ଶ୍ରୀମନ୍ଦିର ପରମ୍ପରାରେ ତନ୍ତ୍ରପୂଜା

0
  • ଶ୍ରୀକାନ୍ତ ଦାଶ
  • TATKAL ODISHA//ଐତିହ୍ୟ ଖୋଜ//
  • ଜଗନ୍ନାଥ ସଂସ୍କୃତି ଓ ତନ୍ତ୍ରପୂଜା

*************************************************
ମହାପ୍ରଭୁ ଶ୍ରୀଜଗନ୍ନାଥ ସଂସ୍କୃତି ଯେ କେତେ ବିଶାଳ ଓ ମହାନ, ତାକୁ ଜଣେ ଲେଖା ମାଧ୍ୟମରେ ପ୍ରକାଶିତ କରିବା ସହଜ ନୁହେଁ |ତେଵେ ଏହି ସଂସ୍କୃତିସହ ଜଡିତ କିଛି ପରମ୍ପରା, ରୀତି, ନୀତି, ଚଳଣି ଏବଂ ତନ୍ତ୍ରପୂଜା ସମ୍ବନ୍ଧରେ ଏହି ଲେଖାରେ କିଛି ଉପସ୍ଥାପନା କରାଯାଇଛି

++++++++++++++++++++++++++++++++++++


ଓଡ଼ିଆର ଆରାଧ୍ୟ ଦେବତା, ଓଡ଼ିଆ ର ନେତା, ଓଡ଼ିଆର ପ୍ରାଣ, ଓଡ଼ିଆର ସଂସ୍କୃତି, ଓଡ଼ିଆର ଆତ୍ମା, ଓଡ଼ିଆର ପରିଚୟ, ଓଡ଼ିଆର ରାଜା, ଓଡ଼ିଆର କଳା କଳାଠାକୁର ପ୍ରଭୁ ଶ୍ରୀ ଜଗନ୍ନାଥ |ଓଡ଼ିଆ କହିଲେ ଶ୍ରୀଜଗନ୍ନାଥ, ଜଗନ୍ନାଥ କହିଲେ ଓଡ଼ିଆଙ୍କ ମଉଡମଣୀଙ୍କୁ ବୁଝାଏ |ଓଡ଼ିଆଙ୍କ ଭୂଖଣ୍ତ ଓଡିଶା |

ଏହା ଏକ ପରମ ପବିତ୍ର ଜଗନ୍ନାଥ ସଂସ୍କୃତିର ଭୂମି ରୂପେ କାହିଁ କେଉଁ ଅନାଦି କାଳରୁ ପରିଚିତ | ଓଡ଼ିଶାର ଶବରମାନଙ୍କ ଦ୍ୱାରା ପୂଜିତ ମହାଯାନୀ ବୌଦ୍ଧ ଦେବତା, ବ୍ରାହ୍ମଣ ଧର୍ମର ଆଧିପତ୍ୟ ଖ୍ରୀଷ୍ଟିୟ ଅଷ୍ଟମ ଓ ନବମ ଶତାବ୍ଦୀରେ ବିସ୍ତାର ଲାଭ କରିବା ପରେ ଶ୍ରୀଜଗନ୍ନାଥଙ୍କ ରୂପରେ ପୂଜିତ ହେଲେ |

ଜଗନ୍ନାଥ ହେଉଛନ୍ତି ପ୍ରସିଦ୍ଧ ହିନ୍ଦୁ ଦେବତା |ବଡଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କ ସହିତ ପୁରୀ ଶ୍ରୀମନ୍ଦିରରେ ବିରାଜମାନ ଶ୍ରୀକୃଷ୍ଣଙ୍କ ନାମ ହିଁ ଶ୍ରୀଜଗନ୍ନାଥ |

ଜଗନ୍ନାଥଙ୍କ ଅଧିଷ୍ଠାନ କ୍ଷେତ୍ର ପୁରୀ |ପୁରୀର ପ୍ରକୃତ ନାମ ପୁରୁଷୋତ୍ତମ ପୁର |ଭଗବାନ କୃଷ୍ଣ ଗୀତାରେ କହିଛନ୍ତି, ‘ଲୋକେ ବେଦେ ଚ ପ୍ରଥିତ8 ପୁରୁଷୋତ୍ତମ8’|ଉକ୍ତ ବାକ୍ୟରେ ଶ୍ରୀକୃଷ୍ଣ ନିଜକୁ ପୁରୁଷୋତ୍ତମ ବୋଲି ପ୍ରଚାର କରିଅଛନ୍ତି |

ଶ୍ରୀକୃଷ୍ଣଙ୍କ ଅବତାର ଶ୍ରୀଜଗନ୍ନାଥ, ଏଣୁ ପୁରୁଷୋତ୍ତମ |ତାଙ୍କ ନଗରୀର ନାମ ପୁରୁଷୋତ୍ତମ ପୁର |ତେଣୁ ଓଡ଼ିଶାର ନିରକ୍ଷର ଲୋକେ ପୁରୀକୁ “ପୁରସ୍ତମ” ବୋଲି କହିଥାନ୍ତି |


ବିଶ୍ୱପ୍ରସିଦ୍ଧ ଶ୍ରୀମନ୍ଦିର ଭାରତ ଭୂଖଣ୍ଡର ପୂର୍ବଉପକୂଳସ୍ଥ ମହୋଦଧି (ବଙ୍ଗୋପସାଗର )କୂଳରେ ଅବସ୍ଥିତ |ଶୈବ, ଶାକ୍ତ, ଗାଣପତ୍ୟ, ସୌର, ବୌଦ୍ଧ, ଜିନ ସମସ୍ତ ସମ୍ପ୍ରଦାୟର ମତ ସମନ୍ୱୟରେ ଜଗନ୍ନାଥ ଧର୍ମ ଓ ମନ୍ଦିରର ସୃଷ୍ଟି |

ଅଷ୍ଟମ ଶତକରେ ଶଙ୍କରାଚାର୍ଯ୍ୟ ଭାରତର ଚାରିଧାମ ମଧ୍ୟରେ ପୁରୀରେ ଗୋବର୍ଦ୍ଧନ ମଠ ସ୍ଥାପନ କରିଥିଲେ || ସେତେବେଳେ ଶଙ୍କରଙ୍କ ଅଦୈତ ମତ ମତର ପ୍ରଚାର ପ୍ରାବଲ୍ୟରୁ ଧୀରେଧୀରେ ଜଗନ୍ନାଥ ବୌଦ୍ଧ ଦେବତାରୁ ପରଂବ୍ରହ୍ମ ଭାବେ ଗୃହୀତ ହେଲେ |

ଖ୍ରୀଷ୍ଟିୟ 12 ଶତାବ୍ଦୀରୁ ମହାରାଜା ଅନନ୍ତବର୍ମା ଚୋଡଗଙ୍ଗ ଦେବ ସମସ୍ତ ଉତ୍କଳ ଦେଶ ଜୟକରି କଳିଙ୍ଗ ଓ ଉତ୍କଳର ମିଶ୍ରଣରେ ବିଶାଳ ଉତ୍କଳ ଦେଶର ରାଜା ହୋଇ ଆଧୁନିକ ବିଶାଳ ଜଗନ୍ନାଥ ମନ୍ଦିର ନିର୍ମାଣ କରେଇଥିଲେ |ସେହି ଚୋଡଗଙ୍ଗ ଦେବଙ୍କ ରାଜତ୍ୱ ସମୟରେ ରାମାନୁଜ ସ୍ୱାମୀଙ୍କ ଓଡିଶା ଆଗମନ ହେତୁରୁ ହିଁ ଜଗନ୍ନାଥ ସାକ୍ଷାତ ବିଷ୍ଣୁ ଭଗବାନ ପୁରୁଷୋତ୍ତମ ଭାବରେ ପୂଜିତ ହେଲେ |

ଶ୍ରୀଜଗନ୍ନାଥଙ୍କ ନିବାସସ୍ଥଳ ପୁରୁଷୋତ୍ତମ-ପୁରୀକୁ ପୁରୁଷୋତ୍ତମ କ୍ଷେତ୍ର, ଶ୍ରୀକ୍ଷେତ୍ର, ଶଙ୍ଖ କ୍ଷେତ୍ର, ନୀଳାଚଳ ଧାମ, ନୀଳକନ୍ଦର,, ପୁରୀ ଧାମ ଭାବରେ ପରିଚିତ କରାଯାଇଛି |ଏହି ସ୍ଥଳରେ ବିରାଜମାନ କରିଛନ୍ତି ଓଡ଼ିଆର ଠାକୁର ବଡ଼ ଠାକୁର ଓ ତାଙ୍କର ସବୁବଡ଼ ଯଥା :-, ବଡ଼ ମନ୍ଦିର, ବଡ଼ଦାଣ୍ଡ, ବଡ଼ନେତ, ବଡ଼ପଣ୍ଡା, ବଡ଼ରଥ, ବଡ଼ଯାତ୍ରା, ବଡ଼ଧଣ୍ଡା, ବଡ଼ ସିଂହାର ଧୂପ, ବଡ଼ ସିଂହାର ବେଶ, ମହାପ୍ରସାଦ, ମହାରାଜା, ମହାଦୀପ, ମହୋଦଧି, ବାଇଶିପାବଛ, ମେଘନାଦ ପାଚେରୀ, ସିଂହଦ୍ୱାର, ମୁକ୍ତି ମଣ୍ଡପ, ରତ୍ନବେଦି ଓ ରତ୍ନଭଣ୍ଡାର ଓ ଆହୁରି ଅନେକ କିଛି |

ଏଥିରୁ ଅନୁମେୟ ହୁଏ ଯେ, ଏହି ସଂସ୍କୃତି କେତେ ମହାନ ଓ ବିଶାଳ |ଏହି ସଂସ୍କୃତିକୁ ଭିତ୍ତିକରି ବାରମାସରେ ତେର ଯାତ୍ରା ଅନୁଷ୍ଠିତ ହୁଏ |ସେସବୁ ହେଲେ :-ସ୍ନାନ ଯାତ୍ରା, ରଥଯାତ୍ରା, ଶୟନ ଯାତ୍ରା, ଦକ୍ଷିଣାୟନ ଯାତ୍ରା, ପାର୍ଶ୍ଵପରିବର୍ତ୍ତନ ଏକାଦଶୀ, ଦେବ ଉତ୍ଥାପନ ଯାତ୍ରା, ପ୍ରାବରଣ ବା ଓଢଣ ଷଷ୍ଠୀ, ପୁଷ୍ୟା (ଦେବାଭିଶେକ )ଯାତ୍ରା, ଉତ୍ତରାୟଣ ଯାତ୍ରା, ଦୋଳ ଯାତ୍ରା, ଦମନକ ଚତୁର୍ଦଶୀ, ଚନ୍ଦନ ଯାତ୍ରା, ନୀଳାଦ୍ରି ମହୋଦୟ, ଜନ୍ମାଷ୍ଟମୀ ଇତ୍ୟାଦି |

ଏସବୁ ଯାତ୍ରା ମଧ୍ୟରେ ବିଶେଷ ଭାବରେ ବୈଶାଖ ମାସ ଅକ୍ଷୟ ତୃତୀୟାଠାରୁ ବାଇଶି ଦିନ ପର୍ଯ୍ୟନ୍ତ ଚନ୍ଦନ ଯାତ୍ରା ଅନୁଷ୍ଠିତ ହୁଏ |ଜ୍ୟେଷ୍ଠ ପୂର୍ଣ୍ଣିମାରେ ସ୍ନାନ ଯାତ୍ରା ହୁଏ |ଏହି ଦିନଠାରୁ ଠାକୁରମାନେ ତେର ଦିନ ଧରି ନିରୋଧନ ଗୃହରେ ଅବସ୍ଥାନ କରନ୍ତି | ଠାକୁରମାନେ ଜ୍ୱରରେ ପଡନ୍ତି |ଏହି ସମୟରେ ମହାପ୍ରସାଦ ପ୍ରସ୍ତୁତ ହୁଏନାହିଁ |ଓଡ଼ିଆ ଘରର ପଥି, ଆୟୁର୍ବେଦିକ ଔଷଧ ଠାକୁରଙ୍କୁ ଲାଗି କରାଯାଏ |ଜ୍ୱର ଭଲ ହୁଏ |ଦେହ ଖରାପ ଥିବାରୁ ସ୍ଥାନାନ୍ତର ଆବଶ୍ୟକତା ଦୃଷ୍ଟିରୁ ପ୍ରଭୁ ଜନ୍ମବେଦୀକୁ ଯା’ନ୍ତି |

ଏହି ଯାତ୍ରା ହିଁ ରଥଯାତ୍ରା |ଏହା ଆଷାଢ଼ ମାସ ଶୁକ୍ଳ ଦ୍ଵିତୀୟାଦିନ ଅନୁଷ୍ଠିତ ହୁଏ |

ଠାକୁରଙ୍କ ବିଭିନ୍ନ ଦିନରେ ବିଭିନ୍ନ ବେଶ ଅନୁଷ୍ଠିତ ହୁଏ |
ନିତିଦିନ ବେଶ ମଧ୍ୟରେ ବଡ଼ ସିଂହାର ବେଶ, ଅବକାଶ ବେଶ, ସାଧାବେଶ ଅନୁଷ୍ଠିତ ହୁଏ | ସ୍ୱତନ୍ତ୍ର ବେଶ ମଧ୍ୟରେ ହାତୀ ବେଶ, ସୁନାବେଶ, ବଣଭୋଜି ବେଶ, କାଳୀୟଦଳନ ବେଶ, ପ୍ରଳମ୍ବାସୁର ବଧ ବେଶ, କୃଷ୍ଣ ବଳରାମ ବେଶ, ବାମନ ବେଶ, ଶ୍ରୀରାଧା ଦାମୋଦର ବେଶ, ଠିଆଳିଆ ବେଶ, ବାଙ୍କଚୂଡ଼ ବେଶ, ଆଡକିଆ ବେଶ, ଡାଳିକିଆ ବେଶ, ନାଗାର୍ଜୁନ ବେଶ, ଗିରୀଗୋବର୍ଦ୍ଧନ ବେଶ,ନବାଙ୍କ ବେଶ, ପ୍ରଭୃତି ଋତୁ ଅନୁସାରେ ଅନୁଷ୍ଠିତ ହୁଏ |ଏହି ସବୁ ବେଶ ଉତ୍କଳୀୟ ଜନଜୀବନକୁ ପ୍ରଭାବିତ କରିଥାଏ |

ଜଗନ୍ନାଥ ସଂସ୍କୃତିରେ ମଧ୍ୟ ମହାପ୍ରସାଦ ବ୍ୟଞ୍ଜନ ଓ ଜଳପାନ ପ୍ରଭୃତି ଖାଦ୍ୟପେୟ ସ୍ୱତନ୍ତ୍ର ଓ ନିଆରା | ଅନ୍ୟ କୌଣସି ସ୍ଥାନରେ ଏପରି ସୁନ୍ଦର ବ୍ୟଞ୍ଜନର ବ୍ୟବସ୍ଥା ନାହିଁ | ଏଥିରେ ରହିଛି ବିରିର ବଡ଼କାନ୍ତି, ମାଠପୁଳି, ଚଣ୍ଡମାଠପୁଳି, ହଂସକେଳି, କାକତୁଆ ଝିଲି, ଅଦା ପାଚିଡ଼ି,ଏଣ୍ଡୁରି, ଶାଗ, ଖେଚୁଡ଼ି, କାନିକା, ପିଠାପୁଳି, ବୁନ୍ଦିଆ କ୍ଷୀରି, ଆରିସା, ଧଉଳ|, ଘି ପୁରି, ତାଟନାଡୀ, ଚାଟଆରିସା, କାକରା, ମରିଚ ଲଡ଼ୁ, ଘି ନାଡୀ, ସର, ପଣା, ଅମୃତ ଦୁଧ, ଥାଳି ଅନ୍ନ, ଓରିଆ କଦମ୍ବା,ସୁବାସ ପଖାଳ, ଶାକରା, ସାନଗଜା, ମାଣ୍ଡୁଆ, ପାରିଜାତକ, ଜେନାମଣି ପିଠା, ହଂସ ବଲ୍ଳଭ ପିଠା, ମହାବୀର ପିଠା ଇତ୍ୟାଦି ଭିନ୍ନ ରକମର ଓ ଭିନ୍ନ ସ୍ୱାଦର |

ପ୍ରତିଟି ଦ୍ରବ୍ୟ ଉତ୍କଳୀୟ କୃଷିଜାତ ଦ୍ରବ୍ୟରୁ ପ୍ରସ୍ତୁତ ହୋଇଥାଏ |ଏହା ଛଡା ପ୍ରଭୁଙ୍କର ମହାପ୍ରସାଦ ବିଶ୍ୱ ବିଖ୍ୟାତ ମଣ୍ଡପ ‘ଆନନ୍ଦ ବଜାର ‘ରେ ଆଚଣ୍ଡାଳ ବ୍ରାହ୍ମଣ ଏକତ୍ର ଭୋଜନ କରି ହାତ ମୁଣ୍ଡରେ ବୋଳିବାର ପରମ୍ପରା ଏଠାରେ ଦେଖାଯାଏ |ଏଠାରେ ପେଟ କାହାର ଅପୋଷା ରହେନାହିଁ |ଆଉ ମଧ୍ୟ ଏପରି ବ୍ୟଞ୍ଜନ ବ୍ୟବସ୍ଥା ଅନ୍ୟ କେଉଁଠି ଦେଖାଯାଏ ନାହିଁ |ଏହି ବିଶାଳ ବ୍ୟବସ୍ଥା ସୁପରିଚାଳନା ପାଇଁ କାଳକ୍ରମେ ବିଭିନ୍ନ ସେବାୟତ ମାନଙ୍କୁ ନିଯୁକ୍ତ କରିଛନ୍ତି |

ମହାପ୍ରଭୁଙ୍କର ନ ଦିନ ଯାତ୍ରାର ଅନ୍ୟତମ ପର୍ବ ହେଉଛି ବାହୁଡା଼ ଯାତ୍ରା | ଏହାର ଅନ୍ତିମ ପର୍ବ ନୀଳାଦ୍ରି ବିଜୟ |ନୀଳାଦ୍ରି ବିଜୟ ପୂର୍ବରୁ ସିଂହଦ୍ୱାର ଠାରେ ମା’ଲକ୍ଷ୍ମୀ ଓ ଶ୍ରୀଜଗନ୍ନାଥଙ୍କ ମଧ୍ୟରେ କଳି ହୁଏ |ଓଡ଼ିଆ ଘରେ ସ୍ୱାମୀଙ୍କ ଉପରେ ଅଭିମାନ କରି ସ୍ତ୍ରୀ ଯେପରି କଳି କରିଥାନ୍ତି, -ତାହା ଏହି ପରମ୍ପରା ଓ ସଂସ୍କୃତିରୁ ଆସିଛି |

ଶ୍ରାବଣ ମାସର ଶୁକ୍ଳ ଏକାଦଶୀ ଠାରୁ ପୂର୍ଣମୀ ପର୍ଯ୍ୟନ୍ତ ଝୁଲଣ ଯାତ୍ରା ଅନୁଷ୍ଠିତ ହୁଏ |ଏହି ଉତ୍ସବରେ ଉତ୍କଳୀୟ ପରମ୍ପରା ଓ ସଂସ୍କୃତିର ଅନ୍ୟତମ ବିଭବ ଓଡିଶୀ ନୃତ୍ୟ ପ୍ରଦର୍ଶନ ଓ ଗୀତ ଗାୟନ କରାଯାଏ |ଫଗୁଣ ମାସରେ ଦୋଳ ଯାତ୍ରା ଓ ହୋଲି ଉତ୍ସବ ଅନୁଷ୍ଠିତ ହୁଏ |ଓଡିଶା ଏକ କୃଷି ପ୍ରଧାନ ରାଜ୍ୟ |

ଏଣୁ ଶ୍ରୀମନ୍ଦିର ସଂସ୍କୃତିରେ କୃଷିକୁ ଆଧାର କରି ପର୍ବ ସବୁ ପାଳନ କରାଯାଏ |ଏହା ମଧ୍ୟରେ ବର୍ଷକରେ ଚବିଶ ଏକାଦଶୀ, ବକୁଳ ଅମାବାସ୍ୟା, ଚିତାଲାଗି ଅମାବାସ୍ୟା, ବସନ୍ତ ଉତ୍ସବ, ଶ୍ରୀରାମ ନବମୀ, ଜନ୍ମାଷ୍ଟମୀ, ଅକ୍ଷୟ ତୃତୀୟା ପ୍ରମୁଖ |ରଜ, ନେତ୍ର ଉତ୍ସବ,ବା ନବ ଯୌବନ ଦର୍ଶନ, ଗହ୍ମା ପୂର୍ଣମୀ, ମହାଳୟା, ଦୀପାବଳି, ଦେବ ଦୀପାବଳି, କୁମାର ପୁର୍ଣିମା, ରାସ ପୁର୍ଣିମା ଇତ୍ୟାଦି ମଧ୍ୟ ଶ୍ରୀମନ୍ଦିରରେ ପାଳନ କରାଯାଏ |

ବିଭିନ୍ନ ଉତ୍ସବ ତଥା ଦିବସ ମାନଙ୍କରେ ଠାକୁର ବିଭିନ୍ନ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦିଅନ୍ତି |କାରଣ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ହେଉଛନ୍ତି ବେଶପ୍ରିୟ ରହସ୍ୟମୟ ବିଗ୍ରହ | ମହାପ୍ରଭୁଙ୍କ ନୀତି, ରୀତି, ଯାନିଯାତ୍ରା,ଉତ୍ସବ ଇତ୍ୟାଦି ପରମ୍ପରାକ୍ରମେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇ ଆସୁଛି |ବାସ୍ତବିକ ଏଭଳି ନୀତି, କାନ୍ତି , ଯାନି ଯାତ୍ରା, ବେଶ, ମହାପ୍ରସାଦ ପ୍ରଭୃତିର ଆୟୋଜନ ବିଶ୍ୱର ଅନ୍ୟ କୌଣସି ଦେବୀ ଦେବ ମନ୍ଦିରରେ ଦୃଶ୍ୟମାନ ହୁଏ ନାହିଁ |ଠାକୁରଙ୍କ ଏସବୁ ନୀତି ପାଇଁ 253 ପ୍ରକାର ସେବାୟତ ନିୟୋଜିତ ଥିଲେ |ଏବେ କେତେକ ସେବା ବନ୍ଦ ହୋଇ ଗଲାଣି |

ଏବେ କାର୍ଯ୍ୟରତ ସେବାୟତ ମାନଙ୍କ ମଧ୍ୟରୁ ଦଇତା, ସୁଆର, ମହା ସୁଆର, ପ୍ରତିହାରି, ଭିତରଛୁ ମହାପାତ୍ର, ମୁଦୁଲି, ଅଖଣ୍ଡ ମେକାପ, ପାଳିଆ ମେକାପ,ପାଳିଆ ସୁଆର, ବଡୁ, ଗରାବଡୁ, ଖୁଣ୍ଟିଆ ପ୍ରଭୃତି ସେବକଙ୍କ ମଧ୍ୟରେ ଗଜପତି ମହାରାଜ ମୁଖ୍ୟ ସେବକ ଭାବେ ବିବେଚିତ ହୁଅନ୍ତି |

ଜଗନ୍ନାଥ ସଂସ୍କୃତିକୁ ଆଧାର କରି ଏକ ସ୍ୱତନ୍ତ୍ର ଧର୍ମର ଉତ୍ପତ୍ତି ହୋଇଛି | ତାହା ହେଉଛି ଉତ୍କଳୀୟ ଗୌଡ଼ିୟ ବୈଷ୍ଣବ ପରମ୍ପରା |ଏହି ସମ୍ପ୍ରଦାୟକୁ ନେଇ ଶ୍ରୀକ୍ଷେତ୍ରରେ ଶହ ଶହ ମଠ ପ୍ରତିଷ୍ଠା ହୋଇଛି |ସେଥିମଧ୍ୟରୁ ଏମାର ମଠ, ବଡ଼ ଓଡ଼ିଆ ମଠ, ବଡ଼ ଛତା ମଠ, ସାନ ଛତା ମଠ ପ୍ରଭୃତି ପ୍ରଧାନ |ଏହି ମଠ ଗୁଡିକ ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର ଦିଗରେ କାର୍ଯ୍ୟରତ |

ଶ୍ରୀମନ୍ଦିର ସୁରକ୍ଷା ନିମିତ୍ତ ଗଜପତି ମହାରାଜାମାନେ ବିଭିନ୍ନ ସାହିରେ “ଯାଗାଘର “ମାନ ପ୍ରତିଷ୍ଠା କରିଛନ୍ତି |ଏହା ଏ ସଂସ୍କୃତିର ଅନନ୍ୟ ସ୍ୱତନ୍ତ୍ରତା |କଳା, ସଂସ୍କୃତିର ପୃଷ୍ଠଭୂମି ଓଡିଶୀ ସଂଗୀତ ଓ ନୃତ୍ୟ ମାହାରୀ ନୃତ୍ୟରୁ ସୃଷ୍ଟି ହୋଇଛି, ଯାହା ଶ୍ରୀମନ୍ଦିର ସଂସ୍କୃତିର ଅବିଛେଦ୍ୟ ଅଙ୍ଗ |

ଓଡିଶା ଏକ ପରମ ପବିତ୍ର ଜଗନ୍ନାଥ ସଂସ୍କୃତିର ଭୂମି ରୂପେ କାହିଁ କେଉଁ ଅନାଦି କାଳରୁ ପରିଚିତ | ଏଠାରେ ବିଭିନ୍ନ ଧର୍ମର ସମନ୍ୱୟ ଘଟିଛି |ଏଠାରେ ତନ୍ତ୍ରର ପ୍ରଚଳନ କେବେ ଠାରୁ ହେଲା ସେ ସମ୍ବନ୍ଧରେ ଇତିହାସ ନିରବ |ତେଵେ ତନ୍ତ୍ର ତିନି ଭାଗରେ ବିଭକ୍ତ, ଯଥା :-ଆଦିବାସୀ ତନ୍ତ୍ର, ବୌଦ୍ଧ ତନ୍ତ୍ର, ଓ ହିନ୍ଦୁ ତନ୍ତ୍ର | ଶ୍ରୀମନ୍ଦିର ପରମ୍ପରାରେ ଯେଉଁ ତନ୍ତ୍ରପୂଜା ଲୋକପ୍ରିୟ ହୋଇ ଉଠିଲା, ତାହାକୁ ବ୍ରାହ୍ମଣ, ବୈଷ୍ଣବ, ଓ ଶୈବ ମାନେ ବିନା ଦ୍ଵିଧାରେ ଗ୍ରହଣ କଲେ |

ଏହି ବିଦ୍ୟା ଦଶ ମହାବିଦ୍ୟା, ମାତୃକା ପୂଜା ଓ କୁମାରୀ ପୂଜା ଭାବରେ ବିସ୍ତାର ଲାଭ କଲା |ଆଜି ମଧ୍ୟ ଶ୍ରୀମନ୍ଦିର ସେବା ପୂଜା ନୀତିରେ ଏହିସବୁର ପ୍ରଚଳନ ରହିଛି |

  • ଶ୍ରୀକାନ୍ତ ଦାଶ, ମହାସଚିବ, ଓଡ଼ିଆ ଜାତୀୟ ସମ୍ମିଳନୀ,
    ଦୂରଭାଷ :9238304919

Leave A Reply

Your email address will not be published.