ଅଭିମାନ କରେ।
ହେଲେ ଅଭିଯୋଗ କରେ ନାହିଁ।
ଭାଗ୍ୟର ଲେଖା କୁ ଗ୍ରହଣ କରିବା ବ୍ୟତୀତ ଆଉ ସେ କଣ କରି ପାରିବ ?
ରୂପେଇ ର ଝିଅ ଟି ବଡ। ଗାଁ ପାଖ ସାହିରେ ବାହା ହୋଇଛି। ପୁଅର ବିବାହ ବୟସ ହେଲାଣି। ଭଲ ଝିଅଟିଏ ଖୋଜୁଥିଲା ରୂପେଇ। ପୁଅ ପାଇଁ। ଯେବେ ଠାରୁ ତୁଳସୀ ସହ ମିଶିଛି ତା ନିଭୃତ ମନରେ ଆଶାଟିଏ ବସା ବାନ୍ଧିଛି। ଭଲ ଝିଅ ଟିଏ। ତା ଦୁଖ ଶୁଣି ମନକୁ କଷ୍ଟ ହେଲାବେଳେ ଭାବନା ଟିଏ ଉଙ୍କି ମାରେ। ଏକଥା ବି ଅନ୍ୟ ସାଥି ମାନଙ୍କୁ କହିଥିଲା। ସେମାନେ ବି କହିଲେ ଭଲ ହୁଅନ୍ତା ଲୋ। ଗୁଣର ପିଲାଟିଏ। ହେଲେ ଆଜି କାଲିକା ପିଲାଙ୍କ କଥା। ପୁଅକୁ ଦେଖା।ତା ମନ ମାନିଲେ କଥା ସରିଲା। ତାକୁ ମଝିରେ ମଝିରେ ଦେଖିବାକୁ ଆସୁଥିବା ପୁଅକୁ ସେଥିପାଇଁ ତୁଳସୀ ର ଅଜାଣତରେ ଦେଖେଇ ତା ମନ ପାଇଛି ବୋଲି ଜାଣି ଭାରି ଆତ୍ମତୃପ୍ତି ପାଇଲା ରୂପେଇ।
ସେଦିନ ମୁହଁ ଖୋଲି କହିଲା ତୁଳସୀ କୁ। ମା ଲୋ ତୁ ମୋ ଘରର ଲକ୍ଷ୍ମୀ ହେବୁ। ଅନ୍ୟ ମା ମାନେ ମଧ୍ୟ ପାଳି ଧରିଲେ। ହଁ ଭଲ ହବ ଲୋ।
ଅବାକ ହେଲା ତୁଳସୀ । ତା ପାଇଁ ମା ମାନଙ୍କ ର ଏତେ ଚିନ୍ତା, ଏତେ ଭଲ ପାଇବା ଦେଖି ଖୁସି ରେ ତା ଆଖି ଜକେଇ ଆସିଲା। ସେ ମୁକ୍ତ କଣ୍ଠରେ ଘୋଷଣା କଲା ଆପଣ ମାନଙ୍କ ମମତା ମୋ ପାଇଁ ଆଶୀର୍ବାଦ । ହେଲେ ମୁଁ ଏ ପ୍ରସ୍ତାବ ରେ ରାଜି ନୁହେଁ ।
ଚମକି ପଡ଼ିଲେ ସମସ୍ତେ। କାହିଁକି ଲୋ ମା ! କଣ ଆଉ କୋଉଠୁ ତୋର ପ୍ରସ୍ତାବ ଆସିଛି ?
ନା।
ତେବେ ଅରାଜି କାହିଁକି ? ଆମେ ଜାଣିଛୁ ଏ ମା ପୁଅ ଭାରି ଭଲ,ସୁଧାର। ତୋର କିଛି ଅସୁବିଧା ହେବନି। ତୁ ରାଜି ହେଲେ ତମ ସମ୍ପର୍କୀୟ ଙ୍କ ସହ କଥା ହୋଇ ସବୁ କରାଯିବରେ ମା। ତୁ ରାଜି ହୋଇଯା।
ନିଜକୁ ଦୃଢ କଲା ତୁଳସୀ। ଆଖି ରୁ ଲୁହ ପୋଛି କହିଲା ସବୁ ଜିନିଷ ସମସ୍ତ ଙ୍କ ଭାଗ୍ୟ ରେ ନ ଥାଏ ମା ମାନେ। ମୋ ଜୀବନ ଟା ଗୋଟେ ଭଙ୍ଗା ଆଇନା ପାଲଟି ଯାଇଛି। ମୁଁ ଯାହାକୁ ବି ଭଲ ପାଇଛି ସେ ଅସମୟରେ ମୋ ହାତ ଛାଡିଛି। ପିଲା ବେଳୁ ମା ଗଲା, ବାହାପରେ ସ୍ୱାମୀ ଗଲା, ବାପା ଭାଇ ସମସ୍ତେ ଗଲେ। ମୋ ପାଇଁ ଦୁଖ ଟା ଅତି ନିଜର ପାଲଟି ଯାଇଛି। ଦିହ ସୁହା ହୋଇ ଗଲାଣି ଦୁଖ, ଯନ୍ତ୍ରଣା। ସୁଖ ତ ସାତ ସପନ। ସୁଖ ପାଇଁ ମନରେ ଆଉ ସୋହାଗ ବି ନାହିଁ। ତୁମ ପ୍ରସ୍ତାବ ଭଲ ମା। କିନ୍ତୁ ଜୀବନରେ ଏତେ ହରେଇ ସାରିବା ପରେ ଆଉ କିଛି ପାଇବାର ଅଭିଳାଷ ନାହିଁ। ଗୋଟେ ପର ପୁଅର ଜୀବନ କୁ ମୋ ଦୁର୍ଭାଗ୍ୟ ସହ ଯୋଡ଼ିବାକୁ ମୋ ହୃଦୟ କି ବିବେକ ମତେ ଅନୁମତି ଦେଉନି ମା। ଆଉ ସାହସ ମୋ ପାଖରେ ନାହିଁ ଭାଗ୍ୟ କୁ ବଦଳେଇବାର।
ତମ ମାନଙ୍କ ଆଖିରେ ମୁଁ ଏମିତି ଦୂର ପାହାଡଟିଏ ହୋଇ ରହିଥାଏ। ଦୂରରୁ ସୁନ୍ଦର, ସବୁଜମୟ, ମନୋମୁଗ୍ଧକର । ହେଲେ ପାଖକୁ ଆସିଲେ ଦେଖିବେ ସେ ଆବଡା ଖାବଡା ପଥରର ସ୍ତୁପ ଟିଏ ମାତ୍ର। ସେହି ପାହାଡ ଭଳି ମୋ ଜୀବନ ଯନ୍ତ୍ରଣା ଜର୍ଜରିତ। ମୁଁ ବଞ୍ଚି ଥିବା ଯାଏ ,ହାତଗୋଡ ଚାଲୁଥିବା ଯାଏ କାର୍ତ୍ତିକ ର ଏହି ପବିତ୍ର ମାସରେ ଆପଣ ମାନଙ୍କ ଭଳି ମା ମାନଙ୍କର ଏଇଠି ସେବା କରିଚାଲିଥିବି। ଆଶୀର୍ବାଦ କରନ୍ତୁ ଏଇ ସେବା ମୋତେ ଧାର୍ଯ୍ୟ ହେଉ,ମୋର ପୂଣ୍ୟ ହେଉ । ଏଇ ସେବା କରୁ କରୁ ଜୀବନ ଯାଉ।
ଖାଲି ରୂପେଇ କାହିଁକି ସମସ୍ତେ କାନ୍ଦୁଥିଲେ ତୁଳସୀ କୁ ଜାବୁଡି ଧରି। ତୁଳସୀ ମୁହଁ ରେ ଫୁଟି ପୁଣି ଉଭେଇ ଯାଉଥିଲା ମଉଳା ହସ ଧାରେ।
- ସନ୍ତୋଷ କୁମାର ସେଠୀ, ପୁରୀ
୯୪୩୭୩୦୨୬୧୮