ଶ୍ରୀଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ ‘ରଦ୍ଦ’: ହେଲା କାହିଁକି?

0
  • ଅଧ୍ୟାଦେଶରେ ଧାରା 15(2),17(3) ଓ 22(2-ଘ)ରେ ଆପତ୍ତି
  • 1958,1972 ଆଇନର ଖୋଲା ଉଲ୍ଲଂଘନ ଅଭିଯୋଗ
  • ରାଜ୍ୟପାଳଙ୍କୁ ଅବଗତ କଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ

  • ଭୁବନେଶ୍ୱର,//TATKAL ODISHA//

 ଶ୍ରୀମନ୍ଦିର ଢାଞ୍ଚାରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ଆଇନ ହେବ । ମନ୍ଦିର ପରିଚାଳନା କମିଟି ଗଠନ ସହ ସମ୍ପତ୍ତି ସୁରକ୍ଷା ଓ ମନ୍ଦିର ଓ ମଠ ସଂରକ୍ଷଣ କାର୍ଯ୍ୟକୁ ତ୍ୱରାନନ୍ୱିତ କରାଯିବ । ବିଧାନସଭା ଅଧିବେଶନ ନଥିବାରୁ ରାଜ୍ୟ ସରକାର ଏନେଇ ଗତ ୧୪ ଡିସେମ୍ବର ୨୦୨୦ରେ କ୍ୟାବିନେଟ୍ ନିଷ୍ପତ୍ତି ବଳରେ ଅଧ୍ୟାଦେଶ ଆଣିଥିଲେ । ହେଲେ ଏହାକୁ କେନ୍ଦ୍ର ସରକାର ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗର ରିପୋର୍ଟ ଭିତ୍ତିରେ ରଦ୍ଦ କରିଥିବା ଜଣାପଡ଼ିଛି ।

ଅଧ୍ୟାଦେଶରେ ଧାରା 15(2),17(3) ଓ 22(2-ଘ)କୁ କେନ୍ଦ୍ର ସରକାର ଆପତ୍ତି ଉଠାଇଛନ୍ତି I 1958 ଓ 1972 ଭାରତୀୟ ପ୍ରତ୍ନାତତ୍ତ୍ୱ ଆଇନର ଖୋଲା ଉଲ୍ଲଘଂନ ଅଭିଯୋଗ I ଏନେଇ ରାଜ୍ୟପାଳଙ୍କୁ ଅବଗତ କରିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ I

ଏକାଦଶ ଶତାବ୍ଦୀର ଶ୍ରୀ ଲିଙ୍ଗରାଜ ମନ୍ଦିର

ରାଜ୍ୟ ସରକାରଙ୍କୁ ଲାଗିଲା ଜୋରଦାର ଝଟକା । ଲିଙ୍ଗରାଜ ମନ୍ଦିର ଓ ଆଖପାଖରେ ଥିବା ଆଉ ୮ଟି ମନ୍ଦିରକୁ ଗୋଟିଏ ସ୍ୱତନ୍ତ୍ର ଆଇନ ପରିସରକୁ ଆଣିବା ଲାଗି ରାଜ୍ୟ ସରକାରଙ୍କ ଅଧ୍ୟାଦେଶ ଉପରେ କେନ୍ଦ୍ର ସରକାର ରୋକ ଲଗାଇଛନ୍ତି । ଏଭଳି ଏକ ଅଧ୍ୟାଦେଶ ଆଣିବା ରାଜ୍ୟ ସରକାରଙ୍କ କ୍ଷମତା ପରିସର ନୁହଁ ବୋଲି କେନ୍ଦ୍ର କହିଥିବା ନେଇ ଖବର ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ଏହାଫଳରେ କେନ୍ଦ୍ର ପ୍ରଣୀତ ଆଇନ ଓ ରାଜ୍ୟ ସରକାରଙ୍କ ଆଇନ ମଧ୍ୟରେ ବିଭେଦ ସୃଷ୍ଟି ହେବ ବୋଲି କେନ୍ଦ୍ର ସରକାର ଦର୍ଶାଇଛନ୍ତି ।


 ଗତ ୨ ଡିସେମ୍ବର ୨୦୨୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାମ୍ରକ୍ଷେତ୍ର ବିକାଶ ପ୍ରକଳ୍ପ ବୁଲିବାକୁ ଯିବା ଅବସରରେ ଉପସ୍ଥିତ ସେବାୟତଙ୍କୁ ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ ଖୁବଶୀଘ୍ର ଏକ ‘ସ୍ୱତନ୍ତ୍ର ଆଇନ’ ପ୍ରଣୟନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ମୁଖ୍ୟମନ୍ତ୍ରୀ ଦେବୀ ପାଦହରା ପୁଷ୍କରିଣୀ ବୁଲି ଦେଖିବା ସହ ବିନ୍ଦୁସାଗରରେ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଥିଲେ ।

ଏକାମ୍ରକ୍ଷେତ୍ର ପ୍ରକଳ୍ପ ପାଇଁ ଜମି ଦାନ କରିଥିବା ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ସାଧୁବାଦ ଜଣାଇଥିଲେ ଓ ପ୍ରକଳ୍ପ କାର୍ଯ୍ୟ ଆଗକୁ ନେବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତିରେ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିବା ସହିତ ଅଧିକ ପର୍ଯ୍ୟଟକଙ୍କୁ ସେଠାକୁ ଆକର୍ଷିତ କରିବାରେ ଏହି ଯୋଜନା ଏକ ସଫଳ ଉଦ୍ୟମ ହେବ । ଐତିହ୍ୟ ନଗରୀ ଭୁବନେଶ୍ୱରର ଗରିମାକୁ ଆହୁରି ବୃଦ୍ଧି କରିବା ସହିତ ଏହାକୁ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବରେ ବିକଶିତ କରିବା ଏବଂ ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ଏକ ଅନନ୍ୟ ଆଧ୍ୟାତ୍ମିକ ଅନୁଭବ ପ୍ରଦାନ କରିବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ ।


 ନିଜ ପ୍ରତିଶ୍ରୁତି ଅନୁସାରେ ଗତ ୧୪ ଡିସେମ୍ବର ୨୦୨୦ରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ରାଜ୍ୟ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରୁ ଭିଡିଓ କନଫରେନ୍ସିଂ ଜରିଆରେ ଉକ୍ତ ବୈଠକରେ ଅଧ୍ୟକ୍ଷତା କରିଥିଲେ । ଉକ୍ତ ବୈଠକରେ ଶ୍ରୀଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶକୁ ମଞ୍ଜୁରୀ ମିଳିଥିଲା । ବିଧାନସଭା ମୁଲତବୀ କାରଣରୁ ଅଧ୍ୟାଦେଶ ଜରିଆରେ ନୂତନ ଆଇନର ବ୍ୟବସ୍ଥା ହୋଇଛି ବୋଲି ସରକାର ସ୍ପଷ୍ଟ କରିଥିଲେ । ଉକ୍ତ ଅଧ୍ୟାଦେଶରେ ପରିଚାଳନା କମିଟି ଗଠନ, ମନ୍ଦିର ସମ୍ପତ୍ତି ସୁରକ୍ଷା ଉପରେ ଅଧିକ ଗୁରୁତ୍ୱ ଦିଆଯିବା ସହ ଶ୍ରୀଲିଙ୍ଗରାଜ ମନ୍ଦିର ପରିସର ଓ ବାହାରେ ଥିବା ଅନ୍ୟ ମନ୍ଦିର ଓ ମଠଗୁଡ଼ିକ ବି କମିଟି ଦ୍ୱାରା ସୁପରିଚାଳନା ହେବ ବୋଲି କୁହାଯାଇଥିଲା ।


 ପରେ ତତ୍କାଳୀନ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ଉପସ୍ଥିତରେ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗଣମାଧ୍ୟମକୁ ଅଧ୍ୟାଦେଶ ସମ୍ପର୍କରେ ସୂଚନା ଦେଇଥିଲେ । ସେ କହିଥିଲେ, ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ ‘ସ୍ୱତନ୍ତ୍ର ଅଧ୍ୟାଦେଶ’ ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ ଲାଭକରିଛି । ଏହା ମନ୍ଦିର ପରିଚଳନା ପାଇଁ ଜରୁରୀ ଥିଲା । ଶ୍ରୀଲିଙ୍ଗରାଜ ମନ୍ଦିର ପରିଚାଳନା ଦାୟିତ୍ୱ ଏକ କମିଟି ହାତରେ ନ୍ୟସ୍ତ କରାଯାଇଛି । ମନ୍ଦିରର ସମ୍ପତ୍ତି ସୁରକ୍ଷିତ ରଖିବା ପାଇଁ କମିଟିକୁ ସଶକ୍ତ କରିବ । ମନ୍ଦିରର ପରିସରରେ ଓ ବାହାରେ ଥିବା ଅନ୍ୟ ମଠ,ମନ୍ଦିର ଓ ପବିତ୍ର ସ୍ଥଳ ଆଦିର ସୁପରିଚାଳନା ଓ ସୁଶାସନକୁ ଦୃଷ୍ଟିରେ ରଖି ଏହା କରାଯାଇଛି । ସ୍ୱତନ୍ତ୍ର ଆଇନ ଯୋଗୁଁ ମନ୍ଦିରର କାର୍ଯ୍ୟଗୁଡ଼ିକର ଉତ୍ତମ ଏବଂ ସଠିକ୍ ପରିଚାଳନା ହୋଇ ପାରିବ । ଅଧ୍ୟାଦେଶରେ ଶ୍ରୀଲିଙ୍ଗରାଜ ମନ୍ଦିର ସୁପରିଚାଳନା ନିମନ୍ତେ ବିସ୍ତୃତ ଭାବରେ ବ୍ୟବସ୍ଥା ହୋଇଛି । ପରିଚାଳନା କମିଟି ଗଠନ, କମିଟିର ସଭ୍ୟ ସଂଖ୍ୟା, କମିଟିର ଦାୟିତ୍ୱ ଓ କ୍ଷମତା, ପରିଚାଳକଙ୍କର କ୍ଷମତା ଓ ଦାୟିତ୍ୱ, ମନ୍ଦିରର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ସୁରକ୍ଷା ଏବଂ ପରିଚାଳନା, ସେବକଙ୍କର ଭୂମିକା ଓ ଦାୟିତ୍ୱ, ମନ୍ଦିର ପାଣ୍ଠିର ଗଠନ ଓ ପରିଚାଳନା ଇତ୍ୟାଦି ଉପରେ ଗୁରୁତ୍ୱ ଦିଆଯାଇଛି । ଏଥିସହିତ ଭିତ୍ତିଭୂମି ବିକାଶ ଯୋଗୁଁ ତୀର୍ଥଯାତ୍ରୀ, ଶ୍ରଦ୍ଧାଳୁ ଓ ଯାତ୍ରୀଙ୍କୁ ଉନ୍ନତ ସୁବିଧା ଯୋଗାଇବା ସମ୍ଭବ ହେବ । ଶ୍ରୀଲିଙ୍ଗରାଜ ମନ୍ଦିରର ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାର ଅନେକଗୁଡ଼ିଏ କାର୍ଯ୍ୟ କରିବାକୁ ଖସଡ଼ା ପ୍ରସ୍ତୁତ କରିଛନ୍ତି । ଅଗ୍ରାଧିକାର ଭିତ୍ତିରେ ସେସବୁ କରାଯିବ । ତେବେ ବର୍ତ୍ତମାନ ବିଧାନସଭା ମୁଲତବୀ ଥିବାରୁ ଅଧ୍ୟାଦେଶ ଜରିଆରେ ନୂତନ ଆଇନର ବ୍ୟବସ୍ଥା କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ପ୍ରକାଶ କରିଥିଲେ ।

Leave A Reply

Your email address will not be published.